ଗୁଜରାଟ ଉଚ୍ଚ ନ୍ୟାୟାଳୟ
ଗୁଜରାଟ ଉଚ୍ଚ ନ୍ୟାୟାଳୟ ହେଉଛି ଗୁଜରାଟ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ ।[୧] ଏହା ୧ ମଇ ୧୯୬୦ ରେ ବମ୍ବେ ପୁନଃସଂଘଟନ ଆଇନ, ୧୯୬୦ ଅନୁଯାୟୀ ଗଠିତ ହୋଇଥିଲା, ଯେତେବେଳେ ଗୁଜରାଟ, ରାଜ୍ୟ ବମ୍ବେ ରାଜ୍ୟରୁ ପୃଥକ ହୋଇଥିଲା । ଏହି ଉଚ୍ଚ ନ୍ୟାୟାଳୟ ଗୁଜରାଟର ରାଜଧାନୀ ଅହମଦାବାଦରେ ଅବସ୍ଥିତ ।
ସ୍ଥାପନା
[ସମ୍ପାଦନା]୧ ମଇ ୧୯୬୦ ରେ ପୂର୍ବତନ ବମ୍ବେ ରାଜ୍ୟକୁ ମହାରାଷ୍ଟ୍ର ଓ ଗୁଜରାଟ ଦୁଇଟି ରାଜ୍ୟରେ ବିଭକ୍ତ କରିବା ଫଳରେ ଏହି ଉଚ୍ଚ ନ୍ୟାୟାଳୟ ଗଠିତ ହୋଇଥିଲା । ଏହି ନ୍ୟାୟାଳୟ ପ୍ରଥମେ ଅହମଦାବାଦର ନଭରଙ୍ଗପୁରା ଅକାଶବାଣୀ ନିକଟରେ କାର୍ଯ୍ୟ କରିଥିଲା । ପରେ ୧୬ ଜାନୁଆରୀ ୧୯୯୯ ଠାରୁ ଏହି ଉଚ୍ଚ ନ୍ୟାୟାଳୟ ସୋଲା, ଅହମଦାବାଦର ସରଖେଜ-ଗାନ୍ଧୀନଗର ରାଷ୍ଟ୍ରୀୟ ରାସ୍ତା ଉପରେ ନୂଆ ଭବନକୁ ସ୍ଥାନାନ୍ତରିତ ହୋଇଥିଲା ।
ଅଧିକାରକ୍ଷେତ୍ର
[ସମ୍ପାଦନା]ଗୁଜରାଟ ଉଚ୍ଚ ନ୍ୟାୟାଳୟର ସମଗ୍ର ଗୁଜରାଟ ରାଜ୍ୟ ଉପରେ କ୍ଷେତ୍ରୀୟ ଅଧିକାର ଅଛି । ଏହି ଉଚ୍ଚ ନ୍ୟାୟାଳୟ ରାଜ୍ୟର ସମସ୍ତ ଜିଲ୍ଲା ଓ ପ୍ରଶାସନିକ ନ୍ୟାୟାଳୟ ଉପରେ ପ୍ରଶାସନିକ ଅଧିକାର ରଖେ । ଏହା ଏକ "କୋର୍ଟ ଅଫ୍ ରେକର୍ଡ" ଭାବରେ ମାନ୍ୟତାପ୍ରାପ୍ତ ଓ ଏହି ନ୍ୟାୟାଳୟର ଅଦାଲତ ଅବମାନନା ପାଇଁ ଦଣ୍ଡ ଦେବା ଅଧିକାର ରହିଅଛି ।
ଭାରତର ସଂଘୀୟ ନ୍ୟାୟବ୍ୟବସ୍ଥାରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ମାନଙ୍କ ପାଖରେ ବ୍ୟାପକ ଅଧିକାର ଥାଏ — ଯେପରିକି ଅପିଲ, ଦ୍ୱିତୀୟ ଆପିଲ, ପୁନଃଅବଲୋକନ, ପୁନଃବିଚାରଣା ଇତ୍ୟାଦି । ଏହାର ବିଭିନ୍ନ ପ୍ରକାର ରିଟ୍ ଜାରି କରିପାରିବା ଅଧିକାର ମଧ୍ୟ ରହିଅଛି । ଉଚ୍ଚ ନ୍ୟାୟାଳୟମାନେ ସାର୍ବଜନିନ ହିତ ମାମଲା (PIL) ମଧ୍ୟ ବିଚାର କରି ପାରନ୍ତି ।
ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତି
[ସମ୍ପାଦନା]ଏହି ଉଚ୍ଚ ନ୍ୟାୟାଳୟର ପ୍ରଶାସନିକ ମୁଖ୍ୟ ଭାବେ ମୁଖ୍ୟ ବିଚାରପତି ଦାୟୀତ୍ଵ ନିର୍ବାହ କରନ୍ତି । ତାଙ୍କୁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ କରାଯାଏ, ଏବଂ ଏଥିପାଇଁ ରାଷ୍ଟ୍ରପତି ଗୁଜରାଟର ରାଜ୍ୟପାଳ ଓ ଭାରତର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିଥାନ୍ତି । ନିଯୁକ୍ତି ସମୟରେ ଶପଥ ଦେବା ଦାୟିତ୍ୱ ଗୁଜରାଟ ରାଜ୍ୟପାଳଙ୍କ ଉପରେ ଥାଏ । ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହେଲେ ନ୍ୟାୟମୂର୍ତ୍ତି ସୁନୀତା ଅଗରୱାଲ । ନ୍ୟାୟାଳୟର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ବେଞ୍ଚ ଗଠନ କରାଯାଏ — ଯେଉଁଥିରେ ଦୁଇଜଣ ନ୍ୟାୟାଧୀଶ ଥିବା ବିଭାଗ ବେଞ୍ଚ କିମ୍ବା ଏକକ ନ୍ୟାୟାଧୀଶ ଥିବା ବେଞ୍ଚ ରହେ । ମାମଲା ବଣ୍ଟନ କରିବା ପାଇଁ ଏକ ରୋଷ୍ଟର ରଖାଯାଏ । ମୁଖ୍ୟ ବିଚାରପତି ହିଁ ସମସ୍ତ ମାମଲାକୁ ବିଭିନ୍ନ ବିଚାରପତି କିମ୍ବ ବେଞ୍ଚ ମଧ୍ୟରେ ବଣ୍ତନ କରିଥାନ୍ତି । ଏଥିପାଇଁ ସମସ୍ତ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ସୁପ୍ରିମ୍ କୋର୍ଟ ର ମୁଖ୍ୟ ବିଚାରପତି "ମାଷ୍ଟର ଅଫ୍ ଦ ରୋଷ୍ଟର" ଭାବେ ଗୃହୀତ ।
ଉଚ୍ଚ ନ୍ୟାୟାଳୟର ସମସ୍ତ ନ୍ୟାୟାଧୀଶଙ୍କୁ ସୁପ୍ରିମ୍ କୋର୍ଟ କଲେଜିଅମ୍ ଦ୍ୱାରା ସୁପାରିଶ ପରେ ଭାରତର ରାଷ୍ଟ୍ରପତି ନିଯୁକ୍ତ କରନ୍ତି । ସେମାନେ ସଂବିଧାନୀୟ ଭିତ୍ତିରେ ନିଯୁକ୍ତ ଓ ସ୍ୱାଧୀନ ନ୍ୟାୟବ୍ୟବସ୍ଥା ପାଇଁ ଅନେକ ସୁବିଧା ସୂଯୋଗ ପାଇଥାଆନ୍ତି ।
ଗୁଜରାଟ ଉଚ୍ଚ ନ୍ୟାୟାଳୟର ମୋଟ ମଞ୍ଜୁରିପ୍ରାପ୍ତ ବିଚାରପତିଙ୍କ ପଦ ସଂଖ୍ୟା ୫୨ ଯେଉଁଥିରେ ୩୯ଟି ସ୍ଥାୟୀ ପଦ ଓ ୧୩ଟି ଅତିରିକ୍ତ ପଦ ଅନ୍ତର୍ଭୁକ୍ତ । ତେବେ ଏହି ଉଚ୍ଚ ନ୍ୟାୟାଳୟର ବର୍ତ୍ତମାନର ନ୍ୟାୟାଧୀଶ ସଂଖ୍ୟା ୩୯ ।[୨] [୩]
ଆଧାର
[ସମ୍ପାଦନା]- ↑ "High Court of Gujarat". gujarathighcourt.nic.in. Retrieved 2025-06-06.
- ↑ "JURISDICTION AND SEATS OF INDIAN HIGH COURTS". www.ebc-india.com. Retrieved 2025-06-06.
- ↑ "Gujarat Judiciary". gujcourts.guj.nic.in. Retrieved 2025-06-06.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |