ନୀଲମ ସଞ୍ଜୀବ ରେଡ୍ଡୀ
ନୀଲମ ସଞ୍ଜୀବ ରେଡ୍ଡୀ (୧୯ ମଇ ୧୯୧୩ – ୧ ଜୁନ ୧୯୯୬) ଭାରତର ଷଷ୍ଠ ରାଷ୍ଟ୍ରପତି ଥିଲେ । ତାଙ୍କର କାର୍ଯ୍ୟକାଳ ୨୫ ଜୁଲାଇ ୧୯୭୭ ଠାରୁ ୨୫ ଜୁଲାଇ ୧୯୮୨ ପର୍ଯ୍ୟନ୍ତ ଥିଲା । ଆନ୍ଧ୍ର ପ୍ରଦେଶର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ନୀଳମ ସଞ୍ଜୀବ ରେଡ୍ଡୀ ଏକ କବି, ଅଭିଜ୍ଞ ରାଜନୀତିଜ୍ଞ ଓ କୁଶଳ ପ୍ରଶାସକ ଭାବେ ପରିଚିତ ଥିଲେ ।
୧୯୭୭ ମସିହାର ସାଧାରଣ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ପରାଜିତ ହେବା ପରେ, ନବଗଠିତ ଜନତା ପାର୍ଟି ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଥିଲା। ସେ ଭାରତର ପ୍ରଥମ ଅଣ-କଂଗ୍ରେସୀ ରାଷ୍ଟ୍ରପତି ଥିଲେ । ଅକ୍ଟୋବର ୧୯୫୬ ମସିହାରେ ସେ ଆନ୍ଧ୍ର ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହେଲେ ଏବଂ ଦ୍ୱିତୀୟଥର ୧୯୬୨ ଠାରୁ ୧୯୬୪ ପର୍ଯ୍ୟନ୍ତ ଏହି ପଦ ଧାରଣ କରିଥିଲେ । ୧୯୫୯ ଠାରୁ ୧୯୬୨ ପର୍ଯ୍ୟନ୍ତ ସେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]
ମାତ୍ର ୧୮ ବର୍ଷ ବୟସରେ ନୀଳମ ସଞ୍ଜୀବ ରେଡ୍ଡୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରଭାବରେ ପଡ଼ି ଛାତ୍ରଜୀବନରେ ହିଁ ସେ ପ୍ରଥମ ସତ୍ୟାଗ୍ରହ କରିଥିଲେ। ଯୁବ କଂଗ୍ରେସର ସଦସ୍ୟ ଭାବେ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦ ବର୍ଷ ବୟସରେ ସେ ଖୁବ ସକ୍ରିୟ ହୋଇଯାଇଥିଲେ । ୧୯୩୬ ମସିହାରେ ନୀଳମ ସଞ୍ଜୀବ ରେଡ୍ଡୀ ଆନ୍ଧ୍ର ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଚିବ ଭାବେ ନିର୍ବାଚିତ ହୋଇଥିଲେ ଏବଂ ପ୍ରାୟ ୧୦ ବର୍ଷ ଏହି ପଦରେ କାର୍ଯ୍ୟ କରିଥିଲେ। ସଂଯୁକ୍ତ ମାଦ୍ରାସ ରାଜ୍ୟରେ ସେ ଆବାସିକ, ଜଙ୍ଗଲ ଓ ମଦ୍ୟନିଷେଧ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ସମ୍ଭାଳୁଥିଲେ।
୧୯୫୧ ମସିହାରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଆନ୍ଧ୍ର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ପ୍ରୋଫେସର ଏନ୍.ଜି. ରଙ୍ଗାଙ୍କୁ ପରାଜିତ କରି ଅଧ୍ୟକ୍ଷ ହୋଇଥିଲେ। ଏହି ବର୍ଷରେ ସେ ଅଖିଲ ଭାରତୀୟ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଓ କେନ୍ଦ୍ରୀୟ ସାଂସଦୀୟ ମଣ୍ଡଳର ସଦସ୍ୟ ମଧ୍ୟ ହୋଇଥିଲେ । ନୀଳମ ସଞ୍ଜୀବ ରେଡ୍ଡୀ କଂଗ୍ରେସ ପାର୍ଟିର ତିନିଟି ସତ୍ରର ଅଧ୍ୟକ୍ଷତା କରିଥିଲେ। ୧୦ ମାର୍ଚ୍ଚ ୧୯୬୨ ରେ ସେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ୧୨ ମାର୍ଚ୍ଚ ୧୯୬୨ ରେ ପୁନଃ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ। ଦୁଇ ବର୍ଷ ପରେ ସେ ସ୍ୱଇଚ୍ଛାରେ ଏହି ପଦ ଛାଡ଼ିଥିଲେ । ୧୯୬୪ ମସିହାରେ ସେ ଜାତୀୟ ରାଜନୀତିରେ ପ୍ରବେଶ କଲେ ଏବଂ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀ ତାଙ୍କୁ କେନ୍ଦ୍ର ସରକାରରେ ଇସ୍ପାତ ଓ ଖଣି ମନ୍ତ୍ରଣାଳୟର ଦାୟିତ୍ୱ ଦେଲେ। ସେହି ବର୍ଷ ସେ ରାଜ୍ୟସଭାର ସଦସ୍ୟ ଭାବେ ମନୋନୀତ ହୋଇ ୧୯୭୭ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୧୯୭୧ ମସିହାର ଲୋକସଭା ନିର୍ବାଚନରେ ସେ କଂଗ୍ରେସ (ଓ) ଟିକେଟରେ ଲଢ଼ିଥିଲେ, କିନ୍ତୁ ପରାଜିତ ହୋଇଥିଲେ। ଏହା ତାଙ୍କୁ ଗଭୀର ଆଘାତ ଦେଇଥିଲା ଏବଂ ସେ ଅନନ୍ତପୁରକୁ ଫେରି ଅଧିକାଂଶ ସମୟ କୃଷିକାର୍ଯ୍ୟରେ ବ୍ୟତୀତ କରିଥିଲେ ।
ଦୀର୍ଘ ବିରତି ପରେ ୧ ମଇ ୧୯୭୫ ରେ ସେ ପୁନଃ ସକ୍ରିୟ ରାଜନୀତିରେ ଫେରିଲେ। ଜାନୁଆରୀ ୧୯୭୭ ରେ ସେ ଜନତା ପାର୍ଟିର କାର୍ଯ୍ୟକାରିଣୀ ସଦସ୍ୟ ହେଲେ ଏବଂ ଷଷ୍ଠ ଲୋକସଭା ନିର୍ବାଚନରେ ଆନ୍ଧ୍ର ପ୍ରଦେଶର ନନ୍ଦ୍ୟାଲ ଆସନରୁ ନାମାଙ୍କନ ଦାଖଲ କଲେ। ନିର୍ବାଚନ ଫଳାଫଳରେ ସେ ଆନ୍ଧ୍ର ପ୍ରଦେଶରୁ ଜିତିଥିବା ଏକମାତ୍ର ଅଣ-କଂଗ୍ରେସୀ ପ୍ରାର୍ଥୀ ଥିଲେ । ୨୬ ମାର୍ଚ୍ଚ ୧୯୭୭ ରେ ସେ ସର୍ବସମ୍ମତିକ୍ରମେ ଲୋକସଭାର ସ୍ପିକର ହେଲେ, କିନ୍ତୁ ୧୩ ଜୁଲାଇ ୧୯୭୭ ରେ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ହେବାରୁ ଏହି ପଦ ଛାଡ଼ିଥିଲେ। ପରେ ସେ ସର୍ବସମ୍ମତିକ୍ରମେ ନିର୍ବିରୋଧ ଭାବେ ଭାରତର ଷଷ୍ଠ ରାଷ୍ଟ୍ରପତି ନିର୍ବାଚିତ ହେଲେ।[୧]
୧୯୫୮ ମସିହାରେ ଶ୍ରୀ ୱେଙ୍କଟେଶ୍ୱର ବିଶ୍ୱବିଦ୍ୟାଳୟ, ତିରୁପତି ତାଙ୍କୁ ସମ୍ମାନାର୍ଥକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ତାଙ୍କ ପିତାଙ୍କ ନାମ ନୀଳମ ଚିନ୍ନାପ୍ପା ରେଡ୍ଡୀ ଥିଲା। ସେ ୧୯ ମଇ ୧୯୧୩ ତାରିଖରେ ମାଦ୍ରାସ ପ୍ରେସିଡେନ୍ସିର ଇଲ୍ଲୁର ଗ୍ରାମରେ (ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲା) ଏକ ତେଲୁଗୁ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ।[୨] ୮ ଜୁନ ୧୯୩୫ ରେ ନୀଳମ ସଞ୍ଜୀବ ରେଡ୍ଡୀଙ୍କ ବିବାହ ନାଗା ରତ୍ନମ୍ମାଙ୍କ ସହ ହୋଇଥିଲା।[୩] ତାଙ୍କର ଗୋଟିଏ ପୁଅ ଓ ତିନୋଟି ଝିଅ ଅଛନ୍ତି। ପୁଅ ସୁଧୀର ରେଡ୍ଡୀ ଅନନ୍ତପୁରରେ ସର୍ଜନ ଭାବେ ଏକ ସ୍ୱାଧୀନ କ୍ଲିନିକ୍ ଚଳାନ୍ତି। ତାଙ୍କ ପିତା ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଏକ ପ୍ରଭାବଶାଳୀ ନେତା ଥିଲେ ଏବଂ ସ୍ୱାଧୀନତା ସଂଗ୍ରାମ ସମୟରେ ଅନେକଥର କାରାବରଣ କରିଥିଲେ ।
ନୀଳମ ସଞ୍ଜୀବ ରେଡ୍ଡୀଙ୍କ ପ୍ରାଥମିକ ଶିକ୍ଷା ମାଦ୍ରାସର ଅଡ଼ୟାର ଥିଓସୋଫିକାଲ୍ ହାଇସ୍କୁଲରେ ହୋଇଥିଲା । ପରେ ସେ ଅନନ୍ତପୁର ଆର୍ଟ୍ସ କଲେଜରୁ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଯେତେବେଳେ ଲକ୍ଷାଧିକ ଯୁବକ ପଢ଼ା ଓ ଚାକିରି ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଉଥିଲେ, ସେତେବେଳେ ମାତ୍ର ୧୮ ବର୍ଷ ବୟସରେ ନୀଳମ ସଞ୍ଜୀବ ରେଡ୍ଡୀ ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ପଢ଼ା ଛାଡ଼ିଥିଲେ। ସେ ସବିନୟ ଅବଜ୍ଞା ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ। ଛାତ୍ରଜୀବନରେ କରାଯାଇଥିବା ସତ୍ୟାଗ୍ରହ ତାଙ୍କୁ ଆକର୍ଷଣର କେନ୍ଦ୍ର କରିଥିଲା। ସେ ଯୁବ କଂଗ୍ରେସର ସଦସ୍ୟ ଥିଲେ ଏବଂ ଅନେକ ଜାତୀୟତାବାଦୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ଅନେକଥର କାରାଦଣ୍ଡ ମଧ୍ୟ ଭୋଗ କରିଥିଲେ।
ଶିକ୍ଷା
[ସମ୍ପାଦନା]ରେଡ୍ଡୀଙ୍କ ପ୍ରାରମ୍ଭିକ ଶିକ୍ଷା ମାଦ୍ରାସର ଅଣ୍ଡୟାର ଥିଓସୋଫିକାଲ୍ ହାଇସ୍କୁଲରେ ଆରମ୍ଭ ହୋଇଥିଲା । ଏହି ବିଦ୍ୟାଳୟରେ ସେ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଉଚ୍ଚ ଶିକ୍ଷା ପାଇଁ ଅନନ୍ତପୁର ଆର୍ଟ୍ସ କଲେଜରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଜୁଲାଇ ୧୯୨୯ ରେ ଗାନ୍ଧୀଜୀଙ୍କ ସହ ଭେଟ ହେବା ପରେ ରେଡ୍ଡୀଜୀଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତିତ ହୋଇଯାଇଥିଲା ।
ଆଧାର
[ସମ୍ପାଦନା]- ↑ Digital, Sambad (2022-07-25). "ଆମ ଦେଶର ରାଷ୍ଟ୍ରପତି: ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ଦ୍ରୌପଦୀ ମୁର୍ମୁଙ୍କ ଯାଏଁ ପ୍ରତିଦ୍ବନ୍ଦ୍ବିତାର ଇତିହାସ ଏମିତି". Sambad. Retrieved 2026-01-11.
- ↑ "Illur gets set for Neelam Sanjeeva Reddy fete | Deccan Chronicle". archives.deccanchronicle.com (in ଇଂରାଜୀ). Archived from the original on 2014-05-04. Retrieved 2026-01-10.
- ↑ "archive.ph". archive.ph. Archived from the original on 2013-02-04. Retrieved 2026-01-11.
{{cite web}}: CS1 maint: bot: original URL status unknown (link)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |