ଚସମା ଆଖି ପକ୍ଷୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଚସମା ଆଖି ପକ୍ଷୀ
Indian Stone Curlew.jpg
ଚସମା ଆଖି ପକ୍ଷୀର ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
Kingdom: Animalia
Phylum: Chordata
Class: Aves
Order: Charadriiformes
Family: Burhinidae
Genus: Burhinus
ଜାତି: B. indicus
ବାଇନୋମିଆଲ ନାମ
Burhinus indicus
ତୋମ୍ମାସୋ ସାଲ୍‍ଭାଡୋରି, ୧୮୬୫
Synonyms
  • Oedicnemus indicus
  • Burhinus oedicnemus indicus

ଚସମା ଆଖି ଚଢ଼େଇ ବା ଚଷମା ଆଖି ଚଢ଼େଇ (ଇଂରାଜୀରେ Indian stone-curlew ବା Indian thick-knee, ଜୀବବିଜ୍ଞାନ ନାମ Burhinus indicus) ବର୍ହିନିଡେ ପରିବାରର ଏକ ସଦସ୍ୟ ପକ୍ଷୀ । ପ୍ରଥମେ ଏହାକୁ ୟୁରେସୀୟ ଚସମା ଆଖି ପକ୍ଷୀର ଏକ ଉପପ୍ରଜାତି କୁହାଯାଉଥିଲା । ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆର ସମତଳ ଅଞ୍ଚଳରେ ଏହି ପକ୍ଷୀ ପରିଲକ୍ଷିତ ହୋଇଥାଏ । ଚସମା ଆଖି ପକ୍ଷୀର ଆଖିଗୁଡ଼ିକ ବଡ଼ । ଏହାର ଦେହ ମାଟିଆ ଓ ଫିକା ହଳଦିଆ ରଙ୍ଗର ହୋଇଥିବାରୁ ମାଟି ଓ ପଥର ପ୍ରଚ୍ଛଦରେ ଅପୂର୍ବ ଛଳାବରଣ ସୃଷ୍ଟି ହୋଇ ଏହି ପକ୍ଷୀକୁ ଠାବ କରିବା ଅତି କଷ୍ଟକର ହୋଇଥାଏ । ଏହି ପକ୍ଷୀ ଅନ୍ଧାରରେ ଅଧିକ ସକ୍ରିୟ । ଚସମା ଆଖି ପକ୍ଷୀର ଡାକରୁ ଏହାର ଇଂରାଜୀ ନାମ curlewର ସୃଷ୍ଟି ।

ବିବରଣୀ[ସମ୍ପାଦନା]

ଚସମା ଆଖି ପକ୍ଷୀର ବଡ଼ ଆଖି ଏହାର ରାତ୍ରିଚର ପ୍ରବୃତ୍ତିର ସୂଚକ

ମାଟିଆ ରଙ୍ଗର ଏହି ଭୂମିଚର ପକ୍ଷୀର ଆଖି ହଳଦିଆ ରଙ୍ଗର, ବଡ଼ ଓ ପ୍ରାୟ ୪୧ ସେଣ୍ଟିମିଟର୍ ଲମ୍ବା । ଏହାର ବାଲି ମାଟି ପରି ରଙ୍ଗର ଶରୀରରେ କଳା ଚିହ୍ନ ସବୁ ରହିଥାଏ । ଅନ୍ୟ ପକ୍ଷୀଙ୍କ ତୁଳନାରେ ମୁଣ୍ଡଟି ଅପେକ୍ଷାକୃତ ବଡ଼ ଓ ଆଖିର ଚାରିପଟେ ଧଳା ବା ହଳଦି ରଙ୍ଗର ପଟି ରହିଥାଏ । ଏହି ପଟି ଭ୍ରୁଲତା ପରି ପତଳା ।[୨] ଆଖି ପାଖର ଦାଗ ସବୁ ଧଳା-ହଳଦି ଚସମା [୩] ପରି ଭ୍ରମ ସୃଷ୍ଟି କରୁଥିବାରୁ ଓଡ଼ିଶାରେ ଏହି ପକ୍ଷୀର ସ୍ଥାନୀୟ ନାମ ‘ଚସମା ଆଖି ପକ୍ଷୀ’ । ଚସମା ଆଖି ପକ୍ଷୀର ଗୋଡ଼ଗୁଡ଼ିକ ସବଳ ଓ ଏହାର ଆଣ୍ଠୁଟି ମୋଟା ହୋଇଥାଏ । ଏହି କାରଣରୁ ଇଂରାଜୀ ଭାଷାରେ ଏହାର ଆଉ ଏକ ସାଧାରଣ ନାମ ହେଲା "thick-knee" (ମୋଟା ଆଣ୍ଠୁଆ) । ମାଈ ଓ ଅଣ୍ଡିରା ପକ୍ଷୀର ଗଠନରେ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ । ଶୈଶବାବସ୍ଥାରେ ଶରୀରର ରଙ୍ଗ ସାମାନ୍ୟ ଫିକା ହୋଇଥାଏ । ଉଡ଼ନ୍ତା ଅବସ୍ଥାରେ ଏହି ପକ୍ଷୀର ଡେଣାର ଧଳା ଦାଗ ଓ ପଟି ସ୍ପଷ୍ଟ ଭାବେ ଦେଖାଯାଏ । ସ୍ଥିତାବସ୍ଥାରେ ଡେଣାରେ ଅବସନ୍ନ ପୀତ ରଙ୍ଗର ପଟି ଦିଶେ ।[୪][୫]

ଏହି ପକ୍ଷୀ ଭୋର ବା ପାହାନ୍ତା ଓ ଗୋଧୂଳି ସମୟରେ ସର୍ବାଧିକ ସକ୍ରିୟ ଥାଏ । ଆଖି ଚସମା ପକ୍ଷୀ ପ୍ରାୟତଃ ରାତି ବେଳେ ଡାକ ପକାଇଥାଏ । ତୀବ୍ର ସ୍ୱରର ପିକ୍-ପିକ୍-ପିକ୍-ପିକ୍ ଡାକ ବେଳେବେଳେ ପିକ୍-ୱିକ୍, ପିକ୍-ୱିକ୍ ଡାକରେ ସମାପ୍ତ ହୁଏ । ଚସମା ଆଖି ପକ୍ଷୀ ଛୋଟ ଦଳରେ ରହିବା ଦେଖାଯାଏ । ଦିନବେଳେ ଏମାନେ ବୁଦା ମୂଳର ଛାଇରେ ଲୁଚି ଛିଡ଼ା ହୋଇ ରହିଥାନ୍ତି ।[୪]

ଚସମା ପରି ଆଖି

ବର୍ଗୀକରଣ[ସମ୍ପାଦନା]

ଭାରତୀୟ ଚସମା ଆଖି ପକ୍ଷୀକୁ ପ୍ରଥମେ ୟୁରେସୀୟ ଚସମା ଆଖି ପକ୍ଷୀର (Burhinus oedicnemus) ଏକ ଉପପ୍ରଜାତି ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଭାରତୀୟ ଚସମା ଆଖି ପକ୍ଷୀର ଦେହର ରଙ୍ଗ ଅନ୍ୟ ପ୍ରଜାତିର ଚସମା ଆଖି ପକ୍ଷୀଙ୍କଠାରୁ ସ୍ୱତନ୍ତ୍ର । ପୁଣି ଭାରତୀୟ ଚସମା ଆଖି ପ୍ରବାସ କରନ୍ତି ନାହିଁ ଓ ନିଜ ଅଧିବାସ ମଧ୍ୟରେ ବିଚରଣ କରିଥାନ୍ତି । ଏହି ସବୁ ତଥ୍ୟକୁ ଭିତ୍ତି କରି ୨୦୦୫ ମସିହାରେ ପାମେଲା ରାସ୍ମୁସେନ୍ ଭାରତୀୟ ଉପମହାଦେଶର ଚସମା ଆଖି ପକ୍ଷୀକୁ ଏକ ସ୍ୱତନ୍ତ୍ର ପ୍ରଜାତି ରୂପେ ପରିଗଣନା କରିଥିଲେ ।[୬] କିନ୍ତୁ ଏହି ପକ୍ଷୀ ଉପରେ କୌଣସି ବଡ଼ ଧରଣର ପଲିଜେନେଟିକ୍ ଶୌଧ କରାଯାଇନାହିଁ ।

ପରିବାସ[ସମ୍ପାଦନା]

ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, କଣ୍ଟାବୁଦା ଜଙ୍ଗଲ, ବୁଦାଳିଆ ନଦୀଶଯ୍ୟା, ତୋଟା ଓ ବଗିଚା ଇତ୍ୟାଦି ସ୍ଥାନ ଚସମା ଆଖି ପକ୍ଷୀଙ୍କ ରହିବା ସ୍ଥାନ ।[୫]

ଭୌଗୋଳିକ ବିତରଣ[ସମ୍ପାଦନା]

ବୟସ୍କ ଓ ଛୁଆ ଚସମା ଆଖି ପକ୍ଷୀ

ଚସମା ଆଖି ପକ୍ଷୀର ଭାରତୀୟ ପ୍ରଜାତି ମୁଖ୍ୟତଃ ବଙ୍ଗଳାଦେଶ, ଭୁଟାନ, କାମ୍ବୋଡ଼ିଆ, ଭାରତ, ଲାଓସ୍, ବ୍ରହ୍ମଦେଶ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ୍ ଓ ଭିଏତ୍‍ନାମ[୭] ଇତ୍ୟାଦି ଦେଶରେ ଦେଖାଯାନ୍ତି । ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, ବୁଦାଳିଆ ଜଙ୍ଗଲ, ପଥୁରିଆ ପାହାଡ଼ କଡ଼ ପରି ସ୍ଥାନ ଏମାନଙ୍କ ପାଇଁ ଉତ୍ତମ ଅଧିବାସ ।[୪]

ବୁଦା ତଳେ ଲୁଚି ରହିଥିବା ଚସମା ଆଖି ପକ୍ଷୀ

ପ୍ରଜନନ[ସମ୍ପାଦନା]

ମାର୍ଚ୍ଚ ଓ ଅପ୍ରେଲ୍ ମାସ ଚସମା ଆଖି ପକ୍ଷୀଙ୍କ ମୁଖ୍ୟ ପ୍ରଜନନ ସମୟ । ଖୋଲା ଭୂମିରେ ନିର୍ମିତ ଖାଲୁଆ ବସାରେ ବା ବୁଦା ମୂଳରେ ଏମାନେ ୨ରୁ ୩ଟି ଅଣ୍ଡା ଦିଅନ୍ତି । ଅଣ୍ଡାଗୁଡ଼ିକର ରଙ୍ଗ ପଥର ସହିତ ପ୍ରାୟ ମିଶିଯାଏ । ମାଈ ଚଢ଼େଇ ମୁଖ୍ୟତଃ ଅଣ୍ଡା ଉଷୁମାଇବା ଦାୟିତ୍ତ୍ୱ ନିଏ ଏବଂ ଅଣ୍ଡିରା ଚଢ଼େଇ ପାଖରେ ଅଣ୍ଡାମାନଙ୍କୁ ଜଗି ରହିଥାଏ । ଅଣ୍ଡା ଫୁଟି ଛୁଆ ବାହାରିବା ପରେ ସେମାନେ ତୁରନ୍ତ ପିତାମାତାଙ୍କ ପଛରେ ଚାଲି ବୁଲିବା ଆରମ୍ଭ କରିଦେଇଥାନ୍ତି । ଛୁଆମାନଙ୍କ ଦେହର ରଙ୍ଗ ମଧ୍ୟ ଛଳାବରଣ ପୂର୍ଣ୍ଣ ହୋଇଥାଏ । ବିପଦ ସଙ୍କେତ ମିଳିଲେ ଛୁଆମାନେ ନିଶ୍ଚଳ ଭାବେ ଛିଡ଼ା ହୋଇଯାନ୍ତି ବା ଭୂମିରେ ବସି ପଡ଼ନ୍ତି । ଦେହର ଛଳାବରଣ ଯୋଗୁଁ ସେମାନଙ୍କୁ ସହଜରେ ଠଉରାଇ ହୁଏ ନାହିଁ ।[୪]

ଆହାର[ସମ୍ପାଦନା]

ବିଭିନ୍ନ ପ୍ରକାରର କୀଟପତଙ୍ଗ, ଜିଆ, କେଞ୍ଚୁଆ, କ୍ଷୁଦ୍ର ସରୀସୃପ ଓ ଭୂପତିତ ବିଭିନ୍ନ ଫଳର ମଞ୍ଜି ଇତ୍ୟାଦି ଚସମା ଆଖି ପକ୍ଷୀର ପ୍ରମୁଖ ଆହାର ।[୪]

ଆହୁରି ଦେଖନ୍ତୁ[ସମ୍ପାଦନା]

ଦେବତା ବିନ୍ଧାଣୀ ଚଢ଼େଇ

ପେଚା

କୁଣ୍ଡାଖିଆ ଚଢ଼େଇ

ଆଧାର[ସମ୍ପାଦନା]

  1. "Burhinus indicus". IUCN Red List of Threatened Species. Version 2015.2. International Union for Conservation of Nature. 2014. Retrieved 28 June 2015.CS1 maint: ref=harv (link)
  2. Whistler, Hugh (1949). Popular handbook of Indian birds (4 ed.). London: Gurney and Jackson. pp. 450–451.
  3. http://www.india-birds.com/greatthickknee.aspx
  4. ୪.୦ ୪.୧ ୪.୨ ୪.୩ ୪.୪ Ali, Sálim; Ripley, S. Dillon (1978). Handbook of the birds of India and Pakistan : together with those of Bangladesh, Nepal, Bhutan and Sri Lanka. Volume 3 Stone Curlews to Owls (2nd ed.). New Delhi: Oxford University Press. p. 2. ISBN 019565936-8.
  5. ୫.୦ ୫.୧ Rasmussen, Pamela C.; Anderton, John C. Birds of South Asia The Ripley Guide Volume 2: Attributes and Status (2005 ed.). Washington, D.C and Barcelona: Smithsonian Institution and Lynx Edicions. p. 181.
  6. Inskipp, Tim; Collar, N.J (2015). "Notable taxonomic changes proposed for Asian birds in 2014" (PDF). Birding Asia. 24: 64–71.
  7. https://www.iucnredlist.org/species/45111544/95142370

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]