Jump to content

ବିଦ୍ୟାବତୀ କାହାଣୀ (ବତ୍ରିଶ ସିଂହାସନ)

ଉଇକିପିଡ଼ିଆ‌ରୁ
1. Vikramaditya Memorial, Ujjain

ବିଦ୍ୟାବତୀ କାହାଣୀ ବତ୍ରିଶ ସିଂହାସନର ସପ୍ତଦଶ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[]

ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ସପ୍ତଦଶ ଦିନ ଯେତେବେଳେ ସେହି ସିଂହାସନର ସପ୍ତଦଶ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ବିଦ୍ୟାବତୀ ନାମକ ଏକଦଶ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[]

ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ସପ୍ତଦଶ ପ୍ରତିମା ବିଦ୍ୟାବତୀ ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ସପ୍ତଦଶ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[][]

ସପ୍ତଦଶ କାହାଣୀ

[ସମ୍ପାଦନା]

ସତରତମ ପୁତ୍ତଳିକା ବିଦ୍ୟାବତୀ ଯେଉଁ କଥା କହିଲେ, ସେଇ କଥା ଏପରି ଥିଲା—

ମହାରାଜା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ପ୍ରଜାମାନଙ୍କୁ କୌଣସି ଅଭାବ ନଥିଲା । ସମସ୍ତେ ସନ୍ତୁଷ୍ଟ ଓ ଖୁସିରେ ଥିଲେ । କେହି ଯଦି କେବେ କୌଣସି ସମସ୍ୟା ନେଇ ଦରବାରକୁ ଆସୁଥିଲେ, ତାଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରାଯାଉଥିଲା । ପ୍ରଜାଙ୍କୁ କଷ୍ଟ ଦେଉଥିବା ଅଧିକାରୀମାନଙ୍କୁ ଦଣ୍ଡିତ କରାଯାଉଥିଲା । ସେଥିପାଇଁ କୌଣସି ଅଭିଯୋଗ ଶୁଣିବାକୁ ମିଳୁନଥିଲା । ରାଜା ନିଜେ ମଧ୍ୟେ ସମୟ ସମୟରେ ବେଶ ବଦଳି ରାଜ୍ୟର ଅବସ୍ଥା ଜାଣିବାକୁ ଅନ୍ଧାରିବିଜେରେ ବାହାରୁଥିଲେ । ଏକ ରାତି ସେପରି ବେଶ ବଦଳି ଘୁରୁଥିବା ବେଳେ ସେ ଏକ ଝୁମ୍ପୁଡି ଘର ମଧ୍ୟରୁ ଗୋଟିଏ କଥୋପକଥନ ଶୁଣିଲେ । ଜଣେ ନାରୀ ତାଙ୍କ ସ୍ୱାମୀଙ୍କୁ ରାଜାଙ୍କୁ ସତ୍ୟ କଥା କହିବାକୁ କହୁଥିଲା, ଏବଂ ସେହି ସ୍ୱାମୀ ତାକୁ କହୁଥିଲେ ଯେ, “ମୁଁ ନିଜ ସ୍ୱାର୍ଥ ପାଇଁ ଆମର ମହାନ ରାଜାଙ୍କ ଜୀବନକୁ ବିପଦରେ ପକେଇପାରିବି ନାହିଁ ।” ବିକ୍ରମ ବୁଝିଗଲେ ଯେ ସେମାନଙ୍କ ସମସ୍ୟାର ସମାଧାନରେ ରାଜାଙ୍କର କିଛି ସମ୍ପର୍କ ଅଛି । ସେ ଅଧିକ ସହିପାରିଲେ ନାହିଁ। ପ୍ରଜାଙ୍କ ସମସ୍ୟା ସମାଧାନ କରିବାକୁ ସେ ନିଜର କର୍ତ୍ତବ୍ୟ ଭାବୁଥିଲେ । ସେ ଦ୍ୱାର ବାଡେଇଲେ, ଏବଂ ଜଣେ ବ୍ରାହ୍ମଣ ଦମ୍ପତି ଦ୍ୱାର ଖୋଲିଲେ । ବିକ୍ରମ ନିଜ ପରିଚୟ ଦେଇ ସେମାନଙ୍କ ସମସ୍ୟା ବିଷୟରେ ପଚାରିଲେ, ତେବେ ସେମାନେ ଭୟରେ କମ୍ପି ଉଠିଲେ । ଯେତେବେଳେ ବିକ୍ରମ ତାଙ୍କୁ ଭୟ ନକରି ସବୁ କଥା ଖୋଲାମେଲା କହିବାକୁ କହିଲେ, ବ୍ରାହ୍ମଣ ସବୁ କଥା ଖୋଲି କହିଲେ ।

ସେହି ବ୍ରାହ୍ମଣ ଦମ୍ପତିଙ୍କ ବିବାହର ବାର ବର୍ଷ ହୋଇଥିଲେ, କିନ୍ତୁ ତାଙ୍କର ସନ୍ତାନ ନ ଥିଲେ । ଏହି ବାର ବର୍ଷ ମଧ୍ୟରେ ସେମାନେ ସନ୍ତାନ ପାଇଁ ବହୁ ଉଦ୍ୟମ କରିଥିଲେ,ଉପବାସ, ପୂଜା, ଯଜ୍ଞ, ସମସ୍ତ ପ୍ରୟାସ କରିଥିଲେ, କିନ୍ତୁ କୌଣସି ଫଳ ମିଳିଲା ନାହିଁ । କିଛି ଦିନପରେ ବ୍ରାହ୍ମଣୀ ଗୋଟିଏ ସ୍ୱପ୍ନ ଦେଖିଥିଲେ । ସ୍ୱପ୍ନରେ ଜଣେ ଦେବୀ ଆସି କହିଥିଲେ,“ପୂର୍ବ ଦିଗକୁ ତିରିଶି କୋଶ ଦୂରରେ ଗୋଟିଏ ଘନ ଜଙ୍ଗଲ ଅଛି, ଯେଉଁଠାରେ କିଛି ସନ୍ନ୍ୟାସୀ ଶିବଙ୍କ ସ୍ତୁତି କରୁଛନ୍ତି । ସେମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ଅଙ୍ଗ କାଟି ଯଜ୍ଞ କୁଣ୍ଡରେ ପକାଉଛନ୍ତି । ଯଦି ରାଜା ବିକ୍ରମାଦିତ୍ୟ ସେମାନଙ୍କ ପରି ନିଜ ଅଙ୍ଗ କାଟି ସେହି ଯଜ୍ଞ କୁଣ୍ଡରେ ଅର୍ପଣ କରିବେ, ତେବେ ଶିବ ପ୍ରସନ୍ନ ହୋଇ ସେମାନଙ୍କୁ ଇଚ୍ଛିତ ଵର ମାଗିବାକୁ କହିବେ । ସେ ଯଦି ଶିବଙ୍କୁ ଆମ ପାଇଁ ସନ୍ତାନ ଦେବାକୁ ପ୍ରାର୍ଥନା କରିପାରିବେ, ତେବେ ଆମେ ସନ୍ତାନ ପାଇବୁ।” ଏହା ଶୁଣି ବିକ୍ରମ ସେମାନଙ୍କୁ ଆଶ୍ୱାସନ ଦେଲେ ଯେ ସେ ନିଶ୍ଚୟ ଏହା କରିବେ । ପଥରେ ସେ ବେତାଳମାନଙ୍କୁ ସ୍ମରଣ କରି ସେହି ଯଜ୍ଞସ୍ଥଳକୁ ପହଞ୍ଚାଇବାକୁ କହିଲେ । ସେଠାରେ ଯେତେବେଳେ ସେ ପହଞ୍ଚିଲେ, ସେହି ସନ୍ନ୍ୟାସୀମାନେ ନିଜ ଅଙ୍ଗ କାଟି ଅଗ୍ନିକୁଣ୍ଡରେ ଅର୍ପଣ କରୁଥିଲେ । ବିକ୍ରମ ମଧ୍ୟ ଏକ ପାର୍ଶ୍ୱରେ ବସି ସେମାନଙ୍କ ପରି ନିଜ ଅଙ୍ଗ କାଟି ଅର୍ପଣ କରିବା ଆରମ୍ଭ କଲେ । ସେମାନଙ୍କ ଭଳି ବିକ୍ରମ ମଧ୍ୟ ଅଗ୍ନିରେ ଜଳି ପାଉଁଶ ହେଇଗଲେ । ଏହାପରେ ଜଣେ ଶିବଗଣ ସେଠାକୁ ଆସି ସମସ୍ତ ତପସ୍ବୀଙ୍କୁ ଅମୃତ ସିଞ୍ଚି ଜୀବିତ କଲେ, କିନ୍ତୁ ଭୁଳବଶତଃ ବିକ୍ରମଙ୍କୁ ଛାଡ଼ିଦେଲେ । ତପସ୍ବୀମାନେ ଜୀବିତ ହୋଇ ବିକ୍ରମଙ୍କ ଭସ୍ମ ଦେଖିଲେ। ସେମାନେ ସମସ୍ତେ ମିଶି ଶିବଙ୍କ ସ୍ତୁତି କରି ବିକ୍ରମକୁ ପୁନଃ ଜୀବନ ଦେବାକୁ ପ୍ରାର୍ଥନା କଲେ । ଭଗବାନ ଶିବ ତପସ୍ବୀମାନଙ୍କ ପ୍ରାର୍ଥନା ଶୁଣି ବିକ୍ରମଙ୍କୁ ଅମୃତ ସିଞ୍ଚି ଜୀବିତ କରିଦେଲେ । ବିକ୍ରମ ଜୀବିତ ହେବା ସହିତ ଶିବଙ୍କ ଚରଣେ ନତମସ୍ତକ ହୋଇ ବ୍ରାହ୍ମଣ ଦମ୍ପତିଙ୍କୁ ସନ୍ତାନ ସୁଖ ଦେବାକୁ ପ୍ରାର୍ଥନା କଲେ । ଶିବ ତାଙ୍କ ପରୋପକାର ଓ ତ୍ୟାଗ ଭାବରେ ଅତ୍ୟନ୍ତ ପ୍ରସନ୍ନ ହୋଇ ତାଙ୍କ ପ୍ରାର୍ଥନା ଗ୍ରହଣ କଲେ । କିଛି ଦିନ ପରେ ସତକୁ ସତ ବ୍ରାହ୍ମଣ ଦମ୍ପତିଙ୍କୁ ଗୋଟିଏ ପୁଅ ହେଲା ।[][]

ଗପଟି କହି ସପ୍ତଦଶ ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ପରି ପରୋପକାରୀ ତଥା ପ୍ରଜାବତ୍ସଳ ହୋଇପାରିବେ? ଏହିପରି କହିବା ପରେ ସପ୍ତଦଶ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା

  1. ୧.୦ ୧.୧ ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).{{cite book}}: CS1 maint: unrecognized language (link)
  2. WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
  3. samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.{{cite web}}: CS1 maint: numeric names: authors list (link)[permanent dead link]
  4. "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
  5. "Singhasan Battisi - The Story of 17th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-09.