ନାଗା ସାଧୁ

ଉଇକିପିଡ଼ିଆ ରୁ
Jump to navigation Jump to search

ନାଗାସାଧୁମାନଙ୍କର ବେଶଭୂଷା ଅନ୍ୟ ସାଧୁସନ୍ଥମାନଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଅଲଗା I ନାଗାସାଧୁ ସର୍ବଦା ଉଲଗ୍ନ ରହିବା ସହିତ ଦେହ ସାରା ଭସ୍ମ ବୋଳି ହୋଇଥାନ୍ତି I ମୁଣ୍ଡରେ ବଡ ବଡ ଜଟା ରଖିଥାନ୍ତି I ଏମାନଙ୍କୁ ସବୁ ସମୟରେ ଚିଲମ ଧରି ବୁଲୁଥିବାର ଦେଖାଯାଏ I ଅନ୍ୟ ସାଧୁସନ୍ଥଙ୍କ ପରି ନାଗାସାଧୁମାନଙ୍କୁ ଭଗବାନତୁଲ୍ୟ ମନେକରାଯାଏ I ଏମାନଙ୍କୁ ଭଗବାନ ଶିବଙ୍କର ପରମଭକ୍ତ ବୋଲି ଗ୍ରହଣ କରାଯାଏ I ସାଧାରଣ ଜୀବନଯାତ୍ରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏଇ ନାଗାସନ୍ଥଙ୍କର ଜୀବନଶୈଳୀ I ସଂସାରର ସବୁ ମୋହ ମାୟା ପରିତ୍ୟାଗ କରିବା ସହ ବିଭିନ୍ନ ଜଟିଳ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ I ଯେଉଁ ବ୍ୟକ୍ତି କିମ୍ବା ସନ୍ଥ ନାଗାସାଧୁ ହେବାକୁ ଇଚ୍ଛା ପ୍ରକାଶ କରନ୍ତି , ସେମାନେ ପ୍ରଥମେ ନିଜର ଶ୍ରାଦ୍ଧ ଦାନ କରନ୍ତି I ତପ, ବ୍ରହ୍ମଚର୍ଯ୍ୟ , ଧ୍ୟାନ, ସନ୍ନ୍ୟାସ ଓ ଧର୍ମ ଅନୁଶାସନ ତଥା ନିଷ୍ଠାର କଠୋର ପରୀକ୍ଷା ଦେଇ ଗତି କରନ୍ତି ନାଗାସାଧୁ I ଭାରତରେ ୭ଟି ସନ୍ନ୍ୟାସୀ ଆଖଡା ନାଗାସାଧୁ ଗ୍ରହଣ କରନ୍ତି I ଏମାନେ ହେଲେ ଜୁନା , ମହାନିର୍ବାଣ , ନିରଞ୍ଜନୀ ,ଅଟଳ , ଅଗ୍ନି , ଆନନ୍ଦ ଓ ଆବାହକ ଆଖଡା I ବିଶ୍ୱପ୍ରସିଦ୍ଧ କୁମ୍ଭମେଳାର ମୁଖ୍ୟ ଆକର୍ଷଣ ହେଉଛନ୍ତି ନାଗା ସାଧୁ I ଏମାନଙ୍କର ପ୍ରବଳ ସମାଗମ କୁମ୍ଭମେଳାରେ ଦେଖିବାକୁ ମିଳେ Iସମ୍ପୂର୍ଣ୍ଣ ବିବସ୍ତ୍ର, ଭସ୍ମଲେପନ ଶରୀର, ବିପର୍ଯ୍ୟସ୍ତ କେଶରାଶି ଓ ଜଟା, ପାଟିରେ ଚିଲମ ସହ ଖାଲି ପାଦରେ ଦଳ ଦଳ ହୋଇ ଚାଲିଥାନ୍ତି I ଏମାନେ ପହିଳିରେ କଥାବାର୍ତ୍ତା କରନ୍ତି I କୁମ୍ଭମେଳାରେ ଏହିସାଧୁଙ୍କୁ ସ୍ନାନ ନିମନ୍ତେ ପ୍ରଥମ ଅଧିକାର ମିଳିଥାଏ I ଶ୍ରଦ୍ଧାଳୁମାନେ ଏମାନଙ୍କର ଆଶିଷ ଓ ଆଶୀର୍ବାଦ ପାଇବା ପାଇଁ ବ୍ୟାକୁଳଥାନ୍ତି I ହିନ୍ଦୁ ଧର୍ମ ଓ ସଂସ୍କୃତି ସହିତ ନିଗୂଢ ସମ୍ପର୍କ ରହିଥିବା ନାଗା ସାଧୁଙ୍କ ସମ୍ପର୍କରେ ବିଶେଷ କେହି ଜାଣନ୍ତି ନାହିଁ କି ସେମାନେ ନିଜ ବିଷୟରେ କିଛି କହନ୍ତି ନାହିଁ I ତେଣୁ ଜଣେ ନାଗାସାଧୁର ପରିଚୟ ପାଇବା ମଧ୍ୟ ଖୁବ କଷ୍ଟକର ବ୍ୟାପାର I ମହାକୁମ୍ଭରେ ସ୍ୱତନ୍ତ୍ର ଆଖଡା ବା କ୍ୟାମ୍ପରେ ଏହି ନାଗାସାଧୁମାନେ ରହନ୍ତି I [୧]

ଦୀକ୍ଷା ଗ୍ରହଣ[ସମ୍ପାଦନା]

ମହାକୁମ୍ଭର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଲେ ନାଗାସାଧୁ I ଶରୀରରେ ଭସ୍ମ ଲେପନ, ହାତରେ ତ୍ରିଶୂଳ ଓ ଖଣ୍ଡା ଧରି ନାଗା ସାଧୁମାନେ ବେଦ ମନ୍ତ୍ର ଉଚ୍ଚାରଣ କରି ଯାଉଥିବା ବେଳର ଦୃଶ୍ୟ କୁମ୍ଭର ଶ୍ରଦ୍ଧାଳୁ କେବେ ହାତଛଡା କରନ୍ତି ନାହିଁ I ମାତ୍ର ଜଣେ ନାଗାସାଧୁ ହେବା କଠୋର ତପସ୍ୟା ଭଳି I ପ୍ରୟାଗରେ ନାଗା ଦୀକ୍ଷା ଗ୍ରହଣ କଲେ ରାଜରାଜେଶ୍ୱର ଉପାଧି ମିଳେ I ନାଗା ଦୀକ୍ଷା ପାଇଁ ଜଣେ ଆଗ୍ରହୀ ସାଧୁଙ୍କୁ ମହାକୁମ୍ଭମେଳାକୁ ଆସିବାକୁ ଆସିବାକୁ ପଡେ ନିଜ ଗୁରୁଙ୍କ ସହ I ଗୁରୁଙ୍କଠାରୁ ସେମାନଙ୍କ ଅତୀତ ଜୀବନ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ ପରେ ବ୍ରହ୍ମଚର୍ଯ୍ୟ ପରୀକ୍ଷା ଦିଅନ୍ତି ସାଧୁ I ତା’ପରେ ଏକ ଗୋପନ ଉତ୍ସବରେ ନାଗା ଦୀକ୍ଷା ଦିଆଯାଏ ଏବଂ ସେ କୌଣସି ଏକ ଆଖଡାର ସାଧୁ ଭାବେ ଯୋଗ ଦିଅନ୍ତି I ବାରମ୍ବାର ପରୀକ୍ଷା କରି ସେ ସମସ୍ତ କାମନା, ବାସନା ତ୍ୟାଗ କଲେଣି ବୋଲି ତଦାରଖକାରୀ ବରିଷ୍ଠ ସନ୍ୟାସୀ ପ୍ରମାଣପତ୍ର ଦେଲେ ଯାଇ ଆଉ ଏକ ପରୀକ୍ଷା ଦେବାକୁ ପଡେ I ସଂପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ ସହ ଅନେକ କଠୋର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ ଜଣେ ନାଗାସାଧୁ ହୁଅନ୍ତି ‘ମହାପୁରୁଷ’ I ମହାପୁରୁଷର ପରବର୍ତ୍ତୀ ପଦ ଅବଧୂତ I ଅର୍ଥାତ୍ ଲଣ୍ଡା ହୋଇ ନିଜର ଶୁଦ୍ଧିକ୍ରିୟା କରିବାକୁ ହେବ I ତାହେଲେ ଜଣେ ହୋଇଯାନ୍ତି ସଂପୂର୍ଣ୍ଣ ନାଗାସାଧୁ I ମିଳେ ଏକ ପ୍ରମାଣ ପତ୍ର ଯେଉଁଥିରେ ସାଧୁଙ୍କ ନାମ, ବୟସ ଉଲ୍ଲେଖ ଥାଏ ଏବଂ ଆଜୀବନ ଧର୍ମ ପ୍ରଚାର କରିବେ, ଦାନରେ ମିଳିବା ଭୋଜନ ହିଁ ଗ୍ରହଣ କରିବେ ବୋଲି ଲେଖାଥାଏ I ଏହିସବୁ ପ୍ରକ୍ରିୟା ଦେଇ ଗତିକରିବାକୁ ପ୍ରାୟ ୧୨ ବର୍ଷ ଲାଗିଯାଏ I ୧୪ ବର୍ଷରୁ କମ୍ ବୟସର ବାଳକମାନଙ୍କୁ ନାଗାସାଧୁଭାବେ ଗ୍ରହଣ କରାଯିବା ବେଳେ ନିୟମରେ କିଛି କୋହଳ କରାଯାଏ I ବାଳସାଧୁଙ୍କୁ ମହନ୍ତ, କୋଠରି, ଭଣ୍ଡାରୀ ଆଦି ପଦବୀ ଦିଆଯାଏ ଏବଂ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖନ୍ତି ଜଣେ ଗୁରୁ I ବାଳକମାନେ ସଂପୂର୍ଣ୍ଣ ଉଲଗ୍ନ ରହନ୍ତି ନାହିଁ, ଛୋଟ କୌପୀନ ପିନ୍ଧି ଛୋଟ ଶାଲ୍ ଟିଏ ଘୋଡାଇ ହୁଅନ୍ତି I ଏମିତି ୧୨ ବର୍ଷ ରହନ୍ତି I ଜୀବନସାରା ନାଗାସାଧୁଙ୍କ କଠୋର ଜୀବନଯାପନଶୈଳୀକୁ ଗ୍ରହଣ କରିନେବାର ଶପଥ ନେଇଥିବା ସାଧୁଙ୍କୁ କୁହାଯାଏ ଅଖଣ୍ଡ ଭବୁତି I ଏମାନଙ୍କୁ ପାରମ୍ପରିକ ବୈଦିକ ବା ସଂସ୍କୃତ ବିଦ୍ୟାଳୟ କିମ୍ବା ଆଖଡାଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଶିକ୍ଷା ଦିଆଯାଏ I ନିଜ ନିଜର ଗୁରୁଙ୍କ ସାଙ୍ଗରେ ରହି ଘରକୁ ଫେରିବାର ଇଚ୍ଛା ସଂପୂର୍ଣ୍ଣ ତ୍ୟାଗ କଲେ ଟାଙ୍ଗଟୋଡା ଭାବେରେ ସେମାନଙ୍କୁ ଆଖଡାରେ ଗ୍ରହଣ କରାଯାଏ I ମହିଳା ସନ୍ନ୍ୟାସିନୀ ମଧ୍ୟ ନାଗା ଦୀକ୍ଷା ଗ୍ରହଣ କରିପାରିବେ I [୨]

ଆଧାର[ସମ୍ପାଦନା]

  1. ସମ୍ବାଦ, ପୃଷ୍ଠା- ୨, ୧୬.୧.୨୦୧୩
  2. ସମ୍ବାଦ, ପୃଷ୍ଠା- ୨, ୪.୨.୨୦୧୩