Jump to content

ପ୍ରଭାବତୀ କାହାଣୀ (ବତ୍ରିଶ ସିଂହାସନ)

ଉଇକିପିଡ଼ିଆ‌ରୁ
1. Vikramaditya Memorial, Ujjain

ପ୍ରଭାବତୀ କାହାଣୀ ବତ୍ରିଶ ସିଂହାସନର ଦଶମ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[]

ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ଦଶମ ଦିନ ଯେତେବେଳେ ସେହି ସିଂହାସନର ଦଶମ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ପ୍ରଭାବତୀ ନାମକ ଦଶମ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[]

ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ଦଶମ ପ୍ରତିମା ପ୍ରଭାବତୀ ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ଦଶମ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[][]

ପ୍ରଥମ କାହାଣୀ

[ସମ୍ପାଦନା]

ଦଶମ ପ୍ରତିମା ପ୍ରଭାବତୀ କହିଥିବା କଥା ଏହିପରି — ଏକଦା ରାଜା ବିକ୍ରମାଦିତ୍ୟ ଶିକାର କରୁଥିବାବେଳେ ନିଜ ସେନା ଓ ପାରିଷଦ ଦଳଠାରୁ ବହୁତ ଆଗକୁ ବାହାରି ଜଙ୍ଗଲ ରାସ୍ତା ଭୁଲିଗଲେ । ସେ ଏଣେତେଣେ ବହୁତ ଖୋଜିଲେ, କିନ୍ତୁ ତାଙ୍କ ସେନା କେଉଁଠି ପାଇଲେ ନାହିଁ । ସେ ସମୟରେ ସେ ଦେଖିଲେ — ଏକ ସୁନ୍ଦର ଯୁବକ ଗଛ ଉପରେ ଚଢି ଏକ ଶାଖାକୁ ରଶି ବାନ୍ଧୁଛି ଏବଂ ରଶିରେ ଏକ ଫାଶ ନିଜ ବେକରେ ଲଗାଇ ଝୁଲିପଡୁଛି । ବିକ୍ରମ ବୁଝିଗଲେ ଯେ ସେ ଯୁବକ ଆତ୍ମହତ୍ୟା କରୁଛି । ସେ ସଙ୍ଗେ ସଙ୍ଗେ ତାହାକୁ ପାଦରୁ ଧରି କହିଲେ ରଶି ଖୋଲିଦିଅ, ଏବଂ ପାଟିକରି କହିଲେ, “ଆତ୍ମହତ୍ୟା ଏକ ମହାପାପ, ଏହା କାପୁରୁଷତା ଏବଂ ଅପରାଧ ମଧ୍ୟ ଅଟେ । ରାଜା ଭାବରେ ମୁଁ ତୋତେ ଏହି ଅପରାଧ ପାଇଁ ଦଣ୍ଡ ଦେଇପାରେ ।” ଯୁବକ ତାଙ୍କ ଗମ୍ଭୀର ସ୍ୱର ଏବଂ ରାଜସିକ ପୋଷାକ ଦେଖି ବୁଝିଗଲା ଯେ ସେ ରାଜା ଅଟନ୍ତି, ତେଣୁ ଭୟଭୀତ ହୋଇଗଲା । ଯୁବକ ତଳକୁ ଆସିବା ପରେ ରାଜା କହିଲେ, “ତୁ ଏକ ସୁସ୍ଥ ଓ ଶକ୍ତିଶାଳୀ ଯୁବକ, ତେବେ ଜୀବନରେ ଏମିତି ନିରାଶ କାହିଁକି ହେଲୁ ? ପରିଶ୍ରମରେ ତୁ ନିଜ ଜୀବିକା ଚଲାଇପାରିବୁ ।” ସେ ଯୁବକ କହିଲା ଯେ ତାହାର ନିରାଶା ଜୀବିକା ପାଇଁ ନୁହେଁ ।ରାଜା ପଚାରିଲେ, “ତେବେ କଣ ପାଇଁ ସେ ଆତ୍ମ ହତ୍ୟାପାଇଁ ଚେଷ୍ଟା କରୁଥିଲା ?” ସେ କହିଲା — “ମୁଁ କଳିଙ୍ଗ ରାଜକୁମାର,ମୋର ନାମ ବସୁ । ଏକଦିନ ଜଙ୍ଗଲ ମଧ୍ୟରେ ଯାଉଥିଲି, ହଠାତ୍ ମୋ ନଜର ଗୋଟିଏ ଅତ୍ୟନ୍ତ ସୁନ୍ଦର ଝିଅ ଉପରେ ପଡ଼ିଲା । ସେ ଏତେ ସୁନ୍ଦରୀ ଥିଲେ ଯେ ମୁଁ ତା’ପାଖରେ ଯାଇ ତକ୍ଷଣାତ୍ ପ୍ରେମ ପ୍ରସ୍ତାବ ଦେଲି ।” ସେ ଝିଅ ହସି କହିଲେ — “ମୁଁ କାହାକୁ ଭଲ ପାରିପାରିବି ନାହିଁ, ଏହା ମୋ ଭାଗ୍ୟରେ ଲେଖା ଅଛି । ମୁଁ ଏକ ହତଭାଗିନୀ ରାଜକୁମାରୀ, ମୋ ଜନ୍ମ ଏଭଳି ଏକ ଅଶୁଭ ନକ୍ଷତ୍ରରେ ହୋଇଛି ଯେ ଯଦି ମୋ ପିତା ମୋତେ ଦେଖିବେ, ସେ ତକ୍ଷଣାତ୍ ମରିଯିବେ । ତେଣୁ ମୋ ଜନ୍ମ ସମୟରେ ମୋତେ ଏକ ସନ୍ନ୍ୟାସୀଙ୍କ ଆଶ୍ରମକୁ ପଠାଇଦେଲେ । ସେଠି ମୋର ଲାଳନପାଳନ ହୋଇଛି । ପୁଣି ମୋର ସନ୍ନ୍ୟାସୀ ପିତା ମୋ ବିବାହ ପାଇଁ ଏକ ଅଜବ ସର୍ତ୍ତ ରଖିଛନ୍ତି, ଯେ ମୋ ସହ ସେହି ଯୁବକଙ୍କର ବିବାହ ହେବ ଯିଏ ଅସମ୍ଭବକୁ ସମ୍ଭବ କରିଦେଖାଇବ । ଅର୍ଥାତ ଯିଏ ଫୁଟନ୍ତା ତେଲର କଡାଇରେ ପଡି ଜୀବନ୍ତ ବାହାରି ଆସିବାକୁ ପଡିବ ।” ବସୁ ସେ କଥା ଶୁଣି ସେ କୁଟିରକୁ ଗଲେ ଯେଉଁଠି ସେ ରାଜକୁମାରୀ ରହୁଥିଲେ । ସେଠି ସେ ଅନେକ କଙ୍କାଳ ଦେଖିଲେ । ସନ୍ନ୍ୟାସୀ କହିବା ମୁତାବକ ସେହି କଙ୍କାଳ ସେଇ ଯୁବକ ମାନଙ୍କର ଯେଉଁମାନେ ରାଜକୁମାରୀକୁ ପାଇବା ପାଇଁ ତେଲର କଡାଇରେ ପଡି ମରିଯାଇଥିଲେ । ବସୁର ଆଶା ମଉଳିଗଲା । ସେ ନିରାଶ ହୋଇ ଫେରିଗଲେ । ସେ ରାଜକୁମାରୀକୁ ଭୁଲିବା ପାଇଁ ଅନେକ ଚେଷ୍ଟା କଲେ, କିନ୍ତୁ ତା’ର ମୁହଁ ସବୁବେଳେ ଆଖି ଆଗରେ ଭାସି ଆସୁଥିଲା । ନିଦ ହଜିଗଲା, ଖାଇବା-ପିଇବାରେ ମନ ରହିଲା ନାହିଁ । ଶେଷରେ ସେ ଭାବିଲେ ଏବେ ମରିଯିବା ଛାଡ଼ା ଅନ୍ୟ ପଥ ନାହିଁ । ରାଜା ବିକ୍ରମାଦିତ୍ୟ ତାକୁ ବୁଝେଇଲେ, “ସେ ରାଜକୁମାରୀକୁ ପାଇବା ଅସମ୍ଭବ, ତେଣୁ ତା’କୁ ଭୁଲି ଅନ୍ୟ ଜଣକ ସହ ଜୀବନ ବିତାଅ ।” କିନ୍ତୁ ବସୁ ମାନିଲେ ନାହିଁ । ସେ କହିଲେ, “ଆପଣ ମୋତେ ବୃଥାରେ ରକ୍ଷା କଲେ । ମୋତେ ମରିଯିବାକୁ ଦେଇଥାନ୍ତେ ଭଲ ହୋଇପାରିଥାନ୍ତା ।” ବିକ୍ରମ କହିଲେ — “ଆତ୍ମହତ୍ୟା ପାପ ଅଟେ, ଏହି ପାପ ମୋ ଆଖି ଆଗରେ ହେବାକୁ ମୁଁ ଦେଖିପାରିବିନି । ମୁଁ ତୋତେ ବଚନ ଦେଉଛି ଯେ ରାଜକୁମାରୀ ସହ ତୋର ବିବାହ କରିବା ପାଇଁ ସମ୍ଭବ ସବୁ ପ୍ରୟାସ କରିବି ।” ତା’ପରେ ବିକ୍ରମ ମା କାଳୀଙ୍କ ଦ୍ୱାରା ପ୍ରଦତ୍ତ ଦୁଇ ବେତାଳଙ୍କୁ ସ୍ମରଣ କଲେ । ଦୁଇଜଣ ବେତାଳ ତକ୍ଷଣାତ୍ ଆସିଗଲେ ଏବଂ କିଛି ମୁହୂର୍ତ୍ତରେ ସେମାନେ ତିନିଜଣ ମିଶି ସେ କୁଟିରକୁ ପହଞ୍ଚିଗଲେ । ସେହି କୁଟିର ଦେଖିବାକୁ ଏକ ସାଧାରଣ କୁଟିର ଥିଲା, କିନ୍ତୁ ସେଠି ରାଜକୁମାରୀ ପାଇଁ ସବୁ ସୁବିଧା ଥିଲା, ଦାସୀ, ସଖୀ, ସବୁ ଥିଲେ । ବିକ୍ରମାଦିତ୍ୟ ସନ୍ନ୍ୟାସୀଙ୍କୁ ଦେଖି ନିଜ ପରିଚୟ ଦେଲେ ଏବଂ ବସୁ ପାଇଁ ରାଜକୁମାରୀର ହାତ ମାଗିଲେ । ସନ୍ନ୍ୟାସୀ ରାଜାଙ୍କ ପରିଚୟ ଜାଣି କହିଲେ — “ମୋ ପ୍ରାଣ ମୁଁ ରାଜାଙ୍କୁ ଖୁସିରେ ଦେଇପାରିବି, କିନ୍ତୁ ରାଜକୁମାରୀର ହାତ ସେଇ ଯୁବକଙ୍କୁ ଦେଇପାରିବି ଯିଏ ଫୁଟନ୍ତା ତେଲ କଡେଇରୁ ଜୀବନ୍ତ ବାହାରିଆସିବେ ।” ବିକ୍ରମ ପଚାରିଲେ — “ସେ ନିଜ ପାଇଁ ନା ଅନ୍ୟଙ୍କ ପାଇଁ ଚାହୁଁଛି, ଏହା ଗୁରୁତ୍ୱପୂର୍ଣ୍ଣ କି ?” ସନ୍ନ୍ୟାସୀ କହିଲେ — “ନାହିଁ, ମାତ୍ର ଏହି ସର୍ତ୍ତ ପୂରଣ ହେବା ଦରକାର ।” ବିକ୍ରମ କହିଲେ — “ମୁଁ ନିଜେ ସେହି ତେଲ କଡାଇରେ ଡେଇଁପଡିବି ବସୁ ପାଇଁ ।” ସନ୍ନ୍ୟାସୀ ଆଶ୍ଚର୍ଯ୍ୟ ହେଲେ । ସେମାନେ କଥାହେଉଥିବାବେଳେ ରାଜକୁମାରୀ ତା’ ସଖୀମାନଙ୍କ ସହ ଆସିଗଲେ । ସେ ଅପସରାମାନଙ୍କ ଠାରୁ ମଧ୍ୟ ସୁନ୍ଦରୀର ଥିଲେ ।

ବିକ୍ରମ ସନ୍ନ୍ୟାସୀଙ୍କୁ କହିଲେ ତେଲ ଭରି କଡାଇ ପ୍ରସ୍ତୁତ କରିବାକୁ । ଯେତେବେଳେ ତେଲ ଗରମ ହେଲା, ବିକ୍ରମ ମା କାଳୀଙ୍କ ସ୍ମରଣ କରି ଫୁଟନ୍ତା ତେଲ କଡେଇକୁ ଡେଇଁପଡ଼ିଲେ । ତତକ୍ଷଣାତ୍ ସେ ମରିଗଲେ, କିନ୍ତୁ, ମା କାଳୀଙ୍କ ଦୟା ହୋଇଗଲା, ସେ ବେତାଳମାନଙ୍କୁ ଆଜ୍ଞା ଦେଲେ ବିକ୍ରମକୁ ପୁଣି ଜୀବନ୍ତ କରିଦେବାକୁ । ବେତାଳମାନେ ଅମୃତର କିଛି ଟୋପା ତାଙ୍କ ମୁଁହରେ ଦେଇଦେଲେ ଏବଂ ବିକ୍ରମ ପୁଣି ଜୀବିତ ହେଲେ । ଜୀବିତ ହେବା ସହ ସେ ବସୁ ପାଇଁ ରାଜକୁମାରୀର ହାତ ଚାହିଲେ । ରାଜକୁମାରୀଙ୍କ ପିତାଙ୍କୁ ସୁଚନା ଦିଆଗଲା ଏବଂ ଦୁହିଁଙ୍କ ବିବାହ ଧୁମଧାମରେ ସମ୍ପନ୍ନ ହେଲା ।[]

ଗପଟି କହି ଦଶମ ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ପରି ପରୋପକାର ନିମିତ୍ତ ନିଜ ଜୀବନକୁ ଉତ୍ସର୍ଗ କରିଦେଇ ପାରିବେ ? ଏହିପରି କହିବା ପରେ ଦଶମ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।[]

  1. ୧.୦ ୧.୧ ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).{{cite book}}: CS1 maint: unrecognized language (link)
  2. WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
  3. samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.{{cite web}}: CS1 maint: numeric names: authors list (link)[permanent dead link]
  4. "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
  5. "Singhasan Battisi - The Story of 10th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-06.