ଚନ୍ଦ୍ରଜ୍ୟୋତି କାହାଣୀ (ବତ୍ରିଶ ସିଂହାସନ)

ଚନ୍ଦ୍ରଜ୍ୟୋତି କାହାଣୀ ବତ୍ରିଶ ସିଂହାସନର ଏକୋଇଶତମ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[୧]
ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ଏକୋଇଶତମ ଦିନ ଯେତେବେଳେ ସେହି ସିଂହାସନର ଏକୋଇଶତମ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ଚନ୍ଦ୍ରଜ୍ୟୋତି ନାମକ ଏକୋଇଶତମ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[୨]
ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ଏକୋଇଶତମ ପ୍ରତିମା ଚନ୍ଦ୍ରଜ୍ୟୋତି ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ଏକୋଇଶତମ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[୩][୪]
ଏକବିଂଶତମ କାହାଣୀ
[ସମ୍ପାଦନା]ଚନ୍ଦ୍ରଜ୍ୟୋତି ନାମକ ଏକୋଇଶତମ ପୁତ୍ତ୍ଳିକା କହିଥିବା କଥା ଏପରି ଅଟେ —
ଥରେ ବିକ୍ରମାଦିତ୍ୟ ଏକ ଯଜ୍ଞ କରିବା ପାଇଁ ପ୍ରସ୍ତୁତି କରୁଥିଲେ । ସେ ଯଜ୍ଞରେ ଚନ୍ଦ୍ରଦେବଙ୍କୁ ଆମନ୍ତ୍ରଣ କରିବାକୁ ଚାହୁଁଥିଲେ । ଚନ୍ଦ୍ରଦେବଙ୍କୁ ନିମନ୍ତ୍ରଣ ଦେବାକୁ କିଏ ଯିବେ, ଏହା ନେଇ ସେ ଭାବିବାକୁ ଲାଗିଲେ । ବହୁ ଚିନ୍ତା-ଭାବନା ପରେ ତାଙ୍କୁ ଲାଗିଲା ଯେ, ମହାମନ୍ତ୍ରୀ ଏହି କାମ ପାଇଁ ସର୍ବୋତ୍ତମ ହେବେ । ସେ ମହାମନ୍ତ୍ରୀଙ୍କୁ ଡାକିଲେ ଏବଂ ତାଙ୍କ ସହିତ ଆଲୋଚନା କରିବା ଆରମ୍ଭ କଲେ । ସେତିକି ବେଳେ ମହାମନ୍ତ୍ରୀଙ୍କ ଘରର ଜଣେ ନଉକର ସେଠାକୁ ଆସି ଦଣ୍ଡାୟମାନ ହେଲା । ମହାମନ୍ତ୍ରୀ ତାକୁ ଦେଖି ବୁଝିଗଲେ ଯେ ନିଶ୍ଚୟ ଅତି ଗୁରୁତର କିଛି କଥା ଅଛି, ନହେଲେ ସେ ନଉକର ସେଠାକୁ ଆସୁନଥାନ୍ତା । ସେ ରାଜାଙ୍କୁ କ୍ଷମା ମାଗିଲେ ଏବଂ ନଉକରଙ୍କୁ ପାଖକୁ ଯାଇ କିଛି ପଚାରିଲେ । ନଉକର ଯେତେବେଳେ କିଛି କହିଲା, ମହାମନ୍ତ୍ରୀଙ୍କ ମୁହଁ ଶୁଖିଗଲା ଏବଂ ସେ ରାଜାଙ୍କଠାରୁ ବିଦା ନେଇ ସେଠାରୁ ଚାଲିଗଲେ । ମହାମନ୍ତ୍ରୀ ହଠାତ୍ ଦୁଃଖିତ ଓ ଚିନ୍ତିତ ହୋଇ ଚାଲିଯିବାରୁ ରାଜାଙ୍କୁ ଲାଗିଲା ଯେ ନିଶ୍ଚୟ ମହାମନ୍ତ୍ରୀଙ୍କର କିଛି ଅସୁବିଧା ହୋଇଛି । ସେ ନଉକରଙ୍କୁ ପଚାରିଲେ ଯେ ମହାମନ୍ତ୍ରୀ ଏପରି ଯିବାର କାରଣ କଣ । ନଉକର ପ୍ରଥମେ କହିବାକୁ କୁଣ୍ଠା ପ୍ରକାଶ କଲ କିନ୍ତୁ ରାଜା ଆଜ୍ଞା ଦେବା ପରେ ହାତ ଯୋଡି କହିଲା, “ମହାମନ୍ତ୍ରୀ ମୋତେ ଆଜ୍ଞା ଦେଇଥିଲେ ଯେ ମୁଁ ସତ୍ୟ କଥା ରାଜାଙ୍କୁ ନ କୁହେ । ସେ କହିଥିଲେ ଯେ ଯଦି ରାଜା ସତ୍ୟ କଥା ଜାଣିବେ, ତେବେ ତାଙ୍କ ମନ ଯଜ୍ଞରୁ ବିଚ୍ଛିନ୍ନ ହୋଇଯିବ ଏବଂ ଯଜ୍ଞରେ ବିଘ୍ନ ହେବ ।” ରାଜା କହିଲେ, “ମହାମନ୍ତ୍ରୀ ମୋର ଅତ୍ୟନ୍ତ ସ୍ୱାମିଭକ୍ତ ସେବକ ଅଟନ୍ତି ଏବଂ ମୋର କର୍ତ୍ତବ୍ୟ ହେଉଛି ତାଙ୍କ ଦୁଃଖଦୂରର ସମ୍ଭବ ସବୁ ଉପାୟ କରିବା ।” ତେବେ ନଉକର କହିଲା, “ମହାମନ୍ତ୍ରୀଙ୍କ ଏକମାତ୍ର କନ୍ୟା ବହୁ ଦିନ ହେଲା ଭୟଙ୍କର ରୋଗରେ ପୀଡିତ । ସେ ତାଙ୍କୁ ଏକ ପରେ ଆରେକ ବହୁ ଶ୍ରେଷ୍ଠ ଚିକିତ୍ସକଙ୍କୁ ଦେଖାଇଲେ, କିନ୍ତୁ କାହାର ଔଷଧି କାମ ଦେଲା ନାହିଁ । ପୃଥିବୀର ସମସ୍ତ ଔଷଧି ଦିଆଯାଇଥିଲା, କିନ୍ତୁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଉଥିଲା । ଏବେ ସେ ଏତେ ଅସୁସ୍ଥ ହୋଇପାରିଛନ୍ତି ଯେ ଚାଲିବା ହଲିବା ପର୍ଯ୍ୟନ୍ତ ସମର୍ଥ ନୁହନ୍ତି ଏବଂ କହିବାକୁ ଗଲେ ମୃତ୍ୟୁଶୟ୍ୟାରେ ପଡ଼ିଛନ୍ତି ।” ବିକ୍ରମାଦିତ୍ୟ ଯେତେବେଳେ ଏହି କଥା ଶୁଣିଲେ, ସେ ଅତି ଅଶାନ୍ତ ହୋଇପଡ଼ିଲେ । ସେ ରାଜବୈଦ୍ୟଙ୍କୁ ଡାକିଲେ ଏବଂ ପଚାରିଲେ ଯେ ମହାମନ୍ତ୍ରୀଙ୍କ କନ୍ୟାଙ୍କ ଚିକିତ୍ସା ସେ କରିଥିଲେ କି ନାହିଁ। ରାଜବୈଦ୍ୟ କହିଲେ ଯେ ତାଙ୍କ ରୋଗର ଚିକିତ୍ସା କେବଳ ଏକ ବିଶେଷ ଚେରମୂଳି “ଖ୍ୱାଙ୍ଗ ବୁଟି” ଦ୍ୱାରା ହିଁ ସମ୍ଭବ। ଦୁନିୟାର ଅନ୍ୟ କୌଣସି ଔଷଧି ଏହି ରୋଗରେ କାମ ଦେଇପାରିବ ନାହିଁ। “ଖ୍ୱାଙ୍ଗ ବୁଟି” ଏକ ଅତ୍ୟନ୍ତ ଦୁର୍ଲଭ ଔଷଧି, ଯାହା ଖୋଜି ଆଣିବାକୁ ଅନେକ ମାସ ଲାଗିଯିବ ।ଏହା ଶୁଣି ବିକ୍ରମାଦିତ୍ୟ ପଚାରିଲେ, “ତୁମେ ଜାଣ କି ଏହି ଜଡିବୁଟି କେଉଁ ଜାଗାରେ ମିଳେ?” ରାଜବୈଦ୍ୟ କହିଲେ ଯେ ସେ ଜଡିବୁଟି ନୀଳରତ୍ନଗିରିର ଉପତ୍ୟକାରେ ମିଳେ, କିନ୍ତୁ ସେଠାକୁ ପହଁଚିବା ଅତ୍ୟନ୍ତ କଷ୍ଟସାଧ୍ୟ । ପଥରେ ଭୟଙ୍କର ସାପ, ଓ ହିଂସ୍ର ପ୍ରାଣୀମାନେ ରହିଛନ୍ତି । ରାଜା ତାପରେ ତାଙ୍କୁ ସେ ଜଡିବୁଟିର ଆକାର ପ୍ରକାର ବା ଚିହ୍ନିବାର ଉପାୟ ପଚାରିଲେ। ରାଜବୈଦ୍ୟ କହିଲେ ଯେ ସେ ଗଛରେ ଅର୍ଦ୍ଧ ନୀଳ ଓ ଅର୍ଦ୍ଧ ହଳଦିଆ ଫୁଲ ଥାଏ ଏବଂ ତାହାର ପତ୍ରଗୁଡ଼ିକ ଲଜାବତୀ ଗଛର ପତ୍ରପରି ଛୁଇଁଦେଲେ ହେଲେ ମଉଳିଯାଏ । ଏବେ ଯଜ୍ଞର କଥା ଭୁଲି ବିକ୍ରମ “ଖ୍ୱାଙ୍ଗ ବୁଟି” ଖୋଜିବାକୁ ଯିବାର ନିଷ୍ପତ୍ତି ନେଲେ । ସେ ତୁରନ୍ତ କାଳୀ ଦେବୀ ଦେଇଥିବା ଦୁଇ ବେତାଳଙ୍କୁ ସ୍ମରଣ କଲେ । ବେତାଳମାନେ ମୁହୂର୍ତ୍ତକରେ ତାଙ୍କୁ ନୀଳରତ୍ନଗିରି ପର୍ବତ ଦିଗରେ ନେଇଗଲେ । ପର୍ବତରେ ତାଙ୍କୁ ଅବତରଣ କରି ସେମାନେ ଅଦୃଶ୍ୟ ହୋଇଗଲେ । ରାଜା ଉପତ୍ୟକା ଦିଗକୁ ଆଗେଇଲେ । ଉପତ୍ୟକାର ମଧ୍ୟବର୍ତ୍ତୀ ଅଞ୍ଚଳ ଅତ୍ୟନ୍ତ ଅନ୍ଧାର ଥିଲା, ଚାରିପଟେ ଘନ ଜଙ୍ଗଲ ରହିଥିଲା । ରାଜା ଆଗକୁ ଚାଲିଥିଲେ । ହଠାତ୍ ବାଘର ଗର୍ଜନ ତାଙ୍କ କାନରେ ପଡ଼ିଲା । ସେ କିଛି ଜାଣିବା ପୂର୍ବରୁ ସିଂହ ତାଙ୍କ ଉପରେ ଆକ୍ରମଣ କଲା । ରାଜା ବିଜୁଳି ବେଗରେ ଦୂରେଇଯାଇ ନିଜ ପ୍ରାଣ ରକ୍ଷା କରିଲେ, କିନ୍ତୁ ବାଘ ତାଙ୍କ ଏକ ହାତକୁ ଆହତ କରିଦେଲା । ବାଘ ଆଉଥରେ ଝାମ୍ପମାରି ଆକ୍ରମଣ କରିବାକୁ ଆସିଲା, କିନ୍ତୁ ରାଜା ବିଦ୍ୟୁତ ବେଗରେ ତରବାରୀ ଚଳାଇ ତାହାର ପ୍ରାଣ ନେଲେ । ବାଘକୁ ମାରି ରାଜା ଆଗକୁ ଚାଲିଲେ ଏବଂ ରାସ୍ତାରେ ଶତାଧିକ ବିଷାକ୍ତ ସାପ ଦେଖିଲେ। ବିକ୍ରମ କିନ୍ତୁ ଭୟଭୀତ ହେଲେନି; ସେ ପଥର ଫିଙ୍ଗି ସାପମାନଙ୍କୁ ରାସ୍ତାରୁ ହଟାଇଦେଲେ ଏବଂ ଆଗକୁ ବଢ଼ିଲେ । ପରେ ସେ ଏମିତି ଜାଗାରେ ପହଁଚିଲେ ଯେଉଁଠାରେ ଲାଗିଲା ଯେ ସେ ପବନରେ ଦୋହଲୁଛନ୍ତି । ଭଲଭାବେ ଦେଖିବା ପରେ ସେ ଏକ ବିଶାଳ ଅଜଗରକୁ ଦେଖିଲେ। ସେ ଏବେ ବୁଝିଗଲେ ଯେ ଅଜଗର ତାଙ୍କୁ ଗିଳୁଛି । ଯେତେବେଳେ ସେ ଅଜଗରର ପେଟରେ ପହଁଚିଲେ, ସେତେବେଳେ ତାଙ୍କ ତଳଵାର ଦ୍ୱାରା ଅଜଗରର ପେଟ ଚିରି ବାହାରିଆସିଲେ । କିନ୍ତୁ ଅତ୍ୟଧିକ ଶ୍ରମ ଯୋଗୁଁ ତାଙ୍କ ଅବସ୍ଥା ଖରାପ ହୋଇଗଲା । ଅନ୍ଧାର ଘୋଟିଆସନ୍ତେ, ସେ ଏକ ଗଛରେ ଚଢ଼ି ବିଶ୍ରାମ କଲେ । ପ୍ରଭାତ ହେଲାପରେ ସେ “ଖ୍ୱାଙ୍ଗ ବୁଟି” ଖୋଜିବାକୁ ଚାଲିଲେ । ଖୋଜୁ ଖୋଜୁଖୋଜି ସନ୍ଧ୍ୟା ହେଇଗଲା ଏବଂ ଅନ୍ଧାର ଘୋଟିଗଲା । ଅଧିର ହୋଇ ସେ ଭାବିଲେ, “ହାଏ, ଯଦି ଚନ୍ଦ୍ରଦେବ ସହାୟତା କରନ୍ତେ !” ଏତିକି କହିବାମାତ୍ରେ ଚମତ୍କାର ହେଲା, ଉପତ୍ୟକାରେ ଦୁଧପରି ଧଳା ଆଲୋକ ବିଛାଇ ଚାନ୍ଦନି ଦେଖାଦେଲା । ଅନ୍ଧକାର ହଟିଗଲା, ସମସ୍ତ ଜିନିଷ ଏମିତି ସ୍ପଷ୍ଟ ଦେଖାଯିବାକୁ ଲାଗିଲା ଯେପରି ଦିନ ହୋଇଯାଇଛି । କିଛି ଦୂରରେ ସେ ଦେଖିଲେ ଯେ ଏକ ଗଛରେ ଅର୍ଦ୍ଧ ନୀଳ ଓ ଅର୍ଦ୍ଧ ହଳଦିଆ ଫୁଲ ଲାଗିଛି । ସେ ପତ୍ରଗୁଡ଼ିକୁ ଛୁଇଁଲେ, ଲଜ୍ଜ୍ୟାବତୀ ପରି ସେଗୁଡ଼ିକ ମଉଳିଗଲା। ସେ ବୁଝିଗଲେ ଯେ ଏହି ହେଉଛି “ଖ୍ୱାଙ୍ଗ ବୁଟି” । ସେ ସେହି ଜଡିବୁଟିର ଏକ ବଡଅଂଶ କାଟିନେଲେ । ସେ ବୁଟି ନେଇ ଯିବାକୁ ବାହାରନ୍ତେ, ହଠାତ୍ ଦିନପରି ଆଲୋକ ହେଲା ଏବଂ ଚନ୍ଦ୍ରଦେବ ସଶରୀର ତାଙ୍କ ସାମ୍ନାରେ ପ୍ରକଟ ହେଲେ। ବିକ୍ରମ ଗଭୀର ଭକ୍ତିର ସହିତ ତାଙ୍କୁ ପ୍ରଣାମ କଲେ । ଚନ୍ଦ୍ରଦେବ ତାଙ୍କୁ “ଅମୃତ” ଦେଇ କହିଲେ, “ଏବେ କେବଳ ଏହି ଅମୃତ ହିଁ ମହାମନ୍ତ୍ରୀଙ୍କ କନ୍ୟାଙ୍କୁ ଜୀବନ ଦେଇପାରିବ ।” ରାଜାଙ୍କ ପରୋପକାର ଭାବରେ ପ୍ରଭାବିତ ହୋଇ ଚନ୍ଦ୍ରଦେବ ନିଜେ ଅମୃତ ନେଇ ଆସିଥିଲେ । ଯିବାବେଳେ ସେ ବିକ୍ରମଙ୍କୁ କହିଲେ, “ ମହାରାଜ, ମୋତେ ଯଜ୍ଞରେ ଆମନ୍ତ୍ରଣ କରନ୍ତୁ ନାହିଁ, କାରଣ ମୋର ସଶରୀର ତୁମ ଯଜ୍ଞରେ ଉପସ୍ଥିତିଦ୍ଵାରା ବିଶ୍ୱର ଅନ୍ୟ ଅଂଶରେ ଅନ୍ଧକାର ଘୋଟିଯିବ । ତେବେ ଚନ୍ଦ୍ରଦେବ ତାଙ୍କୁ ଯଜ୍ଞ ସଫଳ ଭାବେ ସମ୍ପନ୍ନ କରିବାର ଆଶୀର୍ବାଦ ଦେଇ ଅନ୍ତର୍ଧାନ ହୋଇଗଲେ । ରାଜା ବିକ୍ରମ “ଖ୍ୱାଙ୍ଗ ବୁଟି” ଏବଂ “ଅମୃତ” ନେଇ ଉଜ୍ଜୟିନ ଫେରିଲେ । ସେ ଅମୃତର କିଛି ବିନ୍ଦୁ ମହାମନ୍ତ୍ରୀଙ୍କ କନ୍ୟାଙ୍କ ମୁଖରେ ଦେଲେ ଏବଂ ସେ ଜୀବନ ପାଇଲେ । “ଖ୍ୱାଙ୍ଗ ବୁଟି” କୁ ସେ ଲୋକହିତ ପାଇଁ ସଂରକ୍ଷିତ କଲେ । ଚାରିଦିଗରେ ତାଙ୍କ ଜୟଜୟକାର ଶୁଣାଗଲା ।[୫] [୧]
ଗପଟି କହି ଏକବିଂଶତମ ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ପରି ପରୋପକାରୀ ହୋଇପାରିବେ? ଏହିପରି କହିବା ପରେ ବିଂଶତମ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।
ଆଧାର
[ସମ୍ପାଦନା]- 1 2 ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).
{{cite book}}: CS1 maint: unrecognized language (link) - ↑ WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
- ↑ samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.
{{cite web}}: CS1 maint: numeric names: authors list (link)[permanent dead link] - ↑ "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
- ↑ "Singhasan Battisi - The Story of 21st Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-11.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |