ନରେନ୍ଦ୍ର ପୁଷ୍କରିଣୀ

ଉଇକିପିଡ଼ିଆ ରୁ
Jump to navigation Jump to search
ନରେନ୍ଦ୍ର ପୋଖରୀ

ନରେନ୍ଦ୍ର ପୁଷ୍କରିଣୀ ପୁରୀର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ । ନରେନ୍ଦ୍ର ପୋଖରୀ ଓଡ଼ିଶାର ସମସ୍ତ ଜଳାଶୟ ମଧ୍ୟରେ ବଡ଼ ଏବଂ ପୁରୀ ସ‌ହରର ଅନ୍ୟତମ ଆକର୍ଷଣ । ଏହି ଜଳାଶୟଟି ୧୫ଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା ବୋଲି ଗବେଶକମାନେ ମତ ଦିଅନ୍ତି ।[୧] ଏହି ପୁଷ୍କରିଣୀ ପ୍ରମୁଖତଃ ଚନ୍ଦନ ସରୋବର ନାମରେ ଖ୍ୟାତ ।[୨]

ଏହି ପୁଷ୍କରିଣୀଟି ରାଜା କପିଳେନ୍ଦ୍ରଦେବଙ୍କ ପୁତ୍ର ନରେନ୍ଦ୍ର ଦେବଙ୍କଦ୍ୱାରା ନିର୍ମିତ ହୋଇଥିଲା । ନରେନ୍ଦ୍ରଦେବ ତାଙ୍କର ସମସ୍ତ ସମୟ ଏବଂ ଶକ୍ତିକୁ ଏହି ପୁଷ୍କରିଣୀର ଖନନ କାର୍ଯ୍ୟରେ ଓ ଏହାର ସର୍ବାଙ୍ଗୀନ ଉନ୍ନତି କାର୍ଯ୍ୟରେ ବ୍ୟୟ କରିଥିଲେ । ଏହି ପୁଷ୍କରିଣୀର ଲମ୍ବ ୮୩୪ ଫୁଟ ଏବଂ ଏହାର ଓସାର ୮୭୩ ଫୁଟ ଏବଂ ଏହା ପ୍ରାୟ ୮ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ବୋଲି ଜଣାଯାଏ । ଗୋଧୋଇବା ପାଇଁ ଏହି ପୁଷ୍କରିଣୀରେ ୧୬ଗୋଟି ତୁଠ ବା ଘଟ ରହିଛି ।[୩] ଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶଯାତ୍ରା ମଧ୍ୟରୁ ଚନ୍ଦନଯାତ୍ରା ମୁଖ୍ୟ ଉତ୍ସବ ରୂପେ ଜନାଦୃତ ।

ଅବସ୍ଥିତି[ସମ୍ପାଦନା]

ନରେନ୍ଦ୍ର ପୁଷ୍କରିଣୀ ଜଗନ୍ନାଥ ମନ୍ଦିରଠାରୁ ୨କିଲୋମିଟର ଦୂରରେ ଅବସ୍ଥିତ ।[୪] ଏହି ବଡ଼ ଜଳାଶୟଟି ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ବିସ୍ତୃତ ହୋଇଥିବା ବଡ଼ଦାଣ୍ଡର ବାମ ପାଶ୍ୱରେ ବିଦ୍ୟମାନ କରିଛି । ବଡ଼ଦାଣ୍ଡ ଠାରୁ ଦାଣ୍ଡିମାଳ ସାହି ଦେଇ ଏକ ଉତ୍ତମ ମାର୍ଗ ନରେନ୍ଦ୍ର ପୁଷ୍କରିଣୀ ଯାଏ ଯାଇଛି । ଜଳାଶୟଟିର ଚାରିପାଖରେ ଘେରି ରହିଥିବା ମନୋଭରା ପ୍ରକୃତିକ ସୌନ୍ଦର୍ଯ୍ୟ ଏହାର ଶୋଭା ମଣ୍ଡନ କରୁଥାଏ । ନରେନ୍ଦ୍ର ପୁଷ୍କରିଣୀର ପୂର୍ବ ପାର୍ଶ୍ୱରେ ବଡ଼ଦାଣ୍ଡ, ପଶ୍ଚିମ ପାର୍ଶ୍ୱରେ ବିଶୋୟୀ ଠାକୁରାଣୀଙ୍କର ମନ୍ଦିର ଏବଂ ମାର୍କଣ୍ଡେଶ୍ୱର ସାହି ଅବସ୍ଥିତ, ଏହାର ଉତ୍ତର ପାର୍ଶ୍ୱ ଦେଇ ପୁରୀଠାରୁ ବ୍ରହ୍ମଗିରି ଯିବା ପାଇଁ ରାସ୍ତା ପଡ଼ିଛି ଓ ଜଟିଆ ବାବା ମଠ ମଧ୍ୟ ଉତ୍ତରରେ ଅବସ୍ଥିତ ଏବଂ ଦକ୍ଷିଣ ଭାଗରେ ଜଗନ୍ନାଥବଲ୍ଲଭ ମଠ ବିରାଜମାନ କରିଛି ।[୧]

ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ ମଣ୍ଡପ

ଜଳାଶୟଟି ବିରାଟ ଏକ ଜାଗାରେ ଅବସ୍ଥିତ, ଯାହାର ମଧ୍ୟ ଭାଗରେ ଏକ ଦ୍ୱୀପ ସଦୃଶ ଜଳ ମଧ୍ୟରେ ଏକ ମନ୍ଦିର ଅବସ୍ଥିତ । ଜଳାଶୟରେ ମଧ୍ୟ ଚନ୍ଦନ ମଣ୍ଡପ ଭାବରେ ଏକ କ୍ଷୁଦ୍ର ମନ୍ଦିର ଅବସ୍ଥାନ କରିଛି । ଏହି ମନ୍ଦିରଟି ଜଳାଶୟର ଉତ୍ତର ପାର୍ଶ୍ୱକୁ ଏକ ବନ୍ଧ ଜରିଆରେ ସଂଯୋଗ କରୁଛି, ଯେଉଁଠିକୁ ମହାପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ମଦନ ମୋହନ ପ୍ରତ୍ୟେକ ବର୍ଷ ଚନ୍ଦନ ଯାତ୍ରାରେ ଚାପ ଖେଳିବାକୁ ଆସନ୍ତି ।[୫] ଏହି ପବିତ୍ର ଜଳାଶୟଟି ଭଗବାନ ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ପାଇଁ ଚନ୍ଦନ ସରୋବର ନାମରେ ଜଣାଯାଏ ।[୧]

ନରେନ୍ଦ୍ର ପୁଷ୍କରିଣୀ ମଧ୍ୟରେ ଦ୍ୱୀପ ସଦୃଶ ବିରଜାମାନ କରିଥିବା କ୍ଷୁଦ୍ର ମନ୍ଦିରଟିଏ

କିମ୍ବଦନ୍ତୀ[ସମ୍ପାଦନା]

ଶ୍ରୀମନ୍ଦିର ରେକର୍ଡ଼ ଘରର ଏକ ପ୍ରାଚୀନ ଦଲିଲରୁ ନରେନ୍ଦ୍ରର ପ୍ରାଚୀନ ଇତିବୃତ୍ତିରୁ ଜଣାଯାଏ ଯେ, କଖାରୁ ମଞ୍ଜିରୁ ନରେନ୍ଦ୍ର ପୁଷ୍କରିଣୀର ସୃଷ୍ଟି ବୋଲି । ନରେନ୍ଦ୍ରଦେବ ନାମରେ ରଣପୁରଗଡ଼ର ଜଣେ ରାଜା ଥିଲେ । ସେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପରମଭକ୍ତ ଥିଲେ । ଦିନେ ସେ ରଣପୁର ରାଜବାଟୀ ପ୍ରାଙ୍ଗଣରେ ବୁଲୁଥିବା ସମୟରେ ଗୋଟିଏ କଖାରୁ ମଞ୍ଜି ତାଙ୍କ ଦୃଷ୍ଟିଗୋଚର ହେଲା । ରାଜା ସେହି ମଞ୍ଜିକୁ କୌତୁକରେ ହାତରେ ଉଠାଇ ଧରିଥାନ୍ତି । ଏହି ସମୟରେ ତାଙ୍କର ଜଣେ ଅତିପ୍ରିୟ ବ୍ୟକ୍ତି ସର୍ବରାକାର ଛାମୁଁଙ୍କ ଦର୍ଶନ ନିମନ୍ତେ ଆସିଥିଲେ । ରାଜା କୌତୁହଳ ଭାବରେ ସର୍ବରାକାରଙ୍କୁ କହିଲେ- ଆଜି ତୁମକୁ ଗୋଟିଏ ଭଲ ଜିନିଷଟିଏ ଦେବି । ଏହି କଖାରୁ ମଞ୍ଜିଟିକୁ ନିଅ । ଜଗନ୍ନାଥଙ୍କ ନାମରେ ପୋତିଦେବ । ଯାହା ଫଳିବ ତାହା ଠାକୁରଙ୍କୁ ଦେବ, ବିଶ୍ୱାସ ରଖ ସୁଫଳ ମିଳିବ । ସର୍ବରାକାର ଅତି ଆଦରରେ ସେହି ମଞ୍ଜିଟିକୁ ନିଜ କାନିରେ ବାନ୍ଧିଲେ ଓ ତାଙ୍କର ଅନ୍ୟାନ୍ୟ କଥୋପକଥନ ପରେ ନିଜ ଘରକୁ ଫେରିଲେ । ସେହି କଖାରୁ ମଞ୍ଜିଟି ଆଠ ଏକର ଜମି ଆକ୍ରାନ୍ତରେ ମାଡ଼ିଲା ଓ ଗଛର ପରମାୟୁ ପାଞ୍ଚ ବର୍ଷ ରହିଲା । ତହିଁରୁ କଖାରୁ ବିକ୍ରୀ ଧନ ଲକ୍ଷାଧିକ ହେଲା । ସର୍ବରାକାର ସେ ସମସ୍ତ ଟଙ୍କା ଧରି ଶ୍ରୀ ଜଗନ୍ନାଥଙ୍କୁ କିପରି ଦିଆଯିବ, ଏଥିଲାକି ରଣପୁର ରାଜାଙ୍କ ନିକଟକୁ ଗଲେ । ରାଜା ଆଶ୍ଚର୍ଯ୍ୟାନ୍ୱିତ ହୋଇ ଶ୍ରୀଜଗନ୍ନାଥଙ୍କୁ ସୁମରଣା କରି ଅର୍ଥ ଏବଂ ସର୍ବରାକାରଙ୍କ ସହିତ ପୁରୀ ଗଜପତିଙ୍କ ପାଖକୁ ଆସିଲେ । ସେହି କଖାରୁ ବିକା ଟଙ୍କାରେ ନରେନ୍ଦ୍ର ପୁଷ୍କରିଣୀ ଖୋଳା ହେଲା, ସେତିକି କ୍ଷେତ୍ରରେ କଖାରୁ ଗଛ ମାଡ଼ିଥିଲା ନରେନ୍ଦ୍ର ପୁଷ୍କରିଣୀ ଓ ତାହାର ଚତୁଃପାର୍ଶ୍ୱ ସୀମାର କ୍ଷେତ୍ରଫଳ ପ୍ରାୟ ସେତିକି । ପବିତ୍ର ନରେନ୍ଦ୍ର ପୁଷ୍କରିଣୀଟି ଶ୍ରୀମନ୍ଦିର ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଅଛି । ଶ୍ରୀକ୍ଷେତ୍ରର ଦେବଦେବି ଓ ପୁଷ୍କରିଣୀର ଇତିହାସ ସମ୍ପର୍କରେ ସର୍ବଶ୍ରୀ ସତ୍ୟନାରାୟଣ ରାଜଗୁରୁ , କେଦାରନାଥ ମାହାପାତ୍ର , ପ୍ରଫୁଲ୍ଲ ପଟନାୟକ,ଶ୍ୟାମପ୍ରକାଶ ସେନାପତି,ସଦାଶିବ ରଥଶର୍ମା ପ୍ରମୁଖ ବହୁ ବିସ୍ତୃତ ବିବରଣୀ ସହିତ ଏହାର ବିବରଣୀ ବର୍ଣ୍ଣନା କରିଛନ୍ତି ।[୨]

