ତାରାବତୀ କାହାଣୀ (ବତ୍ରିଶ ସିଂହାସନ)

ତାରାବତୀ କାହାଣୀ ବତ୍ରିଶ ସିଂହାସନର ଅଷ୍ଟାଦଶ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[୧]
ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ଅଷ୍ଟାଦଶ ଦିନ ଯେତେବେଳେ ସେହି ସିଂହାସନର ଅଷ୍ଟାଦଶ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ତାରାବତୀ ନାମକ ଅଷ୍ଟାଦଶ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[୨]
ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ଅଷ୍ଟାଦଶ ପ୍ରତିମା ତାରାବତୀ ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ଅଷ୍ଟାଦଶ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[୩][୪]
ଅଷ୍ଟାଦଶ କାହାଣୀ
[ସମ୍ପାଦନା]ଅଠରତମ ପ୍ରତିମା ତାରାମତୀ ଯେଉଁ କଥା କହିଲେ, ସେ କଥା ଏପରି ଥିଲା—
ରାଜା ବିକ୍ରମାଦିତ୍ୟ ବିଦ୍ୱାନ୍ ଓ କଳାକାରମାନଙ୍କୁ ବହୁତ ସମ୍ମାନ ଦେଇଥିଲେ । ତାଙ୍କ ଦରବାରରେ ଏକାଠି ଏକ ରୁ ବଳି ଏକ ଶ୍ରେଷ୍ଠ ବିଦ୍ୱାନ୍ ଓ କଳାକାର ଉପସ୍ଥିତ ଥିଲେ । ତଥାପି ଅନ୍ୟ ରାଜ୍ୟରୁ ମଧ୍ୟ ଯୋଗ୍ୟ ବ୍ୟକ୍ତିମାନେ ଆସି, ନିଜ ଯୋଗ୍ୟତା ଅନୁସାରେ ସମ୍ମାନ ଓ ପୁରସ୍କାର ପାଉଥିଲେ । ଏହିପରି ଦିନେ ବିକ୍ରମଙ୍କ ଦରବାରକୁ ଦକ୍ଷିଣ ଭାରତର ଗୋଟିଏ ରାଜ୍ୟରୁ ଜଣେ ବିଦ୍ୱାନ୍ ଆସିଲେ । ତାଙ୍କ ମତ ଥିଲା ଯେ, “ବିଶ୍ୱାସଘାତକତା ସମସ୍ତ ପାପ ମଧ୍ୟରୁ ସବୁଠାରୁ ନୀଚ ପାପ ।” ରାଜାଙ୍କୁ ନିଜ ମତ ସ୍ପଷ୍ଟ କରିବା ପାଇଁ ସେ ଗୋଟିଏ ଗଳ୍ପ କହିଲେ । ସେ କହିଲେ — ଆର୍ଯ୍ୟାବର୍ତ୍ତ ଦେଶରେ ଅତୀତରେ ଜଣେ ରାଜା ଥିଲେ । ତାଙ୍କର ପରିପୂର୍ଣ୍ଣ ପରିବାର ଥିଲା । କିନ୍ତୁ ସତର ବର୍ଷ ବୟସରେ ସେ ଜଣେ ସୁନ୍ଦରୀ କନ୍ୟାଙ୍କ ସହ ପୁଣି ବିବାହ କଲେ । ସେହି ନୂଆ ରାଣୀଙ୍କ ରୂପରେ ସେ ଏପରି ମୋହିତ ହେଲେ ଯେ ତାଙ୍କୁ ଏକ ମୁହୂର୍ତ୍ତ ପାଇଁ ମଧ୍ୟ ଛାଡି ରହିପାରୁନଥିଲେ । ସେ ଚାହୁଁଥିଲେ ଯେ ପ୍ରତି ମୁହୂର୍ତ୍ତ ତାଙ୍କ ଆଗରେ ରାଣୀଙ୍କ ମୁହଁ ରହୁ । ସେ ରାଣୀଙ୍କୁ ଦରବାରରେ ମଧ୍ୟ ନିଜ ପାଖରେ ବସାଇବା ଆରମ୍ଭ କଲେ। ତାଙ୍କ ସାମ୍ନାରେ କେହି କିଛି କହିବାକୁ ସାହସ କରୁନଥିଲେ, କିନ୍ତୁ ପଛରେ ସମସ୍ତେ ତାଙ୍କୁ ଉପହାସ କରୁଥିଲେ । ରାଜାଙ୍କ ମହାମନ୍ତ୍ରୀଙ୍କୁ ଏହା ଖରାପ ଲାଗିଲା। ସେ ଗୋପନରେ ରାଜାଙ୍କୁ କହିଲେ — “ସମସ୍ତେ ତୁମ ଏହି ଆଚରଣକୁ ନିନ୍ଦା କରୁଛନ୍ତି । ଯଦି ତୁମେ ପ୍ରତିକ୍ଷଣ ଛୋଟରାଣୀଙ୍କ ମୁହଁ ଦେଖିବାକୁ ଇଚ୍ଛା କରୁଛ, ତେବେ ତାଙ୍କର ଗୋଟିଏ ଭଲ ଚିତ୍ର ତିଆରି କରି ସିଂହାସନ ସାମ୍ନାରେ ରଖାଇ ଦିଅ । ଏହି ରାଜ୍ୟରେ ରାଜାଙ୍କ ଏକାକି ବସିବାର ପରମ୍ପରା ରହିଛି, ତେଣୁ ରାଣୀଙ୍କ ସହିତ ଦରବାରରେ ବସିବା ଅଶୋଭନୀୟ ହେବ ।” ମହାମନ୍ତ୍ରୀ ରାଜାଙ୍କ ଯୁବାକାଳରୁ ମିତ୍ର ସଦୃଶ ଥିଲେ, ଏବଂ ରାଜା ତାଙ୍କ କଥାକୁ ସଦା ଗୁରୁତ୍ୱ ଦେଇ ଗ୍ରହଣ କରୁଥିଲେ । ସେ ମହାମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ଯେ ଜଣେ ଯୋଗ୍ୟ ଚିତ୍ରକାରକୁ ଡାକି ରାଣୀଙ୍କ ଚିତ୍ର ତିଆରି କରାନ୍ତୁ । ମହାମନ୍ତ୍ରୀ ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ଚିତ୍ରକାରକୁ ଡାକିଲେ। ଚିତ୍ରକାର ରାଣୀଙ୍କ ଚିତ୍ର ତିଆରି ଆରମ୍ଭ କଲେ । ଯେତେବେଳେ ଚିତ୍ର ସମାପ୍ତ ହୋଇ ଦରବାରକୁ ଆଣାଗଲା, ସମସ୍ତେ ତାଙ୍କ ପ୍ରଶଂସା କଲେ । ଚିତ୍ରକାର ଏତେ ସୂକ୍ଷ୍ମ ଭାବେ ସବୁ ତଥ୍ୟ ଆଙ୍କିଥିଲେ ଯେ ଲାଗୁଥିଲା ଯେପରି ରାଣୀ ଏଇକ୍ଷଣ କଥା କହିବେ । ରାଜାଙ୍କୁ ମଧ୍ୟ ଚିତ୍ର ବହୁତ ପସନ୍ଦ ହେଲା । କିନ୍ତୁ ଚିତ୍ରରେ ରାଜାଙ୍କ ନଜର ଗଲା ରାଣୀଙ୍କ ଜଂଘ ଉପରେ, ଯେଉଁଠି ଚିତ୍ରକାର ଅତ୍ୟନ୍ତ ସୁକୌଶଳରେ ଗୋଟିଏ ତିଳ ଦେଖାଇଥିଲେ । ରାଜାଙ୍କ ମନରେ ସନ୍ଦେହ ହେଲା ଯେ ଚିତ୍ରକାର ନିଶ୍ଚୟ ରାଣୀଙ୍କ ଗୁପ୍ତ ଅଙ୍ଗ ଦେଖିଛନ୍ତି ବା ତାଙ୍କର ରାଣୀଙ୍କ ସହ ଅବୈଧ ସଂପର୍କ ରହିଛି। ସେ କ୍ରୋଧିତ ହୋଇ ଚିତ୍ରକାରକୁ ସତ୍ୟ କହିବାକୁ ଆଦେଶ ଦେଲେ । ଚିତ୍ରକାର ସଂଯମ ଓ ଶାଳୀନତା ସହ କହିଲେ, “ପ୍ରକୃତି ମୋତେ ଏମିତି ସୂକ୍ଷ୍ମ ଦୃଷ୍ଟି ଦେଇଛନ୍ତି ଯେ ମୁଁ ଅଦୃଶ୍ୟ ଜିନିଷ ମଧ୍ୟ ଅନୁମାନ କରିପାରେ । ଚିତ୍ରରେ ସେଇ ତିଳ ତାହାର ପ୍ରମାଣ । ମୁଁ ତାହାକୁ ରାଣୀଙ୍କ ସୌନ୍ଦର୍ଯ୍ୟ ଆହୁରି ବଢ଼େଇବା ପାଇଁ ଚିତ୍ରରେ ଦେଖାଇଛି ।” କିନ୍ତୁ ରାଜା ତାଙ୍କ କଥାରେ ଟିକିଏ ମଧ୍ୟ ବିଶ୍ୱାସ କଲେନି। ସେ ଜଲ୍ଲାଦମାନଙ୍କୁ ଡାକି ଆଦେଶ ଦେଲେ ଯେ, “ଏହି ଚିତ୍ରକାରଙ୍କୁ ଘନ ଜଙ୍ଗଲକୁ ନେଇ ତାଙ୍କ ଗଳା କାଟି ଦିଅ, ଏବଂ ତାଙ୍କ ଆଖିକୁ ତାଡ଼ି ମୋର ସାମ୍ନାରେ ଆଣି ଦିଅ ।” ମହାମନ୍ତ୍ରୀ ଜାଣୁଥିଲେ ଯେ ଚିତ୍ରକାର ସତ୍ୟ କହିଛନ୍ତି । ସେ ଗୋପନରେ ସେହି ଜଲ୍ଲାଦମାନଙ୍କୁ ଧନ ଦେଇ ଚିତ୍ରକାରଙ୍କୁ ମୁକ୍ତ କରାଇଲେ ଏବଂ ସେମାନଙ୍କୁ କହିଲେ, “ଗୋଟିଏ ହରିଣକୁ ମାରି ତାହାର ଆଖି ନେଇ ଯାଆ, ଯେମିତି ରାଜା ବିଶ୍ୱାସ କରିବେ ଯେ ଚିତ୍ରକାର ମରିଗଲେ ।” ପରେ ମହାମନ୍ତ୍ରୀ ଚିତ୍ରକାରକୁ ନିଜ ଗୃହକୁ ଆଣିଲେ ଓ ତାଙ୍କୁ ବେଶ ବଦଳାଇ ନିଜ ସହିତ ରହିବା ବ୍ୟବସ୍ଥା କଲେ । କିଛି ଦିନ ପରେ ରାଜାଙ୍କ ପୁଅ ଶିକାର କରିବାକୁ ବାହାରିଲେ, ଏକ ସିଂହ ତାଙ୍କୁ ଗୋଡାଇଲା । ରାଜକୁମାର ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଗୋଟିଏ ଗଛ ଉପରେ ଚଢ଼ିଗଲେ । ସେଠାରେ ତାଙ୍କ ନଜର ଗଲା ଯେ ଗଛରେ ପୂର୍ବରୁ ଜଣେ ଭାଲୁ ରହିଛି । ଭାଲୁକଙ୍କୁ ଦେଖି ରାଜକୁମାର ଭୟଭୀତ ହେଲେ, କିନ୍ତୁ ଭାଲୁକ ତାଙ୍କୁ ଆଶ୍ୱାସନ ଦେଇ କହିଲେ ଯେ ଭୟ କରିବା ଦରକାର ନାହିଁ । ସେ କହିଲେ, “ମୁଁ ମଧ୍ୟ ତୁମ ପରି ସିଂହକୁ ଡରି ଏଠି ଗଛ ଉପରେ ବସିଛି ଏବଂ ସିଂହ ଯିବାପର୍ଯ୍ୟନ୍ତ ଅପେକ୍ଷା କରୁଛି ।” ସିଂହ ଭୋକିଲା ଥିଲା ଏବଂ ସେ ଗଛ ତଳେ ବସି ଦୁହିଁଙ୍କୁ ଚାହିଁ ରହିଥିଲା । ରାଜକୁମାରଙ୍କୁ ବସି ବସି ନିଦ ଲାଗିଲା ଏବଂ ସଚେତ ରହିବା ତାଙ୍କ ପାଇଁ କଷ୍ଟକର ଲାଗିଲା । ଭାଲୁକ ତାଙ୍କୁ ନିଜ ପାଖକୁ ଡାକିଲା ଏବଂ ନିଜ ପାଖରେ ଗଛର ଗୋଟିଏ ଘନ ଶାଖା ଉପରେ କିଛି ସମୟ ଶୋଇପଡିବାକୁ କହିଲେ । ଭାଲୁକ କହିଲେ, “ତୁମେ ଯେତେବେଳେ ନିଦରୁ ଉଠିବ, ମୁଁ ଶୋଇବି ଏବଂ ତୁମେ ଜଗିବ।” ରାଜକୁମାର ଶୋଇଗଲେ । ସେତେବେଳେ ସିଂହ ଭାଲୁକକୁ ଫୁସଲାଇବାକୁ ଚେଷ୍ଟା କଲା । ସିଂହ କହିଲା, “ମୁଁ ଓ ତୁମେ ଦୁହେଁ ଜଙ୍ଗଳର ପଶୁ । ତେଣୁ ଆମେ ଦୁହେଁ ପରସ୍ପରର ହିତ ଭାବିବା ଉଚିତ । ମଣିଷ କେବେ ଜଙ୍ଗଳୀ ପଶୁଙ୍କ ସାଥି ହୋଇପାରେନାହିଁ ।” ସିଂହ ପୁଣି ଭାଲୁକକୁ କହିଲା ଯେ ଶୋଇଥିବା ରାଜକୁମାରକୁ ତଳେ ଠେଲିଦେଇ ତାକୁ ଖାଇବା ପାଇଁ ଦେଇଦିଅ । କିନ୍ତୁ ଭାଲୁକ ତାହାକୁ ସ୍ୱୀକାର କଲେନି ଏବଂ କହିଲେ, “ମୁଁ ବିଶ୍ୱାସଘାତ କରିପାରିବି ନାହିଁ ।” ସିଂହ ମନଉଣା କରି ଶାନ୍ତ ହୋଇ ବସିଗଲା ।
ପ୍ରାୟ ଚାରି ଘଣ୍ଟା ଶୋଇବା ପରେ ରାଜକୁମାର ଜାଗି ଉଠିଲେ, ଏବେ ଭାଲୁକର ପାଳି ଆସିଲା ଏବଂ ସେ ଶୋଇଗଲେ । ସିଂହ ଏବେ ରାଜକୁମାରକୁ ଫୁସଲାଇବାକୁ ଆରମ୍ଭ କଲା । ସେ କହିଲା, “ତୁମେ କାହିଁକି ଏହି ଭାଲୁକ ପାଇଁ ଯନ୍ତ୍ରଣା ଭୋଗୁଛ? ଯଦି ତୁମେ ତାକୁ ଠେଲିଦେବ, ମୁଁ ତାକୁ ଖାଇ ଭୋକ ମେଣ୍ଟାଇ ଶାନ୍ତିରେ ଫେରିଯିବି ।” ରାଜକୁମାର ସିଂହର କଥାରେ ଭଳିଗଲେ । ସେ ଭାଲୁକକୁ ଧକ୍କା ଦେଇ ତଳେ ପକାଇବାକୁ ଚେଷ୍ଟା କଲେ । କିନ୍ତୁ ଭାଲୁକ ଅଚାନକ ଜାଗି ଉଠିଲେ ଏବଂ ରାଜକୁମାରକୁ ବିଶ୍ୱାସଘାତୀ ବୋଲି ନିନ୍ଦା କଲେ । ଭାଲୁ କହିଲା ସିଂହ ମୋତେ ମଧ୍ୟ କହିଥିଲା ତୁମକୁ ନିଦ୍ରିତ ଅବସ୍ଥାରେ ଠେଲିଦେବା ପାଇଁ । ମୁଁ କିନ୍ତୁ ତାହା କଲି ନାହିଁ । ତୁମେ ଯେଉଁ ବିଶ୍ଵାସଘତକତା କଲ, ତାପାଇଁ ତୁମେ ଏବେ ମୂକ ହୋଇଯିବ । ରାଜକୁମାରଙ୍କ ଅନ୍ତରାତ୍ମା ଏତେ ଦୁଃଖିତ ହେଲା ଯେ ସେ ମୂକ ହୋଇଗଲେ । ସିଂହ ଭୋକରେ ଅନ୍ୟ ଶିକାର ଖୋଜିବାକୁ ଜଙ୍ଗଲକୁ ଚାଲିଗଲା ପରେ, ରାଜକୁମାର ରାଜମହଳକୁ ଫେରିଲେ । କିନ୍ତୁ ସେ କେମିତି ମୂକ ହୋଇଗଲେ ତାହା ବୁଝିପାରୁନଥିଲେ । ବହୁ ବଡ ବଡ଼ ବୈଦ୍ୟ ଆସିଲେ, କିନ୍ତୁ କେହି ରୋଗର କାରଣ ବୁଝିପାରିଲେ ନାହିଁ। ଶେଷରେ ମହାମନ୍ତ୍ରୀଙ୍କ ଘରେ ଲୁଚିଥିବା ସେହି ଚିତ୍ରକାର ବୈଦ୍ୟର ବେଶ ନେଇ ରାଜକୁମାରଙ୍କ ପାଖକୁ ଆସିଲେ । ସେ ମୂକ ରାଜକୁମାରଙ୍କ ମୁହଁର ଭାବ ଦେଖି ସମସ୍ତ କଥା ବୁଝିଗଲେ। ସେ ସଙ୍କେତ ଭାଷାରେ ପଚାରିଲେ, “ତୁମେ ଆତ୍ମଗ୍ଲାନିରେ ପୀଡ଼ିତ ହୋଇ ତୁମର ଭାଷା ହରାଇଦେଇଛ କି?” ରାଜକୁମାର ଜୋରରେ କାନ୍ଦି ଉଠିଲେ । ସେହି କାନ୍ଦିବାର ମନୋବୈଜ୍ଞାନିକ ପ୍ରଭାବରେ ସେ ହରାଇଥିବା କଣ୍ଠସ୍ୱର ପୁନର୍ଜୀବିତ ହେଲା । ରାଜା ଆଶ୍ଚର୍ଯ୍ୟ ହେଲେ ଯେ ସେ କିପରି ମାତ୍ର ମୁହଁ ଦେଖି ସତ୍ୟ ଜାଣିଗଲେ । ତେବେ ଛଦ୍ମବେଶୀ ଚିତ୍ରକାର ଉତ୍ତର ଦେଲେ, “ଯେପରି ଚିତ୍ରକାର ତୁମ ରାଣୀଙ୍କ ଜଂଘର ତିଳ ଦେଖିପାରିଥିଲା, ସେପରି ।” ରାଜା ତୁରନ୍ତ ବୁଝିଗଲେ ଯେ ଏ ହେଛି ସେଇ ଚିତ୍ରକାର ଯାହାଙ୍କ ବଦ୍ଧର ଆଦେଶ ସେ ଦେଇଥିଲେ। ସେ ତାଙ୍କୁ ନିଜ ଭୁଲ ପାଇଁ କ୍ଷମା ମାଗିଲେ ଏବଂ ବହୁତ ପୁରସ୍କାର ଦେଇ ସମ୍ମାନିତ କଲେ ।ସେହି ଦକ୍ଷିଣ ଭାରତୀୟ ବିଦ୍ୱାନଙ୍କ ଗଳ୍ପ ଶୁଣି ବିକ୍ରମାଦିତ୍ୟ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କ ପାଣ୍ଡିତ୍ୟର ସମ୍ମାନ ସ୍ୱରୂପ ତାଙ୍କୁ ଏକ ଲକ୍ଷ ସୁଵର୍ଣ୍ଣ ମୁଦ୍ରା ପ୍ରଦାନ କଲେ। ।[୫][୧]
ଗପଟି କହି ଅଷ୍ଟାଦଶ ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ପରି ଗୁଣୀର ଆଦର କରିବା ସହ ତାଙ୍କପରି ଦାନୀ ହୋଇପାରିବେ? ଏହିପରି କହିବା ପରେ ଅଷ୍ଟାଦଶ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା
ଆଧାର
[ସମ୍ପାଦନା]- 1 2 ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).
{{cite book}}: CS1 maint: unrecognized language (link) - ↑ WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
- ↑ samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.
{{cite web}}: CS1 maint: numeric names: authors list (link)[permanent dead link] - ↑ "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
- ↑ "Singhasan Battisi - The Story of 18th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-09.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |