ବୁଢ଼ୀ ଠାକୁରାଣୀ ଯାତ୍ରା

ଉଇକିପିଡ଼ିଆ ରୁ
Jump to navigation Jump to search
ବୁଢ଼ୀ ଠାକୁରାଣୀ ଯାତ୍ରା
ଅନ୍ୟ ନାମଠାକୁରାଣୀ ଯାତ୍ରା
ପ୍ରକାରଧାର୍ମିକ
୨୦୧୯ ତାରିଖdate missing (please add)
ପୌନଃପୁନିକତାଦ୍ୱିବାର୍ଷିକ

ବୁଢ଼ୀ ଠାକୁରାଣୀ ଯାତ୍ରା ପ୍ରତି ଦୁଇବର୍ଷରେ ଥମେ ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଥାଏ ।[୧] ପ୍ରଥମ ବୁଢ଼ୀ ଠାକୁରାଣୀ ଯାତ୍ରା ୧୭୭୯ ମସିହା ଅପ୍ରେଲ ମାସରେ ଅନୁଷ୍ଠିତ ହେଇଥିଲା । [୨] ଏହି ଯାତ୍ରା ରାଜ୍ୟ ଉତ୍ସବ ଭାବେ ମାନ୍ୟତା ପାଇଛି ।[୩]

କିମ୍ବଦନ୍ତୀ[ସମ୍ପାଦନା]

ମହୁରୀ ରାଜ୍ୟ କେରାଣ୍ଡିମାଳ ପର୍ବତଠାରୁ ଆଧୁନିକ ବ୍ରହ୍ମପୁରକୁ ଲାଗିଥିବା ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ରାଜା ପ୍ରତିଦିନ ଅଷ୍ଟଶମ୍ଭୁଙ୍କୁ ପୂଜା କରୁଥିଲେ । ରାଜାଙ୍କର ଇଷ୍ଟଦେବୀ ମା’କାଳୁଆଙ୍କ ପ୍ରଦତ୍ତ ଖଣ୍ଡା ଧରି ସେ ଅଷ୍ଟଶମ୍ଭୁଙ୍କୁ ପ୍ରାତ୍ୟହିକ ଦର୍ଶନ କରିସାରିବା ପରେ ମା’ଙ୍କୁ ଦର୍ଶନ କରି ବ୍ରହ୍ମପୁରର ରାଜାସାହିସ୍ଥ ଉଆସରେ ପହଞ୍ଚି ରାଜକାର୍ଯ୍ୟ ପରିଚାଳନା କରୁଥିଲେ । କିମ୍ବଦନ୍ତୀ ଅନୁସାରେ ରାଜାଙ୍କୁ ପ୍ରତିଦିନ ୨୦ରୁ ୨୫କିଲୋମିଟର ଘୋଡାରେ ଦୌଡ଼ିବାକୁ ପଡୁଥିଲା । ରାଜା ବ୍ୟବସାୟ ସହିତ ପ୍ରଶାସନ ସଂପର୍କୀୟ କାର୍ଯ୍ୟରେ ତାଙ୍କର ଦାକ୍ଷିଣାତ୍ୟ ସହିତ ଉତ୍ତମ ସଂପର୍କ ଥିଲା । ରାଜାଙ୍କ ଶାସନ ପୂର୍ବରୁ ହିଁ ବ୍ରହ୍ମପୁର ଠାକୁରାଣୀ ଗ୍ରାମଦେବତୀ ରୂପେ ବ୍ରହ୍ମପୁରରେ ପୂଜା ପାଇଆସୁଥିଲେ । ମା’ ବୁଢ଼ୀ ଠାକୁରାଣୀ ଲୋକଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଥିଲେ । ରାଜାଙ୍କ ଦାକ୍ଷିଣାତ୍ୟ ସଂପର୍କ ଯୋଗୁଁ ବର୍ତ୍ତମାନ ପ୍ରଚଳିତ ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଆରମ୍ଭ ବୋଲି କୁହାଯାଏ । ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ସମୟରେ ରାଜା ଦାକ୍ଷିଣାତ୍ୟ ଯାଇ, ରାଜ ମହେନ୍ଦ୍ରୀ ରାଜାଙ୍କ ଆତିଥେୟତା ଗ୍ରହଣ କରି ପାଟପଗଡ଼ି ଗ୍ରହଣ କରୁଥିଲେ । ରାଜ ମହେନ୍ଦ୍ରୀ ରାଜା ମହୁରୀ ରାଜାଙ୍କୁ ଉଭୟ ରାଜ୍ୟ ମଧ୍ୟରେ ଥିବା ସଂପର୍କକୁ ଆହୁରି ନିବିଡ଼ କରିବା ଉଦ୍ଦେଶ୍ୟରେ ପାଟପଗଡ଼ି ଓ ଉତ୍ତରୀୟ ଉପଢୌକନ ହିସାବରେ ଦେଇଥିଲେ । ସେତେବେଳେ ସମୟ ଥିଲା ଚୈତ୍ର- ବୈଶାଖର ସମୟ । ସେଠାରେ ମା’ଙ୍କର ଘଟଯାତ୍ରା ଚାଲିଥିଲା । ଶହ ଶହ ମହିଳାଙ୍କୁ ଏହି ଘଟଯାତ୍ରାରେ ଯୋଗଦେବାର ଦେଖି ମହୁରୀ ରାଜା ଜିଜ୍ଞାସା କରନ୍ତେ ଏହି ଯାତ୍ରା ସେହି ପାଟପଗଡ଼ି ବୁଣାକାରମାନଙ୍କ ସଂପ୍ରଦାୟ ବା ଦେବାଙ୍ଗ ସଂପ୍ରଦାୟର ଲୋକଙ୍କଦ୍ୱାରା ଅନୁଷ୍ଠିତ ହେଉଛି ବୋଲି ରାଜମହେନ୍ଦ୍ରୀ ରାଜା କହିଥିଲେ । ମହୁରୀ ରାଜା ତାଙ୍କୁ ତାଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କର ବ୍ରହ୍ମପୁର ଫେରିବା ସମୟରେ ଏହି ଦେବାଙ୍ଗ ସଂପ୍ରଦାୟର କିଛି ଲୋକଙ୍କୁ ତାଙ୍କ ସହିତ ପଠାଇବା ପାଇଁ । ଦେବାଙ୍ଗ ସଂପ୍ରଦାୟର ଲୋକେ ବ୍ରହ୍ମପୁର ଆସିଲେ ଏବଂ ସେମାନଙ୍କ ଉଦ୍ୟମରେ ବ୍ରହ୍ମପୁରୀ ପାଟବୁଣା ଓ ବ୍ରହ୍ମପୁରର ପ୍ରସିଦ୍ଧ ଘଟଯାତ୍ରା ପରମ୍ପରା ଆରମ୍ଭ ହେଲା । ଆଉ ଏହିଯାତ୍ରାର ମୁଖ୍ୟ ହେଲେ ଦେବାଙ୍ଗ ( ବା ଓଡ଼ିଶାରେ କୁହାଯାଉଥିବା ଡେରା ସଂପ୍ରଦାୟ ) ସଂପ୍ରଦାୟର ମୁଖ୍ୟ ତଥା ଅଠର ଖଣ୍ଡ ପାଟର ସେନାପତି ‘ଦେଶୀବେହେରା’ ।

'କନ୍ୟା'ର ଗୁରୁତ୍ୱ ଓ ମାନସିକଧାରୀ ମହିଳା[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ଦେଶୀ ବେହେରାଙ୍କ କନ୍ୟା ରୂପେ[୪]

ମା'ଙ୍କ ଅସ୍ଥାୟୀ ମଣ୍ଡପ ଆଗରେ ନିର୍ମିତ ଛାମୁଣ୍ଡିଆ

ପ୍ରତି ଦୁଇବର୍ଷକୁ ଥରେ ଆସିବା ପରେ ହିଁ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହି ଅଞ୍ଚଳର କନ୍ୟାମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ଦିଆଯାଇଥାଏ । ବିବାହିତା କନ୍ୟାମାନଙ୍କୁ ଓ ସେମାନଙ୍କ ଶ୍ୱଶୁରଘର ଲୋକମାନଙ୍କୁ ଯାତ୍ରା ସମୟରେ ନିମନ୍ତ୍ରଣ କରିବା ପାଇଁ କନ୍ୟାପିତାମାନେ ମାନସିକ ରଖିଥାନ୍ତି । କନ୍ୟା, ଜ୍ୱାଇଁ ତଥା କନ୍ୟାର ସନ୍ତାନ ଓ ସଂପର୍କୀୟମାନଙ୍କୁ ନୂଆଲୁଗା ଓ ଉପହାର ସାଧ୍ୟମତେ ଦେବାକୁ ମାନସିକ ରଖିଥାନ୍ତି । ପ୍ରବାଦ ଅଛି ଏହିଯାତ୍ରା ସମୟରେ ଯାହାଘରକୁ ଯେତେ ଅଧିକ ଅତିଥି ଆସନ୍ତି ତାଙ୍କୁ ସେତେ ପୂଣ୍ୟ ମିଳେ । ଏତଦ ବ୍ୟତୀତ ଠାକୁରାଣୀ ଯାତ୍ରା ସମୟରେ ଯାତ୍ରାନୁଷ୍ଠାନ ସହ ସମସ୍ତ କାର୍ଯ୍ୟ ମହିଳାମାନଙ୍କଦ୍ୱାରା ହିଁ ସମ୍ପାଦିତ ହୋଇଥାଏ । ମା’ଙ୍କ ମୂଳମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ମା’ଙ୍କୁ ଆଣିବା, ପ୍ରତିଦିନ ସନ୍ଧ୍ୟାରେ ଘଟ ପରିକ୍ରମା କରିବା, ଝୋଟିମୁରୁଜ ଓ ଝାଡୁରେ ପ୍ରତିରାତି ପାହାନ୍ତାରେ ଅସ୍ଥାୟୀ ମଣ୍ଡପ ଚାରିପାଖ ସଫାକରିବା, ଅସ୍ଥାୟୀ ମଣ୍ଡପରେ ପ୍ରତିଦିନ ଧର୍ମଝଣ୍ଡାରେ ହଳଦୀ ଚନ୍ଦନ ଲେପନ, କୁଙ୍କୁମ ପୂଜା ବା ଭୁବନେଶ୍ୱରୀ ପୂଜାରେ ବସିବାଠାରୁ ଆରମ୍ଭ କରି ପୁଣିଥରେ ମା’ଙ୍କ ଘଟକୁ ଧରି ମା’ଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ଏସମସ୍ତ କାର୍ଯ୍ୟ ଯାତ୍ରା ସମୟରେ ଲକ୍ଷ ଲକ୍ଷ ମହିଳାଙ୍କଦ୍ୱାରା ହିଁ ସମ୍ପନ୍ନ ହୋଇଥାଏ । ମା’ମାନେ ଅତିକମ୍ରେ ଦୁଇବର୍ଷ ପୂର୍ବରୁ ମାନସିକ ରଖିଥାନ୍ତି କିଏ କେଉଁ କାର୍ଯ୍ୟ କରିବ । କିଏ ପୁତ୍ର କନ୍ୟା କିମ୍ବା ପରିବାରର ମଙ୍ଗଳ ପାଇଁ ଆଉକିଏ ସନ୍ତାନ ଲାଭ ପାଇଁ । କେତେକ ମହିଳା ଧର୍ମକାର୍ଯ୍ୟରେ ସାମିଲ ହେବାର ମାନସିକ ରଖିଥାନ୍ତି । [୫]

ମାନସିକଧାରୀଙ୍କ ବେଶଧାରଣ[ସମ୍ପାଦନା]

ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ସ୍ୱତନ୍ତ୍ର ମହତ୍ତ୍ୱ ହେଲା – ବିଭିନ୍ନ ବେଶ ଧାରଣ କରି ଯାତ୍ରାରେ ଭିକ୍ଷା କରି ଯାହା ମିଳିଲା ମା’ଙ୍କ ନିକଟରେ ଅର୍ପଣ କରିବା ।[୬] ସବୁଠାରୁ ପୁରୁଣା ବେଶ ‘ବାବାଜୀ ବେଶ’ ଏହି ବେଶ ସାଧାରଣତଃ ଡେରା ସମ୍ପ୍ରଦାୟର ଲୋକଙ୍କ ପରିବାରରୁ ଜଣେ ସଦସ୍ୟ ଧାରଣ କରିବାର ପରମ୍ପରା ରହି ଆସିଛି । ଆଉ ମଧ୍ୟ କାଚରା ବେଶ, ଧୋବା ବେଶ, ରାମ, ବଳରାମ, କୃଷ୍ଣ ଓ ପର୍ଶୁରାମ ବେଶ । ଏହିସବୁ ବେଶ ସବୁବୟସର ଲୋକମାନେ ଧାରଣ କରିପାରିବେ ଏଥିପାଇଁ କୌଣସି ସ୍ୱତନ୍ତ୍ର ବିଧି ବା ପରମ୍ପରା ନାହିଁ । ଆଉଦୁଇଟି ବେଶ ହେଲା – ଛୋଡ ଗାଜିଆ ବେଶ ଓ ପିଲାଖାଇ ଡାହାଣୀ ବେଶ । ପ୍ରଥମ ବେଶଟି ଧାରଣ କଲେ, ଯଦି ପରିବାରର କେହି ରୋଗରେ ପଡ଼ିଥାଏ ସେ ରୋଗମୁକ୍ତ ହୋଇଯାଏ ଏବଂ ଦ୍ୱିତୀୟ ବେଶ, ‘ପିଲା ଖାଇ ଡାହାଣୀ’ ବେଶରେ ସନ୍ତାନ ସନ୍ତତିକୁ କାମନା କରାଯାଏ । ଯିଏ ବେଶ ଧାରଣ କରିଥାଏ ତାକୁ ସନ୍ତୁଷ୍ଟ କଲେ ପରିବାର ସମ୍ପୂର୍ଣ୍ଣ ହୁଏ ଓ ସନ୍ତୁଷ୍ଟ ରହେ । ଏହିପରି ବିଭିନ୍ନ ବେଶର ଉଦ୍ଦେଶ୍ୟକୁ ନେଇ ସଂକଳ୍ପ କରି ପରିବାରରେ ମା ମାନେ ମାନସିକ ରଖିଥାନ୍ତି । ଯେଉଁମାନେ ସନ୍ତାନ ଲାଭ ଆଶାରେ ବା ପିଲାର ଅନ୍ୟକୌଣସି ମଙ୍ଗଳ କାମନା ପାଇଁ ମାନସିକ କରିଥାନ୍ତି, ସେସବୁ ପୂରଣ ହେଲାପରେ ସଂକଳ୍ପ କରିଥିବା ବେଶ ପିଲାଟିକୁ ଧାରଣ କରାଇ ଦିଆଯାଏ । ଯଦି ତା’ର ଚାଲିବା ବୟସ ହୋଇ ନଥାଏ, ପିତା ବା ଅଭିଭାବକମାନେ ତାକୁ ସାଇକେଲରେ ବସାଇ ମା’ଙ୍କ ପାଇଁ ଭିକ୍ଷା କରିଥାନ୍ତି । [୫]

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ରାଜବାଟୀ

ଘଟ ପ୍ରତ୍ୟାବର୍ତ୍ତନ[ସମ୍ପାଦନା]

ଘଟ ଭିତରେ ଥିବା ମା'ଙ୍କୁ ଦର୍ଶନ କଲେ ଆର୍ଶୀବାଦ ଅନାୟସରେ ମିଳେ ବୋଲି କେବଳ ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ଏହିଯାତ୍ରା ସମୟରେ ଆସନ୍ତି । ଆଉମଧ୍ୟ ଦୂରଦୂରାନ୍ତରେ ରହୁଥିବା ଭକ୍ତମାନେ ଆସି ଦର୍ଶନ କରିବାର ମାନସିକ ରଖିଥାନ୍ତି । ମାଆ ଅସ୍ଥାୟୀ ମଣ୍ଡପରେ ବିରାଜମାନ ଥିଲା ପରଠୁଁ ପ୍ରତି ସନ୍ଧ୍ୟାରେ ଅତ୍ୟନ୍ତ ମନୋଜ୍ଞ ବାତାବରଣ ମଧ୍ୟରେ ନଗର ପରିକ୍ରମା କରନ୍ତି । ପ୍ରତି ସାହିରେ ଘରର ପ୍ରବେଶଦ୍ୱାରରେ କୁମ୍ଭକୁ ରଖି ଫୁଲ ଓ ସିନ୍ଦୂରରେ ସଜେଇ ମହିଳାମାନେ ମା'ଙ୍କୁ ଚାତକ ପରି ଅପେକ୍ଷା କରନ୍ତି ଓ ମା'ଙ୍କ ପଦସେବା କରିବାର ମାନସିକ କରି ଏବଂ ନିଜର ଅଭିଳାଷ ପୂର୍ଣ୍ଣ ହେଉଥିବା ଯୋଗୁଁ ଧନ୍ୟ ମନେକରନ୍ତି । ଯାତ୍ରାର ଶେଷଦିନ, ସହସ୍ରାକ୍ଷୀ ଘଟର ଆମନ୍ତ୍ରଣ ପରେ ମା' ଯେତେବେଳେ ନିଜ ମନ୍ଦିରକୁ ଫେରନ୍ତି ସେଦିନ ବହୁସଂଖ୍ୟାରେ ମାନସିକଧାରୀ ମହିଳାମାନେ ସମ୍ମିଳିତ ହୁଅନ୍ତି । ସମସ୍ତଙ୍କର ଗୋଟିଏ ଅଭିଳାଷ ଥାଏ ମା' ଓ ତାଙ୍କ ଆଠ ଭଉଣୀଙ୍କ ଘଟ ଯାତ୍ରାରେ ନିଜେ ଗୋଟିଏ ଘଟ ଧରି ମା'ଙ୍କ ସହିତ ମନ୍ଦିରରେ ପ୍ରବେଶ କରିବା । ଏହି ପ୍ରକ୍ରିୟାକୁ 'ହାଣ୍ଡି ଧରିବା' ବୋଲି କୁହାଯାଏ । ହାଣ୍ଡି ଧରିବା ପାଇଁ ବର୍ଷ ବର୍ଷ ଧରି ମହିଳାମାନେ ମାନସିକ ରଖିଥାନ୍ତି । ମା' ଓ ଘଟଧାରିଣ କରିଥିବା ସମସ୍ତ ମହିଳା ଯେଉଁ ରାସ୍ତାରେ ଯାଆନ୍ତି । ସେ ରାସ୍ତା ପବିତ୍ର ହୋଇଯାଏ, ସେହି ରାସ୍ତାକୁ ସଫା କରିବା, ପାଣିରେ ଧୋଇବା ଓ ଲୁଗା ବା ଶାଢ଼ୀ ପକାଇ ମା'ଙ୍କୁ ଆମନ୍ତ୍ରଣ କରିବା ଆହୁରି ପବିତ୍ରମୟ ହୋଇଯାଏ । ଏପରିକି ଯେଉଁ ଲୁଗା ଉପରେ ମା'ଙ୍କ ଘଟଧାରିଣୀ ଓ ଅନ୍ୟାନ୍ୟ ଘଟଧାରିଣୀ ଚାଲିଥାନ୍ତି ସେହି ଲୁଗାକୁ ପରିଷ୍କାର କରି ଘରେ ରଖି ପୂଜା କରିବା ବିଧି ରହିଆସିଛି ।

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାରେ ମା'ଙ୍କ ପାଇଁ ଜଣେ ଭକ୍ତ ଆଣିଥିବା ପୁଷ୍ପ ମୁକୁଟ
ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାରେ ମା'ଙ୍କ ପାଇଁ ଜଣେ ଭକ୍ତ ଆଣିଥିବା ପୂଜା ଚାଙ୍ଗୁଡ଼ି

ଆଧାର[ସମ୍ପାଦନା]

  1. Panda, Krushna Chandra. "B'pur Thakurani Yatra prep starts from today". The Pioneer. Retrieved 14 March 2015.
  2. "History". Budhi Thakurani Development Board. Retrieved 14 March 2015.
  3. "Thakurani yatra gets Rs 1 crore from state". ଟେଲିଗ୍ରାଫ. Retrieved 14 March 2015.
  4. "Berhampur bids adieu to Budhi Thakurani". Odisha Reporter. Retrieved 14 March 2015.
  5. ୫.୦ ୫.୧ ପ୍ରମେୟ, ପୃଷ୍ଠା- ୧୩, ରବିବାର ୨୮ ଏପ୍ରିଲ ୨୦୧୩
  6. "Mythological characters add colour to Thakurani Yatra". The New Indian Express. Retrieved 14 March 2015.