ଫତେଗଡ଼

ଉଇକିପିଡ଼ିଆ ରୁ
Jump to navigation Jump to search
ଫତେଗଡ଼
ଫତେଗଡ଼-୧ , ଫତେଗଡ଼ -୨, ଫତେଗଡ଼ -୩
ଗାଁ
ଫତେଗଡ଼ ରାସ୍ତା
ଫତେଗଡ଼ ରାସ୍ତା
ଅନ୍ୟନାମ: ଗଡ଼ଜିତ
ଫତେଗଡ଼ is located in ଓଡ଼ିଶା
ଫତେଗଡ଼
ଫତେଗଡ଼
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 20°18′N 85°20′E / 20.30°N 85.33°E / 20.30; 85.33Coordinates: 20°18′N 85°20′E / 20.30°N 85.33°E / 20.30; 85.33
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନୟାଗଡ଼
ପଞ୍ଚାୟତ ସମିତିଭାପୁର
ତହସିଲଭାପୁର
ଗ୍ରାମ ପଞ୍ଚାୟତଫତେଗଡ଼
ଜନସଂଖ୍ୟା
Languages
 • Officialଓଡ଼ିଆ
IST (UTC+5:30)
ପିନ କୋଡ଼୭୫୨୦୬୩
STD କୋଡ଼୦୬୭୫୭
ଗାଡ଼ି ପଞ୍ଜିକରଣOD/OR- 05

ଫତେଗଡ଼ ଗାଁ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ/ଗାଆଁ ଅଟେ ।[୧]

ଫତେଗଡ଼ ଗାଁ (ନାମଟି ଏକ ପାର୍ସି ଶବ୍ଦ ଯାହାର ଅର୍ଥ ଗଡ଼ର ଶେଷ ଭାଗ) ଖଣ୍ଡପଡ଼ା ଗଡ଼ର ଶେଷ ଅଞ୍ଚଳ ନାମରେ ପୂର୍ବେ ଚିହ୍ନାପଡୁଥିଲା । ବର୍ତ୍ତମାନ ଏହା ଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ), ଭାପୁର ବ୍ଲକ ଓ ଭାପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଅଟେ । ନୟାଗଡ଼ ଜିଲ୍ଲାର ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ବର୍ତ୍ତମାନ ପ୍ରାୟ ୭୦୦୦ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏ ଅଞ୍ଚଳର ଏକ ବଡ଼ ଗ୍ରାମ । ଏଠାରେ ସମୁଦାୟ ୧୦୯୮ଟି ପରିବାର ବାସକରନ୍ତି । ୨୦୧୧ ମସିହା ଜନଗଣନା ଅନୁଯାୟୀ ଗାଁର ମୋଟ ଜନସଂଖ୍ୟା ୪,୬୧୧ ଥିଲା । ଏଥିରୁ ୨,୩୭୮ ଜଣପୁରୁଷ ଏବଂ ୨,୨୨୪ ଜଣ ମହିଳା । ଜନ୍ମରୁ ଛଅ ବର୍ଷ ବୟସ୍କ ପିଲାଙ୍କ ସଂଖ୍ୟା ୪୮୩ ଯାହା ଗାଁ ଜନସଂଖ୍ୟାର ୧୦.୪୭% ଅଟେ । ଲିଙ୍ଗ ଅନୁପାତ ୧,୦୦୦ : ୯୩୨ ଯାହା ଓଡ଼ିଶା ରାଜ୍ୟ ହାର(୯୭୯)ଠୁ କମ । ଶିଶୁଙ୍କ ଲିଙ୍ଗ ଅନୁପାତ ୮୫୮ ଯାହା ରାଜ୍ୟ ହାର(୯୪୧)ଠୁ ବହୁତ କମ । ଫତେଗଡ଼ ଗ୍ରାମରେ ଉଚ୍ଚ ସାକ୍ଷରତା ହାର ଦେଖିବାକୁ ମିଳେ । ପୁରୁଷଙ୍କ ସାକ୍ଷରତା ହାର ୮୮.୦୬% ଥିବାବେଳେ ମହିଳାଙ୍କ ସାକ୍ଷରତା ହାର ଅଛି ୭୦.୨୧% । ଗାଁର ସାକ୍ଷରତା ହାର ୭୯.୪୧% ଯାହା ରାଜ୍ୟର ସାକ୍ଷରତା ହାର ୭୨.୮୭%ଠୁ ବେଶ ଭଲ ।

ଏହି ଗ୍ରାମ ବିଜୟନଗର, ଗଡ଼ଜିତ ଓ ଗଡ଼ଭିତର ନାମରେ ତିନି ଭାଗରେ ବିଭକ୍ତ । ଏଠାରେ ସମୁଦାୟ ୨୪ଟି ସାହି ଅଛି । ଗାଁରେ କେବଳ ହିନ୍ଦୁ ଧର୍ମାବଲମ୍ବୀ ବାସକରନ୍ତି । ଗ୍ରାମବାସୀମାନେ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ଦେଶୀ କାଙ୍କଡ଼ଛେନାପୋଡ଼ର ଗାଁ ଭାବେ ଫତେଗଡ଼ର ସ୍ୱତନ୍ତ୍ର ପରିଚୟ ଅଛି ।


୨୦୧୧ ଜନଗଣନା ତଥ୍ୟ ସାରଣୀ [୨]
- ସମୁଦାୟ ପୁରୁଷ ନାରୀ
ଘରସଂଖ୍ୟା ୧,୦୯୮
ଜନସଂଖ୍ୟା ୪,୬୧୧ ୨,୩୮୭ ୨,୨୨୪
ଶିଶୁ ୪୮୩ ୨୬୦ ୨୨୩
ଅନୁସୂଚିତ ଜାତି ୩୩୪ ୧୬୮ ୧୬୬
ଅନୁସୂଚିତ ଜନଜାତି
ସାକ୍ଷରତା ୭୯.୪୧% ୮୮.୬ % ୭୦.୨୧%
ସମୁଦାୟ ଶ୍ରମିକ ୧,୪୮୬ ୧,୨୮୭ ୧୯୯
ମୁଖ୍ୟ ଶ୍ରମିକ ୧,୨୩୯
ନାମ ମାତ୍ର ଶ୍ରମିକ ୨୪୭ ୧୨୧ ୧୨୬


ଗମନାଗମନ[ସମ୍ପାଦନା]

ରାଜଧାନୀ ଭୁବନେଶ୍ୱରରୁ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଯିବା ବାଟରେ ନୟାଗଡ଼ ଜିଲ୍ଲା ଦ୍ୱାରଦେଶ କାଳିଗିରି ନଈ ଡେଇଁଲେ ପଡ଼େ ଫତେଗଡ଼ ଗ୍ରାମ । ୩୮ ନମ୍ବର ରାଜ୍ୟ ରାଜପଥରେ ଭୁବନେଶ୍ୱରଠାରୁ ୬୬ କିମି, ଖୋର୍ଦ୍ଧାଠାରୁ ୩୩ କିମି ଓ ଜିଲ୍ଲା ସଦର ମହକୁମା ନୟାଗଡ଼ ଠାରୁ ୩୩ କିମି, ଖଣ୍ଡପଡ଼ା ଓ କଣ୍ଟିଲୋ ଠାରୁ ସମ ବ୍ୟବଧାନ ୧୭ କିମି ଦୂରରେ ଅବସ୍ଥିତ । ଫତେଗଡ଼ ଛକରୁ କଣ୍ଟିଲୋ ନୀଳମାଧବ ଦେଉଳ ରାସ୍ତା ଓ ପଠାଣି ସାମନ୍ତଙ୍କ ଜନ୍ମଭୂମି ଖଣ୍ଡପଡ଼ାକୁ ଯିବା ରାସ୍ତା ଦୁଇ ଭାଗ ହୋଇଯାଇଛି । ନିକଟସ୍ଥ ରେଳ ଷ୍ଟେସନ ଜଟଣୀ (ଖୋର୍ଦ୍ଧାରୋଡ଼ ରେଳ ଜଙ୍କସନ), ନୟାଗଡ଼ ଏବଂ ବେଗୁନିଆ

ଗ୍ରାମରେ ଥିବା ଅନୁଷ୍ଠାନ[ସମ୍ପାଦନା]

ଗ୍ରାମରେ ତିନୋଟି ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟ ଇଂରାଜୀ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି । ଫତେଗଡ଼ ପ୍ରାଥମିକ ବିଦ୍ୟାଳୟକୁ ରାଜ୍ୟ ଗଣଶିକ୍ଷା ବିଭାଗ ପୋଷ୍ୟ ବିଦ୍ୟାଳୟଭାବେ ଘୋଷଣା କରିଛନ୍ତି। [୩]

ଗାଁରେ ଥିବା ଅନ୍ୟନ୍ୟା ସରକାରୀ ଅନୁଷ୍ଠାନ ଯଥା ପୁଲିସ ଥାନା[୪], ପଞ୍ଚାୟତ ଘର, ପୋଷ୍ଟ ଅଫିସ, ସମବାୟ ସମିତି କାର୍ଯ୍ୟାଳୟ, ହୋମିଓପାଥି ଚିକିତ୍ସା କେନ୍ଦ୍ର, ପଶୁ ଚିକିତ୍ସା କେନ୍ଦ୍ର, ପାୱାର ସବଷ୍ଟେସନ, ପାନୀୟ ଜଳ ଯୋଗାଣ ନିୟନ୍ତ୍ରଣ ଅଫିସ, ରାଜସ୍ୱ ନିରୀକ୍ଷଣ ଅଧିକାରୀଙ୍କ କାର୍ଯ୍ୟାଳୟ, ପଠାଣି ସମାନ୍ତ ଲାଇବ୍ରେରୀ ଓ ବନରଖିଙ୍କ ତନଖି ଫାଟକ ଅଛି । ଗ୍ରାମରେ ତିନୋଟି କଲ୍ୟାଣୀ କ୍ଲବ ତିନୋଟି ଯୁବକ ସଙ୍ଘ ଓ ଦୁଇଟି ଏନଜିଓ କାର୍ଯ୍ୟାଳୟ ଅଛି ।

ଐତିହ୍ୟ ଓ ପର୍ବପର୍ବାଣୀ[ସମ୍ପାଦନା]

୧୯୧୨ମସିହାରେ ନବକଳେବର ପାଇଁ ଏହି ଗାଁରୁ ସୁଦର୍ଶନଙ୍କ ଦାରୁ ମିଳିଥିଲା ।[୫] ଗାଁରେ ବାଲୁଙ୍କେଶ୍ୱର (ଶିବ), ଗୋପୀନାଥ, କାଳୀ, ସାତଭଉଣୀ, ଗଣେଶ, ଇଷ୍ଟଦେବୀ ବୁଢ଼ୀଦେଇ ଏବଂ ବ୍ରହ୍ମଣୀଦେବୀଙ୍କ ଦେଉଳ ଅଛି ।[୬] ଉତ୍କଳ ଗୌଡିୟ ବୈଷ୍ଣବ ମଠ, ଚୈତନ୍ୟ ମଠ ଜଙ୍ଗଲ ମଧ୍ୟରେ ଓ ଗୋପାଳଜୀ ମଠ ଜନବସତି ମଧ୍ୟରେ ଅବସ୍ଥିତ । ଗାଁରେ ପାଞ୍ଚଟି ଭାଗବତ ଟୁଙ୍ଗିରେ ନିତି ସଞ୍ଜବେଳେ ଭାଗବତ ପାଠ ହୁଏ । କିମ୍ବଦନ୍ତୀରୁ ଜଣାଯାଏ ଏକଦା ଏଠାର ଗୋପୀନାଥ ପ୍ରତ୍ୟକ୍ଷ ଥିଲେ । ଯୁଦ୍ଧ ବିଜୟ ସାରି ଖଣ୍ଡପଡ଼ାର ରାଜା ଥରେ ଫତେଗଡ଼ ଗ୍ରାମ ନିକଟ ବାଟରେ ରାତ୍ରୀ ଭ୍ରମଣକରୁ କରୁ ଗୋପୀନାଥଙ୍କ ସ୍ମରଣ କରନ୍ତେ ଗୋପୀନାଥ 'ଓ' କରିଥିଲେ । ଗୋପୀନାଥଙ୍କୁ ପ୍ରତ୍ୟକ୍ଷ ଦେବତା ଜାଣି ପରେ ନିଜ ଖଣ୍ଡପଡ଼ା ଗଡ଼କୁ ଗୋପୀନାଥଙ୍କ ବିଗ୍ରହ ବିସ୍ଥାପନ କରିଥିଲେ ।

ଦୋଳପର୍ବମହାବିଷୁବ ସଂକ୍ରାନ୍ତି (ଝାମୁଯାତ୍ରା) ଏଠାରେ ମୁଖ୍ୟ ପର୍ବ । ଏଠାରେ ଦୁଇଦୋଳ ଯାତ୍ରା ଅନୁଷ୍ଠିତ ହୁଏ । ତିନି ଦିନ ଧରି ଯାତ୍ରାର ପୂର୍ବ ଦିନରେ ଗଉଡ଼ ବାଡ଼ି ଖେଳ, ବିମାନରେ ଠାକୁରଙ୍କ ଭୋଗ ଖିଆ, ଦୋଳ ମେଳଣ, ଫଗୁ ଖେଳ, ଦୋଳି ଖେଳ ଓ ରାତ୍ରିରେ ନାଟକ ମଞ୍ଚସ୍ଥ ହୋଇଥାଏ । ଗଡ଼ଭିତରେ ପଣାସଂକ୍ରାନ୍ତିରେ ଦଣ୍ଡ ନାଟ ଅନୁଷ୍ଠିତ ହୁଏ । କାଳିଙ୍କ ନିକଟରେ ୧୩ ଦିନ ପାଇଁ ତେର ଭକ୍ତ ମାନସିକ ରଖି ଦଣ୍ଡ ପାଳନ କରନ୍ତି । ମନ୍ଦିର ପ୍ରାଙ୍ଗଣରେ ଧୂଳି ଦଣ୍ଡ ଖେଳ, ଶେଷ ଦୁଇଦିନ କଣ୍ଟାଗଡ଼ା ଓ ଝାମୁଯାତ୍ରା ହୁଏ । ଦୀର୍ଘ ୨୦୦ମିଟର ଲମ୍ବ ନିଆଁ ଉପରେ ଘଣ୍ଟୁଆମାନେ ଚାଲନ୍ତି । ଏହା ଦେଖିବାକୁ ଆଖପାଖ ଗାଁରୁ ଜନସମାଗମ ହୁଏ । ଘରକୁ ବନ୍ଧୁବାନ୍ଧବଙ୍କ ଆଗମନରେ ହୋଇଥାଏ । ଗଡ଼ ଭିତର ଗୋପୀନାଥ ମନ୍ଦିରରେ ବର୍ଷସାରା କୃଷ୍ଣଙ୍କ ରୀତିନୀତି ଓ ପର୍ବପର୍ବାଣୀ ପାଳନ ହୁଏ । କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନ ଭାଗବତ ପାଠ ହୁଏ । ଓଡ଼ିଆ ଘରର ସବୁ ପର୍ବପର୍ବାଣି ଗାଁରେ ପାଳନ ହୁଏ । ଶୀତଳ ଷଷ୍ଠୀ ଯାତ୍ରା, ମହା ଶିବରାତ୍ରି, ପଞ୍ଚୁକ ବ୍ରତ, ଝୁଲଣ ଯାତ୍ରା, ଝାମୁଯାତ୍ରା, ଦୋଳପର୍ବ ସହ ଖରାଦିନେ ଦୁଇଟି ରାମଲୀଳା ପିଣ୍ଡିରେ ପାରମ୍ପରିକ ରାମଲୀଳା ନାଟକ ପାଳନ ହୁଏ । ଗାଁର କବି ରଘୁନାଥ ପଣ୍ଡାଙ୍କ ଲିଖିତ 'ଶ୍ରୀରାମଲୀଳା ନାଟକ' ଗୀତ ବହି ଜିଲ୍ଲା ଓ ଜିଲ୍ଲା ବାହାରେ ଆଦର ଲାଭ କରିଛି ।

ପ୍ରାକୃତିକ ପରିବେଶ[ସମ୍ପାଦନା]

କାଳିଗିରି ନଈ[ସମ୍ପାଦନା]

ଗ୍ରାମର ପୂର୍ବରେ ମହାନଦୀର ଉପନଦୀ କାଳିଗିରି ନଦୀ ପ୍ରବାହିତ ହେଉଛି । କମ ଦର୍ଘ୍ୟ ବିଶିଷ୍ଟ ନଦୀଟି ବର୍ଷ ତମାମ ଶୁଖିଲା ରହି କେବଳ ବର୍ଷା ଦିନେ ଜଳରେ ପରିପୂର୍ଣ୍ଣ ହୁଏ । ମହାନଦୀର ଜଳରେ ଫୁଲି ଉଠି ଗାଁର ଅର୍ଦ୍ଧେକ ଶସ୍ୟକ୍ଷେତ୍ରକୁ ବନ୍ୟାପ୍ଲାବିତ କରେ ।[୭] ଏହା ଗାଁ ପାଇଁ ଏକ ପ୍ରକାରେ ଦୁଃଖ ଓ ଅନ୍ୟ ଏକ ପ୍ରକାରେ ରବି ଜାତୀୟ ଚାଷ ପାଇଁ ଆଶୀର୍ବାଦ ବୋଲି ଧରାଯାଏ ।

ଫତେଗଡ଼ ମୁଣ୍ଡିଆ[ସମ୍ପାଦନା]

ଗାଁର ପଶ୍ଚିମରେ ଗାଁ ମୁଣ୍ଡିଆ ଅବସ୍ଥିତ । ତା ପାଖକୁ ଲାଗି ଖଣ୍ଡପଡ଼ା ବନାଞ୍ଚଳର ଶ୍ରୀଜଗନ୍ନାଥ ବନପ୍ରକଳ୍ପ[୮]ର ୨୦ ହେକ୍ଟର ପରିମିତ ସଂରକ୍ଷିତ ଅଞ୍ଚଳ । ଗାଁ ମୁଣ୍ଡିଆ ଇଉକାଲିପଟାସ ଗଛରେ ପୂର୍ଣ୍ଣ । ଏହା ଗ୍ରାମବାସୀ ଜାଳେଣି ପାଇଁ ଏହା ଉପରେ ନିର୍ଭରଶୀଳ । ଜଙ୍ଗଲକୁ ପାଳି କରି ଜଗିଥାନ୍ତି ଗ୍ରାମବାସୀ । ସମ୍ବର ଓ ବାରାହ ଚଳପ୍ରଚଳ ଛଡ଼ା ଜଙ୍ଗଲରେ କୌଣସି ହିଂସ୍ର ଜୀବଜନ୍ତୁ ଦେଖିବାକୁ ମିଳନ୍ତି ନାହିଁ ।

ଗାଁର ସ୍ୱତନ୍ତ୍ର ପରିଚୟ[ସମ୍ପାଦନା]

ରଙ୍ଗମାଟି[ସମ୍ପାଦନା]

ଏହି ଅଞ୍ଚଳରେ ବିଶେଷ ନାଲିମାଟି ଦେଖିବାକୁ ମିଳେ । ମାର୍ଗଶିର ମାସରେ ଏହି ମାଟି ନେବାପାଇଁ ଆଖ ପାଖ ଅଞ୍ଚଳରୁ ଲୋକମାନେ ଆସିଥାନ୍ତି । ରଙ୍ଗ ମାଟିରେ ଘର ଲିପା ପୋଛା କରାଯାଏ । ମାଣବସା ଗୁରୁବାର ଦିନ ଘର ଲିପାପୋଛା କରି କାନ୍ଥ ଓ ଭୁଇଁରେ ଝୋଟି ଚିତା ପକାଯାଏ । ନାଲିମାଟିରେ ଆମ୍ବପଣସ ଚାଷ ଭଲ ହୁଏ । ଗାଁ ମୁଣ୍ଡିଆକୁ ଲାଗି ଆମ୍ବତୋଟା, ପଣସ ବାଗେନା ଓ କାଜୁ ବଗିଚାମାନ ଅଛି । ଏଠିକାର ଋତୁକାଳୀନ ଆମ୍ବ ପଣସ ଓ କାଜୁ ବାହାରକୁ ରପ୍ତାନି ହୁଏ ।

ଶିରିଶ ଗହୀର ଓ ଲଙ୍ଗଳ ବ୍ୟବସାୟ[ସମ୍ପାଦନା]

ଜନବସତିକୁ ଲାଗି ପୂର୍ବରେ କାଳିଗିରି ନଦୀ, ଉତ୍ତରରେ ଦଶମନ୍ତପୁର ଓ ମଣିପୁର, ଓ ଉତ୍ତର ପଶ୍ଚିମରେ ବିଜିପୁରପିଠାଖାଇ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଚାଷ ଜମି ଅଛି । ଜନବସତି ନାଲି ମାଟି ହେଲେ ମଧ୍ୟ ଏହାର ଚାଷ ଜମି ଖଳିମାଟିରେ ପୁଷ୍ଟ । ପ୍ରତି ଦୁଇ ବର୍ଷରେ ଥରେ ମହାନଦୀରେ ବଡ଼ ଧରଣର ବନ୍ୟା ଆସି ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଓ ଗହୀର ପାଟ  ସମେତ ଏହାର ଅର୍ଦ୍ଧେକ ଶସ୍ୟକ୍ଷେତ୍ର ଜଳମଗ୍ନ ହୋଇ ପଟୁମୟ କରେ । ପଟୁମାଟିରେ ରବିଜାତୀୟ ଫସଲ ଭଲ ହୁଏ ।  ଏ ଅଞ୍ଚଳର ଜମିରେ ଅଧିକାଂଶ ଖାଳିମାଟି ମିଳେ । ଖଳିମାଟିରେ ଶିରିଶ ଗଛ ଭଲ ବଢ଼େ । ଶିରିଶ ଏକ କଣ୍ଟା ଜାତୀୟ ଗଛ । ଏହି ଗାଁର ଗହୀର ବିଲ ଶିରିଶ ଗଛମୟ । ବିଲ ହିଡ଼ରେ ଶିରିଶ ଜଙ୍ଗଲ ଏ ଅଞ୍ଚଳର ସ୍ୱାତନ୍ତ୍ର୍ୟ । ଶିରିଶ ଗଛ ଗଣ୍ଡିରୁ ତିଆରି ଲଙ୍ଗଳ ପନି ଓ କଣ୍ଟି ଦୀର୍ଘସ୍ଥାୟୀ ହୋଇଥାଏ । ଲଙ୍ଗଳ ବିକ୍ରିରୁ ଏ ଅଞ୍ଚଳର ଚାଷୀ ବେଶ ଲାଭବାନ ହୋଇଥାନ୍ତି ।

କାଙ୍କଡ଼ ଚାଷ[ସମ୍ପାଦନା]

କାଙ୍କଡ଼ ଏକ ଲତା ଜାତୀୟ ଉଦ୍ଭିତ । ଖଳିମାଟି କାଙ୍କଡ଼ ଚାଷ ପାଇଁ ଅନୁକୂଳ । ଗାଁ ବିଲ ହିଡ଼ରେ ଶିରିଶ ଭଳି କଣ୍ଟା ଜାତୀୟ ଗଛ ପ୍ରଚୁର ଥିବାରୁ ରଞ୍ଜା (ଡାଳ) ସହଜରେ ମିଳିଯାଏ । ଏହାର ମଞ୍ଜି ମାଟିତଳେ ଦୁଇ ଚାରି ବର୍ଷ ରହିବା ପରେ ଏହି ମୁଣ୍ଡାରୁ ଯେଉଁ ଗଛ ବାହାରେ ସେଥିରେ ଭଲ ଫଳ ଧରେ । ଜ୍ୟେଷ୍ଠମାସରେ କାଙ୍କଡ଼ ମୁଣ୍ଡା ଗଜା ଧରେ । ଚାଷୀ ନିଜ ବିଲ ହିଡ଼ରେ ରଞ୍ଜା ପୋତି କୀଟନାଶକ ପ୍ରୟୋଗ କରି ଗଛର ଯତ୍ନ ନିଏ । ଶ୍ରାବଣ ଓ ଭାଦ୍ରବ ମାସ ବେଳକୁ ଗଛରେ ଫଳ ଧରେ । [୯] ଦେଶୀ କାଙ୍କଡ଼ ଚାଷ ପାଇଁ ଫତେଗଡ଼ ସାରା ରାଜ୍ୟରେ ନାଁ କରଛି । ଅମଳ ଋତୁରେ ଦୈନିକ ୫କୁଇଣ୍ଟାଲ କାଙ୍କଡ଼ ସହରକୁ ରପ୍ତାନି ହୋଇଥାଏ । କିଲୋ ପ୍ରତି ଦର ୬୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ । ଦେଶୀ କଙ୍କଡ଼ର ସ୍ୱାଦ ଆନ୍ଧ୍ର ବଡ଼ କାଙ୍କଡ଼ ଠାରୁ ଉତ୍କୃଷ୍ଟ । କାଙ୍କଡ଼ ଭଜା ଓ ତରକାରୀ ସମ୍ଭ୍ରାନ୍ତ ପରିବାରଙ୍କ ରାନ୍ଧଣାରେ ଦେଖିବାକୁ ମିଳେ ।

ଓଡ଼ିଶାର ପ୍ରସିଦ୍ଧ ଛେନାପୋଡ଼[ସମ୍ପାଦନା]

ନୟାଗଡ଼ ଜିଲ୍ଲା ଛେନାପୋଡ଼ ପାଇଁ ପ୍ରସିଦ୍ଧି ଲାଭ କରିଛି । ଛେନାପୋଡ଼ ଓ ଛେନା ଗଜା ତିଆରିରେ ଫତେଗଡ଼ ଗ୍ରାମ ଜିଲ୍ଲାରେ ପ୍ରସିଦ୍ଧ । ଏହି ଗାଁରେ ପ୍ରାୟ ୨୦୦ ଗଉଡ଼ ପରିବାର ବାସ କରନ୍ତି । ଗୋପାଳନ ଓ ଦୁଗ୍ଧ ସଂଗ୍ରହ ଛେନାପୋଡ଼ ବ୍ୟବସାୟକୁ ପ୍ରେରିତ କରିଛି । ପିଢ଼ି ପରେ ପିଢ଼ି ଛେନା ତିଆରି କାମରେ ଦଶଟି ପରିବାର ନିୟୋଜିତ ଅଛନ୍ତି । ଫତେଗଡ଼ରେ ଦୁଇଟି ଅତ୍ୟାଧୁନିକ ଛେନା ଭାଟି ଅଛି । ଏଥିରୁ ଦୈନିକ ୪ କୁଇଣ୍ଟାଲ ଛେନାପୋଡ଼ ଉତ୍ପାଦନ ହୁଏ ଯାହା ଜିଲ୍ଲା ଓ ଜିଲ୍ଲା ବାହାରକୁ ରପ୍ତାନି ହୁଏ । ତିଆରିର ଏକ ତୃତୀୟାଂଶ ଛେନାପୋଡ଼ ସ୍ଥାନୀୟ ଅଂଚଳରେ ହିଁ ବିକ୍ରି ହୋଇଯାଏ । ପାହାଳ ରସଗୋଲା ତୁଳନାରେ ଛେନାପୋଡ଼ ଶସ୍ତା ଓ ଉଚ୍ଚମାନର ହୋଇଥିବାରୁ ଜିଲ୍ଲାର ମିଠା ଦୋକାନମାନଙ୍କରେ କେବଳ ଛେନାପୋଡ଼ର ରାଜୁତି ଦେଖିବାକୁ ମିଳେ । ଛେନାପୋଡ଼ କିଲୋପ୍ରତି ୧୦୦/- ଟଙ୍କାରୁ ଆରମ୍ଭ କରି 'କାଳିଆ' ସ୍ପେଶାଲ ଛେନାପୋଡ଼ ୩୨୦/- ପର୍ଯ୍ୟନ୍ତ ବିକ୍ରି ହୁଏ । ଛେନାପୋଡ଼ ବ୍ୟବସାୟୀ କେବଳ ଫତେଗଡ଼ ବଜାରରେ ଅତି କମ ଲାଭରେ କିଲୋ ପ୍ରତି ମାତ୍ର ୧୦୦ ଟଙ୍କାରେ ବିକ୍ରି କରନ୍ତି । ଗାଁ ରାସ୍ତା ଦେଇ ଯିବାଆସିବା କରୁଥିବା ଯାତ୍ରୀ ଛେନାପୋଡ଼ ଚାଖିବା ସହ ସାଙ୍ଗରେ ଫତେଗଡ଼ ଛେନାପୋଡ଼ ନେବାକୁ ଭୁଲିନଥାନ୍ତି ।

ଗାଁ ଚିତ୍ରପଟ୍ଟ[ସମ୍ପାଦନା]

ଅଧିକ ଜାଣନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. S. C. Bhatt, Gopal K. Bhargava (2006). Land and People of Indian States and Union Territories: In 36 Volumes. Orissa. Gyan Publishing House. pp. 187–. ISBN 978-81-7835-377-7.
  2. http://www.census2011.co.in/data/village/406124-fategarh-orissa.html
  3. http://m.dailyhunt.in/news/india/oriya/odia-pua-epaper-odia/ganashiksha-bibhaga-pramukha-shasana-sachibanka-kshobha--chatrachatrimananku-thik-re-odiaa-bahi-padhi-aasilani-newsid-48811149
  4. http://nayagarh.nic.in/telno_police.htm
  5. "କାଳର ସ୍ରୋତରେ କାଳିଆ ଠିକଣା". ନବକଳେବର (ଦ୍ୱିତୀୟ, ୨୦୦୯ ed.). ପ୍ରଜ୍ଞାଲୋକ. p. ୯୬. ISBN 81-89858-06-8. |first= missing |last= (help); |access-date= requires |url= (help)
  6. http://www.onefivenine.com/india/Places/Taluk/Nayagarh/Bhapur/Temple
  7. http://orissadiary.com/CurrentNews.asp?id=52350
  8. http://nayagarh.nic.in/govtsection/forest/jbp.htm
  9. http://m.dailyhunt.in/Ebooks/oriya/kankada-chasha-book-79426