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ତାଙ୍କର କନିଷ୍ଠ ପୁତ୍ର ନରେନ୍ଦ୍ର ଦେବ ନିଜର ମାତୃଭୂମି ପାଇଁ ପ୍ରାଣତ୍ୟାଗ କରିଥିଲେ । ନରେନ୍ଦ୍ର ଦେବଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ କାଳନ୍ଦୀ ମହାଦେବୀ ସର୍ବଶାନ୍ତି ପ୍ରାପ୍ତ କରିବା ପାଇଁ ଜଗନ୍ନାଥବଲ୍ଲଭ ଏବଂ ବଳଭଦ୍ରବଲ୍ଲଭ ବଗିଚା ମଧ୍ୟରେ ଏକ ବଗିଚାରେ ଅବସ୍ଥାନ କଲେ । ସେ ସେହି ସ୍ଥାନରେ ଭଗବାନ ଶଙ୍କର ଏବଂ କୃଷ୍ଣଙ୍କୁ ପୂଜା କରୁଥିଲେ । ବାବାଜୀ ଗୋବିନ୍ଦ ଦାସ ତାଙ୍କର ଗୁରୁ ଥିଲେ । ଏକଦା ଗୁରୁଦେବ ରାଣୀଙ୍କୁ ଏକ କ‌ଖାରୁ ମଞ୍ଜି ପ୍ରଦାନ କଲେ । ଏହା ପରେ ରାଣୀ ସେହି କ‌ଖାରୁ ମଞ୍ଜିଟକୁ ପୋତିଦେଲେ । ଏହି ମଞ୍ଜିରୁ ଉତ୍ପନ ଗଛଟି ବିରାଟ ଆକାରରେ ମାଡ଼ିଲା । ଶହ ଶହ କ‌ଖାରୁ ଏହି ଗଛରୁ ଆମଦାନୀ ହେଲା । ଏହି କ‌ଖାରୁଗୁଡ଼ିକ ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବ‌ହୃତ ହେଉଥିଲା । ସେହି ସମୟରେ ଏହି କଥା ଚାରିଆଡ଼େ ପ୍ରଚାର ହୋଇଗଲା । କାଳନ୍ଦୀ ଦେବୀଙ୍କର ଏହି କ‌ଖାରୁ ଗଛର ଗାଥା କପିଳେନ୍ଦ୍ରଦେବଙ୍କ କାନରେ ମଧ୍ୟ ପଡ଼ିଲା । କାଳନ୍ଦୀ ଦେବୀଙ୍କର ୧୪ତମ ପୁତ୍ର ଯିଏକି ଏକୁଟିଆ ରହୁଥିଲେ, ସେ ତାଙ୍କ ମାଆଙ୍କ ପାଖକୁ ଆସିଲେ । ଏକଦା କପିଳେନ୍ଦ୍ରଦେବ ତାଙ୍କ ଗୁରୁ ମହାଦେବ ବ୍ରହ୍ମ‌ପଦଙ୍କ ସ‌ହ ରାଣୀ କାଳନ୍ଦୀ ଦେବୀ ବାସ କରୁଥିବା ବଗିଚାକୁ ପରିଦର୍ଶନରେ ଆସିଲେ । ସେହି ସମୟରେ କାଳନ୍ଦୀ ଦେବୀଙ୍କ ଗୁରୁ ଗୋବିନ୍ଦ ଦାସ ମହୋଦୟ ଭଗବାନ ଗୋବିନ୍ଦଙ୍କ ପୂଜାର୍ଚ୍ଚନା କରୁଥିଲେ । ଗୁରୁ ଗୋବିନ୍ଦ ଦାସ ରାଣୀ ଭେଟିବାକୁ ଆସିଥିବା କପିଳେନ୍ଦ୍ରଦେବଙ୍କୁ ଆଶୀର୍ବାଦ କଲେ ଏବଂ କାଳନ୍ଦୀଦେବୀଙ୍କର ମୃତକ ପତି ବୀର ନରେନ୍ଦ୍ରଦେବଙ୍କ ସ୍ମୃତିରେ ସେହିଠାରେ ଏକ ଜଳାଶୟ ନିର୍ମାଣ କରିବାକୁ ଅନୁରୋଧ କଲେ । ଏବଂ କପିଳେନ୍ଦ୍ରଦେବ ମଧ୍ୟ ଏହି ପୁଷ୍କରିଣୀଟି ଖୋଳାଇଥିଲେ ।[୧] ଗୋଧୋଇବା ପାଇଁ ଏଠାରେ ୧୬ଟି ତୁଠ ବା ଘଟ ନିର୍ମାଣ କରିଥିଲେ । ମୁଖ୍ୟ ଘଟ‌ଟି ବୀର ନରେନ୍ଦ୍ରଦେବଙ୍କ ନାମାନୁସାରେ ଏବଂ ଏହାର ପରବର୍ତ୍ତୀ ଘଟ ସମୁହ ଯଥାକ୍ରମେ ରାଣୀ କଳନ୍ଦୀ ଦେବୀ ଏବଂ ୧୪ ଜଣ ପୁତ୍ରଙ୍କ ନାମାନୁସାରେ ନାମିତ ହୋଇଛି ।


ଐତିହାସିକ ମତାନୁସାରେ ଏହି ଜଳାଶୟଟି ୧୪ଶ-୧୫ଶ ଶତାବ୍ଦୀ ମଧ୍ୟରେ ଖନନ କରାଯାଇଥିଲା । ମାଦଳା ପାଞ୍ଜିରେ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ବିଷୟରେ ବର୍ଣ୍ଣନା ରହିଛି । ମାଦଳା ପଞ୍ଜିକା ଅନୁସାରେ ଗଙ୍ଗରାଜା ବୀର ନରସିଂହ ଦେବଙ୍କ ମନ୍ତ୍ରୀ ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ଶୌଚ ପାଇଁ ଏହି ଜଳାଶୟଟିର ଖନନ କରିଥିଲେ । ଏହି ନରେନ୍ଦ୍ର ଶୌଚ ଶବ୍ଦରୁ ଜଣାଯାଏ ଯେ ଏହି ଜଳାଶୟଟି ନିତ୍ୟ ବ୍ୟବ‌ହାର ନିମିତ୍ତ ତିଆରି କରାଯାଇଥିଲା ।[୧]

ଏହି ସମସ୍ତ କିମ୍ବଦନ୍ତୀକୁ ଆଧାର କରି ଜଣାଯାଏ ଯେ ଏହି ଜଳାଶୟଟି ୧୫ଶହ ଶତାବ୍ଦଦୀରେ ଗଙ୍ଗବଂଶୀୟ ରାଜାମାନଙ୍କଦ୍ୱାରା ଖନନ କରାଯାଇଥିଲା ।

ପର୍ବପର୍ବାଣୀ[ସମ୍ପାଦନା]

ନରେନ୍ଦ୍ର ପୁରଷ୍କରିଣୀରେ ମୁଖ୍ୟତଃ ଚନ୍ଦନ ଯାତ୍ରା ପାଳନ ବେଶ ଧୁମଧାମରେ ପାଳନ କରାଯାଏ । ଏହି ଯାତ୍ରାଟି ବୈଶାଖମାସ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ । ଏହି ଚନ୍ଦନଯାତ୍ରାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ, ଲକ୍ଷ୍ମୀ ଏବଂ ସରସ୍ୱତୀ ସୁ-ସଜ୍ଜିତ ମଣିବିମାନରେ, ରାମ ଓ କୃଷ୍ଣ ସୁ-ସ-ସଜ୍ଜିତ ପାଲିଙ୍କିରେ ଏବଂ ଶ୍ରୀଲୋକନାଥ, ଶ୍ରୀଜମ୍ବେଶ୍ୱର, ଶ୍ରୀମାର୍କଣ୍ଡେୟ, ଶ୍ରୀକପାଳମୋଚନ ଓ ଶ୍ରୀ ନୀଳକଣ୍ଠେଶ୍ୱର ବିଜେ ପ୍ରତିମା ସ୍ୱ-ସ୍ୱ ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ନୌବିହାର ଉଦ୍ଦେଶ୍ୟରେ ଯାତ୍ରା କରନ୍ତି । ଏହି ଯାତ୍ରାରେ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୁଏ ବୋଲି ଭକ୍ତମାନଙ୍କର ଗଭୀର ବିଶ୍ୱାସ ରହିଛି ।[୨]

ଚନ୍ଦନ ଯାତ୍ରା ସମୟରେ ଚାପ ଖେଳାଯାଉଥିବା ଚନ୍ଦନ ମଣ୍ଡପ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Panch Tritha Puri". Odisha Police, Puri. Retrieved 22 July 2016.
  2. ୨.୦ ୨.୧ ୨.୨ "ସକଳ ତୀର୍ଥ ତୋ ଚରଣେ..." ଓଡ଼ିଆ ପୁଅ. 7 July 2016. Retrieved 22 July 2016.
  3. "Narendra Tank". HolidayIQ. Retrieved 22 July 2016.
  4. "Narendra Tank". travelomy. Retrieved 22 July 2016.
  5. "Narendra Pokhari – (Narendra Pond)". Odia Live. Retrieved 22 July 2016.