Jump to content

ପଦ୍ମ ପୁରାଣ

ଉଇକିପିଡ଼ିଆ‌ରୁ
Padma Purana

ମହର୍ଷି ବ୍ୟାସଦେବଙ୍କ ଦ୍ୱାରା ସଂସ୍କୃତ ଭାଷାରେ ରଚିତ ଅଷ୍ଟାଦଶ ପୁରାଣଙ୍କ ମଧ୍ୟରୁ ଏକ ପୁରାଣ ଗ୍ରନ୍ଥ ହେଉଛି ପଦ୍ମ ପୁରାଣ । ସମସ୍ତ ଅଷ୍ଟାଦଶ ପୁରାଣଙ୍କ ଗଣନାରେ ‘ପଦ୍ମ ପୁରାଣ’ ଦ୍ୱିତୀୟ ସ୍ଥାନରେ ରହିଛି । ଶ୍ଲୋକ ସଂଖ୍ୟାର ଦୃଷ୍ଟିରୁ ମଧ୍ୟ ଏହା ଦ୍ୱିତୀୟ ସ୍ଥାନରେ ଅବସ୍ଥିତ; ପ୍ରଥମ ସ୍ଥାନ ‘ସ୍କନ୍ଦ ପୁରାଣ’ର । ‘ପଦ୍ମ’ର ଅର୍ଥ— ‘କମଳ ଫୁଲ’ । ବ୍ରହ୍ମା ଭଗବାନ ନାରାୟଣଙ୍କ ନାଭିର କମଳରୁ ଉତ୍ପନ୍ନ ହୋଇ ସୃଷ୍ଟି-ସମ୍ବନ୍ଧୀୟ ଜ୍ଞାନର ବିସ୍ତାର କରିଥିବାରୁ, ଏହି ପୁରାଣକୁ ‘ପଦ୍ମ ପୁରାଣ’ ବୋଲି କୁହାଯାଇଛି । ଏହି ପୁରାଣରେ ଭଗବାନ ବିଷ୍ଣୁଙ୍କ ମହିମା, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଚରିତ୍ର, ବିଭିନ୍ନ ତୀର୍ଥର ମାହାତ୍ମ୍ୟ, ଶାଳଗ୍ରାମର ସ୍ୱରୂପ, ତୁଳସୀର ମହିମା ଓ ବିଭିନ୍ନ ଉପବାସ/ବ୍ରତର ସୁନ୍ଦର ବର୍ଣ୍ଣନା ମିଳେ।[][]

ବିସ୍ତାର

[ସମ୍ପାଦନା]
Brahma sarawati

ପଦ୍ମ ପୁରାଣର ଛଅଟି ମୁଖ୍ୟ ଖଣ୍ଡ ହେଉଛି ଏହିଭଳି:

  1. ସୃଷ୍ଟି ଖଣ୍ଡ
  2. ଭୂମି ଖଣ୍ଡ
  3. ସ୍ୱର୍ଗ ଖଣ୍ଡ
  4. ବ୍ରହ୍ମ ଖଣ୍ଡ
  5. ପାତାଳ ଖଣ୍ଡ
  6. ଉତ୍ତର ଖଣ୍ଡ

ଏହି ଖଣ୍ଡମାନଙ୍କର କ୍ରମ ଓ ନାମରେ କେବେ କେବେ ଭିନ୍ନତା ଦେଖିବାକୁ ମିଳେ । ‘ସ୍ୱର୍ଗ ଖଣ୍ଡ’କୁ ‘ଆଦି ଖଣ୍ଡ’ ବୋଲି ମଧ୍ୟ କୁହାଯାଏ । ନାରଦ ପୁରାଣର ଅନୁକ୍ରମଣିକାରେ ‘ବ୍ରହ୍ମ ଖଣ୍ଡ’କୁ ‘ସ୍ୱର୍ଗ ଖଣ୍ଡ’ରେ ଏକାତ୍ମ କରାଯାଇଛି ଏବଂ ପଦ୍ମ ପୁରାଣର ଏକ ଉଲ୍ଲେଖ ଅନୁସାରେ ଉପରୋକ୍ତ ଛଅଟି ଖଣ୍ଡ ଛାଡ଼ି ଆଉ ଗୋଟିଏ— କ୍ରିୟା ଖଣ୍ଡ’ (କ୍ରିୟାଯୋଗସାର ଖଣ୍ଡ)—କୁ ସପ୍ତମ ଖଣ୍ଡ ଭାବେ ଗଣାଯାଇଛି । ଯଦିଓ ଅନ୍ୟ କେତେକ ପାଠରେ କେବଳ ୬ଟି ଖଣ୍ଡର ଉଲ୍ଲେଖ ମିଳେ ଓ ‘କ୍ରିୟା ଖଣ୍ଡ’କୁ ‘ସୃଷ୍ଟି ଖଣ୍ଡ’ର ଅନ୍ୟନାମ ଭାବେ ମନେ କରି ‘କ୍ରିୟାଯୋଗସାର ଖଣ୍ଡ’କୁ ‘ଉତ୍ତର ଖଣ୍ଡ’ରେ ସମାହିତ ଭାବେ ଧାରଣ କରାଯାଇଛି ।

ପଦ୍ମ ପୁରାଣରେ ୫୫,୦୦୦ ଶ୍ଲୋକ ଥିବା କୁହାଯାଏ । ‘ଆନନ୍ଦାଶ୍ରମ ମୁଦ୍ରଣାଳୟ, ପୁଣେ’ ଦ୍ଵାରା ୧୮୯୩-୯୪4 ଖ୍ରୀଷ୍ଟାବ୍ଦରେ ପଦ୍ମ ପୁରାଣର ଯେଉଁ ସଂସ୍କରଣ ପ୍ରସ୍ତୁତ କରାୟାଇଛି, ତାହା ଏକ ପ୍ରାମାଣିକ ଗ୍ରନ୍ଥଭାବେ ଗଣ୍ୟ । ଏଥିରେ ବିଭିନ୍ନ ପଣ୍ଡିତଙ୍କ ସହଯୋଗରେ ଯଥାସାଧ୍ୟ ପ୍ରାମାଣିକ ପାଠ ଦେବାକୁ ଚେଷ୍ଟା କରାଯାଇଛି । ଏହି ସଂସ୍କରଣରେ ମୋଟ ଶ୍ଲୋକ ସଂଖ୍ୟା 48,452 ଅଟେ ।

1956-58 ଖ୍ରୀଷ୍ଟାବ୍ଦରେ ‘ମନସୁଖରାୟ ମୋର, କ୍ଲାଇଭ୍ ରୋ, କଲିକାତା’ ଦ୍ୱାରା ପ୍ରକାଶିତ ସଂସ୍କରଣର ଆଧାର ହେଲା ‘ବେଙ୍କଟେଶ୍ୱର ପ୍ରେସ୍, ବମ୍ବେ’ର ପୁରୁଣା ପ୍ରକାଶନ; କାରଣ ଆନନ୍ଦାଶ୍ରମ ସଂସ୍କରଣରେ 55,000 ଶ୍ଲୋକଠାରୁ ବହୁତ କମ ଲେଖା ଥିଲା । ଯଦିଓ ବେଙ୍କଟେଶ୍ୱର ପ୍ରେସ୍ ସଂସ୍କରଣରେ ଶ୍ଲୋକ ସଂଖ୍ୟା ସଠିକ ଗଣାଯାଇନଥିଲା, ତଥାପି ଅନୁମାନରେ ଏହାକୁ 55,000 ଶ୍ଲୋକ ଥିବା ବୋଲି ଧରାଯାଇଥିଲା ।

ମନସୁଖରାୟ ମୋରର ପ୍ରକାଶିତ ସଂସ୍କରଣ ବର୍ତ୍ତମାନ ‘ଚୌଖମ୍ବା ସଂସ୍କୃତ ସିରିଜ୍ ଅଫିସ, ବାରାଣସୀ’ରୁ ପ୍ରକାଶିତ ହେଉଛି ।

ବିଷୟବସ୍ତୁ

[ସମ୍ପାଦନା]

ଏହି ପୁରାଣ, ସର୍ଗ, ପ୍ରତିସର୍ଗ, ବଂଶ, ମନ୍ବନ୍ତର ଏବଂ ବଂଶାନୁଚରିତ—ଏହି ପାଞ୍ଚଟି ମହତ୍ୱପୂର୍ଣ୍ଣ ଲକ୍ଷଣରେ ସଂପୂର୍ଣ୍ଣ । ଭଗବାନ ବିଷ୍ଣୁଙ୍କ ସ୍ୱରୂପ ଓ ପୂଜା-ଉପାସନାର ବିବରଣୀ ଥିବାରୁ ଏହି ପୁରାଣକୁ 'ବୈଷ୍ଣବ ପୁରାଣ' ବୋଲି ମଧ୍ୟ କୁହାଯାଏ । ଏହି ପୁରାଣରେ ବିଭିନ୍ନ ପୌରାଣିକ ଆଖ୍ୟାନ ଓ ଉପାଖ୍ୟାନମାନଙ୍କର ବର୍ଣ୍ଣନା ରହିଛି, ଯାହା ଦ୍ୱାରା ଭଗବାନ ବିଷ୍ଣୁ ସମ୍ବନ୍ଧୀୟ ଭକ୍ତିମୟ କଥାନକୁ ଅନ୍ୟ ପୁରାଣଙ୍କ ତୁଳନାରେ ଅଧିକ ବିସ୍ତୃତ ଭାବରେ ପ୍ରସ୍ତୁତ କରାଯାଇଛି । ପଦ୍ମପୁରାଣ ସୃଷ୍ଟିର ଉତ୍ପତ୍ତି—ଅର୍ଥାତ୍ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟିର ରଚନା—ଓ ବିଭିନ୍ନ ପ୍ରକାରର ଅନ୍ୟାନ୍ୟ ଜ୍ଞାନର ସମୃଦ୍ଧି ସହିତ ଗଠିତ। ଏଥିରେ ବହୁ ବିଷୟର ଗୁଡ଼ ରହସ୍ୟମାନଙ୍କ ଉଦ୍ଘାଟନ କରାଯାଇଛି । ଏଥିରେ ସୃଷ୍ଟି ଖଣ୍ଡ, ଭୂମି ଖଣ୍ଡ ଏବଂ ତାପରେ ସ୍ୱର୍ଗ ଖଣ୍ଡ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଂଶ । ତାପରେ ବ୍ରହ୍ମ ଖଣ୍ଡ ଓ ଉତ୍ତର ଖଣ୍ଡ ସହିତ କ୍ରିୟାଯୋଗସାର ମଧ୍ୟ ଦିଆଯାଇଛି ।ଏଥିରେ ଏପରି ଅନେକ କଥା ଅଛି, ଯାହା ଅନ୍ୟ ପୁରାଣମାନଙ୍କରେ ଉଣାଅଧିକେ କିଛି ନ କିଛି ରୂପେ ବର୍ଣ୍ଣିତ। କିନ୍ତୁ ପଦ୍ମ ପୁରାଣରେ ବିଷ୍ଣୁଙ୍କ ମହତ୍ତ୍ୱ ସହିତ ଶଙ୍କରଙ୍କ ଅନେକ କଥାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।[] ଶଙ୍କରଙ୍କ ବିବାହ ଓ ତାହା ପରେ ବିଭିନ୍ନ ଋଷି-ମୁନିମାନଙ୍କର ଆଖ୍ୟାନ—ଏହାର ତତ୍ତ୍ୱଚର୍ଚ୍ଚା ପାଇଁ ଏହି ପୁରାଣ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।

  1. Dalal 2014, pp. 239–240.
  2. Rocher 1986, pp. 206–214.
  3. Rocher 1986, pp. 208–209.