Jump to content

ଦୁର୍ଗାପୁର, ଅନୁଗୋଳ

ଉଇକିପିଡ଼ିଆ‌ରୁ
ଦୁର୍ଗାପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ
ପଞ୍ଚାୟତ ସମିତିଛେଣ୍ଡିପଦା
ଗ୍ରାମ ପଞ୍ଚାୟତଦୁର୍ଗାପୁର
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୯ ୧୪୯ []
Area code+୦୬୭୬୪
ଯାନବାହାନ ପଞ୍ଚୀକରଣOR/୧୯
ଅପରାଜିତା ମା ଦୂର୍ଗା

ଦୁର୍ଗାପୁର ଗ୍ରାମ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ଥାନା ଅଧୀନରେ ଥିବା ଏକ ଗାଆଁ । 'ଭଗବତ କୃପା' ଓ 'ସ୍ବର୍ଗତଃ ଉଚ୍ଛବ ଚନ୍ଦ୍ର ପ୍ରଧାନ'ଙ୍କ ସଦିଚ୍ଛା ଯୋଗୁଁ ଅଗ୍ରଗତି କରିଥିବା ଦୁର୍ଗାପୁର ଗ୍ରାମଟି, ବ୍ରିଟିଶ୍ ଏବଂ ରାଜକୀୟ ସମୟରୁ ଏହାର ଘଞ୍ଚ ଜଙ୍ଗଲ ପାଇଁ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ମାନଙ୍କରେ ଜଣାଶୁଣା । ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ଗ୍ରାମଟି ୩୨(୨୭+୫) କି.ମି. ଦୂରରେ ଅବସ୍ଥିତ । ୫୫ନଂ ଜାତୀୟ ରାଜପଥ ଗ୍ରାମଠାରୁ ମାତ୍ର ୫ କି.ମି. ଦୁରରେ । ଗ୍ରାମର ସୀମାକୁ ଲାଗିଥିବା ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକ ହେଉଛି, ଜରପଡା, ବକଳା, ଭାଗିରଥିପୁର(ଜେରେଙ୍ଗ), କୋରଡା । ଗ୍ରାମର ଆଧ୍ୟାତ୍ମସମ୍ପନ୍ନ ମନ୍ଦିରଗୁଡ଼ିକ ମଧ୍ୟରେ, ମଠମୁଣ୍ଡିଆ ଉପରସ୍ଥ ଅପରାଜିତା ମା ଦୁର୍ଗାଙ୍କ ମନ୍ଦିର, ପ୍ରଧାନ ସାହିସ୍ଥିତ ରାଧାକୃଷ୍ଣ ମନ୍ଦିର, ଚାରିବାଟି ଛକ ନିକଟସ୍ଥ ବୁଢୀଠାକୁରାଣୀ ମନ୍ଦିର ଓ ହରିହର ମନ୍ଦିର ହେଉଛି ଗ୍ରାମର ପ୍ରମୁଖ ଆକର୍ଷଣ । ଗ୍ରାମରେ ଅବସ୍ଥିତ ଓ ଗ୍ରାମ ସମ୍ପର୍କିତ ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ଗ୍ରାମ ଡାକଘର, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଆର. ଆଇ. କାର୍ଯ୍ୟାଳୟ. ଦୂରଦର୍ଶନ ରିଲେ ଟ୍ରାନ୍ସମିଟର(ବର୍ତ୍ତମାନ ଏହାର ସତ୍ତା ହରାଇ ଅଛି), ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଦୁର୍ଗାପୁର କୃଷି ସମବାୟ ସମିତି ଲିଃ, ବିଦ୍ୟାଳୟ ସମୂହ, ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଣୀ ସହାୟକ କେନ୍ଦ୍ର, କୃଷି କାର୍ଯ୍ୟାଳୟ ଇତ୍ୟାଦିର ଗ୍ରାମପ୍ରତି ଅବଦାନ ବହୁଳ ଭାବରେ ଉଲେଖଯୋଗ୍ୟ। ମଠମୁଣ୍ଡିଆ ପାଦଦେଶରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜାମ୍ବୁଆଝରଣ ଏବଂ ମହାବନ୍ଧ ଗଙ୍ଗାମୁଣ୍ଡାର ଗ୍ରାମ-ଜଳସେଚନରେ ପ୍ରମୁଖ ଭୂମିକା ବିଦ୍ୟମାନ । ବ୍ରିଟିଶ୍ ସମୟର ଗୋଟିଏ ଡାକ ବଙ୍ଗଳା ଏଠାରେ ବର୍ତ୍ତମାନ ବିଲୁପ୍ତ ଏବଂ ଗ୍ରାମର ବିଭିନ୍ନ ଲୋକ ସଂସ୍କୃତି ବର୍ତ୍ତମାନ ଅବକ୍ଷୟର ସମ୍ମୁଖୀନ । ନିକଟ ଅତୀତରେ ଓ ବର୍ତ୍ତମାନ ସମୟରେ ଗ୍ରାମଟି ଗୋଟିଏ ଗ୍ରାମ୍ୟ-ଶାନ୍ତି-କମିଟି ଦ୍ୱାରା ଶୃଙ୍ଖଳିତ ଭାବରେ ପରିଚାଳିତ ହୋଇ ଆସୁଅଛି। ସର୍ବୋପରି ଗ୍ରାମଟି ତାହାର ପ୍ରାକୃତିକ ପରିବେଶ ପାଇଁ ସ୍ୱଳ୍ପ ପରିମାଣର ଦର୍ଶକଙ୍କୁ ଆକର୍ଷିତ ଓ ସ୍ୱାଗତ କରେ ।

ଶ୍ରୀ ରାଧାକୃଷ୍ଣ
ଦୁର୍ଗାପୁରର ଗ୍ରାମ୍ୟ ପରିବେଶ

ଭୂଗୋଳ

[ସମ୍ପାଦନା]

ଜଙ୍ଗଲ ଓ ପାହାଡ଼ଦ୍ୱାରା ପରିବେଷ୍ଟିତ ଗ୍ରାମଟି, ଯାହା ପୂର୍ବରୁ ବହୁତ ଘଞ୍ଚ ଜଙ୍ଗଲଦ୍ୱାରା ଆବୃତ ଥିଲା, ପ୍ରାୟ ଜିଲ୍ଲାର ମଧ୍ୟଭାଗରେ ଅବସ୍ଥିତ ଏବଂ ଏହା ଏକ ଉପତ୍ୟକାର ଭ୍ରମ ସୃଷ୍ଟି କରିଥାଏ । ସେଥିପାଇଁ ଗ୍ରାମର ଦୂରତା ପରୋକ୍ଷରେ ଦୂରକରିବା ପାଇଁ ବି.ଏସ.ଏନ.ଏଲ., ଏୟାରଟେଲ୍, ଜିଓ, ଭୋଡାଫୋନ-ଆଇଡିଆ, ଦୂରଦର୍ଶନ ଏବଂ ବିଭିନ୍ନ ଡି.ଟି.ଏଚ. ଗୁଡିକର ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ୍ ସେବା ଉଲ୍ଲେଖନୀୟ । ଗ୍ରାମର ମଧ୍ୟ ଭାଗରେ ଯାଇଥିବା ୨୫କି.ମି. ଦୀର୍ଘତା ବିଶିଷ୍ଟ ବାଳକୃଷ୍ଣ ମାର୍ଗ(ବ୍ରିଟିଶ୍ ସମୟର ହବାକ୍ ରୋଡ଼); ଜରପଡା ଓ ଛେଣ୍ଡିପଦାକୁ ସଂଯୋଗ କରୁଛି । ଉକ୍ତ ଗ୍ରାମଟି ଛେଣ୍ଡିପଦା ତହସିଲ୍, ଦୁର୍ଗାପୁର ଆର୍.ଆଇ. ଅଫିସ୍ ଓ ଜରପଡା ଥାନା ଅନ୍ତର୍ଗତ ।ଦୁଇଟି ଜଙ୍ଗଲ କମିଟିଦ୍ୱାରା ସୁରକ୍ଷିତ ଜଙ୍ଗଲ, ଗ୍ରାମର ଜାଳେଣୀ ଆବଶ୍ୟକତାକୁ କେତେକାଂଶରେପୁରଣ କରିଥାଏ । ମା ବନଦୁର୍ଗା ବନ ସରଂକ୍ଷଣ ସମିତି ଦୁଇ ଜଙ୍ଗଲ କମିଟି ମଧ୍ୟରେ ଅନ୍ୟତମ । ଦୁର୍ଗାପୁର ଫରେଷ୍ଟ ଡିଭିଜନର କାର୍ଯ୍ୟକାରୀ ଅଫିସ୍ ଜରପଡାଠାରେ ଅବସ୍ଥିତ । ଗ୍ରାମଠାରୁ ମାତ୍ର ଆଠ କି.ମି. ଦୂରରେ ବିଖ୍ୟାତ ଅଷ୍ଟଶମ୍ଭୁ ମନ୍ଦିର ଝିନ୍ଟିପାଳଠାରେ ଅବସ୍ଥିତ । ଜାତୀୟ-ରାଜପଥ-୫୫ର ନିକଟତା ଅନୁଯାୟୀ, ଅନୁଗୁଳର ଶୈଳଶ୍ରୀକ୍ଷେତ୍ରଠାରେ ଜଗନ୍ନାଥ ମନ୍ଦିର, ଦେଉଳଝରି ଉଷ୍ଣପ୍ରସ୍ରବଣ ଓ ଟିକରପଡାର ସାତକୋଶିଆ ଗଣ୍ଡ, ଦର୍ଶକମାନଙ୍କ ପାଇଁ ଗ୍ରାମଠାରୁ ଦୂରତା ପ୍ରତିରୋଧକ ହୁଏ ନାହିଁ । ଗୋପାଳପ୍ରସାଦର ହିଙ୍ଗୁଳା ଯାତ୍ରା ଓ କୋଶଳାର ରାମଚଣ୍ଡୀ ଯାତ୍ରା ଗ୍ରାମାଞ୍ଚଳ ରାସ୍ତାରେ ଗ୍ରାମଠାରୁ ନିକଟତର ।

ଜନସଂଖ୍ୟା

[ସମ୍ପାଦନା]

ଭାରତୀୟ ଜନଗଣନା ୨୦୦୧ ଓ ଜିଲ୍ଲା(ଅନୁଗୋଳ) ଜନଗଣନା ସୂଚନା ଅନୁଯାୟୀ ଗ୍ରାମର ସମୁଦାୟ ଜନସଂଖ୍ୟା ୩୮୭୬ | କିନ୍ତୁ ଗ୍ରାମପଞ୍ଚାୟତ ନିର୍ବାଚନ-୨୦୨୨ର ୩୨୪୩ ଭୋଟର ଓ ଶିଶୁମାନଙ୍କୁ ମିଶାଇ ଗ୍ରାମର ଜନସଂଖ୍ୟା ପ୍ରାୟତଃ ୪୫୦୦ ।ଭୋଟର ତାଲିକା-୨୦୨୨ ଅନୁଯାୟୀ ଗ୍ରାମର ସମୁଦାୟ ଭୋଟର ସଂଖ୍ୟା ୩୨୪୩; ଯାହା ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୧୬୭୭ ଓ ମହିଳା ଭୋଟର ସଂଖ୍ୟା ୧୫୬୬ । ଶିକ୍ଷା ଓ ପରିମଳ ବ୍ୟବସ୍ଥା ଯଥାକ୍ରମେ ଦୁର୍ଗାପୁର ଗ୍ରାମର ଅଗ୍ରଗତିକୁ କିମ୍ବା ଉନ୍ନତିକୁ ପ୍ରଭାବିତ କରିଥାଏ । ଗ୍ରାମର ସାକ୍ଷରତା ନିର୍ଭର କରୁଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରେ (୧) ଦୁର୍ଗାପୁର ନୋଡାଲ୍ ଉ.ପ୍ରା. ବିଦ୍ୟାଳୟ (୨) ଟାଙ୍ଗିରିସାହି ଉ.ପ୍ରା. ବିଦ୍ୟାଳୟ (୩) ପାଣସାହି ଉ.ପ୍ରା. ବିଦ୍ୟାଳୟ (୪) ବନଦୁର୍ଗାପଡା ଉ.ପ୍ରା. ବିଦ୍ୟାଳୟ (୫) ଦୁର୍ଗାପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ କେତେକ ଅଙ୍ଗନବାଡି ସେଣ୍ଟରଗୁଡ଼ିକ ପ୍ରମୁଖ । ଜରପଡାସ୍ଥିତ ପତିତପାବନ ମହାବିଦ୍ୟାଳୟ ଗ୍ରାମଠାରୁ ମାତ୍ର ପାଞ୍ଚ କି.ମି. ଦୂରରେ ଅବସ୍ଥିତ; ଯେଉଁ ଶିକ୍ଷାନୁଷ୍ଠାନ ପାଇଁ ଗ୍ରାମର ଉଚ୍ଚ ଶିକ୍ଷା ହାରରେ ପରିବର୍ତ୍ତନ ଆସିଥାଏ । ଗ୍ରାମବାସୀ ମାନଙ୍କ ପାଇଁ ଗ୍ରାମସ୍ଥିତ 'ଉପସ୍ୱାସ୍ଥ୍ୟ କେନ୍ଦ୍ର' ଓ ପଶୁ ମାନଙ୍କ ପାଇଁ 'ପ୍ରାଣୀ ସହାୟକ କେନ୍ଦ୍ର' ଗ୍ରାମର ଅଧିବାସୀ ଓ ପ୍ରାଣୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ପ୍ରଭାବିତ କରେ ।

ରାଜନୀତି

[ସମ୍ପାଦନା]

ଦୁର୍ଗାପୁର ଗ୍ରାମଟି ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ (୬୨) ଓ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ(୦୩)ର ଅନ୍ତର୍ଭୁକ୍ତ, ଯାହା ପୂର୍ବେ ଯଥାକ୍ରମେ ଆଠମଲ୍ଲିକ ଓ ଢେଙ୍କାନାଳ ଥିଲା । ତିନି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ (୧)ଭାରତୀୟ ଜାତୀୟ କଂଗ୍ରେସ , (୨)ଭାରତୀୟ ଜନତା ପାର୍ଟୀ/ବି.ଜେ.ପି. ଓ (୩) ବିଜୁ ଜନତା ଦଳ/ବି.ଜେ.ଡି. ।ଏଠାରେ କଂଗ୍ରେସ ଓ ବି. ଜେ.ଡି. ଅତୀତରେ ଅଧିକ ସମୟ ଶାସନରେ ଥିବାବେଳେ, ବି.ଜେ.ପି. ଗ୍ରାମର ସଂସ୍କୃତି ଓ ସମ୍ମାନକୁ ସୁରକ୍ଷା ଦେବାପାଇଁ ଭରସା ଦିଏ ଓ ବି.ଜେ.ପି. ବର୍ତ୍ତମାନ ସମୟରେ ଶାସନ ଗାଦିରେ ଅବସ୍ଥାପିତ । ବି.ଜେ.ପି.ର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ରୁଦ୍ର ନାରାୟଣ ପାଣି ଉପରୋକ୍ତ ଗ୍ରାମ ଓ ଆଖପାଖ ଅଂଚଳଗୁଡ଼ିକ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିଥାନ୍ତି । ଶିଳ୍ପ ପ୍ରଭାବିତ ଗ୍ରାମ ଗୁଡିକରେ କମ୍ୟୁନିଷ୍ଟ ସମର୍ଥିତ ଏସ.ୟୁ.ସି.ଆଇ ପାର୍ଟୀର ଭୂମିକା ମଧ୍ୟ ଉଲେଖନୀୟ । କିନ୍ତୁ ଶିକ୍ଷା ଓ ସଚେତନତାର ଅଭାବ ଗ୍ରାମର ପ୍ରକୃତ ଉନ୍ନତିରେ ବ୍ୟାଘାତ ସୃଷ୍ଟି କରିଥାଏ । ଗ୍ରାମପଞ୍ଚାୟତ ନିର୍ବାଚନ ୨୦୨୨ ଅନୁଯାୟୀ ଗ୍ରାମର ଭୋଟର୍ ସଂଖ୍ୟା ୩୨୪୩(ପୁରୁଷ:୧୬୭୭, ସ୍ତ୍ରୀ:୧୫୬୬) ।

ପୋଲିଂର ସୁବିଧା ପାଇଁ ଦୁର୍ଗାପୁର ଗ୍ରାମ ପଞ୍ଚାୟତଟିକୁ ୧୪ଟି ୱାର୍ଡରେ ବିଭକ୍ତ କରାଯାଇ ଅଛି ।

ସଂସ୍କ୍ରୁତି

[ସମ୍ପାଦନା]

ଓଡ଼ିଆମାନଙ୍କର ବାର ମାସରେ ତେର ପର୍ବ । ତେଣୁ ଗ୍ରାମବାସୀମାନେ ଭାଦ୍ରବ ମାସରେ ଗ୍ରାମ/ଭାଦ୍ରବ ପୂଜା, ଆଶ୍ୱିନ ମାସରେ ଦଶହରା/ଦୁର୍ଗାପୁଜା, କାର୍ତ୍ତିକ ମାସରେ ଧବଳେଶ୍ୱର /ବଡ଼-ଓଷା, ପଞ୍ଚୁକ ଏବଂ କାର୍ତ୍ତିକ ପୂର୍ଣିମା, , ଫାଲ୍ଗୁନ ମାସରେ ଶିବରାତ୍ରୀଦୋଳ/ଫାଲ୍ଗୁନ ଯାତ୍ରା ,ବୈଶାଖ ମାସରେ ଚନ୍ଦନଯାତ୍ରା ଇତ୍ୟାଦି ବର୍ତ୍ତମାନ ସମୟରେ ନିରାଡମ୍ବର ଭାବରେ ପାଳନ କରିଥାନ୍ତି । ଅନ୍ୟାନ୍ୟ ଓଡ଼ିଆ ଆଧ୍ୟାତ୍ମିକ ପର୍ବପର୍ବାଣିଗୁଡ଼ିକ ମଧ୍ୟରେ ପଣା ସଂକ୍ରାନ୍ତି/ହନୁମାନ ଜୟନ୍ତୀ, ଅକ୍ଷୟ ତୃତୀୟା /ମୁଠୀ-ଅନୁକୁଳ, ରଜ ପର୍ବ, ରାଖୀ ପୂର୍ଣିମା , ଖୁଦୁରୁକୁଣୀ ଓଷା, ଶ୍ରୀ ଗଣେଶପୂଜା, ଗର୍ଭଣା ସଂକ୍ରାନ୍ତି, କୁମାର ପୂର୍ଣିମା, ଦୀପାବଳୀ, ପ୍ରଥମାଷ୍ଟମୀ , ମାଣବସା ଗୁରୁବାର ଓଷା, ପୌଷ ପୂର୍ଣିମା, ମକର ସଂକ୍ରାନ୍ତି , ସରସ୍ୱତୀ ପୂଜା, ହୋଲି ଏବଂ ବାସନ୍ତିକ ଦୁର୍ଗାପୂଜା ମଧ୍ୟ ଗ୍ରାମବାସୀମାନଙ୍କଦ୍ୱାରା ସାଧାରଣତଃ ନିରାଡମ୍ବର ଭାବରେ ପାଳିତ ହୋଇଥାଏ । ପୂର୍ବ ସମୟର ତଥା ଗ୍ରାମର ପ୍ରସିଦ୍ଧ ଓଡ଼ିଶୀ ସଙ୍କୀର୍ତ୍ତନ ମଣ୍ଡଳୀ ବର୍ତ୍ତମାନ ତାହାର ସ୍ଥିତି ବଜାୟ ରଖିଥିଲେ ମଧ୍ୟ ଏହା ସମୟାଭିମୁଖୀ ଓ ବିଲୁପ୍ତପ୍ରାୟ ଅବସ୍ଥାରେ |

ଦୁର୍ଗାପୁର ଗ୍ରାମବାସୀ ମାନଙ୍କର ଖାଦ୍ୟାଭ୍ୟାସ ପ୍ରାୟତଃ ଓଡ଼ିଶାବାସୀଙ୍କ ଖାଦ୍ୟାଭ୍ୟାସ ସହିତ କେତେକାଂଶରେ ସମାନତା ଦେଖାଯାଏ । 'ପଖାଳ' ଓ ତତ ସଂଲଗ୍ନ ଖାଦ୍ୟ ଦୁର୍ଗାପୁର ଗ୍ରାମର ଅଧିବାସୀ ମାନଙ୍କର ଦୈନନ୍ଦିନ ଖାଦ୍ୟ ଅଟେ ।ଚକୁଳି ପିଠା, ପୋଡ ପିଠା, କାକରା ପିଠା , ମଣ୍ଡା ପିଠା, ଆରିଷା ପିଠା, ଏଣ୍ଡୁରି ପିଠା, ତାଳ ବରା ଇତ୍ୟାଦି ଉକ୍ତ ଗ୍ରାମବାସୀ ମାନଙ୍କର ଉତ୍ସବ ତଥା ପର୍ବ ପର୍ବାଣି ସମୟର ଖାଦ୍ୟ ଅଟେ ।

ଗ୍ରାମ, ଜିଲ୍ଲା ଓ ରାଜ୍ୟ ଉର୍ଦ୍ଧ୍ୱ କ୍ରମରେ ଲୋକମାନଙ୍କର ମୁଖ୍ୟ ପେଷା କୃଷି ଅଟେ । ଧାନ ଓ ରବିଫସଲ ଚାଷ ସହିତ ପନିପରିବା ଉତ୍ପାଦନ ଗ୍ରାମବାସୀ ମାନଙ୍କର ମୁଖ୍ୟ ଆୟ ଓ କାର୍ଯ୍ୟଧାରା ଅଟେ ।ଗ୍ରାମ୍ୟ ଅଧିବାସୀ ମାନଙ୍କର ଅତୀତର ହଳ ଲଙ୍ଗଳଦ୍ୱାରା ଚାଷ, ବର୍ତ୍ତମାନ ସମୟରେ ଧିରେ ଧିରେ କଳ ଲଙ୍ଗଳ ଚାଷ ଆଡକୁ ଅଗ୍ରସର ହେଉଅଛି । କିନ୍ତୁ କ୍ଷୁଦ୍ର ଅକାରର ଚାଷଜମି, କୃଷକର କଳ ଲଙ୍ଗଳ ଚାଷରେ ବ୍ୟାଘାତ ସୃଷ୍ଟି କରୁଅଛି ।ବର୍ତ୍ତମାନ ସମୟରେ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ବାରମ୍ବାର ପ୍ରସ୍ତାବିତ ଶିଳ୍ପ ଯୋଜନା, କୃଷକର ମେରୁଦଣ୍ଡକୁ ଦୋହଲାଇ ଦେଉଛି ଓ ତାହାର ମନୋବଳ ଭାଙ୍ଗି ଦେଉଛି । କୃଷକ ତାହାର ଜମି ଚାଷ ସମୟରେ ଗାଉଥିବା କିଛି ଲୋକଗୀତ, ଯାହା ତାକୁ ବହୁତ ଭାବରେ ସାହସ ଯୋଗାଇ ଥାଏ, ବର୍ତ୍ତମାନ ତାହା ବିଲୁପ୍ତପ୍ରାୟ । ସର୍ବୋପରି ବର୍ତ୍ତମାନ ସମୟରେ ମଧ୍ୟ କୃଷକ ଦୁର୍ଦ୍ଦଶା ମଧ୍ୟଦେଇ ଗତି କରୁଛି । କୃଷକକୁ ସହାୟତା କରିବା ପାଇଁ ଗ୍ରାମରେ ଗୋଟିଏ ପଞ୍ଚାୟତ ସ୍ତରୀୟ କୃଷି କାର୍ଯ୍ୟାଳୟ ମଧ୍ୟ ଅଛି ।

  1. "PinCode: DURGAPUR, ANGUL, ORISSA, India, Pincode.net.in". pincode.net.in. 2012. Retrieved 14 May 2012. Details of Post Office DURGAPUR, ANGUL