ପରିବାର ଅଦାଲତ ଅଧିନିୟମ, ୧୯୮୪

ଉଇକିପିଡ଼ିଆ‌ରୁ

ପାରିବାରିକ ଅଦାଲତ ଅଧିନିୟମ, ୧୯୮୪ ଭାରତୀୟ ପାର୍ଲିଆମେଣ୍ଟଦ୍ୱାରା ୧୯୮୪ ମସିହାରେ କାର୍ଯ୍ୟକାରୀ କରାଯାଇଥିବା ଏକ ଅଧିନିୟମ ।[୧]

ଅଧିନିୟମ ସମ୍ପର୍କରେ[ସମ୍ପାଦନା]

ପାରିବାରିକ ମାମଲାଗୁଡିକରେ ଏହାର ପକ୍ଷ ତଥା ବିଷୟବସ୍ତୁର ଭିନ୍ନତା ଦୃଷ୍ତିରୁ ଏଭଳି ମାମଲାର ବିଚାର ପ୍ରକ୍ରିୟା ଅନ୍ୟସବୁ ସାଧାରଣ ଦେୱାନୀ ମାମଲାର ବିଚାର ଭଳି ନ ହୋଇ ଏକ ବିଶେଷ ଧାରା ମାଧ୍ୟମରେ ହେବା ଦରକାର ବୋଲି ଭାରତୀୟ ଆଇନ କମିଶନ ତାଙ୍କ ୫୯ତମ ବିବରଣୀରେ ପ୍ରକାଶ କରିଥିଲେ । ୧୯୭୬ ମସିହାରେ ଭାରତର ଦେୱାନୀ କାର୍ଯ୍ୟବିଧି ସଂହିତା ଏହି ଉଦ୍ଦେଶ୍ୟରେ ସଂଶୋଧନ କରାଯାଇଥିଲେ ବି, ପାରିବାରିକ ମାମଲା ସଂକ୍ରାନ୍ତୀୟ ମୂଳ ଲକ୍ଷ୍ୟ ହାସଲ କରିବାରେ ଏହା ଯଥେଷ୍ଟ ନ ଥିଲା ।[୨] ଅତଏବ, ବିବାହ, ଭରଣପୋଷଣ ଆଦି ପାରିବାରିକ ମାମଲାଗୁଡିକରେ ଆପୋଷ ବୁଝାମଣା ତଥା ତ୍ୱରିତ ବିଚାର ଜରିଆରେ ଫୈସଲା ନିଶ୍ଚିତ କରିବା ପାଇଁ ପାରିବାରିକ ଅଦାଲତ ଅଧିନିୟମ, ୧୯୮୪ ଭାରତ ସରକାରଙ୍କଦ୍ୱାରା ଅଧିନିୟମିତ କରାଗଲା । ଏହି ଅଧିନିୟମର ଧାରା ୩ ଅନୁସାରେ ପାରିବାରିକ ଅଦାଲତ ପ୍ରତିଷ୍ଠା ନିମିତ୍ତ ପ୍ରାବଧାନ ରହିଛି । ଉକ୍ତ ପ୍ରାବଧାନ ଅନୁସାରେ ସଂପୃକ୍ତ ଉଚ୍ଚ ନ୍ୟାୟାଳୟ ସହ ପରାମର୍ଶ ପୂର୍ବକ ରାଜ୍ୟ ସରକାର ପ୍ରତି ସହର କିମ୍ବା ଏଭଳି ଅଞ୍ଚଳରେ ପରିବାର ଅଦାଲତ ପ୍ରତିଷ୍ଠା କରିବେ ଯାହାର ଜନସଂଖ୍ୟା ୧ ଲ଼କ୍ଷରୁ ଅଧିକ ହୋଇଥିବ । ପାରିବାରିକ ଅଦାଲତ ଉଚ୍ଚ ନ୍ୟାୟାଳୟଙ୍କ ଅଧିନସ୍ଥ ହେବ ଯାହାର କି ସଂପୃକ୍ତ ରାଜ୍ୟ ମଧ୍ୟରେ ଗୋଟିଏ ପରିବାର ଅଦାଲତରୁ ଅନ୍ୟ ଏକ ପରିବାର ଅଦାଲତକୁ ମାମଲାଟିଏ ସ୍ଥାନାନ୍ତର କରିବା କ୍ଷମତା ରହିବ ।

ବିଶେଷ ପ୍ରାବଧାନ[ସମ୍ପାଦନା]

  • ଉକ୍ତ ଅଧିନିୟମର ଧାରା ୯ ଅନୁସାରେ ପରିବାର ଅଦାଲତରେ ମାମଲାଟିଏ ଦାଖଲ ହେଲେ, ପ୍ରଥମେ ପରିବାର ଅଦାଲତ ଦୁଇ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝମଣା ମଧ୍ୟରେ ମାମଲାର ସମାଧାନ କରିବା ପାଇଁ ଉଦ୍ୟମ କରିବେ ।
  • ଉକ୍ତ ଅଧିନିୟମର ଧାରା ୧୧ ଅନୁସାରେ ପରିବାର ଅଦାଲତରେ ମାମଲାଗୁଡିକ ଅଦାଲତଙ୍କ ଆଦେଶ ପ୍ରକାରେ କିମ୍ବା କୌଣସି ପକ୍ଷ ଚାହିଁଲେ ମାମଲାର ବିଚାର ପ୍ରକ୍ରୀୟା ଗୋପନୀୟତାର ସହ (in camera) କରାଯିବ ।
  • ଉକ୍ତ ଅଧିନିୟମର ଧାରା ୧୩ ଅନୁସାରେ ପରିବାର ଅଦାଲତରେ ମାମଲାଟିଏ ବିଚାର ବେଳେ ସାଧାରଣତଃ ପକ୍ଷମାନେ ଓକିଲ ମାଧ୍ୟମରେ ମାମଲା ପରିଚାଳନା ପାଇଁ ଏକ ଅଧିକାର ଭାବେ ଦାବୀ କରିପାରିବେ ନାହିଁ, ତେବେ ବିଶେଷ ପରିସ୍ଥିତିରେ ଅଦାଲତ ଚାହିଁଲେ କୌଣସି ପକ୍ଷଙ୍କୁ ଓକିଲ ମାଧ୍ୟମରେ ପକ୍ଷ ରଖିବା ପାଇଁ ଅନୁମତି ଦେଇପାରିବେ ।
  • ଉକ୍ତ ଅଧିନିୟମର ଧାରା ୧୯(୨) ଅନୁସାରେ ପାରିବାରିକ ଅଦାଲତରେ ଦୁଇ ପକ୍ଷଙ୍କ ସହମତିରେ ହୋଇଥିବା ଫୈସଲା ପରେ ଏହି ଫୈସଲା ବିରୁଦ୍ଧରେ ଅପିଲ ହୋଇପାରିବ ନାହିଁ ।
  • ଉକ୍ତ ଅଧିନିୟମର ଧାରା ୨୧ ପ୍ରକାରେ ସଂପୃକ୍ତ ଉଚ୍ଚ ନ୍ୟାୟାଳୟ ଉକ୍ତ ଅଧିନିୟମର ନିହିତ ଉଦ୍ଦେଶ୍ୟ କାର୍ଯ୍ୟକାରିତା ନିମନ୍ତେ ଆବଶ୍ୟକୀୟ ଆଇନ ପ୍ରଣୟନ କରିବେ ।
  • ଉକ୍ତ ଅଧିନିୟମର ଧାରା ୨୩ ପ୍ରକାରେ ସଂପୃକ୍ତ ରାଜ୍ୟ ସରକାର ଉକ୍ତ ଅଧିନିୟମର ନିହିତ ଉଦ୍ଦେଶ୍ୟ କାର୍ଯ୍ୟକାରିତା ନିମନ୍ତେ ଆବଶ୍ୟକୀୟ ଆଇନ ଲାଗୁ କରିବେ । ଏହି ପ୍ରାବଧାନ ପ୍ରକାରେ ଓଡ଼ିଶା ସରକାରଙ୍କଦ୍ୱାରା "The Family Courts (Orissa) Rules, 1990" ଲାଗୁ କରାଯାଇଛି ।[୩]

ଆହୁରି ପଢନ୍ତୁ[ସମ୍ପାଦନା]

"Family Courts Act"

ଆଧାର[ସମ୍ପାଦନା]

  1. "The Family Courts Act, 1984". indiankanoon.org. Retrieved 30 July 2018.
  2. "SANTHINI PETITIONER(S) VERSUS VIJAYA VENKETESH RESPONDENT(S)" (PDF). www.sci.gov.in. Retrieved 4 September 2018.
  3. ALLDRIDGE, PETER (1990). "Bare Acts Live". www.bareactslive.com (in ଇଂରାଜୀ). Retrieved 30 July 2018.