Jump to content

ତାରକେଶ୍ୱରୀ ସିହ୍ନା

ଉଇକିପିଡ଼ିଆ‌ରୁ


ତାରକେଶ୍ୱରୀ ସିହ୍ନା (୨୬ ଡିସେମ୍ବର ୧୯୨୬ – ୧୪ ଅଗଷ୍ଟ ୨୦୦୭) ଏକ ଭାରତୀୟ ରାଜନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏ ବିହାରରୁ ଆସିଥିଲେ। "ଭାରତ ଛାଡ଼ ଆନ୍ଦୋଳନରେ" ଅଂଶଗ୍ରହଣ କରିଥିବା ମହିଳା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ସେଲେ ଅନ୍ୟତମ ।[] ୧୯୫୨ ମସିହାରେ, ମାତ୍ର ୨୬ ବର୍ଷ ବୟସରେ ପାଟନା ପୂର୍ବ ଆସନରୁ ପ୍ରଥମ ଲୋକସଭାରେ ସେ ନିର୍ବାଚିତ ହେଲେ। ପରେ ସେ ୧୯୫୭, ୧୯୬୨ ଓ ୧୯୬୭ ମସିହାରେ ବାଢ଼ ଆସନରୁ ପୁନଃ ନିର୍ବାଚିତ ହେଲେ। ସେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ୧୯୫୮ ରୁ ୧୯୬୪ ପର୍ଯ୍ୟନ୍ତ ଦେଶର ପ୍ରଥମ ମହିଳା ଉପ ଅର୍ଥମନ୍ତ୍ରୀ ଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ନାଳନ୍ଦା ଜିଲ୍ଲାର ଚାନ୍ଦି ନିକଟବର୍ତ୍ତୀ ତୁଳସିଗଡ଼ ଗାଁରେ ଏକ ଭୂମିହାର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ପାଟନାର ବାଙ୍କିପୁର ମହିଳା କଲେଜର ଛାତ୍ରୀ ଥିଲେ, ଯାହା ବର୍ତ୍ତମାନ ମଗଧ ମହିଳା କଲେଜ ନାମରେ ପରିଚିତ । ସେ ବିହାର ଛାତ୍ର କଂଗ୍ରେସର ଅଧ୍ୟକ୍ଷ ଥିଲେ, ଯାହା ଅଲ୍ ଇଣ୍ଡିଆ ଛାତ୍ର ଫେଡେରେସନ୍‌ରୁ ବିଚ୍ଛିନ୍ନ ହୋଇଥିଲା । ସେ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକନମିକ୍ସରୁ ଅର୍ଥନୀତିରେ ଏମ୍‌.ଏସ୍‌ସି୍‌. କରିଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ସେ ବିହାରର ବାଢ଼ ଆସନରୁ ନିର୍ବାଚନ ଲ଼ଡ଼ିଥିଲେ। ଭାରତ ସ୍ୱାଧୀନତା ପରେ ୧୯୫୨ ମସିହାରେ ପାଟନା ପୂର୍ବ ଆସନରୁ ଭାରତୀୟ ଜାତୀୟ କଂଗ୍ରେସର ଟିକେଟରେ ପ୍ରଥମ ସାଧାରଣ ନିର୍ବାଚନ ଜିତିଥିଲେ। ସେ ୧୯୫୭, ୧୯୬୨ ଓ ୧୯୬୭ ମସିହାରେ ପୁନଃ ନିର୍ବାଚିତ ହୋଇଥିଲେ ।

୧୯୫୭ ମସିହାରେ ସେ ଆମେରିକାର ଟେଲିଭିଜନ୍ ଶୋ 'To Tell the Truth' ରେ ଅଂଶ ନେଇଥିଲେ ଏବଂ ଚାରିଜଣ ପ୍ୟାନେଲିଷ୍ଟ ମଧ୍ୟରୁ ଦୁଇଜଣଙ୍କୁ ଭ୍ରମିତ କରିଥିଲେ ।

ସେ ମୋରାରଜୀ ଦେଶାଇଙ୍କ ନିକଟତର ଥିଲେ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦେସାଇ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟର ଉତ୍ତରାଧିକାର ଲ଼ଢାଇରେ ଦେସାଇଙ୍କ ପକ୍ଷରେ ଥିଲେ । ଯେତେବେଳେ ଦେସାଇ ଓ ଅନ୍ୟ ନେତାମାନେ କଂଗ୍ରେସ ଛାଡ଼ି ନୂତନ ଦଳ ଗଠନ କଲେ, ସେ ମଧ୍ୟ ଏହି ନୂତନ ଦଳରେ ଯୋଗ ଦେଲେ । ୧୯୭୧ ମସିହାରେ ଇନ୍ଦିରା ଲହରୀ ସମୟରେ ସେ ବାଢ଼ରୁ କଂଗ୍ରେସ(O) ପ୍ରାର୍ଥୀ ଭାବେ ଧର୍ମବୀର ସିନ୍ହାଙ୍କ ବିପକ୍ଷରେ ହାରିଥିଲେ, ଏହା ଥିଲା ତାଙ୍କର ପ୍ରଥମ ନିର୍ବାଚନୀ ପରାଜୟ । ପରବର୍ତ୍ତୀ ବର୍ଷ ଏସେମ୍ବ୍ଲି ନିର୍ବାଚନରେ ମଧ୍ୟ ହାରିଲେ ଏବଂ ପୁନଃ ଇନ୍ଦିରା ଗାନ୍ଧୀଙ୍କ ଦଳରେ ଯୋଗଦେଲେ । ୧୯୭୭ ମସିହାରେ ସେ ବେଗୁସରାଏଠାରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲ଼ଡ଼ିଥିଲେ କିନ୍ତୁ ଜନତା-ଦଳ ଲହରୀରେ ହାରିଥିଲେ। ପରେ ନଭେମ୍ବର ୧୯୭୮ ରେ ସମସ୍ତିପୁରରୁ ପୁନଃ ଉପନିର୍ବାଚନ ଲ଼ଡ଼ିଲେ କିନ୍ତୁ ପୁଣି ହାରିଲେ।

ଶେଷରେ ସେ ରାଜନୀତିରୁ ବିଶ୍ରାମ ନେଇ ସାମାଜିକ କାର୍ଯ୍ୟରେ ଲିପ୍ତ ହେଲେ ।

ସାମାଜିକ କାର୍ଯ୍ୟ

[ସମ୍ପାଦନା]

ତାରକେଶ୍ୱରୀ ସିହ୍ନା ତାଙ୍କ ଭାଇ କ୍ୟାପ୍ଟେନ୍ ଗିରିଶ୍ ନନ୍ଦନ୍ ସିଂହଙ୍କ ସ୍ମୃତିରେ ତୁଲସିଗଡ଼ ଗାଁରେ ଏକ ହସ୍ପିଟାଲ୍ ସ୍ଥାପନା କରିଥିଲେ । ଗିରିଶ୍ ସିଂହ ଏୟାର୍ ଇଣ୍ଡିଆର ଏକ ପାଇଲଟ୍ ଥିଲେ ଯିଏ ନୂଆ ଦିଲ୍ଲୀରେ ଏକ ବିମାନ ଦୁର୍ଘଟନାରେ ଜୀବନ ହରାଇଥିଲେ । ସେ ଏହି ଦୁଇ‌ମହଲା ହସ୍ପିଟାଲ୍ ନିର୍ମାଣ ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା (ସେତେବେଳେ ବହୁତ ବଡ଼ ରାଶି) ଟଙ୍କା ସଂଗ୍ରହ କରିଥିଲେ ଏବଂ ସେଠାରେ ଚିକିତ୍ସା ପ୍ରାୟ ସଂପୂର୍ଣ୍ଣ ମାଗଣା ଥିଲା । ସେ ଚାନ୍ଦି ଓ ହରନୌତ ସହ ଗାଁକୁ ସଂଯୁକ୍ତ କରିବା ପାଇଁ ଏକ ସଡ଼କ ନିର୍ମାଣ କାର୍ଯ୍ୟରେ ମଧ୍ୟ ପ୍ରଚେଷ୍ଟା କରିଥିଲେ ।[]

  1. "Tarkeshwari Sinha". veethi.com. Retrieved 2025-05-13.
  2. "The Tribune, Chandigarh, India - Opinions". www.tribuneindia.com. Retrieved 2025-05-12.
  3. "The Tribune, Chandigarh, India - Opinions". www.tribuneindia.com. Retrieved 2025-05-13.