ଦୁର୍ଗାବାଇ ଦେଶମୁଖ
ଦୁର୍ଗାବାଇ ଦେଶମୁଖ (୧୯୦୯ - ୧୯୮୧) ଜଣେ ଭାରତର ମହିଳା ସ୍ୱାଧୀନତା ସଂଗ୍ରାମୀ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଭାରତୀୟ ସଂବିଧାନ ସଭାର ଏକମାତ୍ର ମହିଳା ସଦସ୍ୟ ଥିଲେ । ସେ ସ୍ୱାଧୀନ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଚିନ୍ତାମଣି ଦ୍ଵାରକାନାଥ ଦେଶମୁଖଙ୍କର ପତ୍ନୀ ଥିଲେ ।
ସଂକ୍ଷିପ୍ତ ଜୀବନି
[ସମ୍ପାଦନା]ଆନ୍ଧ୍ର ପ୍ରଦେଶରୁ ସ୍ୱାଧୀନତା ସଂଗ୍ରାମରେ ପ୍ରଥମେ ଯୋଗଦେଇଥିବା ମହିଳା ଦୁର୍ଗାବାଇଙ୍କ ଜନ୍ମ ୧୫ ଜୁଲାଇ ୧୯୦୯ ରେ ରାଜମହେନ୍ଦ୍ରୀ ଜିଲ୍ଲାର କାକିନାଡା ନାମକ ସ୍ଥାନରେ ହୋଇଥିଲା ।[୧][୨] ମାଆ ଥିଲେ ଶ୍ରୀମତୀ କୃଷ୍ଣଭେନମ୍ମା ଏବଂ ବାପା ଶ୍ରୀ ରାମାରାଓ । ଛୋଟବେଳେ ବାପାଙ୍କର ଦେହାନ୍ତ ହୋଇଥିଲା, କିନ୍ତୁ ମାଆଙ୍କ କଂଗ୍ରେସରେ କାର୍ଯ୍ୟକଳାପ ଦ୍ୱାରା ଦୁର୍ଗାବାଇଙ୍କ ମନରେ ଛୋଟବେଳୁ ଦେଶପ୍ରେମ ଏବଂ ସମାଜସେବାର ସଂସ୍କାର ଗଢିଉଠିଥିଲା ।
ଦୁର୍ଗାବାଇ ଆନ୍ଧ୍ର ମହିଳା ସଭା, ବିଶ୍ୱବିଦ୍ୟାଳୟ ମହିଳା ସଂଘ, ନାରୀ ନିକେତନ ପରି ଅନେକ ସଂସ୍ଥା ମାଧ୍ୟମରେ ମହିଳା ଉନ୍ନତି ପାଇଁ ଅନେକ ପ୍ରୟାସ କରିଥିଲେ । ସେ ବ୍ଲାଇଣ୍ଡ ରିଲିଫ୍ ଏସୋସିଏସନର ଅଧ୍ୟକ୍ଷ ଥିଲେ । ଏହି ପଦବୀରେ ସେ ଦୃଷ୍ଟିହୀନ ଲୋକମାନଙ୍କ ପାଇଁ ଏକ ବିଦ୍ୟାଳୟ-ଛାତ୍ରାବାସ ଏବଂ ଏକ ଆଲୋକ ଇଞ୍ଜିନିୟରିଂ କାର୍ଯ୍ୟଶାଳା ପ୍ରତିଷ୍ଠା କରିଥିଲେ ।
ସେ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଭାବରେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ଜଣେ ସତ୍ୟାଗ୍ରହୀ ଭାବେ ଅଳଙ୍କାର, ଆଭୂଷଣ ବା ଶୃଙ୍ଗାର ବସ୍ତୁ ପିନ୍ଧିବା ସେ ପରିତ୍ୟାଗ କରିଥିଲେ । ସେ ଗାନ୍ଧୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗଦେଇଥିଲେ ଏବଂ ମହିଳା ସତ୍ୟାଗ୍ରହୀମାନଙ୍କ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହି କାରଣରୁ ୧୯୩୦ ରୁ ୧୯୩୩ ମଧ୍ୟରେ ସେ ତିନିଥର ଜେଲ୍ ମଧ୍ୟ ଯାଇଥିଲେ । ଜେଲ୍ ରୁ ବାହାରିବା ପରେ, ସେ ପୁଣି ପଢ଼ାପଢି ଆରମ୍ଭ କରିଥିଲେ । ୧୯୩୦ ଦଶକରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ବିଏ ଏବଂ ଏମ.ଏ ଶିକ୍ଷା ସମାପ୍ତ କରିଥିଲେ । ୧୯୪୨ ମସିହାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ସେ ଆଇନ ଶିକ୍ଷା ସମାପ୍ତ କରି ମଦ୍ରାସ ହାଇକୋର୍ଟରେ ଓକିଲ ଭାବେ କାମ କରିଥିଲେ ।
୧୯୪୬ ମସିହାରେ ସେ ମଦ୍ରାସ ପ୍ରାନ୍ତରୁ ସଂବିଧାନ ସଭା ପାଇଁ ଚୟିତ ହୋଇଥିଲେ। ସେ ସଂବିଧାନ ସଭାରେ ଅଧ୍ୟକ୍ଷମଣ୍ଡଳୀର ଏକମାତ୍ର ମହିଳା ଥିଲେ। ସେ ଅନେକ ସାମାଜିକ କଲ୍ୟାଣ ଆଇନ ପାସ କରିବାରେ ସାହାଯ୍ୟ କରିଥିଲେ। ୧୯୪୮ ମସିହାରେ ସେ ଆନ୍ଧ୍ର ଏଜୁକେସନ୍ ସୋସାଇଟି (ଏଇଏସ୍) ପ୍ରତିଷ୍ଠା କରିଥିଲେ, ଯାହା ତେଲୁଗୁ ଶିଶୁମାନଙ୍କ ଶିକ୍ଷା ପ୍ରୟୋଜନ ପୂରଣ ପାଇଁ ଥିଲା।
୧୯୫୨ ମସିହାରେ ସେ ସଂସଦ ପାଇଁ ନିର୍ବାଚନରେ ଲଢି ହାରିଥିଲେ । ପରେ ତାଙ୍କୁ ଯୋଜନା ଆୟୋଗର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ସେଠାରେ ସେ ଜାତୀୟ ସାମାଜିକ କଲ୍ୟାଣ ନୀତି ପାଇଁ ପ୍ରୟାସ କରିଥିଲେ । ଏହାର ପରିଣାମସ୍ୱରୂପ ୧୯୫୩ ମସିହାରେ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ବୋର୍ଡ ଗଠିତ ହୋଇଥିଲା । ଏହାର ପ୍ରଥମ ଅଧ୍ୟକ୍ଷ ଭାବରେ ସେ ବହୁ ସ୍ୱେଚ୍ଛାସେବୀ ସଂସ୍ଥାମାନେ ସହିତ ମିଶି କାମ କରିଥିଲେ ଯାହାର ଉଦ୍ଦେଶ୍ୟ ମହିଳା ଏବଂ ଶିଶୁମାନଙ୍କ ପୁନର୍ବାସ, ଶିକ୍ଷା ଓ ପ୍ରଶିକ୍ଷଣ ଥିଲା।
୧୯୫୩ ମସିହାରେ ସେ ତତ୍କାଳୀନ ଭାରତର ଅର୍ଥମନ୍ତ୍ରୀ ଚିନ୍ତାମଣି ଦେଶମୁଖଙ୍କ ସହ ବିବାହ କରିଥିଲେ ।
୧୯୫୮ ମସିହାରେ ସେ ଭାରତ ସରକାର ପ୍ରତିଷ୍ଠିତ ଜାତୀୟ ମହିଳା ଶିକ୍ଷା ପରିଷଦର ପ୍ରଥମ ଅଧ୍ୟକ୍ଷ ଥିଲେ ।[୩] ୧୯୫୯ ମସିହାରେ ସେ ନିମ୍ନଲିଖିତ ସୁପାରିଶ କରିଥିଲେ—
- କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ଶିକ୍ଷାକୁ ପ୍ରାଥମିକତା ଦେବା ଉଚିତ।
- କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟରେ ମହିଳା ଶିକ୍ଷା ବିଭାଗ ସୃଷ୍ଟି କରାଯିବା ଉଚିତ।
- ପ୍ରତ୍ୟେକ ରାଜ୍ୟରେ ମହିଳା ଶିକ୍ଷା ନିର୍ଦ୍ଦେଶକ ନିଯୁକ୍ତ ହେବା ଉଚିତ।
- ଉଚ୍ଚ ଶିକ୍ଷା ସ୍ତରରେ ସହଶିକ୍ଷା ଉଚିତ ଭାବରେ ବ୍ୟବସ୍ଥା କରିବା ଦରକାର।
- ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ମହିଳା ଶିକ୍ଷା ପାଇଁ ଆଲଗା ଅନୁଦାନ ଦେବା ଦରକାର।
- ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମହିଳାମାନେ ମାଗଣା ଶିକ୍ଷା ପାଇବା ଉଚିତ।
- ବିକଳ୍ପ ବିଷୟ ପାଠ୍ୟକ୍ରମ ମହିଳାମାନଙ୍କ ପାଇଁ ଉପଲବ୍ଧ ହେବା ଦରକାର।
- ପ୍ରଶିକ୍ଷଣ ସୁଯୋଗ ଉଦାର ଭାବରେ ମହିଳାମାନେ ପାଇବା ଉଚିତ।
- ଗ୍ରାମ୍ୟ ଅଞ୍ଚଳରେ ମହିଳା ଶିକ୍ଷାକୁ ଉତ୍ସାହିତ କରିବା ଦରକାର।
- ବିଭିନ୍ନ ସେବାରେ ମହିଳାମାନଙ୍କ ପାଇଁ ବହୁ ସଂଖ୍ୟାରେ ସ୍ଥାନ ଆରକ୍ଷିତ ହେବା ଉଚିତ।
- ପ୍ରାପ୍ତବୟସ୍କ ମହିଳା ଶିକ୍ଷା ପାଇଁ ଉଚିତ ଭାବରେ କାର୍ଯ୍ୟକ୍ରମ ଆରମ୍ଭ ଏବଂ ପ୍ରୋତ୍ସାହିତ ହେବା ଉଚିତ।
ତାଙ୍କ ଏହି ଉତ୍କୃଷ୍ଟ କାର୍ଯ୍ୟ ସ୍ମୃତିରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ, ବିଶାଖାପଟ୍ଟଣମରେ ମହିଳା ଅଧ୍ୟୟନ ବିଭାଗକୁ ଡ଼ା. ଦୁର୍ଗାବାଇ ଦେଶମୁଖ ମହିଳା ଅଧ୍ୟୟନ କେନ୍ଦ୍ର ଭାବେ ନାମିତ କରାଯାଇଛି । ୧୯୬୨ ମସିହାରେ ସେ ଗରିବ ଲୋକଙ୍କ ପାଇଁ ଏକ ନର୍ସିଂ ହୋମ୍ ଆରମ୍ଭ କରିଥିଲେ, ଯାହା ଆଜି ଦୁର୍ଗାବାଇ ଦେଶମୁଖ ହସ୍ପିଟାଲ୍ ନାମରେ ପରିଚିତ । ୧୯୬୩ ମସିହାରେ ସେ ଭାରତୀୟ ପ୍ରତିନିଧିମଣ୍ଡଳ ସଦସ୍ୟ ଭାବେ ୱାଶିଂଟନ୍ ଡି.ସି. ରେ ବିଶ୍ୱ ଖାଦ୍ୟ ସମ୍ମିଳନୀରେ ଯୋଗଦେଇଥିଲେ ।
ତାଙ୍କ ଅଦ୍ୱିତୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ପୁରସ୍କାର ଦେଇ ସମ୍ମାନିତ କରିଥିଲେ ।
୯ ମେ ୧୯୮୧ ରେ ଶ୍ରୀକାକୁଳମ ଜିଲ୍ଲାର ନରସନପେଟାରେ ତାଙ୍କ ଦେହାନ୍ତ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ Deshmukh, Durgabai (1980). Chintaman and I. Allied. p. 1.
I was born on 15 July 1909 in Rajahmundry in the coastal district of East Godavari in Andhra
- ↑ Woman, Her History and Her Struggle for Emancipation
- ↑ Government of India (1959). Report of the National Committee on Women's Education. New Delhi: Government of India.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |