ଚୀନ-ନେପାଳ ଯୁଦ୍ଧ
ଚୀନ-ନେପାଳ ଯୁଦ୍ଧ (ନେପାଳୀ: नेपाल-चीन युद्ध), ଯାହା ସିନୋ-ଗୋର୍ଖା ଯୁଦ୍ଧ ଭାବରେ ମଧ୍ୟ ଜଣାଶୁଣା, ଅଭିଯାନ ଭାବରେ ଚୀନ୍ର ଚିଙ୍ଗ ରାଜବଂଶ ଏବଂ ନେପାଳ ମଧ୍ୟରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଏହି ଯୁଦ୍ଧ ହୋଇଥିଲା | ନେପାଳର ଗୋରଖା ମନଙ୍କଦ୍ୱାରା ତିବ୍ଦତ ଆକ୍ରମଣ ପରେ ପ୍ରଥମେ ଏହି ଯୁଦ୍ଧର ସୂତ୍ରପାତ ହୋଇଥିଲା । ୧୭୮୮ ମସିହାରେ ତିବ୍ଦତ ପାଇଁ ନେପାଳଦ୍ୱାରା ଉତ୍ପାଦିତ ନିମ୍ନ ମାନର ମୁଦ୍ରା ଯୋଗୁଁ ଉପୁଜିଥିବା ଦୀର୍ଘ ଦିନର ବାଣିଜ୍ୟିକ ବିବାଦକୁ ନେଇ ଏହି ଯୁଦ୍ଧ ହୋଇଥିଲା । ବାହାଦୂର ଶାହାଙ୍କ ଅଧୀନରେ ଥିବା ନେପାଳ ସେନା କିଙ୍ଗ ରାଜବଂଶର ଅଧୀନରେ ଥିବା ତିବ୍ଦତକୁ ଲୁଣ୍ଠନ କରିଥିଲେ ଏବଂ ଯୁଦ୍ଧ ଶେଷରେ ତିବ୍ଦତୀୟମାନେ ନେପାଳକୁ ବାର୍ଷିକ କର ଅର୍ପଣ କରି କେରୁଙ୍ଗ ଚୁକ୍ତିନାମା ସ୍ୱାକ୍ଷର କରି ଏହି ବିବଦର ସମାଧାନ କରିଥିଲେ । ତଥାପି ତିବ୍ଦତୀୟମାନେ ଚାଇନାର ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ ଏବଂ ଫଳରେ ଫୁକଙ୍ଗଗାନ୍ ଅଧୀନରେ ଥିବା ଚୀନ୍ ମିଲିଟାରୀ ବାହିନୀକୁ ତିବ୍ଦତକୁ ପଠାଯାଇଥିଲା ଏବଂ ୧୭୯୨ ମସିହାରେ ଗୁର୍ଖାମାନଙ୍କୁ ତିବ୍ଦତୀୟ ମାଳଭୂମିରୁ ଘଉଡାଇ ଦିଆଯାଇଥିଲା ।[୧] ଚୀନ-ତିବ୍ଦତୀୟ ମିଳିତ ସୈନ୍ୟମାନେ ନେପାଳକୁ ଯାଇ ନୁଆକୋଟ(ନେପାଳର ରାଜଧାନୀ କାଠମାଣ୍ଡୁ ନିକଟରେ) ପର୍ଯ୍ୟନ୍ତ ମାଡିଯାଇଥିଲେ କିନ୍ତୁ ନେପାଳର ଏକ ଦୃଢ ପ୍ରତି ଆକ୍ରମଣର ସମ୍ମୁଖୀନ ହୋଇଥିଲେ । ତେଣୁ, ଉଭୟ ଦେଶ ଯୁଦ୍ଧ ବିରତି ନିମିତ୍ତ ପରସ୍ପର ସହମତିରେ ଏକ ଶାନ୍ତି ସମାଧାନ ପ୍ରସ୍ତାବ ମାଧ୍ୟମରେ ବେଟ୍ରାବତି ଚୁକ୍ତିନାମା ସ୍ୱାକ୍ଷର କଲେ ।[୨] ନେପାଳ ଚୀନଦ୍ୱାରା ନିର୍ଦ୍ଦିଷ୍ଟ କାଯାଇଥିବା ସର୍ତ୍ତାବଳୀ ଗ୍ରହଣ କରିବା ସହିତ ଯୁଦ୍ଧ ଶେଷ ହୋଇଥିଲା । ଚୀନର ଚିଙ୍ଗ୍ ଶାସନ ଅଧୀନରେ ନେପାଳ ଏକ ଅଧୀନସ୍ଥ ରାଜ୍ୟ ହୋଇ ରହିଲା । ଉଭୟ ନେପାଳ ଏବଂ ତିବ୍ଦତ ମଧ୍ୟ କିଙ୍ଗ ସମ୍ରାଟଙ୍କ ବଶତା ଗ୍ରହଣ କରିବାକୁ ସହମତ ହୋଇଥିଲେ ।
ପୃଷ୍ଠଭୂମି
[ସମ୍ପାଦନା]ନେପାଳର ମଲ୍ଲ ରାଜବଂଶର ସମୟରୁ ତିବ୍ଦତରେ ନେପାଳୀ ରୂପା ମୁଦ୍ରା ପ୍ରଚଳିତ ଥିଲା | ଯେତେବେଳେ ପ୍ରୀତି ନାରାୟଣ ଶାହା ତାଙ୍କ ନେପାଳର ଏକତ୍ରୀକରଣ ସମୟରେ କାଠମାଣ୍ଡୁ ଉପତ୍ୟକା ସହ ଅର୍ଥନୈତିକ କାରବାର ବନ୍ଦ କରିଦେଲେ, ସେତେବେଳେ କାଠମାଣ୍ଡୁର ରାଜା ଜୟ ପ୍ରକାଶ ମଲ୍ଲଙ୍କୁ ଏକ ବଡ଼ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଲା । ସେ ତମ୍ବା ମିଶ୍ରିତ ଧାତୁରେ ନିମ୍ନ ମାନର ରୌପ୍ୟ ମୁଦ୍ରା ପ୍ରସ୍ତୁତ କରି ଏହି ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କଲେ । ପରେ ପରେ ୧୭୬୯ ମସିହାରେ ପ୍ରୀତି ନାରାୟଣ ଶାହା ସଫଳତାର ସହ କାଠମାଣ୍ଡୁ ଉପତ୍ୟକାକୁ ଅଧିକାର କରି ନେପାଳରେ ଶାହା ରାଜବଂଶକୁ ସ୍ଥାୟୀ ଭାବରେ ପ୍ରତିଷ୍ଠା କରିବା ପରେ ସେ ପୁନର୍ବାର ଶୁଦ୍ଧ ରୂପା ମୁଦ୍ରା ତିଆରି କରିବା ଆରମ୍ଭ କଲେ । କିନ୍ତୁ ସେତେବେଳକୁ ନେପାଳୀ ମୁଦ୍ରା ଉପରେ ଆତ୍ମବିଶ୍ୱାସ ନଷ୍ଟ ହୋଇଯାଇଥିଲା । ତିବ୍ଦତୀୟମାନେ ଦାବି କରିଥିଲେ ଯେ ପୂର୍ବରୁ ପ୍ରଚଳିତ ଥିବା ମୁଦ୍ରାଗୁଡ଼ିକୁ ଶୁଦ୍ଧ ରୂପା ମୁଦ୍ରା ସହିତ ବଦଳାଇ ଦିଆଯାଉ ଯାହା ଶୁଦ୍ଧ ରୂପା ନୁହେଁ । କିନ୍ତୁ ଏହି ଦାବୀ ପୂରଣ କରିବା କଷ୍ଟକର ଥିଲା ଯାହା ନୂତନ ପ୍ରତିଷ୍ଠିତ ଶାହା ରାଜବଂଶ ପାଇଁ ବିପୁଳ ଆର୍ଥିକ କ୍ଷତି ଘଟାଇବ | ପ୍ରୀତି ନାରାୟଣ ଶାହା ଯେହେତୁ ଏହି ବ୍ୟତିକ୍ରମ ପାଇଁ ଦାୟୀ ନ ଥିଲେ, ସେ ଏତେ ବଡ କ୍ଷତି ସହିବାକୁ ଇଛା କଲେ ନାହିଁ । କିନ୍ତୁ ନୂତନ ରୂପା ମୁଦ୍ରାର ଶୁଦ୍ଧତାର ବିଶ୍ୱସନୀୟତା ପ୍ରତି ସେ ସଜାଗ ରହିଲେ । ଫଳରେ ବଜାରରେ ଦୁଇ ପ୍ରକାରର ମୁଦ୍ରା ପ୍ରଚଳିତ ଥିଲା | ୧୭୭୫ରେ ଶାହାଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ଶାସନର ଶେଷ ପର୍ଯ୍ୟନ୍ତ ଏହି ବିବାଦର ସମାଧାନ ହୋଇ ପାରିଲା ନାହିଁ ଏବଂ ଏହି ସମସ୍ୟା ନେପାଳର ପରବର୍ତ୍ତୀ ଶାସକମାନଙ୍କ ନିକଟରେ ଅସମାହିତ ରହିଲା |
୧୭୮୮ ମସିହାରେ, ପ୍ରୀତି ନାରାୟଣ ଶାହାଙ୍କ ବଡ ପୁଅ ବାହାଦୂର ଶାହା ଏବଂ ତାଙ୍କ ମାମୁଁ ତଥା ନାବାଳକ ରାଜା ରାଣା ବାହାଦୂର ଶାହାଙ୍କ ପ୍ରତିନିଧିଙ୍କ ସମ୍ମୁଖରେ ଏହି ମୁଦ୍ରା ସମସ୍ୟାର ଗୁରୁତର ରୂପ ଧାରଣ କରିସାରିଥିଲା । ନକଲି ମୁଦ୍ରା ବାହାନା କରି ତିବ୍ଦତୀୟମାନେ ନେପାଳ ଆକ୍ରମଣ କରିବାକୁ ଯାଉଛନ୍ତି ବୋଲି ଗୁଜବ ପ୍ରଚାର କରିବାକୁ ଲାଗିଲେ; ଏବଂ ତିବ୍ଦତରେ ରହୁଥିବା ନେପାଳୀ ବ୍ୟବସାୟୀଙ୍କୁ ହଇରାଣ କରିବା ଆରମ୍ଭ କଲେ । ତିବତୀୟ ବୌଦ୍ଧ ଧର୍ମଗୁରୁ ଦଶମ ଶୁମ୍ରାପ ଲାମା ଧାର୍ମିକ ଏବଂ ରାଜନୈତିକ କାରଣରୁ ତିବ୍ଦତ ଛାଡି ନେପାଳ ଯାଇଥିଲେ। ନେପାଳଦ୍ୱାରା ବୌଦ୍ଧ ଧର୍ମଗୁରୁ ଦଶମ ଲାମା ଏବଂ ତାଙ୍କର ୧୪ ଅନୁଗାମୀଙ୍କୁ ରାଜନୈତିକ ଶରଣ ଦେବା ନିସ୍ପତ୍ତି ନେବା ଫଳରେ ନେପାଳ-ତିବ୍ଦତ ସମ୍ପର୍କର ଅଧିକ ତିକ୍ତତା ଆସିଗଲା । ବିବାଦର ଦ୍ୱିତୀୟ କାରଣ ହେଉଛି ନିମ୍ନ ମାନର ଲୁଣ ଯାହା ତିବ୍ଦତଦ୍ୱାରା ନେପାଳରେ ବଣ୍ଟନ କରାଯାଇଥିଲା | ସେତେବେଳେ ଲୁଣ କେବଳ ତିବ୍ଦତରୁ ନେପାଳକୁ ଆସୁଥିଲା । ଏହି ବିବାଦର ସମାଧାନ ପାଇଁ ନେପାଳରୁ ଏକ ପ୍ରତିନିଧୀ ଦଳ ତିବ୍ଦତକୁ ପଠାଯାଇଥିଲା, କିନ୍ତୁ ତିବ୍ଦତ ଏହି ପ୍ରତିନିଧୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା । ଏହିପରି ଭାବେ ନେପାଳର ତିବ୍ଦତ ସହିତ ସୁସମ୍ପର୍କ ରଖିବାକୁ ଇଚ୍ଛା ନଥିଲା ଏବଂ ନେପାଳ ଅନେକ ଦିଗରୁ ତିବ୍ଦତ ଉପରେ ଆକ୍ରମଣ ଆରମ୍ଭ କରିଥିଲା ।
ପ୍ରଥମ ଆକ୍ରମଣ
[ସମ୍ପାଦନା]୧୭୮୮ ମସିହାରେ ବାହାଦୂର ଶାହା ଦାମୋଦର ପାଣ୍ଡେ ଏବଂ ବାମ ଶାହାଙ୍କ ମିଳିତ ନେତୃତ୍ୱରେ ଗୋରଖା ସୈନ୍ୟନ୍ୟମାନଙ୍କୁ ତିବ୍ଦତ ଉପରେ ଆକ୍ରମଣ କରିବାକୁ ପଠାଇଲେ । ଗୋର୍ଖା ସୈନ୍ୟମାନେ କୁଟି (ନୟାଲମ୍ ଟାଉନ୍) ଦେଇ ତିବ୍ଦତରେ ପ୍ରବେଶ କରି ତାଶିଲହୋନପୋ (କୁଟିଠାରୁ ପ୍ରାୟ ୪୧୦ କିଲୋମିଟର) ପର୍ଯ୍ୟନ୍ତ ମାଡିଗଲେ । ଶିକରଜୋଙ୍ଗରେ ଏକ ଭୀଷଣ ଯୁଦ୍ଧ ହୋଇଥିଲା ଯେଉଁଥିରେ ତିବ୍ଦତୀୟମାନେ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲେ | ପରେ ପଞ୍ଚେନ୍ ଲାମା ଏବଂ ସାକିଆ ଲାମା ଗୋରଖା ସୈନ୍ୟମାନଙ୍କୁ ଶାନ୍ତି ଆଲୋଚନା କରିବାକୁ ଅନୁରୋଧ କରିଥିଲେ । ତେଣୁ ଗୋର୍ଖା ସୈନ୍ୟମାନେ ଶିକରଜୋଙ୍ଗ ଛାଡି କୁଟି ଏବଂ କେରୁଙ୍ଗ (ଗିରୋଙ୍ଗ) ଆଡକୁ ଗଲେ ।
ଦ୍ୱିତୀୟ ଆକ୍ରମଣ
[ସମ୍ପାଦନା]ଯେତେବେଳେ ତିବ୍ଦତ ନେପାଳକୁ କର ଦେବାକୁ ମନା କରିଦେଇଥିଲା, ୧୭୯୧ ମସିହାରେ ବାହାଦୂର ଶାହା ଅଭିମାନ ସିଂ ବାସ୍ନେଟଙ୍କ ନେତୃତ୍ୱରେ ଏକ ସୈନ୍ୟବାହିନୀ କେରୁଟକୁ ଏବଂ ଦାମୋଦର ପାଣ୍ଡେଙ୍କ ନେତୃତ୍ୱରେ ଅନ୍ୟ ଏକ ସୈନ୍ୟବାହିନୀ କୁଟି ପଠାଇଥିଲେ । ଦାମୋଦର ପାଣ୍ଡେ ଦିଗରଚା ଉପରେ ଆକ୍ରମଣ କରି ସେଠାରେ ଥିବା ବୌଦ୍ଧ ମଠର ସମ୍ପତ୍ତି ଅଧିକୃତ କରିନେଇଥିଲେ । ସେ ଲାସା ମନ୍ତ୍ରୀ ଡୋରେନ କାଜୀକୁ ଗିରଫ କରି ନେପାଳକୁ ଫେରିଥିଲେ । କିଆନଲଙ୍ଗ ସମ୍ରାଟଙ୍କଦ୍ୱାରା ଏହି ଖବର ଶୁଣିବା ମାତ୍ରେ ସେ ତିବ୍ଦତକୁ ରକ୍ଷା କରିବା ପାଇଁ ଫୁକାଙ୍ଗଗାନଙ୍କ ନେତୃତ୍ୱରେ ୧୦,୦୦୦ ସୈନିକ (ସୋଲନ୍ ଇୱେଙ୍କି ସୈନିକଙ୍କ ଏକ ବୃହତ ଅଂଶ) ପଠାଇଥିଲେ । ପ୍ରାୟ ଦୁଇ ହଜାର କିଲୋମିଟର ମାତ୍ର ଷାଠିଏ ଦିନ ମଧ୍ୟରେଅତିକ୍ରମ କରି ଫୁକାଙ୍ଗଗାନର ବାହିନୀ ଲାସାରେ ପହଞ୍ଚିଥିଲେ ।
ପରିଣାମ
[ସମ୍ପାଦନା]ପରିଶେଷରେ ଚିଙ୍ଗ୍ ସେନାପତି ଫୁକଙ୍ଗଗାନ ନେପାଳ ସରକାରଙ୍କୁ ଏକ ଶାନ୍ତି ଚୁକ୍ତିନାମା ନିଷ୍ପାଦନ କରିବା ପାଇଁ ଏକ ପ୍ରସ୍ତାବ ପଠାଇଥିଲେ । ବାହାଦୂର ଶାହା ମଧ୍ୟ ଚିଙ୍ଗ୍ ଶାସନ ସହିତ ଉତ୍ତମ ସମ୍ପର୍କ ରଖିବାକୁ ଚାହୁଁଥିଲେ । ସେ ଏହି ପ୍ରସ୍ତାବକୁ ସହଜରେ ଗ୍ରହଣ କଲେ ଏବଂ ସେମାନେ ୨ ଅକ୍ଟୋବର ୧୭୯୨ରେ ବେଟ୍ରାଭାତିରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ Sen, Parjanya; Chakraborty, Anup Shekhar (2023-07-20). Death and Dying in Northeast India: Indigeneity and Afterlife (in ଇଂରାଜୀ). Taylor & Francis. ISBN 978-1-000-90466-6.
- ↑ Times, Nepali (2024-03-02). "Neither side lost, both sides won". nepalitimes.com. Retrieved 2024-11-29.
- ↑ Acharya, Baburam (2013-08-15). The Bloodstained Throne: Struggles for Power in Nepal (1775-1914) (in ଇଂରାଜୀ). Penguin UK. ISBN 978-93-5118-204-7.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |