ଦଶହରା ବଳଦ ଯାତ୍ରା

ଉଇକିପିଡ଼ିଆ‌ରୁ

ଦଶହରା ବଳଦ ଯାତ୍ରା ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମରେ ଥୋଡିଆ ଓ ବଳଦିଆ ଜାତି ଲୋକଙ୍କଦ୍ୱାରା ପାଳନ ହେଉଥିବା ଏକ ଭିନ୍ନ ଢଙ୍ଗର ଦଶହରା ପର୍ବ । ଏହି ଯାତ୍ରାରେ ଲୋକେ ବଳଦମାନଙ୍କୁ ଆଦର ସହକାରେ ପୂଜାର୍ଚ୍ଚନା କରି ଭସାଣି ଶୋଭାଯାତ୍ରାରେ ସାମିଲ କରିଥାନ୍ତି ।

‘ଭୋବନା’ ନାମକ ଏକ ଗଣ୍ଡ (ଜାତି)ଙ୍କ ମତରେ ରାଣୀ ଭୁବନା ସୁନ୍ଦରୀଙ୍କ ନାମରୁ ଏଇ ଗାଁର ନାମକାରଣ ହୋଇଛି । ଦକ୍ଷିଣ ଏସିଆର ସବୁଠୁ ବଡ଼ ଗ୍ରାମ ଭାବେ ପରିଚିତ । ଗାଁଟି ୧୯୭୨ ମସିହାରେ ଏନଏସିର ମାନ୍ୟତା ପାଇଥିଲା । ଗାଁଟିରେ ପ୍ରାୟ ୩୬ ପାଟକ ବା ଜାତିର ଲୋକ ବାସ କରନ୍ତି । ଭାଇଚାରା ଓ ସଦ୍ଭାବ ବଜାୟ ରଖି ପିଢ଼ି ପରେ ପିଢ଼ି ଖାଣ୍ଟି ଓଡ଼ିଆ ପର୍ବ ଦଶହରାକୁ ଏକ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି ଗ୍ରାମବାସୀ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଦଶହରା ପାଳନ ହେଉଥିବା ବେଳେ ଭୁବନ ଦଶହରାରେ ବଳଦ ହିଁ ମୁଖ୍ୟ ଆକର୍ଷଣ ସାଜିଥାଏ । ଦଶହରାରେ ବଡ଼ ବଡ଼ ବଳଦକୁ ସଜାଯାଇ ପୂଜାର୍ଚ୍ଚନା କରି ଗାଁ ବୁଲାଯାଇଥାଏ । ଦଶହରା ଶେଷ ଅର୍ଥାତ ଭସାଣୀ ଦିନ ବଳଦମାନଙ୍କୁ ଶୋଭାଯାତ୍ରା ସାମିଲ କରାଯାଇଥାଏ ।

କିମ୍ବଦନ୍ତି[ସମ୍ପାଦନା]

ବଣିଜ ବେପାରକୁ ଶୁଭ ଓ ସଫଳ କରିବା ପାଇଁ ବଣିଜାରୀ ଦେବୀଙ୍କୁ ବହୁକାଳରୁ ଏଠାରେ ପୂଜା କରିବାର ପ୍ରଥା ଅଛି । କିମ୍ବଦନ୍ତୀ କୁହେ, ପୂର୍ବେ ଏହି ଗାଁର ଥୋଡ଼ିଆବଣିଆ ସମ୍ପ୍ରଦାୟର ବ୍ୟବସାୟୀମାନେ ଶଗଡ଼ ଗାଡ଼ି ସାହାଯ୍ୟରେ ଯାତାୟତ ଓ ଜିନିଷ ପରିବହନ କରୁଥିଲେ । ବଳଦିଆ ଜାତିର ଲୋକେ ଶଗଡ଼ ଚଳାଉ ଥିଲେ । ବଳଦଙ୍କ ଲାଗି ଆଖ ପାଖ ଅଂଚଳରେ ବ୍ୟବସାୟ ବଣିଜ ଭଲ ଚାଲିଥିଲା । ଦଶହରା ସମୟରେ ବ୍ୟବସାୟ ହିସାବ କିତାବ, ଦୋକାନ ସାଜ୍ଜ ସଜ୍ଜା, ଖାତା ପୂଜା ଆଦି ହେଉଥିବା ଯୋଗୁଁ ବ୍ୟବସାୟ କିଛିଦିନ ସ୍ଥଗିତ ରହିବା ଫଳରେ ବଳଦଙ୍କୁ ବିଶ୍ରାମ ମିଳେ । ତେଣୁ ଗ୍ରାମବାସୀ ଏହି ସମୟରେ ବଳଦଙ୍କୁ ଶ୍ରଦ୍ଧା ଓ ଆଦର ପୂର୍ବକ ଖାଇବା ଏବଂ ସମ୍ମାନ ଦେଇଥାନ୍ତି । ବଳଦଙ୍କୁ ମାଳି, ଅଳଙ୍କାର, ଘଣ୍ଟି, ଘାଗୁଡ଼ି, ପର, ରଙ୍ଗୀନ ଭେଲଭେଟ କନା ଆଦିରେ ସୁସଜ୍ଜିତ କରି ଗ୍ରାମଦେବତୀଙ୍କ ପାଖକୁ ନେଇ ପୂଜାର୍ଚ୍ଚନା କରିଥାନ୍ତି । ମନ୍ଦିର ଚାରିପଟେ କିଛି ଘେରା ବୁଲେଇ ଘରକୁ ଆଣନ୍ତି । [୧]

