Jump to content

ଚିତ୍ତରଞ୍ଜନ ଦାଶ (ଜନ୍ମ: ୧୯୬୪)

ଉଇକିପିଡ଼ିଆ‌ରୁ

ଚିତ୍ତରଞ୍ଜନ ଦାଶ ( ଜନ୍ମ: ୧୨ ନଭେମ୍ବର ୧୯୬୪) ଜଣେ ଭାରତୀୟ ଆଇନଜୀବୀ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ।[][]

ଶିକ୍ଷା ଓ ବୃତ୍ତି

[ସମ୍ପାଦନା]

ଚିତ୍ତରଞ୍ଜନ ଦାଶ ୧୨ ନଭେମ୍ବର ୧୯୬୪ ତାରିଖରେ ରାଉରକେଲାରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଥିଲେ ଓଡ଼ିଶା ପ୍ରଶାସନିକ ସେବାର ଏକ ଅଧିକାରୀ । ଶ୍ରୀ ଦାଶ ରାଉରକେଲାର ବି.ଏସ. ହାଇସ୍କୁଲ୍, ସୁନ୍ଦରଗଡ ଏବଂ ଇସ୍ପାତ ବିଦ୍ୟାପୀଠ, ସେକ୍ଟର-୧୮, ରାଉରକେଲାରେ ତାଙ୍କ ଶିକ୍ଷା ଆରମ୍ଭ କରିଥିଲେ । ସେ ସରକାରୀ ମହାବିଦ୍ୟାଳୟ, ରାଉରକେଲାରୁ କଳାରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ ଓ ଲାଲା ଲାଜପତ ରାୟ ଆଇନ ମହାବିଦ୍ୟାଳୟ, ସମ୍ବଲପୁରରୁ ସ୍ନାତକ ଆଇନ ଡିଗ୍ରୀ ଅର୍ଜନ କରିଥିଲେ । ୧୯୮୮ରେ ଶ୍ରୀ ଦାଶ ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍‌ରେ ଆଇନଜିବି ଭାବେ ନିଯୁକ୍ତି ଲାଭ କରି ରାଉରକେଲା ବାର୍ ଆସୋସିଏସନ୍‌ର ଏକ ସଦସ୍ୟ ଭାବେ ତାଙ୍କ ପେଶାର ଆରମ୍ଭ କରିଥିଲେ । ତାଙ୍କ ଶାଶୁ ଶ୍ରୀମତୀ ଶୈଳବାଳା ପୁଜାରୀ ଏକ ପ୍ରମୁଖ ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକର୍ତ୍ତୀ ଥିଲେ, ଏବଂ ପଶ୍ଚିମ ଓଡ଼ିଶାର ପ୍ରଥମ ମହିଳା ଆଇନଜିବି ଥିଲେ ।

ଖୁବ କମ ବୟସରେ ଶ୍ରୀ ଦାଶ ରାଉରକେଲା ଇସ୍ପାତ କାରଖାନାର ପ୍ୟାନେଲଭୁକ୍ତ ଆଇନଜିବି ଭାବେ ନିଯୁକ୍ତ ହୋଇଥିଲେ ଓ ଅନେକ ଗୁରୁତ୍ତପୂର୍ଣ୍ଣ ଦେୱାନୀ ମାମଲାର ସମାଧାନ କରିଥିଲେ । ସେ ଏମ୍‌/ଏସ୍‌ ଫେରୋ ସ୍କ୍ରାପ୍ ନିଗମ୍ ଲିମିଟେଡ୍, ଓଡ଼ିଶା ସିମେଣ୍ଟ୍ ଲିମିଟେଡ୍, ଶିବା ସିମେଣ୍ଟ୍ ଲିମିଟେଡ୍ ଆଦି ଅନେକ କମ୍ପାନୀଙ୍କ ପାଇଁ ଆଇନଜିବି ଥିଲେ । ସେ ଆର୍ବିଟ୍ରେସନ୍ ସମିତିର ଏକ ସଦସ୍ୟ ଥିଲେ ଏବଂ ଓଡ଼ିଶା ଓ ଝାଡଖଣ୍ଡର ବିଭିନ୍ନ ସ୍ଥାନରେ ଆର୍ବିଟ୍ରେସନ୍ ପରିଚାଳନା କରିଥିଲେ । ସେ ୨୦୦୪ରେ କଟକରେ ଆଡ-ହକ ଅତିତିକ୍ତ ଜିଲ୍ଲା ଓ ଦୌରା ଜଜ୍ ଭାବେ ନିଯୁକ୍ତି ପାଇଥିଲେ ।

କନ୍ଧମାଳ ବଦଳି ହେବାପରେ ଶ୍ରୀ ଦାଶ କନ୍ଧମାଳ ଦଙ୍ଗା ସମ୍ପର୍କିତ ମାମଲା ଗୁଡିକର ବିଚାର ଦାୟିତ୍ୱ ନେଇଥିଲେ ଓ ବହୁ ଚର୍ଚ୍ଚିତ ହିନ୍ଦୁ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ବିଚାର ପରିଚାଳନା କରିଥିଲେ । ସେ ତାଙ୍କ ଚାକିରି କାଳ ମଧ୍ୟରେ କଟକର ୨ୟ ଏବଂ ୩ୟ ଅତିତିକ୍ତ ଜିଲ୍ଲା ଓ ଦୌରା ଜଜ୍, କଳାହାଣ୍ଡିର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍, ଜିଲ୍ଲା ନ୍ୟାୟପାଳିକା, ରାୟଗଡ଼ର ଜିଲ୍ଲା ଓ ଦୌରା ଜଜ୍ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର୍ (ନ୍ୟାୟିକ) ଭାବେ ଦାୟିତ୍ୱ ପାଳନ କରିଥିଲେ ।[] ମାର୍ଚ୍ଚ ୨୦୨୧ରୁ ଶ୍ରୀ ଦାଶ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର୍ ଜେନେରାଲ୍ ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ ।

ସେ ୧୩ ଅଗଷ୍ଟ ୨୦୨୨ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦୋନ୍ନତି ପାଇଛନ୍ତି ।[]

  1. ୧.୦ ୧.୧ "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-21.
  2. "ORISSA HIGH COURT" (PDF). cdnbbsr.s3waas.gov.in. Retrieved 21 December 2024.
  3. "Former Judges | District Court, Rayagada | India". rayagada.dcourts.gov. Retrieved 21 December 2024.