Jump to content

ଚନ୍ଦ୍ରକଳା କାହାଣୀ ( ବତ୍ରିଶ ସିଂହାସନ)

ଉଇକିପିଡ଼ିଆ‌ରୁ
1. Vikramaditya Memorial, Ujjain

ଚନ୍ଦ୍ରକଳା କାହାଣୀ ବତ୍ରିଶ ସିଂହାସନର ତୃତୀୟ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ମହାନ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ ।[]

ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ତୃତୀୟ ଦିନ ଯେତେବେଳେ ସେହି ସିଂହାସନର ତୃତୀୟ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ଚନ୍ଦ୍ରକଳା ନାମକ ତୃତୀୟ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[]

ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ତୃତୀୟ ପ୍ରତିମା ଚନ୍ଦ୍ରକଳା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ ।[][]

ତୃତୀୟ କାହାଣୀ

[ସମ୍ପାଦନା]

ତୃତୀୟ ପ୍ରତିମା ଚନ୍ଦ୍ରକଳା କହିଥିବା କଥା ଏପରି ଥିଲା —

ଏକଦିନ ପୁରୁଷାର୍ଥ ଓ ଭାଗ୍ୟ ମଧ୍ୟରେ ଏହି ବିଷୟରେ ବାଦବିବାଦ ଆରମ୍ଭ ହେଲା ଯେ, ଦୁହିଁଙ୍କ ମଧ୍ୟରେ କିଏ ବଡ଼। ପୁରୁଷାର୍ଥ କହିଲା — “ପରିଶ୍ରମ ବିନା କିଛି ସମ୍ଭବ ନୁହେଁ”, ଯେଉଁଠାରେ ଭାଗ୍ୟ କହିଲା — “ସବୁ କିଛି ଭାଗ୍ୟ ଦ୍ୱାରା ମିଳେ, ପରିଶ୍ରମର ମୂଲ୍ୟ ନାହିଁ”। ଦୁଇଁଜଣଙ୍କ ମଧ୍ୟରେ ବାଦବିବାଦ ବହୁତ ତୀବ୍ର ହେଲା ଓ ଶେଷରେ ସେମାନେ ଦେବରାଜ ଇନ୍ଦ୍ରଙ୍କ ପାଖକୁ ଗଲେ। ଇନ୍ଦ୍ର ମଧ୍ୟ ଦୁଇପକ୍ଷର ଯୁକ୍ତି ଶୁଣି ଚକିତ ହେଲେ। ଯେଉଁମାନେ ସବୁକିଛି ଭାଗ୍ୟରେ ପାଇଥିଲେ ସେମାନେ ପୁରୁଷାର୍ଥକୁ ମାନିଲେ ନାହିଁ, ଆଉ ଯେଉଁମାନେ ପରିଶ୍ରମରେ ସଫଳ ହେଲେ ସେମାନେ ଭାଗ୍ୟକୁ ଅସ୍ଵୀକାର କଲେ । ଶେଷରେ ଇନ୍ଦ୍ର ଭାବିଲେ — ଏହି ଜଗତରେ ଏହି ସମସ୍ୟାର ସମାଧାନ ମାତ୍ର ରାଜା ବିକ୍ରମାଦିତ୍ୟ ହିଁ କରିପାରିବେ। ସେ ଦୁଇଁଜଣଙ୍କୁ ବିକ୍ରମାଦିତ୍ୟଙ୍କ ପାଖକୁ ପଠାଇଲେ।

ସେମାନେ ମନୁଷ୍ୟ ବେଶରେ ବିକ୍ରମଙ୍କୁ ଭେଟି ନିଜ ବିବାଦ କହିଲେ । ବିକ୍ରମ ଛଅ ମାସ ସମୟ ଚାହିଲେ ଓ ସେମାନଙ୍କୁ ପରେ ଆସିବାକୁ କହିଲେ । ପରେ ସେ ବେଶ ବଦଳାଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଘୁରି ଏହର ଉତ୍ତର ଖୋଜିଲେ, କିନ୍ତୁ କୌଣସି ନିଷ୍କର୍ଷ ପାଇଲେ ନାହିଁ । ଶେଷରେ ସେ ଅନ୍ୟ ରାଜ୍ୟକୁ ଯାଇ ଜଣେ ବ୍ୟାପାରୀଙ୍କ ପାଖରେ କାମ କରିବାକୁ ଲାଗିଲେ । ତେବେ କାମ ପାଇବା ପାଇଁ ଏହି କଥା କହିବାକୁ ପଡିଲା ଯେ ସେ ଏମିତି କାମ କରିପାରିବେ ଯାହା ଅନ୍ୟ କେହି ପାରିବେ ନାହିଁ । କିଛି ଦିନ ପରେ ସେ ବ୍ୟାପାରୀ ଜାହାଜ ନେଇ ବ୍ୟବସାୟ ପାଇଁ ସମୁଦ୍ର ମାର୍ଗେ ଚାଲିଗଲେ, ବିକ୍ରମାଦିତ୍ୟ ମଧ୍ୟ ସେଥିରେ ଥିଲେ । ମଧ୍ୟରାସ୍ତାରେ ଭୟଙ୍କର ଝଡ଼ ଆସିଲା ଓ ଜାହାଜ ଗୋଟିଏ ଦ୍ୱୀପରେ ଲଙ୍ଗର ପକାଇଲା । ଝଡ଼ ଶାନ୍ତ ହେଲାପରେ ଯେତେବେଳେ ଲଙ୍ଗର ଉଠାଯାଉଥିଲା, କେହି ଉଠାଇପାରିଲେ ନାହିଁ । ବ୍ୟାପାରୀ ବିକ୍ରମଙ୍କୁ ମନେପକାଇଲେ ଓ ତାଙ୍କୁ ଲଙ୍ଗର ଉଠାଇବାକୁ କହିଲେ । ବିକ୍ରମ ବିଭିନ୍ନ କୌଶଳରେ ସହଜରେ ଲଙ୍ଗର ସିନା ଉଠାଇଦେଲେ, ଜାହାଜ କିନ୍ତୁ ତାଙ୍କୁ ସେହି ଟାପୁରେ ଛାଡ଼ି ଚାଲିଗଲା । ସେ ଦ୍ୱୀପରେ ଘୁରୁଥିବା ବେଳେ ଦେଖିଲେ, ଗୋଟିଏ ପଟ୍ଟିକାରେ ଲେଖା ଅଛି ଯେ “ଏହି ରାଜ୍ୟର ରାଜକୁମାରୀଙ୍କ ବିବାହ ବିକ୍ରମାଦିତ୍ୟ ସହିତ ହେବ” । ସେ ମହଲକୁ ଯାଇ ପରିଚୟ ଦେଲେ, ରାଜକୁମାରୀ ଖୁସି ହେଲେ ଓ ଦୁଇଜଣଙ୍କ ବିବାହ ହେଲା । କିଛି ସମୟ ପରେ ସେ ନିଜ ସ୍ତ୍ରୀ ସହ କିଛି ସେବକ ନେଇ ନିଜ ରାଜ୍ୟକୁ ଫେରୁଥିଲେ । ରାସ୍ତାରେ ଜଣେ ସନ୍ନ୍ୟାସୀ ସହ ଭେଟିଲେ, ସେ ତାଙ୍କୁ ଗୋଟିଏ ମାଳା ଓ ଗୋଟିଏ ବାଡି ଦେଲେ । ମାଳାର ବିଶେଷତା ଥିଲା, ଏହା ପିନ୍ଧିଲେ ମନୁଷ୍ୟ ଅଦୃଶ୍ୟ ହେଇ ସବୁକିଛି ଦେଖିପାରିବ ଓ ତାର ସମସ୍ତ କାମନା ପୁରଣ ହେବ, ଏବଂ ବାଡ଼ିର ଶକ୍ତି ଥିଲା, ସେଥିରେ ଏହାର ମାଲିକ ଶୋଇବା ପୂର୍ବରୁ ଯେକୌଣସି ସୁନାର ଆଭୂଷଣ ମାଗି ପାଇପାରିବ। ସେ ସନ୍ନ୍ୟାସୀଙ୍କୁ ଧନ୍ୟବାଦ ଦେଇ ବିକ୍ରମ ନିଜ ରାଜ୍ୟକୁ ଫେରିଲେ। ନିଜ ରାଜ୍ୟର ଗୋଟିଏ ବଗିଚାରେ ବିଶ୍ରାମ ସେ ନେଲେ ଓ ସେବକମାନଙ୍କୁ ପଠାଇଦେଲେ । ସେଠାରେ ଜଣେ ବ୍ରାହ୍ମଣ ଓ ଜଣେ ଭାଟ ସହ ଭେଟିଲେ ଯେଉଁମାନେ ବର୍ଷ ବର୍ଷ ଧରି ସେ ବଗିଚାର ଦେଖରେଖ କରୁଥିଲେ କିନ୍ତୁ ଦରିଦ୍ର ଥିଲେ । ରାଜା ତାଙ୍କ ପ୍ରତି ଦୟା ପରବଶ ହୋଇ ମାଳା ଭାଟଙ୍କୁ ଓ ବାଡ଼ି ବ୍ରାହ୍ମଣଙ୍କୁ ଦେଇଦେଲେ ଏବଂ ତାହାର ମହିମା ବୁଝାଇଦେଲେ । ରାଜା ଭାବିଲେ ସେ ଭାଗ୍ୟ ବଳରେ ଯେଉଁ ବର ଲାଭ କରିଥିଲେ ତାହା ବ୍ରାହ୍ମଣ ଓ ଭାଟ ନିଜର ପୁରୁଷାର୍ଥ ବଳରେ ଲାଭ କଲେ ।

ଛଅ ମାସ ପରେ ପୁରୁଷାର୍ଥ ଓ ଭାଗ୍ୟ ଫେରିଲେ । ବିକ୍ରମ ଉତ୍ତରରେ କହିଲେ, “ତୁମେ ଉଭୟ ପରସ୍ପରର ପରିପୁରକ । ପୁରୁଷାର୍ଥ ଓ ଭାଗ୍ୟ ଦୁହେଁ ସହଯୋଗୀ।” ସେ ସନ୍ନ୍ୟାସୀଙ୍କ ମାଳା ଓ ବାଡ଼ିର ଉଦାହରଣ ଦେଲେ — ସେଗୁଡ଼ିକ ତାଙ୍କୁ ଭାଗ୍ୟରେ ମିଳିଥିଲା, କିନ୍ତୁ ବ୍ରାହ୍ମଣ ଓ ଭାଟ ସେଗୁଡ଼ିକୁ ପୁରୁଷାର୍ଥରେ ପାଇଥିଲେ। ଏହି ଉତ୍ତର ଶୁଣି ପୁରୁଷାର୍ଥ ଓ ଭାଗ୍ୟ ଦୁହେଁ ପୂର୍ଣ୍ଣ ସନ୍ତୁଷ୍ଟ ହେଲେ ଓ ବିକ୍ରମାଦିତ୍ୟଙ୍କୁ ନମସ୍କାର କରି ସେଠାରୁ ଚାଲିଗଲେ । ଗପଟି କହି ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ଭଳି ଏଭଳି ବିଜ୍ଞ ତଥା ପରୋପକାରୀ ?[] ଏହିପରି କହିବା ପରେ ତୃତୀୟ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।[]

  1. ୧.୦ ୧.୧ ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).{{cite book}}: CS1 maint: unrecognized language (link)
  2. WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
  3. samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.{{cite web}}: CS1 maint: numeric names: authors list (link)[permanent dead link]
  4. "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
  5. "Singhasan Battisi - The Story of 3rd Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-06.