ଥିଓଡ଼ୋଲାଇଟ

ଉଇକିପିଡ଼ିଆ‌ରୁ
(ଥିଓଡୋଲାଇଟ୍ରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

A direct readout theodolite, manufactured in the Soviet Union in 1958 and used for topographic surveying
A student using a Theodolite in field

ଥିଓଡ଼ୋଲାଇଟ (/θˈɒdəlt/) ଏକ ଅପ୍ଟିକାଲ ଉପକରଣ ଯାହାକି ଭୂସମାନ୍ତର ଏବଂ ଭୂଲମ୍ବ ସମତଳରେ ଥିବା କୌଣସି ଏକ ଦୃଶ୍ୟମାନ ବିନ୍ଦୁ ମଧ୍ୟରେ କୋଣ ମାପିବା ପାଇଁ ବ୍ୟବହାର କରାଯାଏ । ରାସ୍ତାଘାଟ ତିଆରି କିମ୍ବା ଜମି ସର୍ଭେ ସମୟରେ ଏହି ଯନ୍ତ୍ରର ବହୁଳ ବ୍ୟବହାର କରାଯାଇଥାଏ । ଏହାକୁ ଗୋଟିଏ ତ୍ରିପଦ ଷ୍ଟାଣ୍ଡ ଉପରେ ରଖାଯାଇଥାଏ ଏବଂ ଏହାକୁ ଏ ପାଖ ସେପାଖ ବା ଉପର ତଳ କରି ସର୍ଭେ କାମ କରାଯାଏ । ରାସ୍ତାଟି ଗୋଟିଏ ଦିଗକୁ କେତେ ବେଙ୍କଇ ଯାଇଥାଏ, କେତେ ଉଠାଣି ବା ଗଡ଼ାଣି ହୋଇଥାଏ ତାହା ଏହା ସାହାଯ୍ୟରେ ଜଣାପଡ଼େ । ଟନେଲ ତିଆରି, ସିଭିଲ୍ ଇଞ୍ଜିନିୟରିଂ କାମରେ ମଧ୍ୟ ଏହାର ଆବଶ୍ୟକ ହୁଏ । ଜ୍ୟୋତିର୍ବିଜ୍ଞାନୀମାନେ ଏହାକୁ ବ୍ୟବହାର କରି ମହାକାଶରେ ରହିଥିବା ଦୁଇ ଗୋଟି ପିଣ୍ଡ ମଧ୍ୟରେ କୋଣ ମାପ କରନ୍ତି । ସେଥିରୁ ସେମାନଙ୍କ ମଧ୍ୟରେ ରହିଥିବା ଦୂରତା ଜଣାପଡ଼େ । ପୃଥିବୀରୁ ଚନ୍ଦ୍ରର ଦୂରତା ବି ଏହା ସାହାଯ୍ୟରେ ମାପ କରାଯାଇପାରେ । ମାନଚିତ୍ର ତିଆରି କରିବା ସମୟରେ ଏହାର ଲୋଡ଼ା ପଡ଼େ । ପୃଥିବୀପୃଷ୍ଠରେ ଅବସ୍ଥିତ ଦୁଇଗୋଟି ସ୍ଥାନ ମଧ୍ୟରେ ଦୂରତା ଓ ଦିଗ ଏହା ସାହାଯ୍ୟରେ ନିରୂପଣ କରାଯାଇଥାଏ । ଦୂରରେ ଥିବା ଅଟ୍ଟାଳିକାଟିର ଥିଓଡ଼ୋଲାଇଟ୍ ଯୋଗେ କୌଣିକ ଉନ୍ନତି ମାପ କରି ତାହାର ଉଚ୍ଚତା ଓ ଦୂରତା ନିର୍ଣ୍ଣୟ କରାଯାଇ ପାରିବ ।[୧]

ପ୍ରଥମେ ୧୫୭୧ ମସିହାରେ ଇଂରେଜ ଗଣିତଜ୍ଞ ଲିଓନାର୍ଡ଼ ଡିଗେସ୍ ସର୍ଭେ ଉପରେ ଗୋଟିଏ ପୁସ୍ତକ ଲେଖିଥିଲେ । ସେଥିରେ ସେ ଥିଓଡୋଲାଇଟ୍ ଉପରେ ଧାରଣା ଦେଇଥିଲେ ।[୨][୩] ତେବେ ୧୫୭୬ ମସିହାରେ ଜର୍ମାନୀର ଜୋଶୁଆ ହାବେର୍ମେଲ ପ୍ରଥମେ ଗୋଟିଏ ଥିଓଡୋଲାଇଟ୍ ବାହାର କରିଥିଲେ । ଏହି ଯନ୍ତ୍ରଟିରେ ଅନେକ ପରିବର୍ତ୍ତନ ଆଣିବା ପରେ ଆଧୁନିକ ଥିଓଡୋଲାଇଟ୍ ସମ୍ଭବ ହେଲା । ଏହି ଯନ୍ତ୍ରର ମୁଖ୍ୟ ଅଂଶ ହେଉଛି ଗୋଟିଏ ଟେଲିସ୍କୋପ । ଏହାକୁ ଗୋଟିଏ ଘୂର୍ଣ୍ଣନଶୀଳ ଚକତି ଉପରେ ପ୍ରତିଷ୍ଠା କରାଯାଇଥାଏ । ଏହା ଚକତିଟି ଉଭୟ ଭୂସମାନ୍ତର ଓ ଭୂ-ଲମ୍ବ ଭାବରେ ଘୂରିପାରୁଥାଏ । ଟେଲିସ୍କୋପଟିକୁ ନିର୍ଭୁଲ ଭାବେ ସମତଳ କରି ରଖିବା ପାଇଁ ସ୍ପିରିଟ୍ ଲେବଲ ବ୍ୟବହାର କରାଯାଇଥାଏ । ଥିଓଡୋଲାଇଟ୍ରେ ଦୁଇଗୋଟି ସ୍କେଲ ବ୍ୟବହାର କରାଯାଇଥାଏ । ଗୋଟିଏ ସ୍କେଲ ଭୂଲମ୍ବ କୋଣ ମାପରେ ଲାଗିଥାଏ । ଅନ୍ୟ ସ୍କେଲଟି ଭୂସମାନ୍ତର କୋଣ ମାପ ପାଇଁ ବ୍ୟବହୃତ ହୁଏ । ଟେଲିସ୍କୋପଟିର ଘୂର୍ଣ୍ଣନ ପରିମାଣରୁ ଭୂଲମ୍ବ ଓ ଭୂସମାନ୍ତର କୋଣ ମାପ କରାଯାଇଥାଏ । ଜ୍ୟାମିତିକ ସୂତ୍ର ବ୍ୟବହାର କରି ଏଥିରୁ ଦୂରତା ଓ ଅନ୍ୟାନ୍ୟ ମାପ କରାଯାଏ । ଏହି ଥିଓଡୋଲାଇଟ୍ରେ ଆଲୋକ ରଶ୍ମି ବ୍ୟବହାର କରାଯାଇଥାଏ । ମାତ୍ର ଆଜିକାଲି ଅତ୍ୟାଧୁନିକ ଥିଓଡୋଲାଇଟ୍ରେ ଆଲୋକ ବଦଳରେ ଲେଜର ରଶ୍ମି ବ୍ୟବହାର କରାଯାଉଛି । ଏହା ସାହାଯ୍ୟରେ ଅତି ନିର୍ଭୁଲ ଭାବରେ ଭୂଲମ୍ବ କୋଣ ଓ ସମାନ୍ତରାଳ କୋଣ ମାପ କରାଯାଇଥାଏ । ଏହାକୁ ମୁଖ୍ୟତଃ ରକେଟ ଉତ୍‌କ୍ଷେପଣ, ପାଣିପାଗ ପର୍ଯ୍ୟବେକ୍ଷଣ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ।


ଆଧାର[ସମ୍ପାଦନା]

  1. Thyer, Norman (March 1962). "Double Theodolite Pibal Evaluation by Computer". Journal of Applied Meteorology and Climatology. 1 (1): 66–68. doi:10.1175/1520-0450(1962)001<0066:DTPEBC>2.0.CO;2.
  2. Daumas, Maurice, Scientific Instruments of the Seventeenth and Eighteenth Centuries and Their Makers, Portman Books, London 1989 ISBN 978-0-7134-0727-3
  3. "Theaomai - Greek Lexicon". Archived from the original on 2008-12-08. Retrieved 2020-07-18.

ବାହାର ଲିଙ୍କ[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Theodolites-ସମ୍ପର୍କିତ ମିଡ଼ିଆ