ଦୋହାକୋଷ ଓ ବୌଦ୍ଧ ଗାନ

ଉଇକିପିଡ଼ିଆ ରୁ
(ଚର୍ଯା ଗୀତିକା ରୁ ଲେଉଟି ଆସିଛି)
Jump to navigation Jump to search

ସିଦ୍ଧ ସାହିତ୍ୟ, ଚର୍ଯା, ଚର୍ଯା ଗୀତି, ଚର୍ଯା ଗୀତିକାଚରିଜାଗିତି ଏହିଠାକୁ ଫେରିଆଣିଥାନ୍ତି ।

ଓଡ଼ିଆ ଭାଷାର ପୁରାତନ ରୂପରେ ଅନେକ ସାହିତ୍ୟ ରଚିତ ହୋଇଥିଲା । ଏହି ସାହିତ୍ୟ ସବୁର ବୌଦ୍ଧ ରଚନା କାଳରେ ବୌଦ୍ଧ ଧର୍ମ ଓଡ଼ିଶାରେ ଜନ୍ମ, ପ୍ରଚାର ଓ ପ୍ରସାର ଲାଭ କରିଥିଲା । ଏହାକୁ କେତେକ ଜାଗାରେ ଅପଭ୍ରଂଶ ସାହିତ୍ୟ ଓ ଭାଷା ବୋଲି ଅଭିହିତ କରାଯାଇଅଛି । ଓଡ୍ରି ଅପଭ୍ରଂଶ ଭାଷାର ଚଳଣି ଆମ ଦେଶରେ ଆଗେ ଥିଲା ଯାହାର ଉଦାହରଣ ମାର୍କେଣ୍ଡେୟଙ୍କର ପ୍ରାକୃତ ପ୍ରକାଶ,[୧] ପୁରୁଷୋତ୍ତମ ଦେବଙ୍କର ପ୍ରାକୃତାନୁଶାସନ [୨] ଓ ଅନ୍ୟାନ୍ୟ ପ୍ରାକୃତ ବ୍ୟାକରଣମାନଙ୍କରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ପ୍ରାଚୀନତମ ଅପଭ୍ରଂଶ ସାହିତ୍ୟ ମଧ୍ୟରେ ବୌଦ୍ଧଗାନ ଓ ଦୋହା ଗ୍ରନ୍ଥକୁ ଗ୍ରହଣ କରାଯାଇଥାଏ । ଏହାର ଭାଷା ଓ ଲିଖନ ଶୈଳୀକୁ ଅନୁଧ୍ୟାନ କଲେ ଏହା ଓଡ଼ିଆ ଭାଷାସାହିତ୍ୟର ପ୍ରାଚୀନତମ ରଚନା ବୋଲି ଜଣାଯାଇଥାଏ । ୮ମ-୧୨ଶ ଶତକ ମଧ୍ୟରେ ଓଡ଼ିଶା ଥିଲା ଏହି ଧର୍ମଧାରାର ପ୍ରଧାନ ପୀଠସ୍ଥଳୀ । ଆଜିର ରତ୍ନଗିରି, ଲଳିତଗିରି, କୋଲଣଗିରି, ଉଦୟଗିରି ଆଦି ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଅଂଶବିଶେଷ ଥିଲା ଯେଉଁଠାରେ ଏକ ବିଶାଳ ଶିକ୍ଷାଳୟ ବା ମହାବିହାର ଥିଲା । ହୁଏନସାଙ୍ଗଙ୍କ ପୁଷ୍ପଗିରି ମହାବିହାରର ବର୍ଣ୍ଣନା ଓଡ଼ିଶାରେ ବୌଦ୍ଧ ବାଦର ଚିତ୍ର ପ୍ରଦାନ କରିଥାଏ ।

ଚଉରାଶି ସିଦ୍ଧଙ୍କ ମଧ୍ୟରୁ ସରହାପାଦଙ୍କ ଲିଖିତ ଚର୍ଯାଗୀତିରେ ଥିବା ଓଡ଼ିଆ ଲିପିର ବ୍ୟବହାର ସୂଚିତ କରିଥାଏ ଯେ ଏହା ଓଡ଼ିଆ ଲିପିର ପୁରାତନ ରୂପ ।

ଦୋହାକୋଷ[ସମ୍ପାଦନା]

ଦୋହାକୋଷର ଭାଷା ଶୌରସେଣୀ ଅପଭ୍ରଂଶ, ଯାହା ଶୌରସେଣୀ ପ୍ରାକୃତର ବଂଶଧର ଅଟେ । ଏହି ଶୌରସେଣୀ ଅପଭ୍ରଂଶ ପରକାଳରେ ଅବହଟ ଭାବରେ ପରିଚିତ । ଅବହଟ ଭାଷାରେ ମୈଥିଳି କବି ବିଦ୍ୟାପତିଙ୍କ ପ୍ରସିଦ୍ଧ ପୋଥି କୀର୍ତ୍ତିଲତା ରଚିତ ହୋଇଥିବାର ଜଣାଯାଇଥାଏ । [୩] ଶୌରସେଣୀ ଅପଭ୍ରଂଶ ସେହିକାଳରେ ସାଧୁମାନଙ୍କର ଭାଷା ଥିଲା ଓ ସେଥିରେ ଅନେକ ବୌଦ୍ଧ ଧର୍ମ ଗ୍ରନ୍ଥ ମାନ ରଚିତ ହୋଇଥିଲା । ଓଡ଼ିଆ ଭାଷା ମୂଳତ ମାଗଧି ପ୍ରାକୃତ ଓ ଅପଭ୍ରଂଶ ସହିତ ସମ୍ବଧିତ ଯେଉଁଥିରେ ଶୌରସେଣୀ ଅପଭ୍ରଂଶର ପ୍ରଭାବ ରହିଅଛି । ତେବେ ଦୋହାକୋଷ ଅପଭ୍ରଂଶର ଭାଷା ବୌଦ୍ଧଗାନ ଓ ଦୋହାର ଅପଭ୍ରଂଶ ଭାଷାଠାରୁ ଅଲଗା ।

ନେପାଳରୁ ଆବିଷ୍କାର କରାଯାଇଥିବା ପୋଥିସମୂହ ମଧ୍ୟରେ ତାକର୍ଣାବ, ସୁଭାଷିତ ସଙ୍ଗ୍ରହ, ଦୋହାକୋଷ ପଞ୍ଜିକା, ଚର୍ଯାଚର୍ଯ ବିନିଶ୍ଚୟ, ସରୋରୁହ ବ୍ରଜଙ୍କର ଦୋହାକୋଷ, କୃଷ୍ଣାଚାର୍ଯଙ୍କର ଦୋହାକୋଷ ଆଦି ପ୍ରଧାନ ।

ଏହି ସବୁ ପୋଥି ଅଧିକାଂଶ ତିବତ ଚାଲିଯାଇଛି ଓ ସେଠାରେ ତିବତି ଭାଷାରେ ଅନୁବାଦିତ ହୋଇଛି । ତିବତି ଭାଷାରେ ଅନୁଦିତ ପୋଥିଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ , ଯଥା:

  • କେଙ୍ଗୁର ଗ୍ରନ୍ଥମାଳା (ବୁଦ୍ଧବଚନ) ଓ
  • ତେଙ୍ଗୁର ବା ତାଞ୍ଜୁର (ବୌଦ୍ଧ ଧର୍ମ ସମ୍ଭନ୍ଧୀୟ)

ଦୋହାକୋଷ ଓ ବୌଦ୍ଧଅପଭ୍ରଂଶ ସାହିତ୍ୟ ସମ୍ଭନ୍ଧରେ ଡ. ସହିଦୁଲା.[୪] ଗ୍ରନ୍ଥରେ ଆଲୋଚିତ ବିଷୟ ଓ ଡ. ପ୍ରବୋଧଚନ୍ଦ୍ର ବାଗଚିଙ୍କର ତିଲୋପା ଓ ସହରପାଙ୍କର ସମ୍ବନ୍ଧୀୟ ଦୋହଗୁଡ଼ିକର ଆଲୋଚନା କରାଯାଇଛି ।[୫] ଦୋହାକୋଷ ମଧ୍ୟରେ ସରହପାଦ ଓ କାହ୍ନୁପାଦଙ୍କର ଦୋହକୋଷ ପ୍ରଧାନ । ସରହପାଦ ଓ କାହ୍ନୁପାଦ ପ୍ରାଚୀନତମ ଦୋହାକାର ସରୋରୁହବଜ ବା ପଦ୍ମବଜଙ୍କର ଜନ୍ମ ୮ମ ଶତକରେ ହୋଇଥିଲା । ସରୋରୁହବଜ ସରହପା ନାମରେ ଜଣା । ସେ ପ୍ରସିଦ୍ଧ ବୌଦ୍ଧ ଗ୍ରନ୍ଥ ବଜତନ୍ତ (ବଜ୍ରତନ୍ତ୍ର)ର ଲେଖକ ଥିଲେ । ଐତିହାସିକ ବିବରଣୀରୁ ଜଣାଯାଇଥାଏ ଯେ ସେ ଓଡ଼ିଆଣ ବା ଓଡ଼ିଶାବାସୀ ସିଦ୍ଧ ଆଧକ ଥିଲେ । ସରହପାଦ ଓଡ଼ିଶା ଆସି ମନ୍ତଜାନ (ମନ୍ତ୍ରଯାନ) ଶିକ୍ଷା କରିଥିଲେ ଓ ମହାରାଷ୍ଟ୍ର ଯାଇ ସେଠାରେ ସିଦ୍ଧାଚାର୍ଯ୍ୟ ଭାବରେ ପରିଚିତ ହୋଇଥିଲେ । ସରହପାଙ୍କ ବହୁ ତନ୍ତ୍ର ଗ୍ରନ୍ଥର ବିବରଣୀ ତେଙ୍ଗୁର ଗ୍ରନ୍ଥମାଳାରେ ମିଳିଥାଏ । ଆଶ୍ଚର୍ଯ୍ୟାଚର୍ଯାଚୟରେ ଏହାଙ୍କର ଚାରିଗୋଟି ଗୀତ ଦେଖାଯାଇଥାଏ । [୬]

ବୌଦ୍ଧଗାନର ଅନ୍ୟତମ କବି ହେଉଛନ୍ତି କାହ୍ନୁପା ବା କାହ୍ନୁପାଦ । ସେ କୃଷ୍ଣବଜ (କୃଷ୍ଣବଜ୍ର) ନାମରେ ମଧ୍ୟ ନାମିତ । ତେଙ୍ଗୁର ଗ୍ରନ୍ଥ ତାଲିକାରେ ଦୁଇଜଣ କୃଷ୍ଣାଚାର୍ଯ୍ୟ ଥିଲେ ବୋଲି ଜଣାଯାଇଥାଏ । ବୟସରେ ବଡ଼ କୃଷ୍ଣାଚାର୍ଯ୍ୟ ଓଡ଼ିଶାର ଅଧିବାସୀ ଥିଲେ । ସୁମ୍ପା ରଚିତ ପାଗ-ସାମ-ଜୋଁ-ଜାଁ ପୋଥିରେ ସେ କାହ୍ନ ଭାବରେ ପରିଚିତ । ଏହି ପୋଥିର ବର୍ଣ୍ଣନା ଅନୁସାରେ ସେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ନାଥସଂପ୍ରଦାୟର ପ୍ରଧାନ ଗୁରୁ ଜାଳନ୍ଧରି-ପାଦଙ୍କ ଦେଇ ଦୀକ୍ଷିତ ହୋଇଥିଲେ । [୭] କୃଷ୍ଣାଚାର୍ଯ୍ୟଙ୍କ ନାମରେ ୫୭ ଖଣ୍ଡ ବୌଦ୍ଧତାନ୍ତ୍ରିକ ପୋଥିର ପରିଚୟ ମିଳିଥାଏ । ତାଙ୍କର ଚର୍ଯାଚର୍ଯ୍ୟବିନିଶ୍ଚୟରେ ୧୧ଗୋଟି ଚର୍ଯା ରହିଅଛି ।

ଏହି ସବୁ ରଚୟିତା ମାନେ ରଚନାରେ ମାଗଧି ଅପଭ୍ରଂଶକୁ ଗ୍ରହଣ କରିଅଛନ୍ତି । ଏହି ହେତୁ ବୌଦ୍ଧଗାନ ଓ ଦୋହାର ଭାଷାରେ ମାଗଧି ଅପଭ୍ରଂଶର ସ୍ୱରୂପ ମିଳିଥାଏ ଯାହା ଆଧୁନିକ ଓଡ଼ିଆ ଭାଷାର ଜନନୀସ୍ୱରୂପ ।

୧୯୦୭ ମସିହାରେ ହରପ୍ରସାଦ ଶାସ୍ତ୍ରୀ ନେପାଳ ଦରବାର ଲାଇବ୍ରେରିରୁ ୫୦ଟି ଗୀତିକା ସମ୍ବଳିତ ଖଣ୍ଡିଏ ପୋଥି ପାଇ ତାହାକୁ ୧୯୧୬ରେ ପ୍ରକାଶ କରିଥିଲେ । ଏହି ପୋଥିଟିର ନାମ ହେଲା ବୌଦ୍ଧଗାନ ଓ ଦୋହା । ଏହୀ ଚର୍ଯଗୀତି ସଂଗ୍ରହଗ୍ରନ୍ଥଟି ଚର୍ଯଚର୍ଯାବିନିଶ୍ଚୟ ବା ଆଶ୍ଚର୍ଯ୍ୟ ଚର୍ଯାଚୟ ନାମରେ କଥିତ । ଏଥିରେ ଧର୍ମରେ ଆଚରଣ ଓ ଅନାଚରଣୀୟ ବିଧି ସମ୍ଭନ୍ଧରେ ବିଷୟ ସମୂହ ରହିଅଛି ।

ଏଥିରେ ବ୍ୟବହୃତ ଭାଷା ଖ୍ରୀ ୯ମ-୧୦ମ ସମୟର ଭାଷା । ଏହାକୁ ପ୍ରାଚ୍ୟ ଅପଭ୍ରଂଶ ଭାଷା ନାମରେ ଜଣା । ବୌଦ୍ଧସିଦ୍ଧାଚାର୍ଯ୍ୟମାନଙ୍କ ଦେଇ ଏସବୁ ରଚିତ ହୋଇଥିଲା ଓ ଏହି ଭାଷା ଆଧୁନିକ ଓଡ଼ିଆ ଭାଷାର ପ୍ରାଚୀନତମ ସ୍ୱରୂପ । ସମାନ କ୍ଷେତ୍ରରେ ବଙ୍ଗ, ଆସାମ ଓ ବିହାରର ଭାଷାବିଦମାନେ ଏହାକୁ ବଙ୍ଗଳା, ଆସାମୀ ଓ ଭୋଜପୁରୀ ଭାଷାର ମୂଳରୂପ ବୋଲି ଅଭିହିତ କରିଥାନ୍ତି । ଏହାର କାରଣ ସେହି ସବୁ ଭାଷାରେ ମଧ୍ୟ ଏହି ଦୋହାଗୀତିର ଭାଷା ସହ କେତେକାଂଶ ସମତା ରହିଅଛି । ତେବେ ଭାଷାତତ୍ୱ, ଇତିହାସ ଓ ଧର୍ମଦୃଷ୍ଟିରୁ ଏହାକୁ ଓଡ଼ିଆର ପ୍ରାଚୀନ ନିଦର୍ଶନ ବୋଲି ଜଣାଯାଇଥାଏ ।

ବୌଦ୍ଧଗାନ ଓ ଦୋହାର ରଚୟିତା[ସମ୍ପାଦନା]

ବୌଦ୍ଧଗାନ ଓ ଦୋହା ୮୪ ଜଣ ସିଦ୍ଧଙ୍କ ଦେଇ ଲେଖାଯାଇଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଓଡ଼ିଆଣ (ଉଡିଆନ ବା ଉଡ୍ଡୀୟାନ) ବା ଓଡ଼ିଶାର ଅଧିବାସୀ । ଏହି ଭାଷାର ପ୍ରାଚୀନତମ କବି ହେଉଛନ୍ତି ସରହପାଦ ଓ ଏହି ୮୪ ସିଦ୍ଧଙ୍କର ଆଦି ସିଦ୍ଧାଚାର୍ଯ୍ୟ ଅଟନ୍ତି । ଏହି କବିଗଣ ନୂତନ ଛାନ୍ଦର ପ୍ରୟୋଗ ସାହିତ୍ୟରେ କରିଥିଲେ । ଏହା ହେଉଛି ଦୋହାଛାନ୍ଦ । ଏହି ଦୋହାଛାନ୍ଦରେ ସାରଳା ମହାଭାରତକାଳୀନ ଦାଣ୍ଡିବୃତ୍ତର ଆଭାସ ମିଳିଥାଏ ।

ଚର୍ଯଚର୍ଯାବିନିଶ୍ଚୟରେ (ଆଶ୍ଚର୍ଯ୍ୟ ଚର୍ଯାଚୟ)ରେ ସବୁଠାରୁ ବେଶି ଦୋହା ରଚିଛନ୍ତି କାହ୍ନୁପାଦ । ଏହି ପୋଥିରେ କବିମାନଙ୍କର ନିମ୍ନଲିଖିତ ଦୋହା ସଂଖ୍ୟା ମିଳିଥାଏ ।

ନାମ ରଚନା ସଂଖ୍ୟା ନାମ ରଚନା ସଂଖ୍ୟା
କାହ୍ନୁପା ୧୩ ଭୁସୁକୁ
ସରହ କୁକୁରି
ଶାନ୍ତି ଲୁଇ
ବିରୂପା ମହିପା
ବିଣା ଆର୍ଯ୍ୟଦେବ
ଟେଣ୍ଟଣ ଦାରିକ
ଭାଜେ ତାଡ଼କ
କଙ୍କଣ ଜୟନନ୍ତି

ଟୀକା[ସମ୍ପାଦନା]

  1. ମାର୍କେଣ୍ଡେୟ. ପ୍ରାକୃତ ପ୍ରକାଶ
  2. ପୁରୁଷୋତ୍ତମ ଦେବ. ପ୍ରାକୃତାନୁଶାସନ
  3. ବିଦ୍ୟାପତି. କୀର୍ତ୍ତିଲତା
  4. ସହିଦୁଲା. Les chants Mystique de Kanha et de Saraha
  5. ଡ. ପ୍ରବୋଧଚନ୍ଦ୍ର ବାଗଚି
  6. ଆଶ୍ଚର୍ଯ୍ୟାଚର୍ଯାଚୟ. ପଦ – ୨୨, ୩୨, ୩୮, ୩୯
  7. ଓଡ଼ିଶାରେ ନାଥସମ୍ପ୍ରଦାୟ ଓ ନାଥ ସାହିତ୍ୟ

ଆଧାର[ସମ୍ପାଦନା]