"ଚନ୍ଦନ ଯାତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ତଥ୍ୟ ଅଛି)
୮୭ କ ଧାଡ଼ି: ୮୭ କ ଧାଡ଼ି:


{{ଜଗନ୍ନାଥ}}
{{ଜଗନ୍ନାଥ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->


[[ଶ୍ରେଣୀ:ଜଗନ୍ନାଥ ଧର୍ମ]]
[[ଶ୍ରେଣୀ:ଜଗନ୍ନାଥ ଧର୍ମ]]
୯୫ କ ଧାଡ଼ି: ୯୪ କ ଧାଡ଼ି:
[[ଶ୍ରେଣୀ:ଓଡ଼ିଶାର ପର୍ବ ପର୍ବାଣୀ]]
[[ଶ୍ରେଣୀ:ଓଡ଼ିଶାର ପର୍ବ ପର୍ବାଣୀ]]
[[ଶ୍ରେଣୀ:ଭାରତର ପର୍ବ ପର୍ବାଣୀ]]
[[ଶ୍ରେଣୀ:ଭାରତର ପର୍ବ ପର୍ବାଣୀ]]

[[bn:চন্দনযাত্রা]]
[[en:Chandan Yatra]]
[[ru:Чандан-ятра]]

୧୮:୫୨, ୭ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଚନ୍ଦନ ଯାତ୍ରା
ନରେନ୍ଦ୍ର ପୁଷ୍କରିଣୀ
ପାଳନକାରୀବିଷ୍ଣୁ ମନ୍ଦିର ଓ ମଠ
ବିଶେଷତାଶ୍ରୀମନ୍ଦିରର ସବୁଠାରୁ ଦୀର୍ଘାତ୍ମକ ପର୍ବ
ଆରମ୍ଭବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)
ଶେଷଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ)
୨୦୨୪ ତାରିଖ୨୪ ଅପ୍ରେଲ (ଆରମ୍ଭ)

ଚନ୍ଦନଯାତ୍ରା ଶ୍ରୀମନ୍ଦିରର ସବୁଠାରୁ ଦୀର୍ଘାତ୍ମକ ପର୍ବ । ଏହା ମହାପ୍ରଭୁ ଜଗନ୍ନାଥଙ୍କର ଗ୍ରୀଷ୍ମ ପର୍ବ । ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।

ବାହାର ଚନ୍ଦନଯାତ୍ରା

ଦକ୍ଷିଣଘରୁ (ଅଣସର ଘରର ଦକ୍ଷିଣରେ ଥିବା ବେହରଣ ଦ୍ଵାର ମୁହଁରେ ଥିବା ଘର) ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ଵତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି । ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି । ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ। ବିମାନ ପଛ ପାଲିଙ୍କିଟିରେ ବଳରାମକୃଷ୍ଣ ଆରୋହଣ କରିଥାନ୍ତି ପୁଣି ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ଵର, ଶ୍ରୀନୀଳକଣ୍ଠେଶ୍ଵର, ଶ୍ରୀଜମ୍ବେଶ୍ଵର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି। [୧]

ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ । ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ ।

ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇ ଥାଏ । ଚାପ ଗୁଡ଼ିକୁ ଜରିକାମ ହୋଇଥିବା ମଣ୍ଡଣି ଦ୍ଵାରା ସୁଶୋଭିତ କରାଯାଇଥାଏ । ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି । ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ରୂପେ ପରିଚିତ ମହାଦେବମାନେ । ପ୍ରତିମାମାନଙ୍କ ସହ ଚାପଦ୍ଵୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ରହିଥାଆନ୍ତି । ଚାପ ଦ୍ଵୟ ନରେନ୍ଦ୍ର ଜଳରେ ଘେରାଏ ଘେରାଏ ବୁଲି ଆସନ୍ତି ।

ସ୍ନାନରୀତି ନିମନ୍ତେ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ । ପାଣିରେ ଅବଗାହନ ପରେ ବେଶ କରାଯାଏ ମଦନମୋହନଙ୍କୁ । ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି । ନୃସିଂହ ଜନ୍ମତିଥିରେ ମଦନମୋହନ କୌଣସି ପ୍ରକାର ବେଶ ହୁଅନ୍ତି ନାହିଁ । କ୍ରମାନୁଯାୟୀ ବେଶଗୁଡ଼ିକ ହେଲା: [୨]

  1. ଅକ୍ଷୟ ତୃତୀୟା: ନଟବର ବେଶ
  2. ବୈଶାଖ ଶୁକ୍ଳ ଚତୁର୍ଥୀ: ହରିଜନ୍ମ ବେଶ
  3. ବୈଶାଖ ଶୁକ୍ଳ ପଞ୍ଚମୀ: ରାଜାଧିରାଜ ବେଶ
  4. ବୈଶାଖ ଶୁକ୍ଳ ଷଷ୍ଠୀ: ଖଟଦୋଳି ବେଶ
  5. ବୈଶାଖ ଶୁକ୍ଳ ସପ୍ତମୀ: ଗୋମତୀ କୃଷ୍ଣ ବେଶ
  6. ବୈଶାଖ ଶୁକ୍ଳ ଅଷ୍ଟମୀ: ବତ୍ସାଚାରଣ
  7. ବୈଶାଖ ଶୁକ୍ଳ ନବମୀ: ବତ୍ସାହରଣ ବେଶ
  8. ବୈଶାଖ ଶୁକ୍ଳ ଦଶମୀ: ଅର୍ଘାସୁର ବଧ ବେଶ
  9. ବୈଶାଖ ଶୁକ୍ଳ ଏକାଦଶୀ: ଚକ୍ର ନାରାୟଣ ବେଶ
  10. ବୈଶାଖ ଶୁକ୍ଳ ଦ୍ଵାଦଶୀ: ନାବକେଳି ବେଶ
  11. ବୈଶାଖ ଶୁକ୍ଳ ତ୍ରୟୋଦଶୀ: ରାହାସମଣ୍ଡଳି ବେଶ
  12. ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ: (ନୃସିଂହ ଜନ୍ମ ତିଥି)ଏହି ଦିନ ବେଶ କରାଯାଏ ନାହିଁ
  13. ବୈଶାଖ ପୂର୍ଣ୍ଣିମା: କନ୍ଦର୍ପ ରଥ ବେଶ
  14. ବୈଶାଖ କୃଷ୍ଣ ପ୍ରତିପଦା: ଷଡ଼ଭୂଜ ଗୌରାଙ୍ଗ ବେଶ
  15. ବୈଶାଖ କୃଷ୍ଣ ଦ୍ଵିତୀୟା: ରଘୁନାଥ ବେଶ
  16. ବୈଶାଖ କୃଷ୍ଣ ତୃତୀୟା: ଗୋବର୍ଦ୍ଧନ ପୂଜା ବେଶ
  17. ବୈଶାଖ କୃଷ୍ଣ ଚତୁର୍ଥୀ: ଗୋବର୍ଦ୍ଧନ ଧାରଣ ବେଶ
  18. ବୈଶାଖ କୃଷ୍ଣ ପଞ୍ଚମୀ: ବସ୍ତ୍ରହରଣ ବେଶ
  19. ବୈଶାଖ କୃଷ୍ଣ ଷଷ୍ଠୀ: ଚିନ୍ତାମଣୀ କୃଷ୍ଣ ବେଶ
  20. ବୈଶାଖ କୃଷ୍ଣ ସପ୍ତମୀ: ଗଜ ଉଦ୍ଧାରଣ ବେଶ
  21. ବୈଶାଖ କୃଷ୍ଣ ଅଷ୍ଟମୀ: କୁଞ୍ଜବିହାରୀ ବେଶ

ବେଶ ପରେ ରାତ୍ର ଚାପ ରୀତି ସମ୍ପନ୍ନ କରାଯାଏ । ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ଏହି ବିହରଣରେ ବ୍ୟବହୃତ ହୋଇଥାଏ । ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ, ଜଣେ କାହାଳିଆ, ଜଣେ ତେଲିଙ୍ଗି ବାଜା ବାଦକ ରହିଥାନ୍ତି । ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରିଥାଏ । ଦିନ ଚାପ ଗୋଟିଏ ଘେରାରେ ଶେଷ ହେଉଥିବାବେଳେ ରାତ୍ରୀ ଚାପରେ ତିନି ଘେରା ବୁଲାଯିବାର ପରମ୍ପରା ରହିଛି ।

ସଙ୍ଗୀତ ଓ ନୃତ୍ୟସହିତ ଏହି ଯାତ୍ରା ଅତି ମନୋରମ ହୋଇଥାଏ । ଏହି ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ପାଳନ କରାଯାଏ।

ଭଉଁରୀ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ଵର, ଶ୍ରୀନୀଳକଣ୍ଠେଶ୍ଵର, ଶ୍ରୀଜମ୍ବେଶ୍ଵର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ । ଭଉଁରୀ ଦିନ କେବଳ ଦିନଚାପ କରାଯାଏ, ରାତ୍ରିଚାପ କରାଯାଏ ନାହିଁ, ଦିନଚାପରେ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲାଯାଇଥାଏ । ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥାନ୍ତି ।

ପରମ୍ପରା ଅନୁଯାୟୀ ଭଉଁରୀଦିନ ସକାଳଧୂପ ହେବାପରେ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳଧରି ରଥଖଳାକୁ ଯାଇଥାନ୍ତି । ସେଠାରେ ଶ୍ରୀଅଙ୍ଗଲାଗି ଏହି ଆଜ୍ଞାମାଳଗୁଡ଼ିକୁ ମହାରଣା ସେବକମାନେ ପାଇବାପରେ ନିର୍ମାଣାଧିନ ତିନିରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି ।

ଭଉଁରୀଯାତ୍ରା ପରଦିନ ଶ୍ରୀଜୀଉମାନଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହୋଇଥାଏ । ଏଥିରେ ଆଜ୍ଞାମାଳ ପାଇବାପରେ ବିମାନ ବିଜେକରି ଠାକୁରମାନେ ନରେନ୍ଦ୍ରପୁଷ୍କରିଣୀରେ ପହଞ୍ଚିବାପରେ କେବଳ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚାପଡଙ୍ଗାକୁ ବିଜେକରି ହଳଦୀପାଣୀ ପିଚକାରୀ ଖେଳିଥାନ୍ତି।

ଭିତର ଚନ୍ଦନଯାତ୍ରା

ବାହର ଚନ୍ଦନ ଯାତ୍ରା ପରେ ମନ୍ଦିର ଭିତରେ ୨୧ଦିନ ବ୍ୟାପି ଭିତର ଚନ୍ଦନ ଅବସରରେ ବାହର ଚନ୍ଦନ ଯାତ୍ରା ଭଳି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥାଏ । [୩]ଏହାସହ ଏଥିମଧ୍ୟରୁ ଜ୍ୟେଷ୍ଠକୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ପ୍ରଭୁଙ୍କର ଜଳକ୍ରୀଡ଼ା ନୀତି ସମ୍ପନ୍ନ କରାଯାଇଥାଏ। ଏଥିରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ରୋହିଣୀକୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ଯାଇ ସେଠାରେ ସୁବାଷିତ ଜଳକୁଣ୍ଡରେ ବିହାର କରିଥାନ୍ତି ।

ଚନ୍ଦନପ୍ରିୟ ଜଗନ୍ନାଥ

ଶ୍ରୀମନ୍ଦିର ମୁକ୍ତିମଣ୍ଡପ ନିକଟରେ ୮ଫୁଟ ପ୍ରସ୍ଥ ଓ ୧୨ଫୁଟ ଦୈର୍ଘ୍ୟ ବିଶିଷ୍ଟ ‘ଚନ୍ଦନ ଘର’ ଅଛି । ସେଠାରେ ପ୍ରତ୍ୟେକ ଦିନ ଶ୍ରୀଜୀଉମାନଙ୍କ ଲାଗି ଚନ୍ଦନ ଘୋରାଯାଇଥାଏ। ଚନ୍ଦନ ଘୋରିବା ପାଇଁ ଚନ୍ଦନ ଘରେ ଥିବା ତିନୋଟି ଶିଳକୁ ଘୋଟୁଆରୀ ସେବକମାନେ ବ୍ୟବହାର କରିଥାନ୍ତି । ସମୁଦାୟ ସାତଜଣ ଘୋଟୁଆରୀ ଚନ୍ଦନ ଘୋରିଥାନ୍ତି। ସାଧାରଣ ଦିନମାନଙ୍କରେ ଘୋଟୁଆରୀ ସେବକମାନେ ପ୍ରାୟ ୪୪୨ଗ୍ରାମ ଓଜନର ଚନ୍ଦନକାଠ ଘୋରିଥାନ୍ତି[୪], ତେବେ ଚନ୍ଦନ ଯାତ୍ରା ବେଳେ ପ୍ରାୟ ୧କିଲୋ ଓଜନର ଚନ୍ଦନ କାଠ ଘୋରିଥାନ୍ତି। ସନ୍ଧ୍ୟାଧୂପର ଅନ୍ନଭୋଗ ଅର୍ପଣ ପରେ ଠାକୁରମାନଙ୍କ ବେଶ ଓହ୍ଲାଇ ଦିଆଯାଇ ତିନିଠାକୁରଙ୍କ ବାହୁ ଓ ସନ୍ନିକଟ ଅଙ୍ଗଦେଶରେ ଚନ୍ଦନ ପ୍ରଲେପ କରାଯାଏ । ସିଂହାରୀ ସେବକ ମାନେ ଠାକୁରଙ୍କ ଏହି ସେବା କରିଥାନ୍ତି ।

ଚନ୍ଦନ ବେଶ

ସକାଳ ଧୂପର ପରବର୍ତ୍ତୀ ଧୂପ ଅର୍ଥାତ ଛତ୍ର ଭୋଗ ଅର୍ପଣ ପରେ ଜୟ ବିଜୟ ଦ୍ଵାର ବନ୍ଦ କରି ଦିଆଯାଏ । ଦିଅଁମାନଙ୍କ ଆଗରେ ଗୋଟିଏ କାଠ ଘଡ଼ା ପକାଇ, ତା’ଉପରୁ ତିନି ଜଣ ସେବାୟତ ଦିଅଁମାନଙ୍କୁ ଚାମରରେ ବିଞ୍ଚନ୍ତି । କିଛି ସମୟ ପରେ ଚାମର ଆଲଟ ବନ୍ଦ ହୋଇ ଆଡ଼ମ୍ବର ସହକାରେ ଚନ୍ଦନ, କର୍ପୁର, କେଶର, ଚୁଆ ପ୍ରଭୃତିର ମିଶ୍ରଣ ଦିଅଁମାନଙ୍କ ଶ୍ରୀଅଙ୍ଗରେ ଲେପନ କରାଯାଏ । ପୁଷ୍ପାଳକ ସେବକ ମାନେ ଏହା ଲାଗି କରନ୍ତି । ନିତିଦିନିଆ ତିନି ସାଧାରଣ ଆଭୂଷଣ ଚିତା, ଗୁଣା ଏବଂ ଅଧରମାଳା (ଯଥାକ୍ରମେ କପାଳ, ନାସାଓ ମୁଖତଳର ଆଭୁଷଣ) ସହ ସ୍ବତନ୍ତ୍ର ପୁଷ୍ପ ଆଭୁଷଣ ଚନ୍ଦନ ବେଶରେ ଉପଯୋଗ କରାଯାଏ । ଅଳକା (କପାଳ ଉପରେ ସଜ୍ଜିତ ହେଉଥିବା ଫୁଲ ମାଳ) ମାଳ ଗୁଡ଼ିକ ମନ୍ଦିରର ଫୁଲଦାସୀ ମାନେ ଗୁନ୍ଥି ପ୍ରସ୍ତୁତ କରିଥାନ୍ତି । ବିଗ୍ରହ ତ୍ରୟର ଉଭୟ ପଟର ରାହୁରେଖା (ମସ୍ତକର ଦୁଇ ପାର୍ଶ୍ଵ) ବେଷ୍ଟନ କରି ଗୋଟିଏ ଫୁଲମାଳ ସମଗ୍ର କଳେବରର ଉଭୟପଟେ ଲମ୍ବି ଯାଇଥାଏ । ଏହି ଚଉସରି (ଚାରିଗୋଟି ସରୁ ସରୁ ମାଳ ଏକତ୍ର ଗୁନ୍ଥା ଯାଇଥାଏ) ମାଳଗୁଡ଼ିକ ପ୍ରାୟ ୨୦ଫୁଟ ଯାଏଁ ଲମ୍ବା ହୋଇଥାଏ । ଏହି ହାରଗୁଡ଼ିକୁ ରାଘବ ଦାସ ମଠ ଯୋଗାଇଥାନ୍ତି ।

ଆଧାର

  1. ସୂର୍ଯ୍ୟପ୍ରଭା, ଗୁରୁବାର, ୩ ମଇ ୨୦୧୨, ପୃଷ୍ଠା: ୮
  2. Dāsa, Gopāladeva. "Festivals in the Hot Season – an interview with Jananivasa Prabhu - ISKCON Deity Worship Ministry". deityworship.com. Retrieved 2 January 2013. There is a list of Lord Jagannatha's special dresses for every day of Candana Yatra. In His form as Madan-Mohan, the utsava Deity,
  3. "Puri Yatra". puritrip.com. 2012. Retrieved 16 May 2012. the second period of 21 days known as ' bhitara chandan
  4. ରବିବାର ସମାଜ, ତା: ୦୩.୧୨.୨୦୦୬, ପୃଷ୍ଠା:୦୪