ଢାକା ବିଶ୍ୱବିଦ୍ୟାଳୟ
ଢାକା ବିଶ୍ୱବିଦ୍ୟାଳୟ (ବଙ୍ଗଳା: ঢাকা বিশ্ববিদ্যালয়) ଏକ ସରକାରୀ ଗବେଷଣାମୂଳକ ବିଶ୍ୱବିଦ୍ୟାଳୟ, ଯାହା ବଙ୍ଗଳାଦେଶର ଢାକା ନଗରରେ ଅବସ୍ଥିତ । ୧୯୨୧ ମସିହାରେ ପ୍ରତିଷ୍ଠିତ, ଏହା ସେହି ଦେଶର ସବୁଠାରୁ ପୁରୁଣା କାର୍ଯ୍ୟରତ ବିଶ୍ୱବିଦ୍ୟାଳୟ।[୧]
ଢାକା ବିଶ୍ୱବିଦ୍ୟାଳୟ ୧୯୨୧ ମସିହାରେ ଭାରତୀୟ ବିଧାନ ପରିଷଦର ଢାକା ୟୁନିଭର୍ସିଟି ଆକ୍ଟ ୧୯୨୦ ଅନୁଯାୟୀ ସ୍ଥାପିତ ହୋଇଥିଲା । ଯେତେବେଳେ ପୂର୍ବ ବଙ୍ଗ ଓ ଆସାମ ନାମରେ ଏକ ନୂଆ ପ୍ରାନ୍ତ ଗଠିତ ହୋଇ, ଢାକାକୁ ଏହାର ରାଜଧାନୀ କରାଯାଇଥିଲା, ସେତେବେଳେ ଢାକାରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ୧୯୦୫ ମସିହାରେ ବ୍ରିଟିଶ ସରକାର ପକ୍ଷରୁ ୬୦୦ ଏକର ଜମି ଅଧିଗ୍ରହଣ କରାଯାଇଥିଲା । ଏହି ଜମିର ଏକ ଅଂଶ ନବାବ ବାହାଦୁର ସିର ଖ୍ୱାଜା ସଲିମୁଲ୍ଲାଙ୍କ ଜମିଦାରୀରୁ ଆସିଥିଲା । ଏହି ବିଶ୍ୱବିଦ୍ୟାଳୟର ଗଠନ ବ୍ରିଟିଶ ବିଶ୍ୱବିଦ୍ୟାଳୟ ମାନଙ୍କ ଢାଞ୍ଚାରେ କରାଯାଇଥିଲା । ବର୍ତ୍ତମାନ ଏହା ବଙ୍ଗଳାଦେଶର ସବୁଠାରୁ ବଡ଼ ସରକାରୀ ଗବେଷଣାତ୍ମକ ବିଶ୍ୱବିଦ୍ୟାଳୟ, ଯେଉଁଠି 46,150 ଜଣ ଛାତ୍ର ଓ 1,992 ଜଣ ଅଧ୍ୟାପକ ଅଛନ୍ତି ।
ଏହା ବଙ୍ଗଳାଦେଶର ଆଧୁନିକ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି । ଭାରତ ବିଭାଜନ ପରେ, ଏହା ପାକିସ୍ତାନର ଉନ୍ନତିଶୀଳ ଓ ଲୋକତାନ୍ତ୍ରିକ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ହୋଇଯାଇଥିଲା । ଏହି ବିଶ୍ୱବିଦ୍ୟାଳୟର ଛାତ୍ର ଓ ଶିକ୍ଷକମାନେ ୧୯୭୧ ମସିହାରେ ବଙ୍ଗଳାଦେଶର ସ୍ଵାଧୀନତା ଓ ବଙ୍ଗାଳୀ ଜାତୀୟତାବାଦର ଉଦୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।[୨]
ଏହି ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିଥିବା ପ୍ରସିଦ୍ଧ ପୂରାତନ ଛାତ୍ରମାନଙ୍କ ମଧ୍ୟରେ ରହିଛନ୍ତି ପଦାର୍ଥବିଜ୍ଞାନୀ ସତ୍ୟେନ୍ଦ୍ରନାଥ ବୋସ (ବୋସ-ଆଇନଷ୍ଟାଇନ ସାଂଖ୍ୟିକ ତତ୍ତ୍ୱ ଓ ବୋସ-ଆଇନଷ୍ଟାଇନ କନ୍ଡେନସେଟ୍ ତତ୍ତ୍ୱ ପାଇଁ ପରିଚିତ), ୨୦୦୬ ମସିହାର ନୋବେଲ ଶାନ୍ତି ପୁରସ୍କାର ବିଜେତା ଓ ମାଇକ୍ରୋକ୍ରେଡିଟ୍ ପ୍ରବର୍ତ୍ତକ ମୁହମ୍ମଦ ୟୁନୁସ, ମୁହମ୍ମଦ ସାହିଦୁଲ୍ଲା, ନାଟ୍ୟଗୁରୁ ନୁରୁଲ ମୋମେନ (ସାଂସ୍କୃତିକ, କ୍ରୀଡା ଓ ନାଟ୍ୟକାଳା କାର୍ଯ୍ୟକଳାପରେ ପ୍ରବର୍ତ୍ତକ, ସେ ଏହି ବିଶ୍ୱବିଦ୍ୟାଳୟର ଛାତ୍ର ଓ ପରେ ଶିକ୍ଷକ ଥିଲେ), ସେରାଜୁଲ ଇସଲାମ ଚୌଧୁରୀ, ପଦାର୍ଥବିଜ୍ଞାନୀ ମୋହାମ୍ମଦ ଆତାଉଲ କରିମ, ବିଂଶ ଶତାବ୍ଦୀର ବଙ୍ଗାଳୀ କବି ବୁଦ୍ଧଦେବ ବୋସ ଓ ଦେଶର ସ୍ଥାପକ ରାଷ୍ଟ୍ରପତି ଶେଖ ମୁଜିବୁର ରହମାନ।
ଇତିହାସ
[ସମ୍ପାଦନା]ଢାକା ବିଶ୍ୱବିଦ୍ୟାଳୟ ସ୍ଥାପନ ପୂର୍ବରୁ ଏହି ସ୍ଥାନରେ କଲିକତା ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ଢାକା କଲେଜ ଅବସ୍ଥିତ ଥିଲା। ୧୮୭୩ ମସିହାରେ ସେହି କଲେଜକୁ ବାହାଦୁର ଶାହ ପାର୍କକୁ ସ୍ଥାନାନ୍ତର କରାଯାଇଥିଲା ଓ ପରେ ଏହା କର୍ଜନ ହଲକୁ ସ୍ଥାନାନ୍ତରିତ ହେଲା । ପରବର୍ତ୍ତୀ ସମୟରେ ଏହି ଅନୁଷ୍ଠାନ ଢାକା ବିଶ୍ୱବିଦ୍ୟାଳୟର ପ୍ରଥମ ଅନୁଷ୍ଠାନ ହେଲା ।
୧୯୧୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଓ ବଙ୍ଗୀୟ ହିନ୍ଦୁମାନଙ୍କ ଭିଷଣ ବିରୋଧରେ ବଙ୍ଗ ବିଭାଜନ ରଦ୍ଦ ହେଲା । ଏହାରେ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ ନବାବ ସିର ଖ୍ୱାଜା ସଲିମୁଲ୍ଲା ବହାଦୁରଙ୍କ ନେତୃତ୍ୱରେ ଏକ ମୁସଲିମ ପ୍ରତିନିଧିଦଳ ଢାକାରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବି କଲା । ପୂର୍ବ ବଙ୍ଗର ମୁସଲିମ ଜନମାନସକୁ ସନ୍ତୋଷ କରିବା ପାଇଁ ଲର୍ଡ କର୍ଜନ ସହମତ ହେଲେ ଓ ଢାକାରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଘୋଷଣା କଲେ । ୧୯୧୩ ମସିହାରେ ଜନମତ ଗ୍ରହଣ କରାଯାଇ ବିଶ୍ୱବିଦ୍ୟାଳୟ ଯୋଜନାର ଅନୁମୋଦନ ହେଲା ।[୩] ସେହି ବର୍ଷ ଡିସେମ୍ବରରେ ରାଜ୍ୟ ସଚିବ ଏହାକୁ ଅନୁମୋଦନ କଲେ । ପ୍ରଥମ ଉପକୁଲପତି ଭାବେ ଲଣ୍ଡନ ବିଶ୍ୱବିଦ୍ୟାଳୟର ପୂର୍ବତନ ଏକାଡେମିକ୍ ରେଜିଷ୍ଟ୍ରାର ଫିଲିପ୍ ଜୋସେଫ ହାର୍ଟଗଙ୍କୁ ନିଯୁକ୍ତ କରାଯାଇଥିଲା ।
୧୯୨୧ ମସିହାରେ ଡାକା ୟୁନିଭର୍ସିଟି ଆକ୍ଟ ୧୯୨୦ ଅନୁଯାୟୀ ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟ, ବ୍ରିଟିଶ ବିଶ୍ୱବିଦ୍ୟାଳୟମାନଙ୍କ ଆଦର୍ଶ ଅନୁସାରେ ଗଠିତ ହୋଇଥିଲା । ୧୯୧୭ ରୁ ୧୯୨୨ ପର୍ଯ୍ୟନ୍ତ ବଙ୍ଗର ରାଜ୍ୟପାଳ ଲର୍ଡ ରୋନାଲ୍ଡଶେ ଏହାର ପ୍ରଥମ କୁଲପତି ଥିଲେ । ସେ ନବାବ ସାୟଦ ଶମସୁଲ ହୁଦାଙ୍କୁ ଆଜୀବନ ସଦସ୍ୟ ଭାବେ ନିଯୁକ୍ତ କଲେ ଓ ତାଙ୍କ ସୁପାରିସରେ ଆହମଦ ଫଜଲୁର ରହମାନଙ୍କୁ ପ୍ରୋଭୋଷ୍ଟ କଲେ । ୧ ଜୁଲାଇ ୧୯୨୧ ରେ ୮୪୭ ଜଣ ଛାତ୍ରଙ୍କୁ ନେଇ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ଆରମ୍ଭ ହେଲା । ସେତେବେଳେ ୩ଟି ଅନୁଶାସନ (କଳା, ବିଜ୍ଞାନ ଓ ଆଇନ), ୧୨ଟି ବିଭାଗ (ସଂସ୍କୃତ ଓ ବଙ୍ଗାଳୀ, ଇଂରାଜୀ, ଶିକ୍ଷା, ଇତିହାସ, ଆରବି ଓ ଇସଲାମିକ ଅଧ୍ୟୟନ, ପର୍ସିଆନ ଓ ଉର୍ଦୁ, ଦର୍ଶନ, ଅର୍ଥନୀତି ଓ ରାଜନୀତି, ପଦାର୍ଥବିଜ୍ଞାନ, ରସାୟନ, ଗଣିତ ଓ ଆଇନ) ଓ ୩ଟି ଛାତ୍ରାବାସ (ସଲିମୁଲ୍ଲା ମୁସଲିମ ହଲ, ଡାକା ହଲ ଓ ଜଗନ୍ନାଥ ହଲ) ଥିଲା ।
ଆଧାର
[ସମ୍ପାଦନା]- ↑ "University of Dhaka". usnews.com. Retrieved 23 October 2025.
- ↑ Alam, Fakrul (2021-07-03). "The University of Dhaka and the Birth of Bangladesh". The Daily Star (in ଇଂରାଜୀ). Retrieved 2025-10-23.
- ↑ "University of Dhaka - Banglapedia". en.banglapedia.org (in ଇଂରାଜୀ). Retrieved 2025-10-23.