ବଳଦ ବନ୍ଦାପନା[ସମ୍ପାଦନା]

ବଣିଜ ବେପାରକୁ ଶୁଭ ଓ ସଫଳ କରିବା ପାଇଁ ମା’ ବଣିଜାରୀ ଦେବୀଙ୍କୁ ବହୁକାଳରୁ ଏଠାରେ ପୂଜା କରିବାର ପ୍ରଥା ଅଛି । ମହାଳୟା ପୂର୍ବରୁ ଥୋରିଆ ଓ ବଳଦିଆ ଜାତିର ସ୍ତ୍ରୀ ଲୋକମାନେ ଘରଦ୍ୱାର ଲିପାପୋଛା କରିବା ପରେ ଖଣ୍ଡା, ମାଣ, ତାମ୍ବି, ଘଣ୍ଟ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସଫା କରି ପୂଜାର୍ଚ୍ଚନା କରି ରଖିଥାଆନ୍ତି । ପରିବାରର ସମସ୍ତେ ନୂଆ ପରିଧାନ କରି ଦଶ ଜାତିର ଫୁଲ, ଫଳ ଏବଂ ଆରିସା ପିଠା ପ୍ରସ୍ତୁତ କରି ଗାଁ ମା’ ମଙ୍ଗଳାଙ୍କୁ ପୂଜା କରାଯାଏ । ଘର ଦୁଆର ଓ ଅଗଣାରେ ଝୋଟି-ମୁରୁଜ ବୁଣାଯାଏ । ପ୍ରତ୍ୟେକ ଘରକୁ ସାଜସଜ୍ଜା ସହ ଘର ସମ୍ମୁଖରେ ପୂର୍ଣ୍ଣ କଳସ ରଖାଯାଏ । ପର୍ବର ପ୍ରଥମ ଦିନ ଅର୍ଥାତ ବିଜୟା ଦଶମୀରେ ଶୁଭଖୁଣ୍ଟ ବା ବନ୍ଦାଣଖୁଣ୍ଟକୁ ପୂଜାର୍ଚ୍ଚନା କରାଯାଏ । ଏହି ଖୁଣ୍ଟକୁ ପର୍ବ ପୂର୍ବରୁ ମଙ୍ଗଳବାର କିମ୍ବା ସଂକ୍ରାନ୍ତି ତିଥିରେ ସାହି ଦାଣ୍ଡରେ ସ୍ଥାପନ କରାଯାଏ । ମା’ଙ୍କ ଆସ୍ଥାନରେ ନାଲି ରଙ୍ଗରେ ପିଠଉର ଚିତା କୁଟା, ଫୁଲହାର ସିନ୍ଦୁର ଶୋଭିତ ଏକ ଖୁଣ୍ଟକୁ ପୂଜା କରାଯାଏ । ବର୍ଷଯାକ ଏହା ଥାଏ ଏବଂ ନୂଆ ଖୁଣ୍ଟ ପୋତା ହେବା ପରେ ପୁରୁଣା ଖୁଣ୍ଟକୁ ପାଣିରେ ବିସର୍ଜନ କରାଯାଏ । ଘରର ମହିଳାମାନେ ବନ୍ଦାଣ ଖୁଣ୍ଟକୁ ପୂଜା କରିଥାଆନ୍ତି । ବନ୍ଦାଣ ଖୁଣ୍ଟରେ ବଳଦକୁ ବନ୍ଧାଯିବା ସମୟେ ଅଇଁଠା ଖାଦ୍ୟ ଦିଆଯାଇନଥାଏ । ବଳଦକୁ ବନ୍ଦାଣ ଖୁଣ୍ଟରେ ବନ୍ଧାଯିବା ସମୟରେ କେହି ବାହାର ଲୋକ ସ୍ପର୍ଶ କରନ୍ତି ନାହିଁ । ସ୍ପର୍ଶ କଲେ ବଳଦ ଅମାନିଆ ହେବାର ଭୟ ଥାଏ । ତେଣୁ ବଳଦକୁ ଉକ୍ତ ଖୁଣ୍ଟରୁ ଖୋଲିଦିଆଯିବା ପରେ ଆଉ କୌଣସି ଛୁଆଁଅଛୁଆଁ ଭେଦଭାବ ନଥାଏ ।[୨] ବଳଦ ନ ହୁରୁଡ଼ିବା ପାଇଁ ଖୁଣ୍ଟପୂଜା ମାଧ୍ୟମରେ ବଳଦକୁ ମନ୍ତୁରା ଯାଏ । ରାତ୍ରୀ ପଟୁଆରର ଉଚ୍ଚ ଧ୍ୱନି ମଧ୍ୟରେ ବଳଦଟି ୩/୪ କିମି ଚାଲି ଚାଲି ଯିବାକୁ ହୁଏ । ବଳଦଟି ଉଚ୍ଚ ଶବ୍ଦ ସହ ପରିଚିତ ହେଲେ ଯାଇ ଶୋଭାଯାତ୍ରାରେ ଭାଗନେଇପାରେ । ପ୍ରଶିକ୍ଷଣ ପାଇବା ପରେ ସେହି ବଳଦ ଆଉ ହୁରୁଡ଼ି ନଥାଏ ।

ଭସାଣି ଶୋଭାଯାତ୍ରା[ସମ୍ପାଦନା]

ଏଥିରେ ବଣିଜାରୀ ଦେବୀଙ୍କ ଏକ ବିଶାଳ ଟାହିଆକୁ ଚାରିଜଣ ଲୋକ ବଳଦଙ୍କ ଉପରେ ଥୋଇ ପଟୁଆରରେ ବାହାରନ୍ତି । ଏହି ପଟୁଆରରେ ଦେଉଳର ସେବକ ଓ ଗ୍ରାମବାସୀ ଯୋଗ ଦେଇଥାନ୍ତି ଓ ଏହା ରାତିସାରା ଚାଲିଥାଏ । ପଟୁଆର ଶେଷରେ ସଭିଏଁ ବଣିଜାରୀ ଦେବୀ ଦେଉଳ ସମ୍ମୁଖରେ ଏକାଠି ହୋଇଥାନ୍ତି ।[୩] ଦଶହରା ଶେଷ ଦିନ ବଳଦଯାତ୍ରା, ଦୁର୍ଗାମେଢ଼ ଭସାଣି ଯାତ୍ରା ଓ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ପାଲାମଣ୍ଡପଠାରେ ରାତି ୯ଟାରେ ରାବଣପୋଡ଼ି କାର୍ଯ୍ୟକ୍ରମ ଶେଷ ହେବା ପରେ ରାତି ୧୦ଟାରେ ଦୁର୍ଗାମେଢ଼ ଓ ବିଭିନ୍ନ ସାହିରୁ ଦଶରା ବଳଦ ଶୋଭାଯାତ୍ରାରେ ବାହାରି ଗୁଜୁରୀହାଟଠାରେ ଏକତ୍ରିତ ହୋଇ ଭସାଣୀଯାତ୍ରା ଆରମ୍ଭ କରିଥାନ୍ତି । ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ସୁସଜ୍ଜିତ ବିମାନ ଓ ଦଶହରାବଳଦ, ଦୁର୍ଗାମେଢ଼ ଆଗରେ କ୍ରମାନ୍ୱୟରେ ଦୁର୍ଗାଛକ, ଲକ୍ଷ୍ମୀଛକ, ଚମାରସାହି, ବଣିଆସାହି, ବ୍ରାହ୍ମଣୀଦେବୀ ଛକ, ରାଉତ ସାହି, ବେହେରା ସାହି, ବାଜିଛକ, ବଡ଼ହାଟ, ଗଣେଶବଜାର ଦେଇ ପରଦିନ ସକାଳେ ନୂଆବଜାରଠାରେ ପହଞ୍ଚିଥାଆନ୍ତି । ସର୍ବପ୍ରଥମେ ଭୁବନର ଐତିହାସିକ ବଳଦଯାତ୍ରାର ସ୍ରଷ୍ଟା ଥୋରିଆ ସମାଜଙ୍କ ଆରାଧ୍ୟ ଦେବୀ ବଣିଜାରୀଙ୍କ ପରେ ଭୁବନର ପ୍ରଥମ ଦୁର୍ଗାମେଢ଼ ବନଦୁର୍ଗା, ନୂଆଭୁବନ, ହରପାର୍ବତୀ, ବାଜିଛକ, ପୋଥାଳ ସାହି, ସେନସାହି, କ୍ଲାସିକ କ୍ଳବ, ଗଡ଼ଗଁପୁର, ହାଟୁଆବଣିକ ସଂଘ ଓ ଶେଷରେ ଗୁଜୁରୀହାଟ ଦେଶ ଦୁର୍ଗା ମେଢ଼ ପହଞ୍ଚିବା ପରେ ନୂଆବଜାରରେ ମେଳଣ ହୋଇଥାଏ । ମେଳଣ ପରେ ମା ଦୁର୍ଗା ମେଲାଣି ନେଇଥାନ୍ତି । ଦଶରା ବଳଦଯାତ୍ରାରେ ବାଘନାଚ, ଷଣ୍ଢ ଲଢ଼େଇ, ଲୋକନୃତ୍ୟ ସାଙ୍ଗକୁ ଶିଙ୍ଗବାଜା,ବୀର ବାଦ୍ୟ, ଅର୍କେଷ୍ଟ୍ରା, ଡିଜେ ଶବ୍ଦରେ ଭୁବନ କମ୍ପିଥାଏ ।[୪]

ଭୁବନର ଐତିହାସିକ, ପାରମ୍ପରିକ ଓ ଗଣପର୍ବ ଭାବେ "ଦଶହରା ବଳଦ ଯାତ୍ରା" ଓ ଦୁର୍ଗାମେଢ଼ ଭସାଣୀ ଯାତ୍ରା ଜଣା । ଏହି ଯାତ୍ରା ଦେଖିବାକୁ ଆଖପାଖ ଗାଁ ଗଣ୍ଡା ସହିତ ପଡ଼ୋଶୀ ଜିଲ୍ଲା ଅନୁଗୁଳ, ଯାଜପୁର, କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରୁ ଲୋକଙ୍କ ସମାଗମ ହୋଇଥାଏ । ଭଦ୍ରକ ଜିଲ୍ଲାର ଏକ ସ୍ଥାନ ବାରୋ-ନୁଆପାଟଣାରେ ମଧ୍ୟ ଏପରି ପରମ୍ପରା ଦେଖିବାକୁ ମିଳେ ।

ଆଧାର[ସମ୍ପାଦନା]

  1. http://www.bhubaneswarbuzz.com/citizen-bloggers/daily-column/odiapost-bhubana-south-asia-largest-village-durgapuja-baladajatra-dussehra
  2. "ଭୁବନର ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା". odiaspotnews.in. Retrieved 3 October 2016.
  3. Gopinath Mohanty; Harish Chandra Das, Amiya Kumar Pattanayak, Haripada Satpathy, State Level Vyasakabi Fakir Mohan Smruti Samsad; Santosha Kumāra Ratha. Cultural Heritage of [Orissa]: Dhenkanal. State Level Vyasakabi Fakir Mohan Smruti Samsad.{{cite book}}: CS1 maint: multiple names: authors list (link)
  4. "ବାଘନାଚ, ଶିଙ୍ଗବାଜା ଓ ଡିଜେ ସାଉଣ୍ଡରେ କମ୍ପିଲା ଭୁବନ - ପ୍ରସିଦ୍ଧ ବଳଦ ଯାତ୍ରା ଓ ଦୁର୍ଗାମେଢ଼ ଭସାଣୀ ଯାତ୍ରା ଶେଷ, ଲକ୍ଷାଧିକ ଲୋକଙ୍କ ସମାବେଶ". Odiapua.com. Retrieved 3 October 2016.