ଚିତ୍ରଲେଖା କାହାଣୀ (ବତ୍ରିଶ ସିଂହାସନ)

ଚିତ୍ରଲେଖା କାହାଣୀ ବତ୍ରିଶ ସିଂହାସନର ଦ୍ଵିତୀୟ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ମହାନ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ ।[୧]
ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ଦ୍ଵିତୀୟ ଦିନ ଯେତେବେଳେ ସେହି ସିଂହାସନର ଦ୍ଵିତୀୟ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ଚିତ୍ରଲେଖା ନାମକ ଦ୍ଵିତୀୟ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏଠି ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[୨]
ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ଦ୍ଵିତୀୟ ପ୍ରତିମା ଚିତ୍ରଲେଖା ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ ।[୩][୪]
ଦ୍ଵିତୀୟ କାହାଣୀ
[ସମ୍ପାଦନା]ବତ୍ରିଶ ସିଂହାସନର ଦ୍ୱିତୀୟ ପ୍ରତିମା କହିଥିବା କଥା ଏପରି ଥିଲା —
ଏକଦିନ ରାଜା ବିକ୍ରମାଦିତ୍ୟ ଶିକାର କରୁ କରୁ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଯାଇ ପହଞ୍ଚିଲେ । ସେଠାରେ ସେ ଜଣେ ସାଧୁଙ୍କୁ ତପସ୍ୟାରେ ଲିନ ଦେଖିଲେ । ସେ ସାଧୁଙ୍କ ତପସ୍ୟାରେ ବିଘ୍ନ ଯେପରି ନ ଘଟେ, ଏହା ଭାବି ସେ ଶ୍ରଦ୍ଧାପୂର୍ଣ୍ଣ ନମସ୍କାର କରି ଫେରିବାକୁ ଲାଗିଲେ । ସେ ମୁହଁ ଫେରାଇବା ସଙ୍ଗେ ସଙ୍ଗେ ସାଧୁ ଡାକିଲେ ଓ ଗୋଟିଏ ଫଳ ଦେଇ କହିଲେ, “ଯିଏ ଏହି ଫଳ ଖାଇବେ ସେ ତେଜସ୍ୱୀ ଓ ଯଶସ୍ୱୀ ପୁଅ ପାଇବେ” ।
ରାଜା ଫଳ ନେଇ ଫେରୁଥିବା ବେଳେ ଜଣେ ମହିଳାଙ୍କୁ ଗୋଟିଏ କୂଆଁ ନିକଟେ ଆତ୍ମହତ୍ୟା କରିବାକୁ ଯାଉଥିବା ଦେଖିଲେ । ସେ ତାଙ୍କୁ ଧରି ଆତ୍ମହତ୍ୟାର କାରଣ ପଚାରିଲେ । ମହିଳା କହିଲେ ଯେ ତାଙ୍କର ଅନେକ ଝିଅ ଅଛନ୍ତି, କିନ୍ତୁ ପୁଅ ନାହିଁ, ଏହିକାରଣରୁ ତାଙ୍କ ସ୍ଵାମୀ ତାଙ୍କୁ ନିତି ଅପମାନ ଦିଅନ୍ତି । ରାଜା ତାଙ୍କୁ ସେଇ ସାଧୁ ଦେଇଥିବା ଫଳ ଦେଇ କହିଲେ ଯେ ଯଦି ତାଙ୍କ ସ୍ଵାମୀ ଏହା ଖାଆନ୍ତି, ତେବେ ଏଥର ନିଶ୍ଚୟ ପୁଅ ହେବେ ।
କିଛି ଦିନ ପରେ ଜଣେ ବ୍ରାହ୍ମଣ ସେଇ ଫଳ ରାଜା ବିକ୍ରମଙ୍କୁ ଭେଟି ଦେଲେ । ରାଜା ବୁଝିଗଲେ ଯେ ସେଇ ମହିଳା ଚରିତ୍ରହୀନ ଥିଲା । ଦୁଃଖିତ ହୋଇ ସେ ଫଳ ନିଜ ରାଣୀକୁ ଦେଲେ । କିନ୍ତୁ ରାଣୀ ମଧ୍ୟ ଚରିତ୍ରହୀନ ଥିଲେ ଓ ନଗରର ନଗର ରକ୍ଷକକୁ ସେ ଫଳ ଦେଲେ । ନଗର ରକ୍ଷକ ତାହାକୁ ଜଣେ ବେଶ୍ୟାଙ୍କୁ ଦେଲେ । ବେଶ୍ୟା ଭାବିଲେ ଯେ ଯଦି ସେ ପୁଅ ଜନ୍ମାଇଲେ ମଧ୍ୟ ସମାଜ ତାହାକୁ ସମ୍ମାନ ଦେବ ନାହିଁ, ସେଠାରୁ ସେ ଫଳଟିକୁ ଫେରେଇ ବିକ୍ରମାଦିତ୍ୟଙ୍କୁ ଦେଲେ, କାରଣ ସେ ଭାବିଲେ ଯେ ଏହି ଫଳର ଯୋଗ୍ୟ ଅଧିକାରୀ ରାଜା ଅଟନ୍ତି । ଫଳ ଦେଖି ବିକ୍ରମାଦିତ୍ୟ ଆଶ୍ଚର୍ୟ ହେଲେ ଓ ତଦନ୍ତ କରି ଜାଣିଲେ ଯେ ରାଣୀ ଓ ନଗର ରକ୍ଷକଙ୍କ ଅବୈଧ ସମ୍ପର୍କ ଅଛି । ସେ ଦୁଃଖିତ ହୋଇ ରାଜ୍ୟ ଛାଡ଼ି ଜଙ୍ଗଲକୁ ଯାଇ ତପସ୍ୟା କରିବା ଆରମ୍ଭ କଲେ । ଇନ୍ଦ୍ର ରାଜାଙ୍କ ଅନୁପସ୍ଥିତିରେ ରାଜ୍ୟ ରକ୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ପଠାଇଲେ । କିଛି ସମୟ ପରେ ବିକ୍ରମାଦିତ୍ୟ ଫେରିଲେ ଓ ରାଜ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କଲେ, କିନ୍ତୁ ସେଇ ଦେବତା ରାସ୍ତା ଅଟକାଇଲେ । ସେ ଦେବତାଙ୍କ ସହ ଯୁଦ୍ଧ କରି ତାଙ୍କୁ ହରାଇଲେ ଓ ସେଇ ଦେବତା କହିଲେ ଯେ ତାଙ୍କ ଗତଜନ୍ମର ଜଣେ ଶତ୍ରୁ ଏଠାରେ ଆସି ଯୋଗୀ ଭାବେ ସାଧନା କରୁଛି ଓ ସେ ତାଙ୍କୁ ମାରିବା ଚେଷ୍ଟା କରିବ ।ରାଜା ଜାଣିଲେ ଯେ ଭଣ୍ଡ ଯୋଗୀକୁ ମାରିଲେ ହିଁ ସେ ନିରଙ୍କୁଶ ଶାସନ କରିପାରିବେ । ରାଣୀ ସେତେବେଳକୁ ଅପମାନ ଓ ଗ୍ଳାନିରେ ଆତ୍ମହତ୍ୟା କରିସାରିଥାନ୍ତି । କିଛି ଦିନ ପରେ ସେଇ ଯୋଗୀ ଦରବାରକୁ ଆସିଲେ ଓ ବିକ୍ରମଙ୍କୁ ଏକ ଫଳ ଦେଲେ, ଯାହା କାଟିବା ପରେ ସେଥିରୁ ଲାଲ ମଣି ବାହାରିଲା । ଉକ୍ତ ଯୋଗୀ କହିଲେ କି ଏହି ଉପହାର ବଦଳରେ ସେ କିଛି ସହାୟତା କାମନା କରନ୍ତି । କାରଣ ଶ୍ମଶାନର ଏକ ବୃକ୍ଷରେ ଯେଉଁ ଏକ ବେତାଳ ଅଛି, ତାକୁ ଆଣି ଯୋଗୀଙ୍କୁ ଦେଲେ ସେ ତାଙ୍କ ସାଧନାରେ ତାକୁ ବ୍ୟବହାର କରିବ । ବିକ୍ରମ ତାଙ୍କ ସହ ଶ୍ମଶାନକୁ ଗଲେ । ପ୍ରତିଥର ବିକ୍ରମ ବେତାଳକୁ କାନ୍ଧରେ ନେଇ ଆସୁଥିଲେ, କିନ୍ତୁ ସେ ବାରମ୍ବାର କୌଣସି ନା କୌଣସି ପ୍ରକାରେ ତାଙ୍କ କାନ୍ଧରୁ ଖସିଆସି ପୁଣି ବୃକ୍ଷରେ ଓହଳିପଡୁଥିଲା । ପ୍ରତିଥର ବେତାଳ ତାଙ୍କୁ ଗୋଟିଏ କାହାଣୀ କହୁଥିଲା ଏବଂ କାହାଣି ଶେଷରେ ରାଜଙ୍କୁ ଏକ ଉପଦେଶ ଦେଉଥିଲା । ଏହିପରି ଚବିଶ ଥର ଘଟିଲା । ୨୪ତମ ଥର କିନୁ ବେତାଳ ସତ୍ୟ କହିଲା ଯେ ସେଇ ଯୋଗୀ ଦୁଷ୍ଟ ଓ ଖଳ ପ୍ରକୃତିର, ତାଙ୍କ ସିଦ୍ଧି ପ୍ରାପ୍ତି ପାଇଁ ସେ ବିକ୍ରମଙ୍କୁ ବଳି ଦେବାକୁ ଚାହୁଁଛି । ବିକ୍ରମ ଇନ୍ଦ୍ରଦେବଙ୍କ ସତର୍କବାଣୀ ସ୍ମରଣ କଲେ, ଯୋଗୀଙ୍କୁ ମାରି ଦେଲେ । ଦେବୀ ଖୁସି ହୋଇ ତାଙ୍କୁ ଦୁଇଜଣ ବେତାଳ ସେବକ ଦେଲେ ଯେ ସେ ଯେତେବେଳେ ଡାକିବେ, ସେମାନେ ତୁରନ୍ତ ଉପସ୍ଥିତ ହେବେ ।
ଏପରିଭାବେ ଦେବୀଙ୍କ ଆଶୀର୍ବାଦ ପାଇ ରାଜା ବିକ୍ରମାଦିତ୍ୟ ଆନନ୍ଦରେ ନିଜ ମହଲକୁ ଫେରିଲେ ।ଗପଟି କହି ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ଭଳି ଏଭଳି ମହାନ ଗୁଣର ଅଧିକାରୀ ?[୫]
ଏହିପରି କହିବା ପରେ ଦ୍ଵିତୀୟ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).
{{cite book}}: CS1 maint: unrecognized language (link) - ↑ WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
- ↑ samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.
{{cite web}}: CS1 maint: numeric names: authors list (link)[permanent dead link] - ↑ "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
- ↑ "Singhasan Battisi - The Story of 2nd Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-06.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |