ନବଜୀବନ ଟ୍ରଷ୍ଟ
ନବଜୀବନ ଟ୍ରଷ୍ଟ ହେଉଛି ଏକ ପ୍ରକାଶନ ସଂସ୍ଥା, ଯାହା ଭାରତର ଅହମଦାବାଦରେ ଅବସ୍ଥିତ । ଏହାକୁ ୧୯୨୯ ମସିହାରେ ମହାତ୍ମା ଗାନ୍ଧୀ ସ୍ଥାପନା କରିଥିଲେ ଓ ଏପର୍ଯ୍ୟନ୍ତ ଏହି ପ୍ରକାଶନ ସଂସ୍ଥା ଇଂରାଜୀ, ଗୁଜରାଟୀ, ହିନ୍ଦୀ ଓ ଅନ୍ୟାନ୍ୟ ଭାଷାରେ ୮୦୦ରୁ ଅଧିକ ପୁସ୍ତକ ପ୍ରକାଶ କରିଛି ।[୧] ଆରମ୍ଭରେ, "ନବଜୀବନ" ବାସ୍ତବରେ ଗାନ୍ଧୀଜୀଙ୍କ ଦ୍ୱାରା ୧୯୧୯ (7 ସେପ୍ଟେମ୍ବର) ରୁ ୧୯୩୧ ପର୍ଯ୍ୟନ୍ତ ଅହମଦାବାଦରୁ ପ୍ରକାଶିତ ହେଉଥିବା ଗୋଟିଏ ସାପ୍ତାହିକ ଗୁଜରାଟୀ ସମ୍ବାଦପତ୍ରକୁ ବୁଝାଉଥିଲା ।[୨]
ଉଦ୍ଦେଶ୍ୟ
[ସମ୍ପାଦନା]ହିନ୍ଦୀ, ଗୁଜରାଟୀ ଓ ଅନ୍ୟାନ୍ୟ ଇଣ୍ଡୋ-ଆର୍ଯ୍ୟ ଭାଷାରେ ନବଜୀବନ ଶବ୍ଦର ଅର୍ଥ ହେଉଛି "ନୂତନ ଜୀବନ" । ସ୍ଥାପନା ସମୟରେ ଘୋଷଣାରେ କୁହାଯାଇଥିଲା, ନବଜୀବନ ଟ୍ରଷ୍ଟର ଉଦ୍ଦେଶ୍ୟ ହେଉଛି ଶାନ୍ତିପୂର୍ଣ୍ଣ ଉପାୟରେ ହିନ୍ଦ ସ୍ୱରାଜ (ଭାରତର ସ୍ୱରାଜ) ପ୍ରାପ୍ତି ପାଇଁ ଜନତାଙ୍କୁ ସଚେତନ କରିବା । ଏଥିପାଇଁ ପ୍ରଶିକ୍ଷିତ ଓ ଆଦର୍ଶ କର୍ମୀମାନଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରିବା ଓ ଏହି ଶୁଦ୍ଧ ଭାବନାରେ ଭାରତକୁ ସେବା କରିବା ।ଏହି ଉଦ୍ଦେଶ୍ୟ ପୂରଣ ପାଇଁ "ନବଜୀବନ" (ନୂତନ ଜୀବନ) ଶାନ୍ତିପୂର୍ଣ୍ଣ ଉପାୟରେ ସ୍ୱରାଜ ପାଇଁ ବହୁବିଧ ବିଷୟରେ ପ୍ରଚାର କରିବା ପାଇଁ ନିଷ୍ପତ୍ତି ନେଇଥିଲା ।[୩] ଯେପରିକି;
- ଚରଖା ଓ ଖାଦିର ପ୍ରଚାର କରିବା ।
- ଅସ୍ପୃଶ୍ୟତାର ଉଚ୍ଛେଦ ପାଇଁ ପ୍ରଚାର କରିବା ।
- ହିନ୍ଦୁ–ମୁସଲମାନ ଓ ଭାରତରେ ଥିବା ଅନ୍ୟାନ୍ୟ ସମାଜ ମଧ୍ୟରେ ଏକତା ପ୍ରଚାର କରିବା ।
- ଲୋକମାନଙ୍କୁ ଆୟ ସୁରକ୍ଷା ପାଇଁ ନିର୍ମାଣାତ୍ମକ ପଦ୍ଧତି ଦେଖାଇବା—ଯଥା ଟାନେରୀ, ଡେରୀ ଓ ଅନ୍ୟାନ୍ୟ ସଂସ୍ଥା ସ୍ଥାପନ ଓ ପରିଚାଳନ ପାଇଁ ପ୍ରଚାର କରିବା ।
- ନାରୀ ଉନ୍ନତି ପାଇଁ ପ୍ରଚାର କରିବା, ଯେପରି—
- ବାଲ୍ୟବିବାହକୁ ବିରୋଧ କରିବା
- ସୀମିତ ଭାବରେ ବିଧବା ପୁନର୍ବିବାହର ପ୍ରଚାର
- ମହିଳାଙ୍କୁ ସାକ୍ଷର କରିବା
- ଇଂରାଜୀ ଭାଷାକୁ ଲୋକମାନଙ୍କ ଚକ୍ଷୁରେ ଯେ ଅସ୍ୱାଭାବିକ ଆକର୍ଷଣ ମିଳିଛି ତାହାକୁ ଭାଙ୍ଗିଦେବା ଓ ତାହାର ପରିବର୍ତ୍ତେ ହିନ୍ଦୀ କିମ୍ବା ହିନ୍ଦୁସ୍ତାନୀକୁ ସ୍ଥାପିତ କରିବା ।
- ସମାଜର ଧାର୍ମିକ, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଉନ୍ନତି ପାଇଁ ପତ୍ରିକା ଓ ପୁସ୍ତକ ପ୍ରକାଶ କରିବା ।
- ଟ୍ରଷ୍ଟର ପ୍ରକାଶିତ ସମ୍ବାଦପତ୍ର, ପ୍ୟାମ୍ଫ୍ଲେଟ୍ କିମ୍ବା ପୁସ୍ତକରେ ବିଜ୍ଞାପନ ନେବା ନୁହେଁ ଓ ପ୍ରିଣ୍ଟିଂ ପ୍ରେସ୍ରେ ଟ୍ରଷ୍ଟର ଉଦ୍ଦେଶ୍ୟ ବିରୋଧୀ କାମ କରିବା ନୁହେଁ ।
- ପ୍ରତିବର୍ଷ ପ୍ରଶାସନିକ ବର୍ଷ ଶେଷରୁ ତିନି ମାସ ମଧ୍ୟରେ ସମସ୍ତ କାର୍ଯ୍ୟକଳାପ ଓ ହିସାବର ପ୍ରତିବେଦନ ପ୍ରକାଶ କରିବା ।
- ସମସ୍ତ କାର୍ଯ୍ୟକଳାପ ଆତ୍ମନିର୍ଭରତାର ଆଧାରରେ କରାଯିବ ।
ନବଜୀବନ ଟ୍ରଷ୍ଟ ଲୋକମାନଙ୍କ ଧାର୍ମିକ, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଉନ୍ନତି ପାଇଁ ଗାନ୍ଧୀଜୀ ଆରମ୍ଭ କରିଥିବା କାର୍ଯ୍ୟକଳାପକୁ ପତ୍ରିକା ଓ ପୁସ୍ତକ ମାଧ୍ୟମରେ ପ୍ରଚାର କରୁଥିଲା । ସମସ୍ତ କାର୍ଯ୍ୟକଳାପ ଆତ୍ମନିର୍ଭର ଆଧାରରେ କରାଯାଉଥିଲା । ଆତ୍ମନିର୍ଭରତା ପାଇଁ ପ୍ରେସ୍ରେ କେବଳ ସେହି କାମକୁ ଗ୍ରହଣ କରାଯାଉଥିଲା ଯାହା ଟ୍ରଷ୍ଟର ଉଦ୍ଦେଶ୍ୟ ସହିତ ବିରୋଧୀ ନୁହେଁ । ନବଜୀବନ ଟ୍ରଷ୍ଟର ଟ୍ରଷ୍ଟିମାନେ ତାଙ୍କ ଆଦର୍ଶକୁ ଏପର୍ଯ୍ୟନ୍ତ କଠୋରତାର ସହ ଅନୁସରଣ କରିଆସିଛନ୍ତି, ଯଦିଓ ପରବର୍ତ୍ତୀ ସମୟରେ ଲାଭଜନକ ପ୍ରିଣ୍ଟିଂ କାମକୁ ପରିତ୍ୟାଗ କରିବାକୁ ପଡ଼ିଛି । ସେହିପରି, ଟ୍ରଷ୍ଟର ପ୍ରକାଶିତ ସାପ୍ତାହିକ, ପତ୍ରିକା କିମ୍ବା ପୁସ୍ତକରେ କେବେ ବିଜ୍ଞାପନ ନେଇ ନାହାନ୍ତି ଏବଂ ଏପର୍ଯ୍ୟନ୍ତ ଟ୍ରଷ୍ଟ କୌଣସି ସରକାରୀ ଅନୁଦାନ ବା ଦାନ ଗ୍ରହଣ କରିନାହିଁ ।
ଆଧାର
[ସମ୍ପାଦନା]- ↑ Apurva Ashar, K. C. Consultanats. "About Navajivan Trust". www.navajivantrust.org. Archived from the original on 2008-05-15. Retrieved 2025-09-30.
- ↑ "Navajivan Trust". navajivan-trust (in ଇଂରାଜୀ). Retrieved 2025-10-02.
- ↑ "Navjivan - Mahatma Gandhi's newspaper turns 100 | Current News & Announcements". www.mkgandhi.org. Retrieved 2025-10-02.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |