Jump to content

ବାମନ ପୁରାଣ

ଉଇକିପିଡ଼ିଆ‌ରୁ
ବାମନ ପୁରାଣର ମଲାଟ ପୃଷ୍ଠା

ବାମନ ପୁରାଣ (ସଂସ୍କୃତ: वामन पुराण, IAST: Vāmana Purāṇa) ହେଉଛି ଗୋଟିଏ ପ୍ରାଚୀନ ସଂସ୍କୃତ ଗ୍ରନ୍ଥ । ହିନ୍ଦୁଧର୍ମର ଅଷ୍ଟାଦଶ ମହାପୁରାଣମାନଙ୍କ ମଧ୍ୟରୁ ଅନ୍ୟତମ []ଏହି ଗ୍ରନ୍ଥ ଅନ୍ତତଃପକ୍ଷେ ୧,୦୦୦ ବର୍ଷ ପୁରୁଣା ଅଟେ । ଏହି ଗ୍ରନ୍ଥର ନାମ ବିଷ୍ଣୁଙ୍କ ଗୋଟିଏ ଅବତାର ବାମନ ଅବତାର ଉପରେ ଆଧାରିତ ଓ ପ୍ରାରମ୍ଭରେ ଏହା ବୈଷ୍ଣବ ପ୍ରବୃତ୍ତିର ପୁରାଣ ହୋଇଥିବା ସମ୍ଭାବନା ରହିଛି ।[] କିନ୍ତୁ ବର୍ତ୍ତମାନ ଉପଲବ୍ଧ ପାଣ୍ଡୁଲିପିଗୁଡୁକ ଅଧିକ ଭାଗରେ ଶିବକେନ୍ଦ୍ରିକ, ଯଦ୍ୟପି ବିଷ୍ଣୁ ଓ ଅନ୍ୟ ଦେବୀ-ଦେବତାଙ୍କୁ ସ୍ତୁତି କରିଥିବା ଅନେକ ଅଧ୍ୟାୟ ମଧ୍ୟ ଏଥିରେ ଅଛି ।[] ଏହି କାରଣରେ ଏହାକୁ ଶୈବ ପୁରାଣ ଭାବରେ ଗ୍ରହଣ କରାଯାଏ ।[][] ତଥାପି, ଏହି ଗ୍ରନ୍ଥର ଶୈଳିରେ ପୁରାଣର ମୌଳିକ ଲକ୍ଷଣ ଦେଖିବାକୁ ମିଳେନାହିଁ, କାରଣ ଏହା ମୁଖ୍ୟତଃ ଭାରତର ବିଭିନ୍ନ ଶିବସ୍ଥଳୀ ସଂପର୍କରେ ରଚିତ ମାହାତ୍ମ୍ୟ (ପର୍ୟଟନ-ନିର୍ଦ୍ଦେଶିକା) ଓ ସେଗୁଡ଼ିକ ସହ ବିବିଧ ପୌରାଣିକ କଥା-ପୌରାଣିକ ପ୍ରସଙ୍ଗର ସଂଗ୍ରହ ।[]

ବାମନ ପୁରାଣର ଉପଲବ୍ଧ ପାଣ୍ଡୁଲିପିଗୁଡ଼ିକ ବିଭିନ୍ନ ରୂପରେ ମିଳେ । ଅନେକ ସଂସ୍କରଣ ମୂଳ ପାଠ୍ୟରୁ ବହୁତ ଭିନ୍ନ ହେବାର ଦେଖାଦେଇଛି । ଏହି ଗ୍ରନ୍ଥକୁ ଆଲ୍ ଇଣ୍ଡିଆ କାଶୀରାଜ ଟ୍ରଷ୍ଟ ଦ୍ବାରା ଦୁଇଥର ପ୍ରକାଶିତ କରାଯାଇଛି । ପ୍ରଥମ ପ୍ରକାଶନରେ ୯୫ ଅଧ୍ୟାୟ ଥିଲା, ଯେତେବେଳେ ଆନନ୍ଦ ସ୍ୱରୂପ ଗୁପ୍ତଙ୍କ ଦ୍ବାରା ସମ୍ପାଦିତ ସାହିତ୍ୟ-ସମୀକ୍ଷା ପ୍ରତି (କାଶୀରାଜ ଟ୍ରଷ୍ଟ, ବାରାଣସୀ) ୬୯ ଅଧ୍ୟାୟ ସହ ଏକ ସରୋ-ମାହାତ୍ମ୍ୟ ଯୋଡ଼ିଥିଲା, ଯେଉଁଥିରେ ୨୮ ଅଧ୍ୟାୟ ଆଧୁନିକ ହରିୟାଣା ଅଞ୍ଚଳର ମନ୍ଦିର ଓ ପବିତ୍ର ସ୍ଥାନମାନଙ୍କୁ ନିର୍ଦ୍ଦେଶ କରେ । ଉଭୟ ପ୍ରତିରେ ଗ୍ରନ୍ଥରେ ଉଲ୍ଲିଖିତ ‘ବୃହଦ୍-ବାମନ’ ଓ ତାହାର ଚାରିଟି ସଂହିତା ଦେଖିବାକୁ ମିଳେନି।

ବିଷୟବସ୍ତୁ

[ସମ୍ପାଦନା]

ଏହି ପୁରାଣର ପ୍ରାରମ୍ଭିକ ମୂଳ ଅଂଶକୁ ୪୫୦ CE ରୁ ୯୦୦ CE ମଧ୍ୟରେ କୌଣସି ସମୟର ରଚନା ଭାବରେ ଦେଖାଯାଇଛି, କିନ୍ତୁ ଅଧିକାଂଶ ପଣ୍ଡିତଙ୍କ ମତରେ ୯ମରୁ ୧୧ମ ଶତାବ୍ଦୀ ସଠିକ । ପୁରୁଣା ପ୍ରକାଶିତ ସଂସ୍କରଣମାନେ ୯୬ ଅଧ୍ୟାୟ ଥିଲା, ବର୍ତ୍ତମାନର ସଂସ୍କରଣରେ ୬୯ ଅଧ୍ୟାୟ ସହ ଏକ ପୁରକ ଅଂଶ ଅଛି । ଏହି ପୁରକ ଅଂଶ କିଛି ବଙ୍ଗଳ ଅଞ୍ଚଳର ପାଣ୍ଡୁଲିପିରେ ଉପଲବ୍‌ଧ ନ ଥିଲା ।

ପ୍ରଥମ ଅଧ୍ୟାୟରେ ନାରଦ ମୁନି ପୁଲସ୍ତ୍ୟଙ୍କୁ ବିଷ୍ଣୁଙ୍କ ‘ବାମନ’ ଅବତାର — ତାଙ୍କର ବାମନ ରୂପ — ସମ୍ପର୍କରେ ପଚାରନ୍ତି । ଗ୍ରନ୍ଥରେ ବିଷ୍ଣୁଙ୍କ ସ୍ତୁତି ଥିବା ଅଧ୍ୟାୟ ଅଛି, କିନ୍ତୁ ଏଥିରେ ଶିବଙ୍କ ମାହାତ୍ମ୍ୟ ବର୍ଣ୍ଣନା କରିଥିବା ଅଧ୍ୟାୟ ଅଧିକ। ଗ୍ରନ୍ଥରେ ଅନେକ ଦେବୀମାନଙ୍କ ମଧ୍ୟ ସ୍ତୁତିରେ ଆରମ୍ଭ ହୋଇଛି । ଏ ଗ୍ରନ୍ଥରେ ‘ସରୋ-ମାହାତ୍ମ୍ୟ’ରହିଛି — ଯାହା ୨୮ ଅଧ୍ୟାୟରେ ଥାନେଶ୍ୱର ଓ କୁରୁକ୍ଷେତ୍ର (ଆଧୁନିକ ହରିୟାଣା) ଅଞ୍ଚଳର ତୀର୍ଥ, ନଦୀ, ଜଙ୍ଗଲ ଇତ୍ୟାଦିର ବିବରଣୀ ସହ ଆଧୁନିକ ପୂର୍ବ ପଞ୍ଜାବ (ଭାରତ) ଅଞ୍ଚଳର କିଛି ସ୍ଥାନ ଉଲ୍ଲେଖ କରିଥାଏ । ଗ୍ରନ୍ଥରେ ଦକ୍ଷିଣ ଭାରତର କିଛି ସ୍ଥାନ ଓ ଭୂଗୋଳିକ ବର୍ଣ୍ଣନା ମଧ୍ୟ ମିଳେ।

ବାମନ ପୁରାଣରେ ବିଭିନ୍ନ ଅବତାରମାନଙ୍କ କଥା ମିଳିଥାଏ । ବିଶେଷ କରି ବାମନ ଅବତାରର କାହାଣୀ ଏଥିରେ ବର୍ଣ୍ଣିତ । ଶିବ ମାହାତ୍ମ୍ୟ, ଶିବତୀର୍ଥ, ଶିବ–ଶିବାଙ୍କ ବିବାହ, ଗଣେଶଙ୍କ ଉତ୍ପତ୍ତି, କାର୍ତ୍ତିକେୟ ଆଦିଙ୍କ ସହ ତଥା ବିଶେଷ ଭାବରେ ବିଷ୍ଣୁଙ୍କ ବିଭିନ୍ନ କଥା ବି ଏଥିରେ ଉଲ୍ଲିଖିତ । ଏହି ପୁରାଣରେ ୧୦,୦୦୦ ଶ୍ଲୋକ ଥିବା କୁହାଯାଏ । ଏହି ପୁରାଣରେ ୯୨ ଅଧ୍ୟାୟ ଅଛି । ବାମନ ପୁରାଣ ଦୁଇ ଭାଗରେ ବିଭକ୍ତ — ପୂର୍ବାର୍ଧ ଓ ଉତ୍ତରାର୍ଧ । ଉତ୍ତର ଭାଗକୁ ବୃହଦ୍‌ବାମନ ବୋଲି ମଧ୍ୟ କୁହାଯାଏ । ଏଥିରେ ଚାରିଟି ସଂହିତା ଅଛି।

  • ମାହେଶ୍ୱରୀ ସଂହିତା – ଏଥିରେ କୃଷ୍ଣ ଓ ତାଙ୍କ ଭକ୍ତମାନଙ୍କ କାହାଣୀ ରହିଛି।
  • ଭାଗବତୀ ସଂହିତା – ଏଥିରେ ଜଗଦମ୍ବାଙ୍କ ବିଭିନ୍ନ ଅବତାର କଥା ଅଛି।
  • ସୌରୀ ସଂହିତା – ଏଥିରେ ପାପନାଶକ ସୂର୍ଯ୍ୟଦେବଙ୍କ କାହାଣୀ ମିଳେ।
  • ଗାଣେଶ୍ୱରୀ ସଂହିତା – ଏଥିରେ ଗଣେଶଙ୍କ ଚରିତ୍ର ବର୍ଣ୍ଣିତ ହୋଇଛି।
  1. ୧.୦ ୧.୧ ୧.୨ Dalal 2014, p. 443.
  2. Hazra 1987, pp. 76–79.
  3. Rocher 1986, p. 35.
  4. Wilson 1864, pp. LXXV–LXXVI.