ଦ୍ଵୀପପୁଞ୍ଜ
ଅନେକ ଗୁଡ଼ିଏ ଛୋଟ ବଡ଼ ଦ୍ଵୀପର ସମାହାରକୁ ଦ୍ଵୀପପୁଞ୍ଜ ବା ଦ୍ଵୀପସମୂହ (ଈଂରାଜୀରେ Archipelago) ବୋଲି କୁହଯାଇଥାଏ । ଦ୍ଵୀପମାନଙ୍କର ଶୃଙ୍ଖଳ ବା ସମୁଦ୍ରରେ ଗୋଟିଏ ସ୍ଥାନରେ ବିକ୍ଷିପ୍ତ ଭାବେ ରହିଥିବା ଦ୍ଵୀପମାନଙ୍କୁ ଦ୍ଵୀପପୁଞ୍ଜ ବୋଲି କୁହାଯାଇପାରିବ ।
ଇଣ୍ଡୋନେସିଆ, ଜାପାନ, ତାଇୱାନ୍, ଫିଲିପାଇନ୍ସ୍, ନ୍ୟୁଜିଲ୍ୟାଣ୍ଡ୍, ମାଳଦ୍ଵୀପ, ବାହାମା, ଗ୍ରୀସ୍, ହାୱାଇ, ପୋଲିନେସୀୟ ଦ୍ଵୀପପୁଞ୍ଜ, କ୍ୟାନାରି ଦ୍ଵୀପପୁଞ୍ଜ, ଆଜୋରେସ୍ ଦ୍ଵୀପପୁଞ୍ଜ ଇତ୍ୟାଦି ବିଶ୍ଵର କେତେକ ଜଣାଶୁଣା ଦ୍ଵୀପପୁଞ୍ଜ । କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ଇଣ୍ଡୋନେସିଆ ବିଶ୍ଵର ସର୍ବବୃହତ୍ ଦ୍ଵୀପପୁଞ୍ଜ । [୧]
ବିଷୟସୂଚୀ
ଈଂରାଜୀ ଶବ୍ଦ ଆର୍କିପେଲାଗୋର ଉତ୍ପତ୍ତି ଓ ବ୍ୟବହାର[ସମ୍ପାଦନା]
ଗ୍ରୀକ୍ ଶବ୍ଦ ἄρχι- (ଆର୍ଖି - ମୁଖ୍ୟ) ଓ πέλαγος (ପେଲାଗୋସ୍ - ସାଗର)ରୁ ଈଂରାଜୀ ଶବ୍ଦ ଆର୍କିପେଲାଗୋର ସୃଷ୍ଟି । ଗ୍ରୀକ୍, ଲାଟିନ୍ ଓ ଈଟାଲୀୟ ଭାଷାରେ ଭୂମଧ୍ୟ ସାଗରକୁଲାଗି ରହିଥିବା ଏଜିୟାନ୍ ସାଗରକୁ ଏହି ନାମ ମିଳିଥିଲା । ଭୌଗୋଳିକ ଗଠନ ଦୃଷ୍ଟିରୁ ଏଜିୟାନ୍ ସାଗର ଅଳ୍ପ ଦୂରତାରେ ରହିଥିବା କ୍ଷୁଦ୍ର ଦ୍ଵୀପମାନଙ୍କ ପାଇଁ ବିଖ୍ୟାତ । ତେଣୁ କାଳକ୍ରମେ ଏଜିୟାନ୍ ସାଗରରେ ରହିଥିବା ଦ୍ଵୀପସମୂହ ଗୁଡ଼ିକୁ ଆର୍କିପେଲାଗୋ ବୋଲି କୁହାଗଲା ।
ଦ୍ଵୀପପୁଞ୍ଜର ପ୍ରକାର ଭେଦ[ସମ୍ପାଦନା]
ବିଶ୍ଵରେ ବିଭିନ୍ନ ପ୍ରକାରର ଦ୍ଵୀପସମୂହ ଦେଖାଯାଏ । କୌଣସି ମହାଦେଶ, ଦେଶ ବା ଭୂଖଣ୍ଡକୁ ଲାଗି ଅନେକ କ୍ଷୁଦ୍ର ଦ୍ଵୀପ ରହିଥାନ୍ତି । ମହାସାଗର ମଧ୍ୟରେ ଭୂଖଣ୍ଡରୁ ଅନେକ ଦୂରରେ ମଧ୍ୟ ଦ୍ଵୀପପୁଞ୍ଜ ଦେଖାଯାନ୍ତି । ଉଦାହରଣ ସ୍ଵରୂପ ସ୍କଟ୍ଲ୍ୟାଣ୍ଡର ଚତୁଃପାର୍ଶ୍ଵରେ ୭୦୦ରୁ ଅଧିକ ଛୋଟ ଛୋଟ ଦ୍ଵୀପ ରହିଛନ୍ତି ଓ ଏମାନଙ୍କୁ ନେଇ ସ୍କଟ୍ଲ୍ୟାଣ୍ଡର ଦ୍ଵୀପପୁଞ୍ଜ ଗଠିତ । ଅଧିକାଂଶ ସମୟରେ ଆଗ୍ନେୟ ଉଦ୍ଗୀରଣରୁ ବା ଭୂଖଣ୍ଡର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ କ୍ରମଶଃ ପୋତି ହୋଇ ବା ଅବକ୍ଷୟ ଘଟି ଦ୍ଵୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି । ଦ୍ଵୀପମାନଙ୍କ ଭୌଗୋଳିକ ସୃଷ୍ଟିର କାରଣକୁ ଭିତ୍ତି କରି ଏମାନଙ୍କୁ ମହାସାଗରୀୟ ଦ୍ଵୀପପୁଞ୍ଜ (ଈଂରାଜୀରେ Oceanic Islands), ମହାଦେଶୀୟ ଦ୍ଵୀପପୁଞ୍ଜ (ଈଂରାଜୀରେ Continental Islands) ବା ବିଖଣ୍ଡିତ ଦ୍ଵୀପପୁଞ୍ଜ (ଈଂରାଜୀରେ Continental Fragments) ଶ୍ରେଣୀରେ ବିଭକ୍ତ କରାଯାଏ । [୨]
ମହାସାଗରୀୟ ଦ୍ଵୀପପୁଞ୍ଜ[ସମ୍ପାଦନା]
ସାଧାରଣତଃ ମହାସାଗରୀୟ ଦ୍ଵୀପସମୂହ ଆଗ୍ନେୟ ଉଦ୍ଗୀରଣରୁ ସୃଷ୍ଟି ହୋଇଥାନ୍ତି ଓ ଭୂଖଣ୍ଡରୁ ଯଥେଷ୍ଟ ଦୂରରେ ମହାସାଗର ମଧ୍ୟରେ ଏମାନେ ଦୃଶ୍ୟମାନ ହୁଅନ୍ତି । ସମୁଦ୍ର ଗର୍ଭରୁ ଆଗ୍ନେୟ ଉଦ୍ଗୀରଣ ହୋଇ ଏହି ଦ୍ଵୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି । ଏକ ଆଗ୍ନେୟ କେନ୍ଦ୍ର ନିକଟରେ ଦ୍ଵୀପପୁଞ୍ଜମାନ ସୃଷ୍ଟି ହୋଇ ଧନୁ ପରି ଦେଖାଯାନ୍ତି । ଆଗ୍ନେୟ କେନ୍ଦ୍ର ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥାଏ ଏବଂ ଭୂସ୍ତର ଧୀରେ ଧୀରେ ବିସ୍ଥାପିତ ହୋଇ ଦ୍ଵୀପମାନଙ୍କର ସୃଷ୍ଟି ହୁଏ । [୩]
ଉଦାହରଣ ସ୍ଵରୂପ : ହାୱାଇ, ମାଳଦ୍ଵୀପ, ଜାପାନ ।
ବିଖଣ୍ଡିତ ଦ୍ଵୀପପୁଞ୍ଜ[ସମ୍ପାଦନା]
ଭୂଚଳନ ଯୋଗୁଁ କିଛି ସ୍ଥଳଭାଗ ମହାଦେଶ ବା ମୁଖ୍ୟ ସ୍ଥଳଭାଗରୁ ଦୂରକୁ ବିସ୍ଥାପିତ ହୋଇ ବିଖଣ୍ଡିତ ଦ୍ଵୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି ।
ବିଖଣ୍ଡିତ ଦ୍ଵୀପପୁଞ୍ଜର କେତେକ ଉଦାହରଣ ହେଲା ମାଡାଗାସ୍କାର୍, ମାସ୍କାରେନ୍ ଦ୍ଵୀପପୁଞ୍ଜ, ତିମୋର୍ ଦ୍ଵୀପପୁଞ୍ଜ ଇତ୍ୟାଦି । ଇଣ୍ଡୋନେସୀୟ ଦ୍ଵୀପପୁଞ୍ଜର କିଛି ଅଂଶକୁ ମଧ୍ୟ ବିଖଣ୍ଡିତ ଦ୍ଵୀପ କୁହାଯାଏ ।
ମହାଦେଶୀୟ ଦ୍ଵୀପପୁଞ୍ଜ[ସମ୍ପାଦନା]
ଭୂଖଣ୍ଡରୁ ଅଳ୍ପ ଦୂରରେ ସମୁଦ୍ର ମଧ୍ୟରେ ମହାଦେଶୀୟ ଦ୍ଵୀପପୁଞ୍ଜ ଦେଖାଯାନ୍ତି ଓ ଏମାନେ ମହାଦେଶର ଅଂଶ ଭାବେ ପରିଗଣିତ ହୋଇଥାନ୍ତି । ହିମଯୁଗର ଶେଷ ବେଳକୁ ବରଫ ତରଳି ଜଳସ୍ତର ବଢ଼ିବା ଫଳରେ ଅନେକ ସ୍ଥଳଭାଗ ସମୁଦ୍ରଗର୍ଭରେ ବୁଡ଼ିଗଲା । ଉଚ୍ଚସ୍ଥାନଗୁଡ଼ିକ ଦ୍ଵୀପ ଆକାର ଧାରଣ କଲେ । [୪]
ଉଦାହରଣ ସ୍ଵରୂପ : ତାଇୱାନ୍, ଫିନ୍ଲ୍ୟାଣ୍ଡ୍, ମାଳୟ ।
ଗ୍ୟାଲେରୀ[ସମ୍ପାଦନା]
- ବିଶ୍ଵର କେତେକ ଦ୍ଵୀପପୁଞ୍ଜ
ଆଧାର[ସମ୍ପାଦନା]
- ↑ "Indonesia". The World Factbook. Central Intelligence Agency. 4 December 2008. Archived from the original on 10 December 2008. Retrieved 7 December 2008.
- ↑ Whittaker R. J. & Fernández-Palacios J. M. (2007) Island Biogeography: Ecology, Evolution, and Conservation. New York, Oxford University Press
- ↑ "archipelago".
- ↑ "archipelago".