ନଗେନ ମହାନ୍ତି
ନଗେନ ମହାନ୍ତି | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୦ ଅଗଷ୍ଟ ୧୯୩୦ ବୋଧପୁର, କଟକ, ଓଡ଼ିଶା |
| ମୃତ୍ୟୁ | ୨୩ ସେପ୍ଟେମ୍ବର ୨୦୨୫ (ବୟସ ୯୫) |
| ବୃତ୍ତି | ଗ୍ରନ୍ଥାଗାରିକ ଗବେଷକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ ରେଭେନ୍ସା କଲେଜ |
| ସାହିତ୍ୟ କୃତି | ଓଡ଼ିଆ ଚରିତକୋଷ |
| ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର (୨୦୨୫) |
| ଜୀବନସାଥୀ | ପ୍ରତିମା ମହାନ୍ତି (ବିବାହ: ୧୯୫୮) |
| ପିତାମାତା | ପଞ୍ଚାନନ ମହାନ୍ତି (ବାପା) ଅନ୍ନପୂର୍ଣ୍ଣା ଦେବୀ (ମାଆ) |
| ସମ୍ପର୍କୀୟ | ପ୍ରତିଭା ରାୟ (ଶାଳୀ)[୧] |
ନଗେନ ମହାନ୍ତି (୧୦ ଅଗଷ୍ଟ ୧୯୩୦ – ୨୩ ସେପ୍ଟେମ୍ବର ୨୦୨୫) ଜଣେ ଓଡ଼ିଆ ଗ୍ରନ୍ଥାଗାରିକ ଓ ଗବେଷକ ଥିଲେ । ସେ ଓଡ଼ିଆ ଚରିତକୋଷ ରଚନା କରିଥିଲେ ।[୧]
ଜୀବନୀ
[ସମ୍ପାଦନା]ଜନ୍ମ ଓ ପରିବାର
[ସମ୍ପାଦନା]୧୯୩୦ ମସିହାର ଅଗଷ୍ଟ ୮ ତାରିଖରେ, ସେ କଟକ ଜିଲ୍ଲାର ବୋଧପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପଞ୍ଚାନନ ମହାନ୍ତି ଓ ମାଆଙ୍କ ନାମ ଅନ୍ନପୂର୍ଣ୍ଣା ଦେବୀ । ଦଶମାସ ବୟସରେ, ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ୧୯୫୮ ମସିହାରେ, ସେ ବାଲିକୁଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ପର୍ଶୁରାମ ଦାସଙ୍କ କନ୍ୟା ପ୍ରତିମାଙ୍କୁ ବିବାହ କରିଥିଲେ ।[୨]
ଶିକ୍ଷା
[ସମ୍ପାଦନା]ନିମ୍ନ ପ୍ରାଥମିକ ସ୍କୁଲରେ ନ ପଢ଼ି ୧୯୩୯ ମସିହାରେ ତେଲିଦିଆ ମାଇନର ସ୍କୁଲରେ ଚତୁର୍ଥ ଶ୍ରେଣୀରେ ତାଙ୍କ ନାମ ଲେଖାଯାଇଥିଲା । । ୧୯୪୦ ମସିହାରେ, ସେ କଟକ ଆସି ରାଣୀହାଟ ହାଇସ୍କୁଲରେ ଯୋଗ ଦେଇଥିଲେ । ୧୯୪୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ ରେଭେନ୍ସା କଲେଜରେ ଆଇ.ଏସ୍.ସି. ପଢ଼ିଥିଲେ । ୧୯୫୦ ରୁ ୧୯୫୨ ମସିହା ଯାଏଁ, ରେଭେନ୍ସା କଲେଜରେ ବି.ଏସ୍.ସି ପଢ଼ିଥିଲେ । ୧୯୫୭ ମସିହାରେ, ସେ କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଡିପ୍ ଇନ୍ ଲିବ୍.ଏସି ପାସ କରିଥିଲେ ।[୨]
ଚାକିରୀ
[ସମ୍ପାଦନା]ପ୍ରତ୍ନତତ୍ତ୍ୱବିତ୍ ପରମାନନ୍ଦ ଆଚାର୍ଯ୍ୟଙ୍କ ନିକଟରେ ୧୯୪୮ ମସିହାରେ ସେ ପ୍ରଥମ କର୍ମଜୀବନ ଆରମ୍ଭ କରିଥିଲେ । ଏହାପରେ ଇଣ୍ଡିଆନ ହିଷ୍ଟ୍ରି କଂଗ୍ରେସ ଓ ଇଣ୍ଡିଆନ ହିଷ୍ଟୋରିକାଲ୍ ରେକର୍ଡ଼ସ୍ କମିଶନ୍, କଟକ ଅଧିବେଶନର ଲୋକାଲ୍ ସେକ୍ରେଟାରୀଙ୍କ କିରାଣୀ ରୂପେ କରିଥିଲେ । ୧୯୫୦ ମସିହାରେ କିଛି ମାସ ଡି.ପି.ଆଇ.ଙ୍କ ଅଫିସରେ ଇନ୍ସପେକ୍ଟର୍ସ୍ ଅଫ୍ ଫିଜିକାଲ୍ ଏଡ଼ୁକେସନଙ୍କର କିରାଣୀ ରୂପେ କାମ କରିଥିଲେ ।[୨]
ବି.ଏସ୍.ସି ସରିବା ପରେ, ୧୯୫୨ ମସିହାରେ ରାଣୀହାଟ ହାଇସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ଏ ସମୟରେ ତାଙ୍କ ଗାଆଁରେ ଯୁଗବାଣୀ କ୍ଲବର ସମ୍ପାଦକ ରହି ପାଇକା ନଈ ଉପରେ ପୋଲ ଓ ରାସ୍ତା ତିଆରି କରିବାର ଦାୟିତ୍ୱ ନେଇଥିଲେ । କଟକ ସବ୍ଡିଭିଜନ୍ର ମାଜିଷ୍ଟ୍ରେଟ୍ ସି.ଜି.ଏସ୍. ନେଲୋର (ସ୍କଟିଶ ବାସିନ୍ଦା) ତାଙ୍କୁ ଏହି କାର୍ଯ୍ୟ ପାଇଁ ପ୍ରଶଂସାପତ୍ର ଦେଇଥିଲେ । ୧୯୫୫ ମସିହାର ଅଗଷ୍ଟ ମାସରେ କଲିକତାରେ ନ୍ୟାସନାଲ୍ ଲାଇବ୍ରେରୀରେ ସେ ଓଡ଼ିଆ ବିଭାଗରେ ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ ରୂପେ ଯୋଗଦେଇଥିଲେ । କଲିକତାରେ ଥିବାବେଳେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରକାଶିତ ନ୍ୟାସନାଲ ବିବ୍ଲିଓଗ୍ରାଫି ଅଫ ଇଣ୍ଡିଆନ୍ ଲିଟରେଚରର ଓଡ଼ିଆ ପୁସ୍ତକମାନଙ୍କର ସୂଚୀ ପ୍ରଣୟନ କରିଥିଲେ ।[୨]
୧୯୫୯ ମସିହାରେ, ସେ ସେଣ୍ଟ୍ରାଲ ରେଫରେନ୍ସ ଲାଇବ୍ରେରୀ କର୍ତ୍ତୃକ ଭାରତୀୟ ଜାତୀୟ ଗ୍ରନ୍ଥସୂଚୀ ବିଭାଗରେ ସବ୍ ଏଡ଼ିଟର ପଦରେ ଯୋଗ ଦେଇଥିଲେ । ବାର୍ଷିକ ସୂଚୀ ତିଆରି କରିବାରେ ତାଙ୍କର ମୌଳିକତା ସ୍ୱୀକୃତ । ଅକ୍ଟୋବର ୧୯୬୧ରେ ଆମେରିକାନ୍ ଲାଇବ୍ରେରୀ ଆସୋସିଏସନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଡିପାର୍ଟମେଣ୍ଟ୍ ଅଫ୍ ଷ୍ଟେଟର୍ ନିମନ୍ତ୍ରଣ ପାଇ ମଲ୍ଟିନ୍ୟାସନାଲ ଗ୍ରୁପ ଲାଇବ୍ରେରିଆନ୍ ଦଳରେ ଯୋଗଦେଇ ଆମେରିକା ଭ୍ରମଣରେ ଯାଇଥିଲେ । ଲାଇବ୍ରେରୀ ଅଫ୍ କଂଗ୍ରେସ ଓ ନ୍ୟୁୟର୍କ ଷ୍ଟେଟ ଲାଇବ୍ରେରୀ, ଆଲବାନୀରୁ ବିଶେଷ ତାଲିମ ନେଇଥିଲେ ସେ । ୧୯୫୬ ମସିହାରେ କଲିକତାରେ ଅନୁଷ୍ଠିତ ଇଣ୍ଡିଆନ୍ ଲାଇବ୍ରେରୀ ଆସୋସିଏସନ୍ ଓ ପ୍ରଥମ ଇଆସ୍ଲିକ ଅଧିବେଶନରେ ସ୍ୱେଚ୍ଛାସେବକ କାମକରି ସର୍ବଭାରତୀୟ ସ୍ତରରେ ଲୋକପ୍ରିୟ ହୋଇଥିଲେ । ବିଦେଶ ଯିବା ପାଇଁ ସଂସ୍କୃତି ମନ୍ତ୍ରାଳୟ ଛୁଟି ମଞ୍ଜୁର ନକରିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ।[୨]
ଆମେରିକାରୁ ଫେରି ସେ ୧୯୬୨ ମସିହାର ଅପ୍ରେଲ ମାସରେ ନୂଆ ଦିଲ୍ଲୀରେ ଆରମ୍ଭ ହୋଇଥିବା ଲାଇବ୍ରେରୀ ଅଫ୍ କଂଗ୍ରେସ୍ ଅଫିସ୍ରେ ଲାଇବ୍ରେରୀଆନ୍ ପଦରେ ଯୋଗଦେଇଥିଲେ ।[୨]
ରଚନାବଳୀ
[ସମ୍ପାଦନା]- ଓଡ଼ିଆ ଚରିତକୋଷ
- ୫୦ ଇଅର୍ସ୍ ଅଫ୍ ଇଣ୍ଡିଆନ୍ ଲାଇବ୍ରେରୀ ଆସୋସିଏସନ୍, ୧୯୩୩-୧୯୮୩
- ଓଡ଼ିଆ ପତ୍ରପତ୍ରିକାମାନଙ୍କ ପରିଚୟା[୩]
- ଓଡ଼ିଆ ଲିପି ଓ ବର୍ଣ୍ଣ ପରିଚୟ[୩]
- ନ୍ୟାସନାଲ ବିବ୍ଲିଓଗ୍ରାଫି ଅଫ୍ ଇଣ୍ଡିଆନ୍ ଲିଟରେଚର୍[୩]
ମୃତ୍ୟୁ
[ସମ୍ପାଦନା]୨୦୨୫ ମସିହାର ସେପ୍ଟେମ୍ବର ୨୩ ତାରିଖରେ, ସେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଆ ଚରିତକୋଷର ପ୍ରଣେତା ନଗେନ ମହାନ୍ତି ଆଉ ନାହାନ୍ତି". 24 September 2025. Archived from the original on 7 October 2025. Retrieved 7 October 2025.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ନଗେନ୍ଦ୍ର ନାଥ ମହାନ୍ତି (1930-) (ଗ୍ରନ୍ଥାଗାରିକ, ସୂଚୀକାର). Retrieved 7 October 2025.
- ↑ ୩.୦ ୩.୧ ୩.୨ "'ଓଡ଼ିଆ ଚରିତକୋଷ' ପାଇଁ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଗ୍ରନ୍ଥାଗାରିକ ତଥା ଗବେଷକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ" (in ଓଡ଼ିଆ). ଭୁବନେଶ୍ୱର. 25 September 2025. Archived from the original on 7 October 2025. Retrieved 7 October 2025.
{{cite news}}: CS1 maint: unrecognized language (link)