ଜୁଗାର ଯାତ୍ରା

ଉଇକିପିଡ଼ିଆ ରୁ
Jump to navigation Jump to search

ଜୁଗାର ଯାତ୍ରା, ପଶ୍ଚିମ ଓଡ଼ିଶାରେ କାଳୀ ପୂଜା ଅବସରରେ ପାଳନ କରାଯାଏ । ୧୯୮୫ ମସିହାରେ ବରଗଡ଼ ଜିଲ୍ଲା ଘେଁସ ବ୍ଲକ ଅନ୍ତର୍ଗତ କୁଚିପାଲିଗାଁରେ ପ୍ରଥମେ ଆରମ୍ଭ ହୋଇଥିଲା । କାଳକ୍ରମେ ଏହା ପଶ୍ଚିମ ଓଡ଼ିଶାର ଅନ୍ୟସ୍ଥାନରେ ମଧ୍ୟ ପାଳନ କରାଯାଉଛି ।

କିମ୍ବଦନ୍ତି[ସମ୍ପାଦନା]

କାଳୀ ପୂଜା ଅବସରରେ ପଶୁ ବଳି ଦେବାର ପ୍ରଥା ବହୁ ପୁରୁଣା । ୧୯୮୫ମସିହାରେ ପଶୁବଳି ବନ୍ଦ କରିବା ପାଇଁ କୁଚିପାଲି ଗାଁର ଲୋକ ଚେଷ୍ଟା କରିଥିଲେ । ପଶୁବଳି ପରିବର୍ତ୍ତେ, ଜୁଗାର ଭୋଗ ଲାଗିବାର ବ୍ୟବସ୍ଥା କରାଗଲା । ୧୯୮୫ ମସିହାରେ ପ୍ରଥମ ଜୁଗାର ଶ୍ରୀନିବାସ ସା ଦାନ କରିଥିଲେ । କୁଚିପାଲି ଗାଁରେ ଏବେ ବି ପ୍ରଥମ ଜୁଗାର ତାଙ୍କରି ଘରୁ ଆସିଥାଏ । ପରବର୍ତ୍ତୀ ସମୟରେ ସୁବାସ ସା, ଉମାକାନ୍ତ ସା ଆଦି ବହୁ ଲୋକ ଜୁଗାର ଦାନ କରି ଆସୁଛନ୍ତି ।[୧]

ପରମ୍ପରା[ସମ୍ପାଦନା]

୫ କେଜି ଖଇ/ (ଲିଆ) ଓ ଗୁଡ଼ରେ ତିଆରି ଦେଉଳ ଆକୃତିର ଏହି ଜୁଗାର ପ୍ରସ୍ତୁତ କରାଯାଏ । ଏହା ୬ ଫୁଟରୁ ଆରମ୍ଭ ହୋଇ ୧୫ଫୁଟ ପର୍ଯ୍ୟନ୍ତ ଉଚ୍ଚା ହୋଇଥାଏ ।[୨] ମା’ କାଳୀଙ୍କ କୃପାଲାଭ ପାଇଁ ଏହି ଜୁଗାର, ଭେଟି ଭାବରେ ଯାଏ । ଦେବୀ କାଳୀଙ୍କୁ ମୁସଲମାନ ସମ୍ପ୍ରଦାୟ ପୂଜା କରନ୍ତି ଓ ଦଳିତମାନେ ପୂଜା ଓ ଯାତ୍ରାର ଆୟୋଜନ କରନ୍ତି । ପ୍ରତିବର୍ଷ ଯାତ୍ରା ଅବସରରେ ମାନସିକ କରୁଥିବା ଭକ୍ତମାନଙ୍କ ମାନସିକ ପୂରଣ ହୋଇଗଲେ ସେମାନେ ପରବର୍ଷ ଜୁଗାର ଆଣିଥାନ୍ତି । ଜୁଗାରଗୁଡ଼ିକ ପାରମ୍ପରିକ ଲୋକବାଦ୍ୟର ତାଳେତାଳେ ଅର୍ପଣ ସକାଶେ କାଳୀ ମେଢ଼ ପର୍ଯ୍ୟନ୍ତ ଆସିଥାନ୍ତି । ଏହି ଜୁଗାର ଯାତ୍ରାର ବିଶେଷତ୍ତ୍ୱ ହେଲା ଏହାକୁ ଦଳିତ ଓ ମୁସଲମାନ ମାନେ ମିଳିତ ଭାବେ ପାଳିଥାନ୍ତି । ସେତେବେଳେ କୁଚିପାଲିଠାରେ ମାତ୍ର ଗୋଟିଏ ଜୁଗାରଯାତ୍ରା ଚାଲିଥିବା ବେଳେ ପରେ ଏହି ଯାତ୍ରାଦ୍ୱାରା ଅନୁପ୍ରାଣିତ ହୋଇ ଏହାର ଆଖପାଖ ଅଞ୍ଚଳରେ ଜୁଗାର ଯାତ୍ରା ସଂଖ୍ୟା ଏବେ ୨୫ରେ ପହଞ୍ଚିଛି । ଗ୍ରାମର ହରିଜନଙ୍କ ସମେତ ସମସ୍ତ ଜାତିର ଲୋକେ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି ।

ବିଭିନ୍ନ ସ୍ଥାନରୁ ଆସିଥିବା ଜୁଗାର ସବୁ ଏକତ୍ରିତ ହୋଇ ଅପରାହ୍ଣରେ ଶୋଭାଯାତ୍ରାରେ ବାହାରନ୍ତି । ଗ୍ରାମ ଭ୍ରମଣ କରି ସାରିବା ପରେ ସନ୍ଧ୍ୟାରେ ମାଆଙ୍କ ନିକଟରେ ପହଞ୍ଚି ଜୁଗାର ଅର୍ପଣ କରନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼, ବେଙ୍ଗାଳୁରୁଗୌହାଟିର ଜୁଗାର ଏଥିରେ ସାମିଲ ହୁଅନ୍ତି ।[୩] ପାରମ୍ପରିକ କଳଙ୍ଗୀନାଚ, ନମଃଗୁରୁ, ଦୁଲୁଦୁଲି, ଘଣ୍ଟବାଦ୍ୟ ସହ ୨୪ ପ୍ରକାର ଲୁପ୍ତପ୍ରାୟ ଲୋକ ନୃତ୍ୟ ଦଳ ନିଜର କଳା ପ୍ରଦର୍ଶନ କରନ୍ତି । ଏକ ପାରମ୍ପରିକ ମୁଖ୍ୟ ଜୁଗାର, ଶୋଭାଯାତ୍ରାର ଆଗରେ ଯାଏ । ସବୁ ବର୍ଷ ଭିନ୍ନ ଭିନ୍ନ ଜୁଗାର ସବୁ ଦେଖିବାକୁ ମିଳେ । ଜୁଗାର ତିଆରି କରିବା ଏବଂ ସାଜସଜ୍ଜା କରିବା ଗୋଟିଏ କଳା କାରିଗରୀ କସରତ । ଏହି କଳା କାରିଗରୀ କୁଚିପାଲି ଗାଁର ଜୁଗାର ବଣୁଆ ଥିବର ଭଗତମାନେ ନିଜେ ନିଜେ ଶିଖିଛନ୍ତି ଏବଂ ଗବେଷଣା କରି ପ୍ରବୀଣ କଳାକାରର ପରିଚୟ ପାଇଛନ୍ତି । ଗଡୁ ଜୁଗାର, ହଂସ ଜୁଗାର, ଧିଣ୍ଡା ଜୁଗାର, ଖୁଲା ଜୁଗାର, ଜୁଲି ଜୁଗାର, ପଦ୍ମଫୁଲ ଜୁଗାର ଇତ୍ୟାଦି ଡିଜାଇନରେ ଜୁଗାର ତିଆରି କରି ପ୍ରତିବର୍ଷର ଯୁଗାର ଯାତ୍ରାରେ ନିଜର ମଡେଲକୁ ସାମିଲ କରନ୍ତି । ଏହି ଜିନିଷ ଭକ୍ତ ଓ ଦେଖଣାହାରୀଙ୍କ ମନ କିଣି ନିଏ । ସମସ୍ତଙ୍କ ଆଖି ରହେ ଏହି ଜୁଗାର ଓ ରଙ୍ଗ ବେରଙ୍ଗୀ ଲୋକ ନାଚ ଦଳଙ୍କ ପ୍ରଦର୍ଶନ ଉପରେ ।

ଆଧାର[ସମ୍ପାଦନା]