ଜିଲ୍ଲା ନ୍ୟାୟପାଳିକା, ନୁଆପଡ଼ା
ନୁଆପଡ଼ା ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରବର୍ତ୍ତୀ ନୂତନ ନୁଆପଡ଼ା ଜିଲ୍ଲାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ । ଏହାର ମୁଖ୍ୟାଳୟ ନୁଆପଡ଼ା ସହରରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]ନୁଆପଡା ପୂର୍ବରୁ ରାୟପୁର ଜିଲ୍ଲାର ଖରିଆର ଗଡଜାତ ଅଧିନସ୍ଥ ମହାସମୁନ୍ଦ ତହସିଲର ଅଂଶ ଥିଲା । ପରେ, ୧୯୩୬ରୁ ଏହା ସମ୍ବଲପୁର ଜିଲ୍ଲାର ଏକ ନୂତନ ସବ ଡିଭିଜନ ହିସାବରେ ପ୍ରତିଷ୍ଠିତ ହୋଇଥିଲା । ଏଠି ରହିଥିବା ଡେପୁଟି କମିଶନର ଉଭୟ କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକା ବିଭାଗର ମୁଖ୍ୟ ଅଧିକାରୀ ଥିଲେ । ଅପରାଧିକ ମାମଲାର ସଂଖ୍ୟା ବୃଦ୍ଧି ପାଇବା ପରେ ବାରଗଡ଼ର ମୁନ୍ସିଫ୍ ପ୍ରତି ମାସରେ କିଛି ଦିନ ପାଇଁ ଏଠି ଶିବିର-ଅଦାଲତ କରି ସିଭିଲ୍ ମାମଲାଗୁଡ଼ିକ ନିର୍ଣ୍ଣୟ କରୁଥିଲେ ।
୧ ନଭେମ୍ବର ୧୯୪୯ରେ କଳାହାଣ୍ଡି ଏକ ନୂତନ ଜିଲ୍ଲା ହିସାବରେ ଗଠିତ ହେଲା । ଏହା ଫଳରେ ନୁଆପଡା ସବ ଡିଭିଜନ ସମ୍ବଲପୁର ଜିଲ୍ଲାରୁ ବିଭକ୍ତ ହୋଇ କଳାହାଣ୍ଡି ଜିଲ୍ଲାର ଅଂଶ ହେଲା । ଏହି ସମୟରୁ ଟିଟିଲାଗଡ଼ର ମୁନ୍ସିଫ୍ ନୁଆପଡାରେ ଶିବିର-ଅଦାଲତ କରି ସିଭିଲ୍ ମାମଲା ନିର୍ଣ୍ଣୟ କରିବା ଆରମ୍ଭ କଲେ । ୧୯୬୭ ମସିହାରେ ନୁଆପଡାରେ ସବ ଡିଭିଜନାଲ ଜୁଦିସିଆଲ ମ୍ୟାଜିଷ୍ଟ୍ରେଟ୍ ଅଦାଲତ କାର୍ଯ୍ୟ ଆରମ୍ଭ କଲା । ୧୯୪୮ ମସିହାରେ ନୁଆପଡା ବାର୍ ଗଠିତ ହୋଇଥିଲା ଏବଂ ଏହି ସମୟରେ ମାତ୍ର ୩ ଜଣ ଆଇନଜୀବୀ ଥିଲେ । ଜୁଲାଇ ୧୯୯୩ ରେ ଏହି ବାର୍ ଜିଲ୍ଲା ବାର୍ ସଂଘ ହେଲା । ୨୮ ଫେବ୍ରୁଆରୀ ୧୯୮୨ରେ କଳାହାଣ୍ଡିରେ ନ୍ୟାୟାଳୟ ଗଠିତ ହେବା ପୂର୍ବରୁ ଏହା ବଲାଙ୍ଗୀର ଜିଲା ନ୍ୟାୟପାଳିକାର ଅଂଶ ଥିଲା । ୨୧ ମାର୍ଚ୍ଚ ୧୯୮୭ ରେ ସବ-ଜଜଙ୍କ ଅଦାଲତ ସ୍ଥାପିତ ହୋଇଥିଲା ଏବଂ ଏଠି ଶ୍ରୀ ଏସ. କେ. ମିଶ୍ର ପ୍ରଥମ ସବ ଜଜ ହିସାବରେ ନିଯୁକ୍ତ ହୋଇଥିଲେ । ଖରିଆର ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧିକ ମାମଲା ଦେଖି ୨୧ ମାର୍ଚ୍ଚ ୧୯୮୭ ରେ ଏଠି ଏକ ପ୍ରଥମ ଶ୍ରେଣୀ ନ୍ୟାୟିକ ମ୍ୟାଜିଷ୍ଟ୍ରେଟଙ୍କ ଅଦାଲତ ଖୋଲାଯାଇଥିଲା ।
୨୭ ମାର୍ଚ୍ଚ ୨୦୦୦ ରେ ନୁଆପଡାରେ ଅତିରିକ୍ତ ଜିଲ୍ଲା ଏବଂ ସତ୍ର ନ୍ୟାୟାଧୀଶଙ୍କ ଅଦାଲତ ଉଦ୍ଘାଟିତ ହୋଇଥିଲା । ଶ୍ରୀ ଜି. ବି. ପଟ୍ଟନାଏକ ପ୍ରଥମ ଅତିରିକ୍ତ ଜିଲ୍ଲା ଏବଂ ସତ୍ର ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ। ୦୭ ଜୁଲାଇ ୨୦୧୨ ରେ କଳାହାଣ୍ଡି ଜିଲ୍ଲ ନ୍ୟାୟପାଳିକାରୁ ବିଭକ୍ତ ହେବା ପରେ ନୁଆପଡା ଜିଲ୍ଲା ନ୍ୟାୟପାଳିକା ଉଦ୍ଘାଟିତ ହୋଇଥିଲା, ଏବଂ ଏହା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ ଶ୍ରୀ ସି. ଆର୍. ଦାଶଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା । ଶ୍ରୀ ଏମ୍. ଏସ୍. ଧଳ, (ଏଲ୍.ଏଲ୍.ଏମ୍.) ପ୍ରଥମ ଜିଲ୍ଲା ଏବଂ ସତ୍ର ନ୍ୟାୟାଧୀଶ ହିସାବରେ ନିଯୁକ୍ତ ହୋଇଥିଲେ । ୧୧ ଜାନୁଆରୀ ୨୦୧୪ ରେ ସମ୍ମାନୀୟ ନ୍ୟାୟଧୀଶ ଶ୍ରୀ ଆର୍. ବି. ଦାଶଙ୍କ ଦ୍ଵାରା କୋମନା ଗ୍ରାମ ନ୍ୟାୟାଳୟ ଉଦ୍ଘାଟିତ ହୋଇଥିଲା । ବର୍ତ୍ତମାନ ନୂତନ ଜିଲ୍ଲା ଅଦାଲତ ଭବନ ଏହି ପ୍ରଚଳିତ ଅଦାଲତ ଭବନର ପାଖରେ ଗଠିତ ହୋଇଛି ।[୧]
ଗଠନ
[ସମ୍ପାଦନା]ଜିଲ୍ଲା ନ୍ୟାୟପାଳିକା ଭାରତର ଜିଲ୍ଲା ସ୍ତରରେ ରହିଥିବା ନ୍ୟାୟପ୍ରଣାଳୀକୁ ସୂଚିତ କରେ । ଏହା ନ୍ୟାୟପାଳିକାର ପ୍ରଥମ ସ୍ତର ଅଟେ । ନୁଆପଡ଼ା ଜିଲ୍ଲା ନ୍ୟାୟପାଳିକାର ଶୀର୍ଷରେ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଅଦାଲତ ରହିଥିବା ବେଳେ ନୁଆପଡ଼ା ସଦର ମହକୁମା ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଦେୱାନୀ ତଥା ଫୌଜଦାରୀ ଅଧସ୍ତନ ଅଦାଲତ ରହିଅଛି । ଜିଲ୍ଲା ବିଚାରପତିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ନିମ୍ନ ସମସ୍ତ ଅଦାଲତ କାର୍ଯ୍ୟ କରେ । ତେବେ ସମସ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିନରେ କାର୍ଯ୍ୟ କରନ୍ତି । ଜିଲ୍ଲା ବିଚାରପତି ତଥା ଅନ୍ୟାନ୍ୟ ବିଚାରପତିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିଯୁକ୍ତି ଦିଅନ୍ତି ଏବଂ ଜିଲ୍ଲାର ସମସ୍ତ ଅଦାଲତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଜିଲ୍ଲା ବିଚାରପତି ନିଯୁକ୍ତି ଦିଅନ୍ତି ।
ଜିଲ୍ଲା ଅଦାଲତ
[ସମ୍ପାଦନା]ନୁଆପଡ଼ାରେ ସ୍ଵତନ୍ତ୍ର ଜିଲ୍ଲା ଅଦାଲତ ୭।୭।୨୦୧୨ରୁ କାର୍ଯ୍ୟକ୍ଷମ ହେବା ସହ ଏହାର ପ୍ରଥମ ଜିଲା ଜଜ ଥିଲେ ଶ୍ରୀ ଏମ୍ ଏସ୍ ଧଳ । ପରବର୍ତ୍ତୀ ଜିଲ୍ଲା ଓ ଦୌରା ବିଚାରପତିଙ୍କ ତାଲିକା ନିମ୍ନରେ ଦିଆଯାଇଛି ।
କ୍ରମିକ
ସଂଖ୍ୟା |
ଜିଲ୍ଲା ଜଜଙ୍କ ନାମ | ସେବା ଅବଧି | |
---|---|---|---|
ଠାରୁ | ପର୍ଯ୍ୟନ୍ତ | ||
୧ | ଶ୍ରୀ ଏମ୍ ଏସ୍ ଧଳ | ୨୦୧୨ | ୨୦୧୩ |
୨ | ଶ୍ରୀ ଏନ୍ କେ ସାମଲ | ୩।୭।୨୦୧୩ | ୨୦।୬।୨୦୧୪ |
୩ | ଡ଼ଃ କେ ସି ରଥ | ୨୩।୬।୨୦୧୪ | ୮।୭।୨୦୧୭ |
୪ | ଶ୍ରୀ ଏ କେ ଦଳବେହେରା | ୧୭।୭।୨୦୧୭ | ୪।୧୧।୨୦୧୯ |
୫ | ଶ୍ରୀ ଭଗବାନ ପ୍ରଧାନ | ୮।୧୧।୨୦୧୯ | ୬।୧୧।୨୦୨୧ |
୬ | ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ | ୮।୧୧।୨୦୨୧ | ୨୮।୯।୨୦୨୩ |
୭ | ଶ୍ରୀ ନିରଞ୍ଜନ ପଣ୍ଡା | ୨୦୨୩ |
ଅନ୍ୟାନ୍ୟ ଅଦାଲତ
[ସମ୍ପାଦନା]- ଅତିରିକ୍ତ ଜିଲ୍ଲା ବିଚାରପତି, ନୁଆପଡ଼ା
- ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରିଙ୍କ ଅଦାଲତ, ନୁଆପଡ଼ା
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ) ତଥା ସହକାରୀ ସେସନ ବିଚାରପତି (ମହିଳା), ନୁଆପଡ଼ା
- ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତ, ନୁଆପଡ଼ା
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ), ନୁଆପଡ଼ା
- ରେଜିଷ୍ଟ୍ରାର ତଥା ଅତିରିକ୍ତ ଦେୱାନୀ ଅଦାଲତ, ନୁଆପଡ଼ା
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନୁଆପଡ଼ା
- ଦେୱାନି ଅଦାଲତ (ବରିଷ୍ଠ ବିଭାଗ)-ତଥା- ସହକାରୀ ସେସନ ଜଜ, ଖରିଆର
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଖରିଆର
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ବୋଡେନ
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ସିନାପାଲୀ
- ଗ୍ରାମ ନ୍ୟାୟାଳୟ, କୋମନା
ଭାଗିଦାରୀ ସଂସ୍ଥାନ
[ସମ୍ପାଦନା]- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୁଆପଡ଼ା
- ଜିଲ୍ଲା ବାର ଆସୋସିଏସନ, ନୁଆପଡ଼ା
- ଫ୍ରଣ୍ଟ ଅଫିସ୍, ନୁଆପଡ଼ା
ଆଧାର
[ସମ୍ପାଦନା]- ↑ "History | DISTRICT COURT NUAPADA | India" (in ଆମେରିକୀୟ ଇଂରାଜୀ). Retrieved 2025-02-13.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |