Jump to content

ନୀଳାମ୍ବର ନନ୍ଦ

ଉଇକିପିଡ଼ିଆ‌ରୁ
ନୀଳାମ୍ବର ନନ୍ଦ
ଜନ୍ମ(1930-04-29)୨୯ ଅପ୍ରେଲ ୧୯୩୦
ମୃତ୍ୟୁ୧୮ ଅଗଷ୍ଟ ୨୦୨୦(2020-08-18) (ବୟସ ୯୦)
ଭୁବନେଶ୍ୱର
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର
ପ୍ରସିଦ୍ଧିଲେଖକ, ଜଗନ୍ନାଥ ସଂସ୍କୃତିର ଗବେଷକ ଓ ପ୍ରଚାରକ
ବୈବାହିକ-ସାଥୀଇନ୍ଦୁମତି ନନ୍ଦ
ସନ୍ତାନପୂର୍ଣ୍ଣେନ୍ଦୁ କୁମାର ନନ୍ଦ, ବିଭୁଧେନ୍ଦୁ ନନ୍ଦ, ଲଲାଟେନ୍ଦୁ ନନ୍ଦ, ଶୁଭେନ୍ଦୁ ନନ୍ଦ, ଉଶାରାଣୀ ନନ୍ଦ, ସନ୍ଧ୍ୟାରାଣୀ ନନ୍ଦ, ଗୀତାରାଣୀ ନନ୍ଦ, ସ୍ମିତାରାଣୀ ନନ୍ଦ
ପିତାମାତାପଣ୍ଡିତ ଜଗନ୍ନାଥ ନନ୍ଦ, ଉଜ୍ଜ୍ୱଳମଣି ଦେବୀ
ପୁରସ୍କାରତତ୍ତ୍ଵ ଭୂଷଣ

ନୀଳାମ୍ୱର ନନ୍ଦ (୨୯ ଅପ୍ରେଲ ୧୯୩୦ – ୧୮ ଅଗଷ୍ଟ ୨୦୨୦) ଜଣେ ଭାରତୀୟ ବକ୍ତା, ଲେଖକ, ଗବେଷକ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଥିଲେ । ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ତତ୍ତ୍ଵ, ଲୀଳା, ପର୍ବପର୍ବାଣୀ ଓ ଯାନିଯାତ୍ରା ଠାରୁ ଆରମ୍ଭ କରି, ପୁରାଣ, ଭାଗବତ, ଗୀତା, ବେଦ ବେଦାନ୍ତ, ଉପନିଷଦ, ଯୋଗବଶିଷ୍ଠ, ବିବେକ ଚୁଡ଼ାମଣି, ମନୁସଂହିତା, ବିଚାର ଚନ୍ଦ୍ରୋଦୟ, ପଞ୍ଚଦଶି, ଲଘୁ ବାସୁଦେବ ମନନ, ଶ୍ରୀ ବିଦ୍ୟା ରହସ୍ୟ, ସପ୍ତଶତୀ ଶ୍ରୀଚଣ୍ଡୀ ମହାତ୍ମ୍ୟ ଓ ନାନାଦି ଗ୍ରନ୍ଥ ଉପରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ନୀଳାମ୍ୱର ପ୍ରବୃତ୍ତିରେ ଥିଲେ ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ସଂସ୍କୃତିର ଜଣେ ବିଶିଷ୍ଟ ପ୍ରବକ୍ତା । ବିଶେଷ କରି ଦେବୀ ତତ୍ତ୍ଵ ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ସଂପର୍କରେ ତାଙ୍କର ପ୍ରଗାଢ଼ ଅନୁରାଗ ଥିଲା । ପ୍ରବଚନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲେ । ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ଭାଗବତ ପ୍ରଚାର ସମିତି, ରାମଦୟା ପରିଷଦ, ଶ୍ରୀଜଗନ୍ନାଥ ଗବେଷଣା କେନ୍ଦ୍ର, ଶ୍ରୀଜଗନ୍ନାଥ ମିଶନ, ରାଧାକାନ୍ତ ମଠସ୍ଥ ଶ୍ରୀଗମ୍ଭୀରା ସତସଙ୍ଗ ସମିତି ଓ ସର୍ବୋପରି ଜଗନ୍ନାଥ ସଂସ୍କୃତିର ଦିଗଦର୍ଶକ ମୁକ୍ତିମଣ୍ଡପ ପଣ୍ଡିତ ସଭାରେ ସେ ନିୟମିତ ଭାବରେ ଭାରତୀୟ ସଂସ୍କୃତି, ବେଦବେଦାନ୍ତ, ଦେବୀ ତତ୍ତ୍ଵ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସଂପର୍କରେ ଉଦବୋଧନ ଦେଉଥିଲେ । ଆଧ୍ୟାତ୍ମିକ ମାର୍ଗରେ ଉଦବୁଦ୍ଧ ହୋଇ ସେ ଗିର୍ଣ୍ଣାରବନ୍ତର ଶ୍ରୀ ଦିଗମ୍ୱର ପରମହଂସ, ଶଙ୍କରାଚାର୍ଯ୍ୟ ଭାରତୀକୃଷ୍ଣ ତୀର୍ଥ, ଅତ୍ୟାଶ୍ରମୀ ବିଶ୍ୱପ୍ରଣବ ସ୍ୱାମୀ, ଆନନ୍ଦମୟୀ ମା, ଠାକୁର ସୀତାରାମ ଦାସ ଓଁକାରନାଥ ପ୍ରଭୃତି ବହୁ ବିଦ୍ୱାନଙ୍କ ସହିତ ସତସଙ୍ଗ କରି ଅନେକ ମୂଲ୍ୟବାନ ଶିକ୍ଷା ଲାଭ କରିଥିଲେ । ଏ ସମସ୍ତ ପ୍ରସଙ୍ଗ ତାଙ୍କ ରଚିତ 'ସାଧୁସଙ୍ଗର ମହିମା' ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ।

ଏତଦବ୍ୟତୀତ ଓଡ଼ିଆ ଭାଷା ସାହିତ୍ୟକୁ ତାଙ୍କ ଅବଦାନ ମହତ୍ତ୍ୱପୂର୍ଣ୍ଣ । ତାଙ୍କ ରଚିତ ବହୁ ଗବେଷଣାତ୍ମକ ପ୍ରବନ୍ଧ ଦୈନିକ ମାତୃଭୂମି, ସମାଜ, ପ୍ରଜାତନ୍ତ୍ର, ଧରିତ୍ରୀ, ସମ୍ୱାଦ, ପ୍ରମେୟ ପ୍ରଭୃତି ବହୁଳ ପ୍ରଚାରିତ ସମ୍ୱାଦପତ୍ର ସମେତ ଓଡ଼ିଶା ରିଭ୍ୟୂ, ଶ୍ରୀମନ୍ଦିର, ଉତ୍କଳ ପ୍ରସଙ୍ଗ, ନିର୍ମାଲ୍ୟ , ନନ୍ଦିଘୋଷ, ନୀଳାଦ୍ରି, ଅନନ୍ୟ ଶ୍ରୀଜଗନ୍ନାଥ, ଶଙ୍ଖନାଭି, ମହାପ୍ରସାଦ, ଓଡ଼ିଆ ଅରୋଭିଲା, ଖଣ୍ଡଗିରି ଲୀଳା, ସୁଭଦ୍ରା, ଓ ବ୍ରହ୍ମଦର୍ଶନ ଆଦି ପତ୍ରପତ୍ରିକାରେ ବହୁ ବର୍ଷଧରି ପ୍ରକାଶ ପାଇଥିଲା । ଏହା ବ୍ୟତୀତ ସ୍ୱର୍ଗତ ସଦାଶିବ ରଥଶର୍ମାଙ୍କ ଦ୍ୱାରା ସଂକଳିତ ଏକ ଜାତୀୟସ୍ତରୀୟ ସ୍ମରଣିକାରେ ତାଙ୍କର ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ଆଣ୍ଡ ଶ୍ରୀଚୈତନ୍ୟ ନାମକ ଏକ ତଥ୍ୟ ଭିତ୍ତିକ ପ୍ରବନ୍ଧ ପ୍ରକାଶ ପାଇଥିଲା । ଏହା ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ଚନ୍ଦ୍ର ପାଣି(ଆଇଏଏସ୍)ଙ୍କ ସଂପାଦନାରେ ଅଶୀ ଦଶକରେ ପ୍ରକାଶ ପାଇଥିଲା । ପଣ୍ଡିତ ନୀଳାମ୍ୱର ନନ୍ଦଙ୍କ ଲିଖିତ ବହୁ ରଚନାବଳୀ ଅପ୍ରକାଶିତ ଭାବେ ରହିଛି ।

ରଚନାବଳୀ

[ସମ୍ପାଦନା]
  • ଜଗନ୍ନାଥ ସର୍ବସ୍ୱ
  • ଜ୍ୟୋତିର୍ମୟ ଶ୍ରୀଜଗନ୍ନାଥ
  • ଅନେକ ସ୍ମୃତିର ତରଙ୍ଗ (ଆତ୍ମଜୀବନୀ)[]
  • ସାଧୁସଙ୍ଗର ମହିମା
  • ବିମ୍‌ସ୍ ଫ୍ରମ୍ ଦି ସୁପ୍ରିମ୍
  • ଆଧ୍ୟାତ୍ମିକ ପ୍ରବନ୍ଧ ସଞ୍ଚୟନ ଓ ଶ୍ରୀଜଗନ୍ନାଥ (ଯୁଗ୍ମ: ପୂର୍ଣ୍ଣେନ୍ଦୁ କୁମାର ନନ୍ଦ)
  • ଆମ ସଂସ୍କୃତିର ବୈଶିଷ୍ଟ୍ୟ (ଯୁଗ୍ମ: ପୂର୍ଣ୍ଣେନ୍ଦୁ କୁମାର ନନ୍ଦ)
  • ଶିବ ଉପାସନା ଓ ଆଦ୍ୟାଶକ୍ତି ଭୁବନେଶ୍ୱରୀ (ଯୁଗ୍ମ: ପୂର୍ଣ୍ଣେନ୍ଦୁ କୁମାର ନନ୍ଦ)
  • ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ଶ୍ରୀଜଗନ୍ନାଥ (ଯୁଗ୍ମ: ପୂର୍ଣ୍ଣେନ୍ଦୁ କୁମାର ନନ୍ଦ)
  • ଓଡ଼ିଶାରେ ଦେବୀପୂଜା ଓ ଶକ୍ତି ଦର୍ଶନ (ଯୁଗ୍ମ: ପୂର୍ଣ୍ଣେନ୍ଦୁ କୁମାର ନନ୍ଦ)
  • ଦାରୁବ୍ରହ୍ମ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ (ଯୁଗ୍ମ: ପୂର୍ଣ୍ଣେନ୍ଦୁ କୁମାର ନନ୍ଦ)
  • ଲର୍ଡ଼ ଜଗନ୍ନାଥ ଆଣ୍ଡ୍ ପା୍ୱାର୍‌ସ୍ ଅଫ୍ ଦି ସୁପର୍ ମାଇଣ୍ଡ୍ (ଯୁଗ୍ମ: ପୂର୍ଣ୍ଣେନ୍ଦୁ କୁମାର ନନ୍ଦ)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. ମହାରାଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୫୯୧. ISBN 81-7400-331-2.
  2. https://samajaepaper.in/imageview_33_1392025214624125_4_83_14-09-2025_5_i_1_sf.html