ନାମଦେବ
ସନ୍ଥ ନାମଦେବ (୧୨୭୦–୧୩୫୦[୧])) ମହାରାଷ୍ଟ୍ରର ହିଙ୍ଗୋଲୀ ଜିଲ୍ଲାର ନରସି ବ୍ରାହ୍ମଣୀ ଗ୍ରାମରେ ୧୨୭୦ ଖ୍ରୀଷ୍ଟାବ୍ଦର ଅକ୍ଟୋବର ମାସର ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦାମସୋଟ, ଜଣେ ଦରଜୀ ଥିଲେ, ଏବଂ ମାତାଙ୍କ ନାମ ଗୋଣାଇ ଦେବୀ । ନାମଦେବଙ୍କୁ ବିସୋବା ଖେଚର ଦୀକ୍ଷା ଦେଇଥିଲେ । ଦୀକ୍ଷା ପୂର୍ବରୁ ନାମଦେବ ପଣ୍ଡରପୁରର ବିଠ୍ଠଲ ଭଗବାନ ମୂର୍ତ୍ତିରେ ମାତ୍ର ଭଗବାନଙ୍କ ଦର୍ଶନ କରୁଥିଲେ, କିନ୍ତୁ ଖେଚରଙ୍କ ସଂସ୍ପର୍ଶରେ ଆସିବା ପରେ ସେ ସମଗ୍ର ବ୍ରହ୍ମାଣ୍ଡରେ ବିଠଲଙ୍କ ଅନୁଭୂତି କରିବାକୁ ଲାଗିଲେ ।

ବାଲ୍ୟକାଳ ଏବଂ ଶିକ୍ଷା
[ସମ୍ପାଦନା]ସନ୍ଥ ନାମଦେବ ମହାରାଷ୍ଟ୍ରର ଜଣେ ପ୍ରସିଦ୍ଧ ଧାର୍ମିକ କବି ଥିଲେ । ପ୍ରାଚୀନ ମରାଠୀ ଲେଖକମାନଙ୍କ ମଧ୍ୟରେ ସେ ଜଣେ ପ୍ରମୁଖ କବି। ଭଗବତ୍ଧର୍ମର ପ୍ରଚାରରେ ସେ ଅଗ୍ରଣୀ ଥିଲେ । ସେ ହିନ୍ଦୀ ଏବଂ ପଞ୍ଜାବୀ ଭାଷାରେ ମଧ୍ୟ ପଦ୍ୟ ରଚନା କରିଥିଲେ। ତାଙ୍କ କୀର୍ତ୍ତନଗାନ ଏତେ ଭକ୍ତିଭରା ଏବଂ ତନ୍ମୟତାପୂର୍ଣ୍ଣ ଥିଲା, ଯେ କଥା ଅଛି,—କୀର୍ତ୍ତନ ସମୟରେ ସ୍ୱୟଂ ପାଣ୍ଡୁରଙ୍ଗ ଉପସ୍ଥିତ ହୁଅନ୍ତି।
ନାମଦେବଙ୍କ ଜନ୍ମ ପରେ ତାଙ୍କ ପରିବାର ପଣ୍ଡରପୁର ଚାଲିଯାଇଥିଲେ, ଯେଉଁଠାରେ ଠାକୁର ବିଠ୍ଠଲ (ଵିଠୋବା)ଙ୍କ ପ୍ରସିଦ୍ଧ ମନ୍ଦିର ଅଛି। ତାଙ୍କ ପିତା–ମାତା ଉଭୟେ ବିଠୋବାଙ୍କ ଭକ୍ତ ଥିଲେ। ନାମଦେବ ଅଠାଇଶି ବର୍ଷ ପଣ୍ଡରପୁରରେ ରହିଥିଲେ । ସାଂସାରିକ ମାୟା ମୋହ ପ୍ରତି ତାଙ୍କ ଆସକ୍ତି ଅତ୍ୟଳ୍ପ ଥିଲା । ତାଙ୍କର ବିଠୋବା ଭକ୍ତି ଅତ୍ୟନ୍ତ ଅନନ୍ୟ ଏବଂ ଅଟଳ ଥିଲା । ପ୍ରଭାତରୁ ରାତି ପର୍ଯ୍ୟନ୍ତ ତାଙ୍କର ଏକମାତ୍ର କାମ ଥିଲା—"ଦେବ ଧ୍ୟାନ"।
ଏକ ପ୍ରସିଦ୍ଧ କିମ୍ବଦନ୍ତୀ ଅନୁସାରେ, ପଞ୍ଚବର୍ଷୀୟ ନାମଦେବ ମାଆଙ୍କ ଦିଆ ନୈବେଦ୍ୟ ବିଠୋବାଙ୍କୁ ଦେବାକୁ ଗଲେ । ବିଠୋବା ନ ଆସିବାରେ ସେ ବିଷଣ୍ଣ ହୋଇ କହିଲା, "ଆପଣ ଯଦି ଭୋଗ ନେବେନି ତାହେଲେ ମୁଁ ଆତ୍ମହତ୍ୟା କରିବି !" ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ବିଠୋବା ପ୍ରତ୍ୟକ୍ଷ ହୋଇ ନୈବେଦ୍ୟ ଗ୍ରହଣ କଲେ ।
ବିବାହ ଏବଂ ବୈରାଗ୍ୟ
[ସମ୍ପାଦନା]୧୧ ବର୍ଷ ବୟସରେ ସେ ରାଜାଇ ନାମକ କନ୍ୟାଙ୍କ ସହ ତାଙ୍କର ବିବାହ ହେଲା । ବିବାହ ପରେ ସେ ଚାରି ପୁଅ—ନାରା, ବିଠା, ଗୋନ୍ଦା, ମହାଦା ଏବଂ ଜଣେ ଝିଅ—ଲିମ୍ବାଇତ ପିତା ହେଲେ । ତାଙ୍କ ଜ୍ୟେଷ୍ଠ ଭଉଣୀ ମଧ୍ୟ ସେମାନଙ୍କ ସହ ଘରେ ରହୁଥିଲେ । ଏହିପରି ମୋଟ ଏକାଦଶ ଜଣ ସେହିଘରେ ରହୁଥାନ୍ତି । ୧୨୯୧ ମସିହା, ୨୧ ବର୍ଷ ବୟସରେ ତାଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିଲା । ତାଙ୍କର ସନ୍ଥ ଜ୍ଞାନେଶ୍ୱରଙ୍କ ସହ ଦେଖା ହେଲା । ନାମଦେବ ତାଙ୍କୁ ଗୁରୁ ଭାବରେ ଗ୍ରହଣ କଲେ । ତାପରେ ସେ ଦେବଦର୍ଶନ ପାଇଲେ ।ତାଙ୍କ ଗୀତ–କୀର୍ତ୍ତନମାନଙ୍କରେ ବହୁତ ଗ୍ରନ୍ଥର ଉଲ୍ଲେଖ ମିଳେ । ଏଥିରୁ ତାଙ୍କ ପାଣ୍ଡିତ୍ୟ ପ୍ରମାଣିତ ହୁଏ । ସେ ଭାରତର ବହୁ ସ୍ଥାନରେ କୀର୍ତ୍ତନ କରୁଥିଲେ । ମହାରାଷ୍ଟ୍ରର ଆଧ୍ୟାତ୍ମିକ ଏକତାର ସାଧନାରେ ସେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଲେ । ପଞ୍ଜାବର ସିଖ ସମ୍ପ୍ରଦାୟ ତାଙ୍କୁ “ନାମଦେବ ବାବା” ବୋଲି ସମ୍ମାନ କରୁଥିଲେ। ବହୋରଦାସ, ଲଦ୍ଧା, ବିଷ୍ଣୁସ୍ୱାମୀ, କେଶବ କଳାଧାରୀ ଇତ୍ୟାଦି ତାଙ୍କ ଶିଷ୍ୟ ଥିଲେ। ସେ ହିନ୍ଦୀରେ ୧୨୫ଟି ଅଭଙ୍ଗ ରଚନା କରିଥିଲେ । ଏଥିରୁ ୬୧ଟି ଗୁରୁଗ୍ରନ୍ଥ ସାହିବରେ “ନାମଦେବ କି ବାଣୀ” ଭାବେ ସଂକଳିତ । ରାଜସ୍ଥାନରେ ସିଖମାନେ ତାଙ୍କ ନାମରେ ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି ।
ଆତ୍ମକଥା
[ସମ୍ପାଦନା]“ନାମଦେବ ବାଚୀ” ନାମକ ଗ୍ରନ୍ଥରେ ନାମଦେବଙ୍କ ୨୫୦୦ କୀର୍ତ୍ତନ ସଂଗ୍ରହିତ। ଏଥିରେ “ତୀର୍ଥାବଳୀ” ନାମକ ପଦ୍ୟରେ ସେ ଜ୍ଞାନେଶ୍ୱରଙ୍କ ସହ ନିଜ ପର୍ଯ୍ୟଟନ–ଅନୁଭୂତି ବର୍ଣ୍ଣନା କରିଛନ୍ତି। ମରାଠୀ ସାହିତ୍ୟରେ ଏହି ଗ୍ରନ୍ଥକୁ ପ୍ରଥମ ଆତ୍ମଜୀବନୀ କୁହାଯଚଏ । ଆଦି, ସମାଧି, ତୀର୍ଥାବଳୀ ଇତ୍ୟାଦିରେ ସେ ଜ୍ଞାନେଶ୍ୱରଙ୍କ ଜୀବନକଥା ବର୍ଣ୍ଣନା କରିଛନ୍ତି ।[୨] ତେଣୁ ସେ ମରାଠୀ ସାହିତ୍ୟର ପ୍ରଥମ ଜୀବନଚରିତ ଲେଖକ ବୋଲି କୁହାଯାଏ । ଜ୍ଞାନେଶ୍ୱରଙ୍କ ମୃତ୍ୟୁ ପରେ ୫୦ ବର୍ଷ ପର୍ଯ୍ୟନ୍ତ ସେ ଭଗବତ୍ଧର୍ମର ପ୍ରଚାର କରୁଥିଲେ।
ସାହିତ୍ୟିକ ଅବଦାନ
[ସମ୍ପାଦନା]ନାମଦେବଜୀଙ୍କ ଯେଉଁ ବାଣୀ, ସେଗୁଡ଼ିକ ଗୁରୁଗ୍ରନ୍ଥ ସାହିବରେ ମଧ୍ୟ ମିଳେ।[୩] ଦକ୍ଷିଣ ଏବଂ ମହାରାଷ୍ଟ୍ରରେ ତାଙ୍କ ବାଣୀ ବହଲ ଭାବେ ଗାନ କରାଯାଏ । ତାଙ୍କ ବାଣୀ ପଢ଼ିବାରେ ମନ ଶାନ୍ତି ପାଏ, ଏବଂ ମାନବ ଚିତ୍ତ ଭକ୍ତି ପଥରେ ଆକୃଷ୍ଟ ହୁଏ ।
ଆଧାର
[ସମ୍ପାଦନା]- ↑ Datta, Amaresh (1987). Encyclopaedia of Indian Literature: A-Devo, Volume 1. Sahitya Akademi. p. 79. ISBN 9788126018031.
- ↑ Novetzke (2013), p. 42
- ↑ "Little Maharashtra in Punjab village". The Tribune (in ଇଂରାଜୀ). Retrieved 2025-11-14.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |