ଚନ୍ଦ୍ର ଶେଖର
ଚନ୍ଦ୍ର ଶେଖର (୧୭ ଏପ୍ରିଲ ୧୯୨୭ – ୮ ଜୁଲାଇ ୨୦୦୭), ଯିଏ ‘ଜନନାୟକ’ ନାମରେ ମଧ୍ୟ ପରିଚିତ, ଭାରତର ଜଣେ ରାଜନେତା ଏବଂ ୧୦ ନଭେମ୍ବର ୧୯୯୦ ଠାରୁ ୨୧ ଜୁନ ୧୯୯୧ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ସେ ଜନତା ଦଳରୁ ଅଲଗା ହୋଇଥିବା ଏକ ଗୋଷ୍ଠୀର ଅଳ୍ପସଂଖ୍ୟକ ସରକାରକୁ ନେତୃତ୍ୱ ଦେଇଥିଲେ, ଯାହାକୁ ଭାରତୀୟ ଜାତୀୟ କଂଗ୍ରେସ ବାହ୍ୟ ସମର୍ଥନ ପ୍ରଦାନ କରିଥିଲା ।[୧] ସେ ପୂର୍ବରୁ କୌଣସି ସରକାରୀ ପଦ ଧାରଣ କରିନଥିବା ସତ୍ୱେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ଦ୍ୱିତୀୟ ବ୍ୟକ୍ତି ଥିଲେ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ଚନ୍ଦ୍ର ଶେଖରଙ୍କ ଜନ୍ମ ୧୭ ଏପ୍ରିଲ ୧୯୨୭ ରେ ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାର ଇବ୍ରାହିମପଟ୍ଟି ଗ୍ରାମରେ ଏକ ରାଜପୁତ ପରିବାରରେ ହୋଇଥିଲା। ସେ କୃଷିଭିତ୍ତିକ ପୃଷ୍ଠଭୂମିରୁ ଆସିଥିଲେ।[୩][୪] ସେ ସତୀଶ ଚନ୍ଦ୍ର ପି.ଜି. କଲେଜରୁ କଳା ସ୍ନାତକ (ବି.ଏ.) ଡିଗ୍ରୀ ଲାଭ କରିଥିଲେ । ପରେ ସେ ଆଲାହାବାଦ ବିଶ୍ୱବିଦ୍ୟାଳୟରେ ପଢ଼ି ୧୯୫୦ ମସିହାରେ ରାଜନୈତିକ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଛାତ୍ର ରାଜନୀତିରେ ସେ ଜଣେ ସାହସୀ ଛାତ୍ର ନେତା ଭାବେ ପରିଚିତ ଥିଲେ ଏବଂ ରାମ ମନୋହର ଲୋହିଆଙ୍କ ସହ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସ୍ନାତକତା ସମାପ୍ତ କରିବା ପରେ ସେ ସୋସିଆଲିଷ୍ଟ ରାଜନୀତିରେ ସକ୍ରିୟ ହୋଇଥିଲେ।[୫]
ପରିବାର
[ସମ୍ପାଦନା]ଚନ୍ଦ୍ର ଶେଖର ଦୁଜା ଦେବୀଙ୍କୁ ବିବାହ କରିଥିଲେ।[୬] ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାରେ ୧୯୯୯ ମସିହାରେ ସ୍ଥାପିତ ‘ଦୁଜା ଦେବୀ ଡିଗ୍ରୀ କଲେଜ’ ତାଙ୍କ ନାମରେ ନାମିତ।[୭] ତାଙ୍କର ଦୁଇ ପୁଅ—ପଙ୍କଜ ଶେଖର ଓ ନୀରଜ ଶେଖର—ଥିଲେ।
ରାଜନୈତିକ ଜୀବନ
[ସମ୍ପାଦନା]କ୍ୟାରିୟରର ଆରମ୍ଭ
[ସମ୍ପାଦନା]ସେ ସୋସିଆଲିଷ୍ଟ ଆନ୍ଦୋଳନରେ ଯୋଗ ଦେଇ ବଲିଆ ଜିଲ୍ଲାର ପ୍ରଜା ସୋସିଆଲିଷ୍ଟ ପାର୍ଟି (ପି.ଏସ୍.ପି.)ର ସଚିବ ଭାବେ ନିର୍ବାଚିତ ହୋଇଥିଲେ । ଗୋଟିଏ ବର୍ଷ ମଧ୍ୟରେ ସେ ଉତ୍ତର ପ୍ରଦେଶରେ ପାର୍ଟିର ରାଜ୍ୟ ଏକକର ଯୁଗ୍ମ ସଚିବ ହେଲେ । ୧୯୫୫–୫୬ ମସିହାରେ ସେ ରାଜ୍ୟରେ ପାର୍ଟିର ସାଧାରଣ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ। ସଂସଦ ସଦସ୍ୟ ଭାବରେ ତାଙ୍କର କ୍ୟାରିୟର ୧୯୬୨ ମସିହାରେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ସହ ଆରମ୍ଭ ହୋଇଥିଲା । ରାଜନୈତିକ ଜୀବନର ଆରମ୍ଭରେ ସେ ସୋସିଆଲିଷ୍ଟ ନେତା ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ପ୍ରଭାବରେ ଆସିଥିଲେ । ୧୯୬୨ ଠାରୁ ୧୯୭୭ ପର୍ଯ୍ୟନ୍ତ ସେ ଭାରତ ସଂସଦର ଉପର ସଦନ ରାଜ୍ୟସଭାର ସଦସ୍ୟ ଥିଲେ।
୩ ଏପ୍ରିଲ ୧୯୬୨ ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ୨ ଏପ୍ରିଲ ୧୯୬୮ ପର୍ଯ୍ୟନ୍ତ କାର୍ଯ୍ୟକାଳ ସମାପ୍ତ କରିଥିଲେ। ପରେ ସେ ଭାରତୀୟ ଜାତୀୟ କଂଗ୍ରେସ (ଆଇ.ଏନ୍.ସି.) ପ୍ରାର୍ଥୀ ଭାବେ ଦୁଇଥର ପୁନଃ ରାଜ୍ୟସଭାକୁ ନିର୍ବାଚିତ ହୋଇ ୩ ଏପ୍ରିଲ ୧୯୬୮ ଠାରୁ ୨ ଏପ୍ରିଲ ୧୯୭୪ ଓ ୩ ଏପ୍ରିଲ ୧୯୭୪ ଠାରୁ ୨ ଏପ୍ରିଲ ୧୯୮୦ ପର୍ଯ୍ୟନ୍ତ ସଦସ୍ୟ ଥିଲେ। ୧୯୭୭ ମସିହାରେ ବଲିଆରୁ ଲୋକସଭାକୁ ନିର୍ବାଚିତ ହେବା ପରେ ସେ ୨ ମାର୍ଚ୍ଚ ୧୯୭୭ ରେ ରାଜ୍ୟସଭାରୁ ପଦତ୍ୟାଗ କରିଥିଲେ। ଜରୁରୀକାଳ ଘୋଷଣା ହେବାବେଳେ, ସେ କଂଗ୍ରେସ ଦଳର ନେତା ଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇ ପଟିଆଲା ଜେଲକୁ ପଠାଯାଇଥିଲା।[୮]
କଂଗ୍ରେସରେ ଯୋଗଦାନ
[ସମ୍ପାଦନା]ଚନ୍ଦ୍ର ଶେଖର ସୋସିଆଲିଷ୍ଟମାନଙ୍କ ମଧ୍ୟରେ ଜଣେ ପ୍ରମୁଖ ନେତା ଥିଲେ । ସେ ୧୯୬୪ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୬୨ ଠାରୁ ୧୯୬୭ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଥିଲେ। ୧୯୭୭ ମସିହାରେ ସେ ପ୍ରଥମଥର ପାଇଁ ଲୋକସଭାକୁ ପ୍ରବେଶ କରିଥିଲେ । ସ୍ଥାପିତ ସ୍ୱାର୍ଥବାଦୀ ଶକ୍ତିମାନଙ୍କ ବିରୋଧରେ ସଂଘର୍ଷରେ ତାଙ୍କର ଦୃଢ଼ ଆସ୍ଥା ଓ ସାହସ ପାଇଁ ସେ ‘ଯୁବ ତୁର୍କ’ ଭାବେ ପରିଚିତ ହୋଇଥିଲେ। ସମତାମୂଳକ ନୀତି ପାଇଁ କଂଗ୍ରେସ ମଧ୍ୟରେ ‘ଜିଞ୍ଜର ଗ୍ରୁପ୍’ ଗଠନ କରିଥିବା ଅନ୍ୟ ‘ଯୁବ ତୁର୍କ’ ନେତାମାନଙ୍କ ମଧ୍ୟରେ ଫିରୋଜ ଗାନ୍ଧୀ, ସତ୍ୟେନ୍ଦ୍ର ନାରାୟଣ ସିହ୍ନା, ମୋହନ ଧରିଆ ଓ ରାମଧନ ଭଳି ନେତା ଥିଲେ।[୯] କଂଗ୍ରେସ ପାର୍ଟିର ସଦସ୍ୟ ଭାବେ ସେ ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜରୁରୀକାଳ ଘୋଷଣାକୁ ତୀବ୍ର ଭାବେ ସମାଲୋଚନା କରିଥିଲେ। ଜରୁରୀକାଳ ସମୟରେ ଚନ୍ଦ୍ରଶେଖରଙ୍କୁ ଅନ୍ୟ ‘ଯୁବ ତୁର୍କ’ମାନଙ୍କ ସହ ଗିରଫ କରାଯାଇ କାରାଗାରକୁ ପଠାଯାଇଥିଲା।
ସଂସଦରେ
[ସମ୍ପାଦନା]ଚନ୍ଦ୍ର ଶେଖର ୧୯୬୨ ରୁ ୧୯୭୭ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ। ୧୯୬୨ ରୁ ୧୯୬୮ ପର୍ଯ୍ୟନ୍ତ ସେ ସୋସିଆଲିଷ୍ଟ ପାର୍ଟିର ସମର୍ଥନ ସହିତ ଜଣେ ସ୍ୱାଧୀନ ସଦସ୍ୟ ଭାବେ ରହିଥିଲେ ଏବଂ ପରେ କଂଗ୍ରେସର ସଦସ୍ୟ ହୋଇଥିଲେ । ଆପାତକାଳୀନ ପରିସ୍ଥିତି ସମୟରେ ସେ କାରାବରଣ କରିଥିଲେ । ୧୯୭୭ ମସିହାରେ କାରାଗାରରୁ ମୁକ୍ତି ପାଇବା ପରେ ସେ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
ସେ ୧୯୭୭, ୧୯୮୦, ୧୯୮୯, ୧୯୯୧, ୧୯୯୬, ୧୯୯୮, ୧୯୯୯ ଏବଂ ୨୦୦୪ ମସିହାରେ ଜନତା ପାର୍ଟିର ବିଭିନ୍ନ ରୂପର ସଦସ୍ୟ ଭାବେ ବଲିଆ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହି ସମୟସୀମାରେ ସେ କେବଳ ୧୯୮୪ ମସିହାର ନିର୍ବାଚନରେ ମାତ୍ର ସେଇ ଆସନ ହାରିଥିଲେ । ତାଙ୍କ ଦେହାନ୍ତ ପରେ ୨୦୦୮ ମସିହାର ଉପନିର୍ବାଚନରେ ତାଙ୍କ ପୁଅ ନୀରଜ ଶେଖର ବିଜୟୀ ହୋଇଥିଲେ ।
ମନ୍ତ୍ରିମଣ୍ଡଳରେ
[ସମ୍ପାଦନା]ସୂଚନା ଓ ପ୍ରସାରଣ ମନ୍ତ୍ରୀ (୧୯୯୦–୧୯୯୧)
[ସମ୍ପାଦନା]ଚନ୍ଦ୍ର ଶେଖର ୨୧ ନଭେମ୍ବର ୧୯୯୦ ଠାରୁ ୨୧ ଜୁନ ୧୯୯୧ ପର୍ଯ୍ୟନ୍ତ ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରୀୟ) ତରଫରୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ, ଏବଂ ସେହି ସମୟରେ ସେ ନିଜେ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ। ଏହି ପଦରେ ତାଙ୍କ ପୂର୍ବସୁରୀ ଭି. ପି. ସିଂହ ଓ ମିଳିତ ଦଳମାନଙ୍କ ସମର୍ଥନ ହାରାଇ ପ୍ରଧାନମନ୍ତ୍ରୀ ପଦରୁ ପଦତ୍ୟାଗ କରିବା ପରେ ତାଙ୍କ ପରବର୍ତ୍ତୀ ଭାବେ ପି. ଭି. ନରସିଂହ ରାଓ ନିଯୁକ୍ତ ହୋଇଥିଲେ।
ଗୃହମନ୍ତ୍ରୀ (୧୯୯୦–୧୯୯୧)
[ସମ୍ପାଦନା]ସୂଚନା ଓ ପ୍ରସାରଣ ମନ୍ତ୍ରୀ ପଦ ପରି, ସେ ପ୍ରାୟ ୭ ମାସ ଧରି ଗୃହମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେହି ସମୟରେ ସେ ନିଜେ ପ୍ରଧାନମନ୍ତ୍ରୀ ଥିଲେ।[୧୦] ଏହି ପଦରେ ତାଙ୍କ ପୂର୍ବସୁରୀ ମୁଫ୍ତି ମହମ୍ମଦ ସୟିଦ ଓ ପରବର୍ତ୍ତୀ ଭାବେ ଭାରତୀୟ ଜାତୀୟ କଂଗ୍ରେସର ଶଙ୍କରରାଓ ଚୌହାଣ ଥିଲେ।
ପ୍ରତିରକ୍ଷା ମନ୍ତ୍ରୀ (୧୯୯୦–୧୯୯୧)
[ସମ୍ପାଦନା]ଭାରତର ପ୍ରଧାନମନ୍ତ୍ରୀ ଭାବେ ଥିବା ସମୟରେ, ଗୃହମନ୍ତ୍ରଣାଳୟ ଓ ସୂଚନା–ପ୍ରସାରଣ ମନ୍ତ୍ରଣାଳୟ ସହ ସେ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ନିଜେ ଦେଖୁଥିଲେ। ସେ ପ୍ରାୟ ୭ ମାସ ଧରି ଅତ୍ୟନ୍ତ ଅଲ୍ପ ସମୟ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ଏବଂ ପ୍ରତିରକ୍ଷା ବଜେଟ୍ ପ୍ରସ୍ତୁତ କରିପାରିନଥିଲେ।[୧୧] ଏହି ପଦରେ ତାଙ୍କ ପୂର୍ବସୁରୀ ଭି. ପି. ସିଂହ ଓ ପରବର୍ତ୍ତୀ ଭାବେ ପି. ଭି. ନରସିଂହ ରାଓ ଥିଲେ।

ପ୍ରଧାନମନ୍ତ୍ରୀତ୍ୱ (୧୯୯୦–୯୧)
[ସମ୍ପାଦନା]ଚନ୍ଦ୍ର ଶେଖର ସାତ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ; ଚରଣ ସିଂହଙ୍କ ପରେ ଏହା ଦ୍ୱିତୀୟ ସବୁଠୁ କମ୍ ସମୟର ପ୍ରଧାନମନ୍ତ୍ରୀତ୍ୱ ଥିଲା। କଂଗ୍ରେସର ସମର୍ଥନ ସହିତ ଏହି ସରକାର ଗଠନରେ ସୁବ୍ରମଣିୟନ୍ ସ୍ୱାମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ସମୟରେ ସେ ପ୍ରତିରକ୍ଷା ଓ ଗୃହ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ନିଜେ ଦେଖୁଥିଲେ । ତଥାପି, ୬ ମାର୍ଚ୍ଚ ୧୯୯୧ ରେ ବଜେଟ୍ ପ୍ରସ୍ତୁତି ସମୟରେ କଂଗ୍ରେସ ସମର୍ଥନ ପଛେଇ ନେଇଥିବାରୁ ତାଙ୍କ ସରକାର ସମ୍ପୂର୍ଣ୍ଣ ବଜେଟ୍ ପ୍ରସ୍ତୁତ କରିପାରିନଥିଲା।[୧୨] ଏହାର ପରିଣାମସ୍ୱରୂପ, ୧୫ ଦିନ ପରେ ୨୧ ମାର୍ଚ୍ଚରେ ଚନ୍ଦ୍ର ଶେଖର ପ୍ରଧାନମନ୍ତ୍ରୀ ପଦରୁ ପଦତ୍ୟାଗ କରିଥିଲେ।
ମନମୋହନ ସିଂହ ତାଙ୍କ ଆର୍ଥିକ ପରାମର୍ଶଦାତା ଥିଲେ।[୧୩] ସୁବ୍ରମଣିୟନ୍ ସ୍ୱାମୀ, ମନମୋହନ ସିଂହ ଓ ମୋଣ୍ଟେକ୍ ସିଂହ ଆହଲୁୱାଲିଆଙ୍କ ସହ ମିଶି ଆର୍ଥିକ ଉଦାରୀକରଣ ସମ୍ବନ୍ଧୀୟ ଏକ ଶୃଙ୍ଖଳାବଦ୍ଧ ଦଲିଲ ପ୍ରସ୍ତୁତ କରିଥିଲେ; କିନ୍ତୁ କଂଗ୍ରେସ ସମର୍ଥନ ଫେରାଇ ନେଇଥିବାରୁ ସେଗୁଡ଼ିକୁ ସଂସଦରେ ପାରିତ କରାଯାଇପାରିନଥିଲା।[୧୪]
ଜୟରାମ ରମେଶ ତାଙ୍କ To the Brink and Back: India’s 1991 Story ପୁସ୍ତକରେ ଲେଖିଛନ୍ତି ଯେ “ଚନ୍ଦ୍ରଶେଖରଙ୍କ ବ୍ୟବସାୟ ଓ ବିନିଯୋଗ ସମ୍ପର୍କିତ କ୍ୟାବିନେଟ୍ କମିଟି (CCTI) ୧୧ ମାର୍ଚ୍ଚ ୧୯୯୧ ରେ ନୂତନ ରପ୍ତାନି କୌଶଳକୁ ଅନୁମୋଦନ କରିଥିଲା, ଯାହାରେ ୪ ଜୁଲାଇ ପ୍ୟାକେଜର ପ୍ରମୁଖ ଉପାଦାନ ଅନ୍ତର୍ଭୁକ୍ତ ଥିଲା।”[୧୪]
ପ୍ରଧାନମନ୍ତ୍ରୀତ୍ୱ ପରେ
[ସମ୍ପାଦନା]ପି. ଭି. ନରସିଂହ ରାଓଙ୍କୁ ପ୍ରଧାନମନ୍ତ୍ରୀ ପଦ ହସ୍ତାନ୍ତର କରିବା ପରେ ଚନ୍ଦ୍ର ଶେଖରଙ୍କ ରାଜନୈତିକ ଗୁରୁତ୍ୱ କମିଗଲା, ଯଦିଓ ପରବର୍ତ୍ତୀ ବହୁ ବର୍ଷ ଧରି ସେ ଲୋକସଭାରେ ନିଜ ଆସନ ରକ୍ଷା କରିପାରିଥିଲେ।
ଆଧାର
[ସମ୍ପାଦନା]- ↑ "Rival of Singh Becomes India Premier". www.nytimes.com. Retrieved 15 January 2026.
- ↑ "Socialist Is Installed as India's Eighth Prime Minister (Published 1990)" (in ଇଂରାଜୀ). 1990-11-11. Retrieved 2026-01-15.
- ↑ Chand, Attar (1991). The Long March: Profile of Prime Minister Chandra Shekhar (in ଇଂରାଜୀ). Mittal Publications. ISBN 978-81-7099-272-1.
- ↑ Standard, Business. "The office of Prime Minister: A largely north Indian upper-caste, Hindu affair". www.business-standard.com (in ଆମେରିକୀୟ ଇଂରାଜୀ). Retrieved 2026-01-15.
{{cite web}}:|first=has generic name (help) - ↑ The rise of Socialist politics under Chandra Shekhar. In the Janata-coalition government that came to power in the aftermath of that election, Chandra Shekhar willingly gave up his claim to a Cabinet ministerial role that he was offered in favour of his fellow-Young Turk Mohan Dharia. That was just one instance of Chandra Shekhar's deep commitment and loyalty towards his friends, which is a recurring theme in the book. A rare occurrence in an opportunistic political world—Chandra Shekhar was also upright and forthright, not prone to hypocrisy like the commonplace politicians. Sometimes his straight talk stunned even seasoned politicians like Ram Manohar Lohia and Indira Gandhi.
- ↑ Chand, Attar (1991). The Long March: Profile of Prime Minister Chandra Shekhar (in ଇଂରାଜୀ). Mittal Publications. ISBN 978-81-7099-272-1.
- ↑ "404 page,". dujadevidegreecollege.in. Retrieved 2026-01-15.
{{cite web}}: Cite uses generic title (help) - ↑ Movers and Shakers Prime Minister of India by Scharada Dubey – 2009 During the emergency, Chandra Shekhar was among the very few individuals from the ruling Congress party to be sent to jail.
- ↑ "Chandra Shekhar – Samajwadi janta party". www.sjpchandrashekhar.org (in ଆମେରିକୀୟ ଇଂରାଜୀ). Archived from the original on 2018-05-31. Retrieved 2026-01-16.
- ↑ "Shri Chandra Shekhar | Prime Minister of India". www.pmindia.gov.in (in ଇଂରାଜୀ). Retrieved 2026-01-16.
- ↑ "Chandra Shekhar | Indian National Congress, Janata Dal, 1990 Election | Britannica". Encyclopedia Britannica (in ଇଂରାଜୀ). Retrieved 2026-01-15.
- ↑ "Chandra Shekhar | Indian National Congress, Janata Dal, 1990 Election | Britannica". Encyclopedia Britannica (in ଇଂରାଜୀ). Retrieved 2026-01-15.
- ↑ Standard, Business. "Manmohan Singh: Latest News on Manmohan Singh, Top News, Photos, Videos, Age | Business Standard". www.business-standard.com (in ଆମେରିକୀୟ ଇଂରାଜୀ). Retrieved 2026-01-15.
{{cite web}}:|first=has generic name (help) - 1 2 BACKSTAGE: The Story behind India's High Growth Years. Rupa Publications. 2020. pp. 119–120. ISBN 978-93-5333-821-3.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |