ଗୋଦାବରୀ ଦେବୀ
ଗୋଦାବରୀ ଦେବୀ (୧୯୧୬-୧୯୯୩) ଓଡ଼ିଶାର ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ଲେଖିକା ଥିଲେ ।
ସଂକ୍ଷିପ୍ତ ଜୀବନି ଓ ଶିକ୍ଷା
[ସମ୍ପାଦନା]ଗୋଦାବରୀ ଦେବୀଙ୍କ ଜନ୍ମ ଅବିଭକ୍ତ କଟକ ଜିଲ୍ଲାର ଯାଜପୁର ସବଡ଼ିଭିଜନ ( ଅଧୁନା ଯାଜପୁର ଜିଲ୍ଲା)ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ୧୯୧୬ ମସିହା ଅକ୍ଟୋବର ମାସ ୨ ତାରିଖରେ ହୋଇଥିଲା । ବାପା ବାଞ୍ଛାନିଧି ଦାଶ ଥିଲେ ମଧୁବାବୁଙ୍କ ଅଫିସରେ ଏକ ମୋହରିର । ମାତା ଥିଲେ ହାରାମଣୀ ଦେବୀ । ତତକାଳୀନ ଓଡ଼ିଶାରେ ନାରୀଶିକ୍ଷାର ବହୂଳ ପ୍ରସାର ନ ଥିବାରୁ ଗ୍ରାମ ଚାଟଶାଳିରେ ତାଙ୍କର ଶିକ୍ଷା ଆରମ୍ଭ ହୋଇ ସେଇଠାରେ ହିଁ ସମାପ୍ତ ହୋଇଥିଲା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାତ୍ର ତୃତୀୟ ।[୧]
ଗ୍ରାମୀଣ ନାରୀମାନଙ୍କ ମଧ୍ୟରେ ଶିକ୍ଷା ଏବଂ ଦେଶପ୍ରେମ ଓ ବ୍ରିଟିଶ ବିରୋଧରେ ସଂଘର୍ଷର ଭାବନା ଜଗାଇବା ପାଇଁ ତାଙ୍କ ଗାଁକୁ ଆସିଥିବା ଅଚାର୍ଯ୍ୟ ହରିହର, ରମାଦେବୀ ଓ କୋକିଳା ଦେବୀଙ୍କ ସଂସ୍ପର୍ଶରେ ସେ ଆସିବା ପରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପ୍ରତି ଆଗ୍ରହ ତାଙ୍କ ମଧ୍ୟରେ ଜାଗ୍ରତ ହେଲା । ଏହା ତାଙ୍କ ଉପରେ ଆବଶ୍ୟକ ପ୍ରଭାବ ପକାଇଥିଲେ ବେଳେ ମଧ୍ୟ, ପରିବାର ଲୋକମାନେ ତାଙ୍କୁ ଚୁପ ରଖିଥିଲେ। କିନ୍ତୁ ରମାଦେବୀଙ୍କ ହସ୍ତକ୍ଷେପ ପରେ, ସେଠାରେ ତାଙ୍କୁ ଜାତୀୟ ଆନ୍ଦୋଳନରେ ଯୋଗଦେବାକୁ ଅନୁମତି ମିଳିଲା ।[୨]
ତାଙ୍କ କାର୍ଯ୍ୟକଳାପର ପ୍ରଥମ ପର୍ଯ୍ୟାୟ ୧୯୩୧ ମସିହାରେ ପୁରୀରେ ଆରମ୍ଭ ହେଲା, ଯେଉଁଠାରେ ସେ “ହିନ୍ଦୁସ୍ତାନୀ ସେବା ଦଳ”ରେ ଯୋଗଦେଲେ । ସେଠାରେ ସେ ଏକ ସେବିକା ଭାବରେ ପ୍ରଶିକ୍ଷଣ ଆରମ୍ଭ କଲେ । ୧୯୩୨ ଠାରୁ ୧୯୩୪ ପର୍ଯ୍ୟନ୍ତ ସେ ସ୍ୱରାଜ ଆନ୍ଦୋଳନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ଗ୍ରାମ୍ୟ ଅଞ୍ଚଳ, ବିଶେଷକରି ଗ୍ରାମୀଣ ନାରୀମାନଙ୍କ ମଧ୍ୟରେ ସ୍ୱାଧୀନତା ଆନ୍ଦୋଳନର ସନ୍ଦେଶ ପ୍ରଚାର କରିବା । ଗାନ୍ଧୀଜି ଓଡ଼ିଶାରେ ପଦଯାତ୍ରା କରିଥିବା ସମୟରେ ସେ ତାଙ୍କ ସହ ଥିଲେ ଏବଂ ତାଙ୍କୁ ଓଡ଼ିଆ ଶିଖେଇଥିଲେ, ଯାହା ଫଳରେ ଗାନ୍ଧୀଜି ତାଙ୍କ ଐତିହାସିକ ପଦଯାତ୍ରା ପୂର୍ବରୁ ଓଡ଼ିଆ ପଢ଼ିବା ଓ ଲେଖିବାରେ ସମର୍ଥ ହୋଇଥିଲେ । ।[୩] ଗାନ୍ଧିଜୀଙ୍କ ଡାକରାରେ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ ସେ ଅଢେଇ ବର୍ଷ କାରାବରଣ କରିଥିଲେ ।[୩]
ଯେତେବେଳେ ସେ ଜେଲ୍ରେ ଥିଲେ, ସେ ଓଡ଼ିଆ ନେତ୍ରୀ ମାଳତୀ ଚୌଧୁରୀଙ୍କ ପାଖରୁ ବଙ୍ଗାଳୀ ଭାଷା ଏବଂ ସାହିତ୍ୟ ଶିଖିଥିଲେ । ଗୋଦାବରୀ ଦେବୀଙ୍କ ଦ୍ୱାରା ଲିଖିତ ଦୁଇଟି ଓଡ଼ିଆ ପୁସ୍ତକ ବହୁତ ଲୋକପ୍ରିୟ । ପୁସ୍ତକଦ୍ଵୟ ହେଉଛି ପୁଣ୍ୟ ସ୍ମୃତିରୁ ଖିଏ ଏବଂ ପ୍ରାକ୍ ସ୍ୱାଧୀନତା ଯୁଗରେ ଭାରତୀୟ ନାରୀ ।
ସେ ବାଲେଶ୍ୱରର ଜଣେ ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀ ରବିନ୍ଦ୍ର ମୋହନ ଦାସଙ୍କ ସହିତ ୧୩ ଡିସେମ୍ବର ୧୯୪୫ ମସିହାରେ ବିବାହ କରିଥିଲେ । ବିବାହ ପରେ ମଧ୍ୟ ଉଭୟେ ବାଲେଶ୍ୱରରେ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଗୋଦାବରୀ ଦେବୀ ୩୦ ଜୁନ୍ ୧୯୯୩ରେ ପରଲୋକଗତ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ ମହାପାତ୍ର, ରଘୁନାଥ (2011). ଭାରତ ସ୍ଵାଧୀନତା ସଂଗ୍ରାମରେ ନାରୀ. ମା ଶାରଦା ପବ୍ଳିକେଶନସ, କଟକ: ମା ଶାରଦା ପବ୍ଳିକେଶନସ. p. 22.
- ↑ "Godabari Debi". amritmahotsav.nic.in. Retrieved 2 May 2025.
- ↑ ୩.୦ ୩.୧ Mahapatra, Gurukalyan. "Godavari Devi : The Lady Who Taught Gandhiji in Odisha" (PDF). magazines.odisha.gov.in. Retrieved 2 May 2025.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |