ବର୍ଣ୍ଣାଳୀ ହୋତା

ଉଇକିପିଡ଼ିଆ‌ରୁ
ବର୍ଣ୍ଣାଳୀ ହୋତା
Born
ବର୍ଣ୍ଣାଳୀ ହୋତା
Nationalityଭାରତୀୟ
Known forଗାୟିକା
Parent(s)ସୂର୍ଯ୍ୟନାରାୟଣ, ମମତା

ବର୍ଣ୍ଣାଳୀ ହୋତା ଜଣେ ଓଡ଼ିଆ ଗାୟିକା । ଷ୍ଟାର୍ ପ୍ଲସ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିବା ରିୟଲିଟି ସୋ ଦିଲ୍ ହୈ ହିନ୍ଦୁସ୍ଥାନୀର ରନର୍ସଅପ୍ ହୋଇଛନ୍ତି । ଏହା ପୂର୍ବରୁ ସେ ୨୦୧୧ ମସିହାରେ ଜି-ଟିଭିରେ ପ୍ରସାରିତ ସାରେଗାମାପା ରିୟଲିଟି ସୋରେ ଟପ୍-୬ରେ ସ୍ଥାନ ପାଇଥିଲେ ।[୧]

ପରିବାର[ସମ୍ପାଦନା]

ବର୍ଣ୍ଣାଳୀ ହୋତାଙ୍କ ଘର ଭୁବନେଶ୍ୱର । ବଣ୍ଣାଳୀଙ୍କ ପିତା ସୂର୍ଯ୍ୟନାରାୟଣ ହୋତା, ସଂଗୀତକୁ ଖୁବ୍ ଭଲ ପାଆନ୍ତି । ଜୀବିକା ତାଙ୍କର ବ୍ୟବସାୟୀ । ମାଆ ହେଉଛନ୍ତି ମମତା ହୋତା ଜଣେ ଗୃହିଣୀ ।[୨]

ଶିକ୍ଷା[ସମ୍ପାଦନା]

ବର୍ଣ୍ଣାଳୀ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନରେ ଯୁକ୍ତ ୨ କଳାରେ ପଢ଼ୁଛନ୍ତି । ୨୦୧୪ ମସିହାରେ ବିଜେବି ଇଂରାଜି ମିଡିୟମ୍ ସ୍କୁଲ୍‌ରେ ସେ ଦଶମ ପାସ୍ (ସିବିଏସି) କରିଛନ୍ତି । ପ୍ରାଚୀନ କଳା କେନ୍ଦ୍ରରେ ଓଡ଼ିଶୀ ସଂଗୀତ ଶିକ୍ଷା ଗ୍ରହଣ କରୁଛନ୍ତି । ତାଙ୍କର ଓଡ଼ିଶୀ ସଂଗୀତରେ ତୃତୀୟ ବର୍ଷ । ଗୁରୁ ମୋହନ ସିଂହଙ୍କଠାରୁ ଶାସ୍ତ୍ରୀୟ ସଂଗୀତ ବନାରସୀ ଘରାନାରେ ସଂଗୀତ ଶିକ୍ଷା ଗ୍ରହଣ କରୁଛନ୍ତି । ଶାସ୍ତ୍ରୀୟ ସଂଗୀତ ବନାରସୀ ଘରାନାରେ ତାଙ୍କର ଏବେ ପଞ୍ଚମ ବର୍ଷ ।

 ସଂଗୀତ ସାଧନା[ସମ୍ପାଦନା]

ବର୍ଣ୍ଣାଳୀ ତିନିବର୍ଷ ବୟସରୁ ଗୀତ ଶିଖିବା ଆରମ୍ଭ କରିଥିଲେ । ମାତ୍ର ସାତ-ଆଠ ବର୍ଷ ବୟସରୁ ସଂଗୀତ ପ୍ରତି ତାଙ୍କର ରୁଚି ବଢ଼ିଥିଲା । ସେ ସକାଳୁ ଦୁଇ ଘଣ୍ଟା ରିଆଜ୍ ତଥା ରାତିରେ ଏକ ଘଣ୍ଟା ରିଆଜ୍ କରିଥାନ୍ତି । ସଂଗୀତ କ୍ଷେତ୍ରରେ ବର୍ଣ୍ଣାଳୀଙ୍କ ବାପା ବର୍ଣ୍ଣାଳୀଙ୍କୁ ବହୁତ ପ୍ରେରଣା ପ୍ରଦାନ କରିଛନ୍ତି । ପ୍ରଥମେ ବର୍ଣ୍ଣାଳୀ ୨୦୧୧ ମସିହାରେ ଜି-ଟିଭିରେ ପ୍ରସାରିତ ସଂଗୀତଭିତ୍ତିକ ରିୟଲିଟି ସୋ ସାରେଗାମାପା ଲିଟିଲ୍ ଚ୍ୟାମ୍ପ୍‌ରେ ଅଂଶଗ୍ରହଣ କରିଥିଲେ। ଏହି ସୋରେ ସେ ଟପ୍-୬ ଜଣଙ୍କ ଭିତରେ ସ୍ଥାନ ପାଇଥିଲେ । କିନ୍ତୁ ଅଳ୍ପ ଭୋଟ୍ ଯୋଗୁଁ ସେ ବିଜୟିନୀ ହୋଇପାରି ନ ଥିଲେ । ୨୦୧୭ ମସିହାରେ ଷ୍ଟାର୍‌ ପ୍ଲସ୍‌ର ରିୟଲିଟି ସୋ ଦିଲ୍ ହୈ ହିନ୍ଦୁସ୍ଥାନୀରେ ଭାଗନେଇଥିଲେ ବର୍ଣ୍ଣାଳୀ ଓ ୟୁଫୋନି ଗ୍ରୁପ୍ ଦିଲ୍ ହୈ ହିନ୍ଦୁସ୍ଥାନୀର ରନର୍ସଅପ୍ ହୋଇ ସଫଳତା ଲାଭ କରିଛନ୍ତି । ପ୍ରଥମେ ଏହି ସୋରେ ଏକା (ସୋଲୋ) ଗୀତ ଗାଇଥିବା ବେଳେ ପରେ ଚ୍ୟାନେଲ୍ ତାଙ୍କୁ ୟୁଫୋନି ବ୍ରାଣ୍ଡ୍ ସହିତ ଏକାଠି କରି ଗୀତ ପରିବେଷଣ କରିବାର ସୁଯୋଗ ପ୍ରଦାନ କରିଥିଲା। ମହାରାଷ୍ଟ୍ରର ସାତ ଜଣ ପୁଅ ବ୍ରାଣ୍ଡ୍‌ଙ୍କ ଭିତରେ ବର୍ଣ୍ଣାଳୀ ଥିଲେ ଜଣେ ଝିଅ। ସେଠାରେ ସେ ୟୁଫୋନି ଦଳ ସହିତ ମିଶି ଅନେକ ହିନ୍ଦୀ ଗୀତ ପରିବେଷଣ କରି ବହୁ ପ୍ରଶଂସା ଲାଭ କରିବା ସହିତ ହିନ୍ଦୀ ଗୀତ (ଶଶୁରାଲ୍ ଗେନ୍ଦା ଫୁଲ...)ରେ ଓଡ଼ିଆ ଗୀତ (ନଇକୁ ମାରିଲି ତୀର)କୁ ପରିବେଷଣ କରି ବିଚାରକ ତଥା ଦର୍ଶକଙ୍କଠାରୁ ବହୁ ପ୍ରଶଂସା ସାଉଁଟିବାରେ ସମର୍ଥ ହୋଇଥିଲେ । 

ଏହାଛଡ଼ା ବର୍ଣ୍ଣାଳୀ ୧୦୪ ଏଫ୍.ଏମ୍.ରେ ମେରି ଆୱାଜ୍ ସୁନୋର ପ୍ରଚ୍ଛଦ ଗୀତ ଗାଇଛନ୍ତି । ଇ.ଟିଭି ଓଡ଼ିଆରେ ମଧ୍ୟ ପ୍ରଚ୍ଛଦପଟ ଗାୟିକା ଭାବେ ଗୀତ ଗାଇଛନ୍ତି। ଓଡ଼ିଆ ଆଲବମ୍ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ସେ ପାଖାପାଖି ୨୦୦୦ରୁ ଅଧିକ ଷ୍ଟେଜ୍ ସୋ କରିଛନ୍ତି। ଏହା ବ୍ୟତୀତ ସେ ହଜାରରୁ ଊର୍ଦ୍ଧ୍ୱ ଭଜନଭିତ୍ତିକ କାର୍ଯ୍ୟକ୍ରମ କରିଛନ୍ତି । ବର୍ଣ୍ଣାଳୀ ହୋତା ଭୁବନେଶ୍ୱର ପଥୋତ୍ସବରେ ୟୁଫୋନି ଦଳ ସହିତ ସଂଗୀତ ପରିବେଷଣ କରିଛନ୍ତି ।[୩]

ଆଧାର[ସମ୍ପାଦନା]