ଟୀକା ଗୋବିନ୍ଦ ଚନ୍ଦ୍ର

ଉଇକିପିଡ଼ିଆ ରୁ
(ଗୀତ ଗୋବିନ୍ଦ ଚନ୍ଦ୍ର ରୁ ଲେଉଟି ଆସିଛି)
Jump to navigation Jump to search

ଟୀକା ଗୋବିନ୍ଦ ଚନ୍ଦ୍ର ପୁସ୍ତିକା ବୈଦିକ ଯୋଗୀନ୍ଦ୍ର ବିପ୍ରଙ୍କଦ୍ୱାରା ରଚିତ । ନାମରୁ ଅନୁମାନ କରାଯାଏ; ଏହା କୌଣସି ଯୋଗୀ ବା ସନ୍ନ୍ୟାସୀଙ୍କର ହୋଇ ପାରେ । ଯଶୋବନ୍ତ ଦାସଙ୍କ ଗୀତ ଗୋବିନ୍ଦ ଚନ୍ଦ୍ରର ଅନେକ ପଦ୍ୟାଂଶ ଏଥିରେ ପରିଲକ୍ଷିତ ହୁଏ । କିନ୍ତୁ, ଘଟଣାର ପ୍ରବାହ, ଚରିତ୍ର, ପଦର ସଂଯୋଜନା ଯଶୋବନ୍ତ ଦାସକୃତ ଗୀତ ଗୋବିନ୍ଦ ଚନ୍ଦ୍ର ସହିତ ଅବିକଳ ସମାନ । କିନ୍ତୁ, ଟୀକା ଗୋବିନ୍ଦ ଚନ୍ଦ୍ରର ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇ ଥିବାରୁ ଏବଂ ନାଥ ଯୋଗୀମାନେ କେନ୍ଦେରା ବଜାଇ ଏହାକୁ ଜନପଦରେ ଗାନ କରୁଥିବା ଯୋଗୁଁ ଏହା ଜନମାନସରେ ଅତ୍ୟନ୍ତ ପ୍ରସାର ଲାଭ କରିଛି । ମୂଳ ପୋଥିରେ ମଙ୍ଗଳାଚରଣ ଗଣେଶଙ୍କର ହୋଇଛି ଓ ବଙ୍ଗଦେଶର ସମୃଦ୍ଧି ଚିତ୍ରିତ କରାଯାଇଛି । କିନ୍ତୁ ଟୀକା ଗୋବିନ୍ଦ ଚନ୍ଦ୍ର ଆଦ୍ୟପର୍ବରେ ରାମ ନାମରେ ପୋଥି ଆରମ୍ଭ ହୋଇଛି । -ଭଜୁନିକା ରାମ ନାମରେ ଗୋବିନ୍ଦ ଭଜୁନିକା ରାମ ନାମ- ଭଜି ନ ପାରିଲେ କୁଳଚନ୍ଦ୍ରମାରେ ବାନ୍ଧିନେବ କାଳଯମ । ଅତି ନାଟକୀୟ ଢଙ୍ଗରେ ଏକୋଇଶ ବର୍ଷିୟ ଯୁବକ ଗୋବିନ୍ଦ ଚନ୍ଦ୍ର ଦର୍ପଣରେ ନିଜ ମୁଖର ସୌନ୍ଦର୍ଯ୍ୟକୁ ଅବଲୋକନ କରି ଆତ୍ମସନ୍ତୋଷ ଲାଭ କରୁଥିବା ଅବସରରେ ନିଜ ମାତାଙ୍କ ଦୃଷ୍ଟିଗୋଚର ହୋଇଛି । କ୍ଷଣଭଙ୍ଗୁର ଜୀବନପ୍ରତି ମୁହ୍ୟମାନ ପୁତ୍ରକୁ ଦେଖି, ମାତା ଅତ୍ୟନ୍ତ କ୍ରୋଧାନ୍ନିତା ହୋଇ ଯାଇଛନ୍ତି । ଦିନେ ଅତି ସନ୍ତର୍ପଣରେ ପୁତ୍ରକୁ ଯୋଗୀ ହୋଇଯିବା ପାଇଁ ନିଷ୍ଠୁର ଆଦେଶ ଦିଅନ୍ତି । ରାମନାମ ଜପକର । ଏହି ରାମନାମ ତୋତେ ଭବ ସାଗରରୁ ଉଦ୍ଧାର କରିବ । ଏହି ରାଜଗାଦି, ଘରସଂସାର ସବୁ ଅଳୀକ ମାତ୍ର । ଏସବୁ ମିଛମାୟାର ସଂସାର । ଏଠାରେ କେହି କାହାର ନୁହେଁ । ଆଜି ଅଛେ, କାଲି ନାହେଁ । ବଡ଼ ନିଷ୍ଠୁର ସେହି କାଳଯମ । ତା’ଦୃଷ୍ଟିରେ କଷି, ପାକଳ ସବୁ ସମାନ । କେତେବେଳେ, କାହାକୁ ବାନ୍ଧିନେବ କେହି କହିପାରିବେ ନାହିଁ । ମଣିଷ ଜନ୍ମହୁଏ, ମରେ । ମାଆ, ବାପା, ଭାଇଭଉଣୀ ତଥା ଆତ୍ମୀୟ ସ୍ୱଜନ କାନ୍ଦନ୍ତି । ଦିନେ ଦୁଇଦିନ ନଚେତ୍‌ ଦଶ ବାରଦିନ କାନ୍ଦନ୍ତି । ତା’ପରେ ସବୁ ଭୁଲି ଯାଆନ୍ତି । ମାତା, ଗୋବିନ୍ଦ ଚନ୍ଦ୍ରଙ୍କୁ ବୁଝାଉଛନ୍ତି- ତୁ ଯୋଗୀ ହୋଇ ଯା, ପରମସୁଖ ପାଇବୁ । ଧର୍ମ ହିଁ ଜୀବନର ଏକମାତ୍ର ସାଥୀ । ଉଦ୍ଭିନ୍ନ ଯୌବନର ଉଦ୍ଦାମତାରେ ରାଣୀମାନଙ୍କ ସହିତ ସୁଖସମ୍ଭୋଗରେ ନିମଗ୍ନ ଗୋବିନ୍ଦ ଚନ୍ଦ୍ର ମାତାଙ୍କର ଏପରି ଆଦେଶକୁ ସହଜରେ ସେ ଗ୍ରହଣ କରିପାରି ନାହାଁନ୍ତି । ମାତାଙ୍କୁ ଜିଜ୍ଞାସା କରିଛନ୍ତି, ଯଦି ଯୋଗୀ କରିଦେବାର ଥିଲା ତେବେ ପିଲାଟି ବେଳରୁ ଯୋଗୀ କରିଦେଲୁନି । ତୁମମନରେ ଯଦି ଏପରି ଥିଲା, ମୋତେ ବାହା କରୁଥିଲୁ କାହିଁକି ? ରାଜମାତା ପୁତ୍ରକୁ ବୁଝାଇଛନ୍ତି, ସନ୍ତାନ ବିୟୋଗରେ ମାଆ ସବୁଦିନ କାନ୍ଦେ । କିନ୍ତୁ, ପତ୍ନୀ କିଛିଦିନ କାନ୍ଦେ । ତୋତେ ପାଇବା ପାଇଁ କେତେ କଷ୍ଟ ସହିଛି । ତୋ ବାପାଙ୍କର ଅନେକ ରାଣୀ ମଧ୍ୟରେ ମୁଁ ଜଣେ ରାଣୀ ଥିଲି । ସବୁରାଣୀ ନିଃସନ୍ତାନ ଥିଲେ । କେବଳ ମୋର ସାତଟି ଝିଅ ହେଲେ, ପୁତ୍ର ସନ୍ତାନ ନହେବାରୁ ରାଜା ବହୁତ କ୍ରୋଧିତ ହେଲେ । ରାଜନଅରଠାରୁ ଦୂରରେ ଅବସ୍ଥିତ ଜଙ୍ଗଲରେ ଥିଲା ଏକ ନିମ୍ବତୋଟା । ସେଠାରେ ମୋର ରହିବା ପାଇଁ ଏକ ଘର ନିର୍ମାଣ କରି, ତାହାର ନାମ ଦେଲେ ‘ନିମଡୋହୀ’। ସେହିଘରକୁ ଲାଗି ଏକ ଘୋଡ଼ାଶାଳ ତିଆରି କଲେ । ରାଜା ସେହି ନିମଡୋହୀରେ ମୋତେ ରଖିଲେ । ପ୍ରତିଦିନ ସେରେ ଚାଉଳ ଓ ବୋଡ଼ିଏ କଉଡ଼ି । ପ୍ରତିଦିନ ସ୍ନାନ ପରେ, ପାଏ ଚାଉଳ ବ୍ରାହ୍ମଣବୈଷ୍ଣବମାନଙ୍କୁ ଦାନ କରେ । ପାଏ ଚାଉଳକୁ ରୋଷେଇ କରି ଦେବତାଙ୍କୁ ପୂଜା କରେ । ଦାନଧର୍ମ ପରେ ଯାହା ବଳେ ସେତିକିରେ ମୁଁ ଚଳେ । ତୋ’ ବାପା ଲୁଣ ନ ଦେଇ, ଦେଉଥାନ୍ତି ଯବକ୍ଷାର । ବାସନ ନ ଦେଇଥିବାରୁ ଗାତ ଖୋଳି ଭାତ ଖାଏ । ତେଲ ବଦଳରେ ଘୋଡାମୂତ, ହଳଦୀ ବଦଳରେ ବଣ ପିପ୍‌ପଳୀ । ଜାଳେଣି ପାଇଁ ବାରିବାଇଗଣ ଝଟା ଓ କାନକୋଳି କଣ୍ଟା । ତରକାରୀ ପାଇଁ ଦେଉଥାନ୍ତି କଳମଲଟା, ବାଇଗଣ ବେଣ୍ଟ ଆଉ ତୋଡ଼ି ମାଛର ଥଣ୍ଟ । ତେଲ ବିନା କେଶ ମୋର ଜଟା ହୋଇଗଲା । ଶୋଇବାକୁ କିଛି ନଥାଏ, ଘାସ ଉପରେ ଶୋଇପଡ଼େ । ପିନ୍ଧିବାକୁ ଲୁଗା ନଥାଏ, ଗଛ ବକଳ ମୋର ପରିଧାନ । ରାଜା ଲାଉଚନ୍ଦ୍ରଙ୍କର ମୁଁ କନ୍ୟା, ପିତାମାତା ମଉନାବତୀ ବୋଲି ନାମ ଦେଇଥିଲେ । ଆଉ କଷ୍ଟ ସହି ପାରିଲିନାହିଁ, ଦୂତଦ୍ୱାରା ଖବର ଦେଲି ରଙ୍ଗପୁରରେ ଝିଅକୁ ବିବାହ ଦେଇଥିଲ; ସେ ଏବେ ଘୋଡାଶାଳରେ ବନ୍ଦିନୀ । ଆଉ ଘୋଡାଲଣ୍ଡି ପୋଛି ପୋଛି ହାତ ବିଣ୍ଡି ହୋଇଗଲାଣି । ଦୂତଠାରୁ ଏପରି ଖବର ଶୁଣି ରାଜାରାଣୀ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ । ଝିଅର ଦୁଃଖ ଦୂର କରିବା ପାଇଁ ଲକ୍ଷେ ମାଢ଼ ସୁନା ଦୂତଦ୍ୱାରା ପଠାଇଲେ । ଏହାକୁ ବିକ୍ରିକରି ନିମଡୋହୀରେ ଏକ ବଡ଼ ନଅର ତୋଳିଲେ । ଏହି ଉଆସ ତୋ ବାପାଙ୍କ ଉଆସଠାରୁ ଅଧିକ ସୁନ୍ଦର ଥିଲା । ଦୈବାତ୍‌ ତୋ’ବାପା ଦାନ୍ତ ଘଷୁ ଘଷୁ ନିମଡୋହୀ ଆଡ଼େ ଚାଲିଆସିଲେ । ମୁଁ ପୋଷିଥିବା ଶୁଆ ଶାରୀ ସୁନା ପଞ୍ଜୁରୀ ଭିତରୁ ରାଜାଙ୍କୁ ଦେଖି ଡାକିଲେ- ମଣିମା ମଣିମା ! ଗୁହାରୀ ଶୁଣିବା ହୁଅନ୍ତୁ । ରାଜା ଏହା ଶୁଣି ଚକିତ ହେଲେ ! ଅବିଳମ୍ବେ ଉଆସକୁ ଫେରି ଯାଇ ସୈନ୍ୟମାନଙ୍କୁ ଆଦେଶ ଦେଲେ, ଜଙ୍ଗଲ ଭିତରେ ଥିବା ଏକ ଉଆସ କାହାର ଦେଖି ଆସିବା ପାଇଁ । ସୈନ୍ୟମାନେ ଜଙ୍ଗଲକୁ ଆସି ଦେଖିଲେ ଅଷ୍ଟଧାତୁରେ ନିର୍ମିତ ଏକ ବିରାଟ ନଅର । ଆଉ ରାଣୀ ମଉନାବତୀ ତା’ଭିତରେ ରହୁଛନ୍ତି । ସୈନ୍ୟମାନେ ଫେରିଯାଇ ସବୁକଥା କହିଲେ । ତୋ’ବାପା ଏକଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ଦିନେ ତୋ’ବାପା ମୋ ପାଖକୁ ଆସିଲେ । ମୁଁ ତାଙ୍କୁ ଉଆସକୁ ପାଛୋଟି ଆଣିଲି । ତାଙ୍କର ପାଦ ପୂଜା କଲି । ତାଙ୍କୁ ପଲଙ୍କ ଉପରେ ବସାଇଲି । ତାଙ୍କ ମନରେ ମୋପ୍ରତି ସନ୍ଦେହ ଥାଏ । ମୋତେ ଦୋଚାରୁଣୀ କହିଲେ । ତାଙ୍କ ସନ୍ଦେହ ଦୂର କରିବା ପାଇଁ ଅଗ୍ନିପରୀକ୍ଷା ଦେଲି । ଅଗ୍ନିକୁଣ୍ଡ ସାତଦିନ ଜଳିଲା, ମୁଁ ତା’ଭିତରେ ସାତଦିନ ରହିଲି । ସାତଦିନ ପରେ ତୋ’ବାପା ଅଗ୍ନିକୁଣ୍ଡ ପାଖକୁ ଆସି କହିଲେ- ରାଣୀ ମଉନାବତୀ ଯଦି ସତୀ ହୋଇ ଥିବ ଅଗ୍ନି ତା’ର କିଛି କ୍ଷତି କରିପାରିବ ନାହିଁ । ଆଉ ସେ ଅଗ୍ନିରୁ ଉଠି ଆସିବ । ଅଗ୍ନିରେ ମୋର କିଛି କ୍ଷତି ହେଲାନି, ଅକ୍ଷତ ଅବସ୍ଥାରେ ଅଗ୍ନିରୁ ଉଠି ଆସିଲି । ରାଜା ମୋତେ ପାଟରାଣୀ କରି ରଖିଲେ । ଆଉ ତୋତେ ପାଇବା ପାଇଁ ଅନେକ କଷ୍ଟ ସହିଛି, କେତେ ଓଷାବ୍ରତ ପାଳିଛି । ଈଶ୍ୱର ପାର୍ବତୀଙ୍କ ବରରୁ ତୁ ମୋଠାରୁ ଜାତ ହେଲୁ । ଜ୍ୟୋତିଷ ଗଣନା କରି କହିଲେ ତୋର ଏକୋଇଶ ବର୍ଷରେ ମରଣଯୋଗ ଅଛି । ଏହା ଶୁଣି ମୁଁ ଅଚେତ ହୋଇଗଲି । ଦାସୀମାନେ ମୋର ଚେତା ଫେରାଇ ଆଣିଲେ । ସେଦିନଠାରୁ ଆଖି ଲୁହ ଆଖିରେ ମାରିଲି । ଦଶବର୍ଷ ପର୍ଯ୍ୟନ୍ତ ତୋତେ ପାଠ ପଢ଼ାଇଲି, ରାଜନୀତି ଶିକ୍ଷାଦେଲି । ସେତେବେଳକୁ ତୋ'ବାପାଙ୍କର କାଳ ହୋଇଯିବା ପରେ ପନ୍ଦର ବର୍ଷରେ ତତେ ରାଜା କରାଇଲି । ଅଠର ବର୍ଷରେ ସୁନ୍ଦର ସୁନ୍ଦର ଅନେଶ୍ୱତ ରାଣୀଙ୍କ ସହିତ ତୋର ବାହା ଦେବା ପରେ ଏକୋଇଶ ବର୍ଷରେ ତୋତେ ଯୋଗୀ କରାଇଦେବି ବୋଲି ସ୍ଥିର କଲି । ଏବେ ତୋତେ ଏକୋଇଶ ବର୍ଷ, ତୁ ଏବେ ଯୋଗୀ ହୋଇ ଯାଅ । ମାତାଙ୍କର ଏତେକଥା ଶୁଣିବା ପରେ ବି ଯୋଗୀ ହେବାକୁ ସମ୍ମତ ହେଲେ ନାହିଁ । ମାତା ପୁଣି ବୁଝାଇଲେ- ତୁ ଯୋଗୀ ହୋଇ ଲାଉତୁମ୍ବା ଧରି ଭିକ ମାଗିବୁ, ସେ ଲାଉତୁମ୍ବା ହେଉଛି ଶିବଙ୍କର । ଆଉ ଯେଉଁ ଅନ୍ନ ମିଳିବ, ତାକୁ ଖାଇଲେ ତୁ ଅମର ହେବୁ । ଗୋବିନ୍ଦ ଚନ୍ଦ୍ର କହିଲେ- ତୁମେ ଯଦି ଏତେ ଜ୍ଞାନୀ, ପିତାଙ୍କୁ ଯମ କବଳରୁ ରକ୍ଷା କରିପାରିଲ ନାହିଁ କାହିଁକି ? ମାଆ କହିଲେ,“ତୋ ବାପାଙ୍କ ଦେହାନ୍ତ ବେଳେ ମୁଁ ଜାହ୍ନବୀ ନଦୀରେ ରହି ତପ କରୁଥିଲି । ତୋ ପିତୃ ବିୟୋଗ ଶୁଣି ଓଦାଲୁଗାରେ ଯମାଳୟକୁ ଯାଇ ଗୋରଖନାଥଙ୍କ ମନ୍ତ୍ରକୁ ସ୍ମରଣ କରି ଯମଙ୍କ ଗାଲରେ ଏକ ଶକ୍ତଚାପୁଡ଼ା ଦେଲି । ଯମ ନିର୍ଲିପ୍ତଭାବରେ କହିଲେ, “ତୁମ ତପସ୍ୟା ଫଳ ଯୋଗୁଁ ତୁମ ସ୍ୱାମୀଙ୍କୁ ଶହେ ଷାଠିଏ ବର୍ଷ ବଞ୍ଚେଇ ରଖିଥିଲି । ଯଦି ତାହାର ଆଉ ଆୟୁଷ ଅଛି ବୋଲି ଭାବୁଛ, ଏହି ପାଞ୍ଜି (ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ମୃତ୍ୟୁ ଲିପିବଦ୍ଧ ହେଉଥିବା ଯମଦେବଙ୍କ ପାଞ୍ଜି ବା ପୁସ୍ତିକା) ଦେଖି କୁହ ।” ତାଙ୍କଠାରୁ ପାଞ୍ଜି ଆଣି ତୋ’ବାପାଙ୍କ ଆୟୁଷ ଦେଖୁ ଦେଖୁ, ତୋ ଆୟୁଷ ମାତ୍ର ଏକୋଇଶି ବର୍ଷ ନିର୍ଦ୍ଧାରିତ ହୋଇଥିବାର ଦେଖିଲି । ସେଇଠି ମନସ୍ଥକରିଥିଲି, ତୋତେ ଆୟୁଷ ପୂରିବା ପୂର୍ବରୁ ଯୋଗୀ କରିଦେବି । ଜ୍ୟୋତିଷଙ୍କ ଭବିଷ୍ୟବାଣୀ ମଧ୍ୟ ସେଇଆ ଥିଲା । ଏବେ ଚିନ୍ତାକର କ’ଣ କରିବା ଉଚିତ୍‌, ତୋତେ ମୁଁ ବାଧ୍ୟ ଆଉ କରୁନି । ଗୋବିନ୍ଦଚନ୍ଦ୍ରଙ୍କ ମନରୁ ସବୁ ସନ୍ଦେହ ଦୂର ହୋଇଗଲା, ଯୋଗୀହେବା ପାଇଁ ପ୍ରସ୍ତୁତ ହେଲେ । ହାଡ଼ିପା ତାଙ୍କ ଗୁରୁ ହେଲେ । ପରବର୍ତ୍ତୀ ସମୟରେ ମାଆଙ୍କ ଗୁରୁ ଗୋରେଖନାଥଙ୍କ କୃପାରୁ ଗୋବିନ୍ଦ ଚନ୍ଦ୍ର ବ୍ରହ୍ମଜ୍ଞାନ ପ୍ରାପ୍ତ ହେଲେ ।

ଆଧାର[ସମ୍ପାଦନା]