ଘଟୋତ୍କଚ
| ଘଟୋତ୍କଚ | |
|---|---|
ଘଟୋତ୍କଚ ଏବଂ କର୍ଣ୍ଣ ଯୁଦ୍ଧରତ | |
| Devanagari | घटोत्कच |
| Affiliation | Pandavas |
| ଲୋକ | Kamyaka Forest |
| Weapon | Gada (mace) |
| ସନ୍ତାନଗଣ |
|
ଘଟୋତ୍କଚ ମହାଭାରତରେ ବର୍ଣ୍ଣିତ ଭୀମସେନ ଓ ହିଡିମ୍ବାଙ୍କ ପୁଅ ଥିଲେ ଏବଂ ସେ ବହୁତ ବଳଶାଳୀ ଥିଲେ । ସେ ମହାଭାରତର ପ୍ରମୁଖ ପାତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ।[୧]ଘଟୋତ୍କଚ ବର୍ବରୀକ, ଅଞ୍ଜନପର୍ବ ଓ ମେଘବର୍ଣ୍ଣଙ୍କ ପିତା ଥିଲେ । ଘଟୋତ୍କଚ କାମ୍ୟକ ଵନ ନାମକ ରାକ୍ଷସୀ ଵନର ରାଜା ଥିଲେ ।
ଘଟୋତ୍କଚଙ୍କ ଜନ୍ମର ପୌରାଣିକ ଆଖ୍ୟାନ
[ସମ୍ପାଦନା]ଲାକ୍ଷାଗୃହ ଦହନ ହେବା ପରେ ସୁରଙ୍ଗ ମାର୍ଗରେ ଲାକ୍ଷାଗୃହରୁ ବାହାରି ଆସି ପାଣ୍ଡବମାନେ ନିଜ ମାତା ସହିତ କାମ୍ୟକ ଵନରେ ପ୍ରବେଶ କଲେ । ଅନେକ ଦୂର ଚାଲିବା ପରେ ଭୀମସେନ ବ୍ୟତୀତ ଅନ୍ୟ ସମସ୍ତେ ଥକି ଅସହାୟ ହୋଇ ଗୋଟିଏ ବଟ ବୃକ୍ଷ ତଳେ ଶୋଇପଡ଼ିଲେ । ମାତା କୁନ୍ତୀ ତୀବ୍ର ଶୋଷ ଅନୁଭବ କରୁଥିଲେ, ତେଣୁ ଭୀମସେନ କୌଣସି ଜଳାଶୟ କିମ୍ବା ସରୋବର ଖୋଜିବାକୁ ଗଲେ । ଜଳାଶୟ ଦେଖି ସେ ପ୍ରଥମେ ନିଜେ ଜଳ ପିଇଲେ ଓ ମାତା ଓ ଭାଇମାନଙ୍କ ପାଇଁ ଜଳ ନେଇ ଫେରି ବିଶ୍ରାମ ନେଉଥିବା ପରିବାର ବର୍ଗଙ୍କୁ ପହରା ଦେବାକୁ ଲାଗିଲେ ।[୨]
ସେହି ଵନର ରାଜା ହିଡିମ୍ବ ନାମକ ଏକ ଭୟଙ୍କର ଅସୁର ଥିଲା । ମାନବ ଗନ୍ଧ ପାଇ ସେ ନିଜ ଖାଦ୍ୟପାଇଁ ପାଣ୍ଡବମାନଙ୍କୁ ଧରି ଆଣିବା ନିମନ୍ତେ ନିଜ ଭଉଣୀ ହିଡିମ୍ବାକୁ ପଠାଇଲା । କିନ୍ତୁ ସେଠାକୁ ପହଞ୍ଚି ହିଡିମ୍ବା ଭୀମସେନଙ୍କୁ ପହରା ଦେଇଥିବା ଅବସ୍ଥାରେ ଦେଖିଲା ଓ ତାଙ୍କ ସୁନ୍ଦର ମୁଖମଣ୍ଡଳ ଓ ବଳିଷ୍ଠ ଦେହ ଦେଖି ତା’ପ୍ରତି ଆସକ୍ତ ହେଲା । ସେ ନିଜ ରାକ୍ଷସୀ ମାୟା ଦ୍ୱାରା ଏକ ଅତ୍ୟନ୍ତ ସୁନ୍ଦର ନାରୀର ରୂପ ଧାରଣ କରି ଭୀମଙ୍କ ନିକଟକୁ ଗଲା । ଭୀମସେନ ତା’କୁ ପଚାରିଲେ – “ହେ ସୁନ୍ଦରୀ! ତୁମେ କିଏ? ଏହି ଭୟଙ୍କର ରାତିରେ ଏକାକି ଏହି ଵନରେ କାହିଁକି ଘୁରୁଛ?” ହିଡିମ୍ବା ଉତ୍ତର ଦେଲେ – “ହେ ନରଶ୍ରେଷ୍ଠ! ମୁଁ ହିଡିମ୍ବା ନାମକ ରାକ୍ଷସୀ। ମୋ ଭାଇ ମତେ ଆପଣମାନଙ୍କୁ ଧରି ନେବାକୁ ପଠାଇଛନ୍ତି, କିନ୍ତୁ ମୋ ହୃଦୟ ଆପଣଙ୍କୁ ଦେଖି ଆସକ୍ତ ହୋଇଯାଇଛି । ମୁଁ ଆପଣଙ୍କୁ ମୋର ପତି ଭାବେ ପ୍ରାପ୍ତ କରିବାକୁ ଚାହେଁ। ମୋ ଭାଇ ଅତ୍ୟନ୍ତ କୁଟିଳ ଓ ନିର୍ଦ୍ଦୟ, କିନ୍ତୁ ମୁଁ ଆପଣଙ୍କୁ ତାଠାରୁ ରକ୍ଷା କରି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ମୁଁ ସକ୍ଷମ ।”
ଏପରି ସମୟରେ, ଭଉଣୀ ଫେରି ନ ଆସିବାରେ ହିଡିମ୍ବ ସେ ସ୍ଥାନକୁ ଆସିଲା ଯେଉଁଠାରେ ହିଡିମ୍ବା ଭୀମସେନଙ୍କ ସହ କଥା ହେଉଥିଲେ । ହିଡିମ୍ବାକୁ ଭୀମସେନଙ୍କ ସହ ପ୍ରେମାଳାପ କରୁଥିବା ଦେଖି ସେ ରୁଷ୍ଟ ହେଲା ଓ ତା’କୁ ଦଣ୍ଡ ଦେବାକୁ ତା’ପ୍ରତି ଆଗଭର ହେଲା । ଏହା ଦେଖି ଭୀମସେନ ତା’କୁ ଅଟକାଇ କହିଲେ – “ହେ ଦୁଷ୍ଟ ରାକ୍ଷସ! ତୁମକୁ ନାରୀ ଉପରେ ହାତ ଉଠାଇବାକୁ ଲଜ୍ଜା ଲାଗେ ନାହିଁ? ଯଦି ତୁମେ ଏତେ ବୀର, ତେବେ ମୋ ସହ ଯୁଦ୍ଧ କର।” ଏହା କହି ଭୀମସେନ ତା’ ସହ ମଲ୍ଲଯୁଦ୍ଧ ଆରମ୍ଭ କଲେ।
କୁନ୍ତୀ ଓ ଅନ୍ୟ ପାଣ୍ଡବମାନେ ମଧ୍ୟ ନିଦ୍ରା ଭଙ୍ଗ କଲେ। ସେମାନେ ଦେଖିଲେ ଭୀମ ଗୋଟିଏ ରାକ୍ଷସ ସହ ଯୁଦ୍ଧ କରୁଛନ୍ତି ଓ ପାଖରେ ଗୋଟିଏ ସୁନ୍ଦର ନାରୀ ଦଣ୍ଡାୟମାନ। କୁନ୍ତୀ ପଚାରିଲେ “କନ୍ୟା, ତୁମେ କିଏ?” ହିଡିମ୍ବା ସମସ୍ତ ଘଟଣା ତାଙ୍କୁ କହିଲେ । ଭୀମ ଓ ହିଡିମ୍ବ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇ ସେହି ଯୁଦ୍ଧରେ ହିଡ଼ିମ୍ବ ନିହତ ହେଲା । ହିଡିମ୍ବ ମରିବା ପରେ ଭୀମ କାମ୍ୟକ ଵନର ରାଜା ହେଲେ ଓ ୨୦ ବର୍ଷ ପର୍ଯ୍ୟନ୍ତ ସେହି ଵନରେ ରାଜ କଲେ ।
ହିଡିମ୍ବ ମରିଯିବା ପରେ ପାଣ୍ଡବମାନେ ସେଠାରୁ ବିଦାୟ ନେବା ପାଇଁ ପ୍ରସ୍ତୁତ ହେଉଥିଲେ । ଏହା ଦେଖି ହିଡିମ୍ବା କୁନ୍ତୀଙ୍କୁ ପ୍ରାର୍ଥନା କଲେ “ହେ ମାତା! ମୁଁ ଆପଣଙ୍କ ପୁଅ ଭୀମଙ୍କୁ ନିଜ ପତି ଭାବେ ଗ୍ରହଣ କରିଛି । ଦୟାକରି ଆପଣମାନେ ମୋତେ ଗ୍ରହଣ କରନ୍ତୁ । ଯଦି ଆପଣମାନେ ମୋତେ ସ୍ୱୀକାର ନ କରନ୍ତି, ତେବେ ମୁଁ ଏହି ମୁହୂର୍ତ୍ତରେ ନିଜ ପ୍ରାଣ ତ୍ୟାଗ କରିଦେବି ।” ହିଡିମ୍ବାଙ୍କ ହୃଦୟରେ ଭୀମପ୍ରତି ଗଭୀର ପ୍ରେମ ଦେଖି ଯୁଧିଷ୍ଠିର କହିଲେ – “ହିଡିମ୍ବେ ! ମୁଁ ତୁମକୁ ମୋ ଭାଇଙ୍କୁ ଦେଉଛି, କିନ୍ତୁ ସେ ମାତ୍ର ଦିନରେ ତୁମ ସହ ରହିବ ଓ ରାତିରେ ଆମ ସହ ରହିବ।” ହିଡିମ୍ବା ଏହି ସର୍ତ୍ତକୁ ସ୍ୱୀକାର କଲେ ଓ ଭୀମସେନ ସହ ସୁଖମୟ ଜୀବନ ବ୍ୟତୀତ କରିବା ଆରମ୍ଭ କଲେ ।
ଗୋଟିଏ ବର୍ଷ ପରେ ହିଡିମ୍ବାଙ୍କ ଜଠରରୁ ଏକ ପୁତ୍ର ଜନ୍ମ ନେଲା। ଜନ୍ମ ସମୟରେ ତାଙ୍କ ମୁଣ୍ଡରେ କେଶ (ଉତ୍କଚ) ନଥିବାରୁ ତା’ର ନାମ “ଘଟୋତ୍କଚ” ରଖାଗଲା। ସେ ଅତ୍ୟନ୍ତ ମାୟାବୀ ଥିଲେ ଓ ଜନ୍ମ ହେବା ସହିତ ଶାରୀରିକ ଭାବେ ବଡ଼ ହୋଇଗଲେ । ହିଡିମ୍ବା ନିଜ ପୁଅକୁ ପାଣ୍ଡବମାନଙ୍କ ନିକଟକୁ ନେଇ ଯାଇ କହିଲେ “ଏହା ଆପଣମାନଙ୍କ ଭାଇର ସନ୍ତାନ, ତେଣୁ ଏହା ଆପଣମାନଙ୍କ ସେବାରେ ରହିବ ।” ଏହା କହି ହିଡିମ୍ବା ସେଠାରୁ ଚାଲିଗଲେ । ଘଟୋତ୍କଚ ଭକ୍ତିଭାବରେ ସମସ୍ତ ପାଣ୍ଡବ ଓ ମାତା କୁନ୍ତୀଙ୍କ ପାଦ ପ୍ରଣାମ କରି କହିଲେ – “ଏବେ ମୋ ପାଇଁ ଯୋଗ୍ୟ ସେବା ନିର୍ଦ୍ଦେଶ କରନ୍ତୁ।” ତା’ର କଥା ଶୁଣି କୁନ୍ତୀ କହିଲେ – “ତୁମେ ମୋ ବଂଶର ସବୁଠାରୁ ବଡ଼ ନାତି । ସମୟ ଆସିଲେ ନିଶ୍ଚିତ ତୁମ ସେବା ଗ୍ରହଣ କରାଯିବ।” ଏହା ଶୁଣି ଘଟୋତ୍କଚ କହିଲେ “ଯେତେବେଳେ ଆପଣମାନେ ମୋତେ ସ୍ମରଣ କରିବେ, ସେତେବେଳେ ମୁଁ ଆପଣମାନଙ୍କ ସେବାରେ ଉପସ୍ଥିତ ହେବି।” ଏହା କହି ଘଟୋତ୍କଚ ବର୍ତ୍ତମାନର ଉତ୍ତରାଖଣ୍ଡ ଅଞ୍ଚଳ ଦିଗକୁ ଚାଲିଗଲେ ।[୩]
ମୃତ୍ୟୁ
[ସମ୍ପାଦନା]ମହାଭାରତ ଆଖ୍ୟାନ ଅନୁସାରେ ଦୁଃଶାସନଙ୍କ ପୁଅ ଦୁର୍ମାସନଙ୍କୁ ଘଟୋତ୍କଚ ହତ୍ୟା କଲେ । ଏତିକି ସମୟରେ ନିଜ ପୁଅର ମୃତ୍ୟୁ ସମ୍ବାଦ ଶୁଣି ଦୁଃଶାସନ କ୍ରୋଧିତ ହୋଇ ଘଟୋତ୍କଚ ସହ ଯୁଦ୍ଧ କଲେ, କିନ୍ତୁ ସେ ତାଙ୍କ ହାତରେ ଗୁରୁତର ଭାବରେ ଆହତ ହେଲେ । ଦୁଃଶାସନ ଆହତ ହେବା ପରେ ଦୁର୍ଯୋଧନ ତା’ ସହ ଯୁଦ୍ଧ କରିବାକୁ ଆସିଲେ, କିନ୍ତୁ ଘଟୋତ୍କଚ ତା’କୁ ମଧ୍ୟ ଭୟଙ୍କର ଭାବରେ ଆହତ କଲେ । ତା’ପରେ ଦୁର୍ଯୋଧନ କର୍ଣ୍ଣଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କଲେ । ସେ କର୍ଣ୍ଣଙ୍କୁ ନିଜ ଦିବ୍ୟାସ୍ତ୍ର ବ୍ୟବହାର କରିବାକୁ କହିଲେ । କର୍ଣ୍ଣ ପୁନଃପୁନି ମନା କଲେ ମଧ୍ୟ, ଶେଷରେ ବିବଶ ହୋଇ ସେ ଇନ୍ଦ୍ରଙ୍କ ଅମୋଘ ଅସ୍ତ୍ର ଘଟୋତ୍କଚ ଉପରେ ଛାଡ଼ିଲେ ଏବଂ ଏହିପରି ଭାବେ ଘଟୋତ୍କଚର ବଧ ହେଲା ।[୩]
ଆଧାର
[ସମ୍ପାଦନା]- ↑ Datta, Amaresh (1988). Encyclopaedia of Indian Literature: Devraj to Jyoti (in ଇଂରାଜୀ). Sahitya Akademi. ISBN 978-81-260-1194-0.
- ↑ "KNOWLEDGE: ये हैं महाभारत के वो 10 पात्र जिन्हें जानते हैं बहुत कम लोग". Dainik Bhaskar (in ହିନ୍ଦୀ). 2013-12-27. Retrieved 2025-10-17.
- ↑ ୩.୦ ୩.୧ Archive, Internet Sacred Text. "The Mahabharata, Book 7: Drona Parva: Ghatotkacha-badha P... | Sacred Texts Archive". Internet Sacred Text Archive (in English). Retrieved 2025-10-17.
{{cite web}}: CS1 maint: unrecognized language (link)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |