ଗାନ୍ଧୀ-ଇରୱିନ ଚୁକ୍ତି
୫ ମାର୍ଚ୍ଚ ୧୯୩୧ ରେ, ଲଣ୍ଡନର ଦ୍ୱିତୀୟ ଗୋଲଟେବୁଲ ବୈଠକ ପୂର୍ବରୁ, ମହାତ୍ମା ଗାନ୍ଧୀ ଓ ଭାରତର ତତକାଳୀନ ଭାଇସରଏ (Viceroy) ଲର୍ଡ ଇରୱିନଙ୍କ ମଧ୍ୟରେ ଏକ ରାଜନୈତିକ ସମ୍ମତି ହେଲା, ଯାହାକୁ ଗାନ୍ଧୀ-ଇରୱିନ ଚୁକ୍ତି କିମ୍ବା ଦିଲ୍ଲୀ ପାକ୍ଟ ବୋଲି କୁହାଯାଏ । ବ୍ରିଟିଶ ସରକାର ପ୍ରଥମ ଗୋଲଟେବୁଲ ବୈଠକରୁ ବୁଝିପାରିଲେ କି, କଂଗ୍ରେସ ଦଳର ସହଭାଗିତା ବିନା କୌଣସି ନିଷ୍ପତ୍ତି ସମ୍ଭବ ନୁହେଁ । ଦ୍ଵିତୀୟ ଗୋଲଟେବୁଲ ବୈଠକ ଲଣ୍ଡନରେ ସେପ୍ଟେମ୍ବରରୁ ଡିସେମ୍ବର ୧୯୩୧ ମଧ୍ୟରେ ସଂପନ୍ନ ହେଲା । ଏହା ଫଳରେ ଭାରତରେ ଚାଲିଥିବା ସବିନୟ ଅବଜ୍ଞା ଆନ୍ଦୋଳନର ଅବସାନ ଘଟିଲା । ଏହା ପରେ ୫ ମାର୍ଚ୍ଚ ୧୯୩୧ ରେ ଭାଇସରଏ ଲର୍ଡ ଇରୱିନ ଓ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଗାନ୍ଧୀ–ଇରୱିନ ସମ୍ମତି ସଂପନ୍ନ ହେଲା ।[୧]
ଏହି ସମ୍ମତିରେ ଇଂରେଜ ସରକାରଙ୍କ ପକ୍ଷରୁ ଲର୍ଡ ଇରୱିନଙ୍କ ଦ୍ଵାରା ଗୃହୀତ ସର୍ତ୍ତଗୁଡ଼ିକ —
- ହିଂସାରେ ଜଡ଼ିତ ବ୍ୟକ୍ତିମାନଙ୍କୁ ଛାଡ଼ି, ଅନ୍ୟ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରାଯିବ ।
- ଭାରତୀୟମାନଙ୍କୁ ସମୁଦ୍ରତଟରେ ଲୁଣ ତିଆରି କରିବାର ଅଧିକାର ଦିଆଯିବ ।
- ଭାରତୀୟମାନେ ମଦ୍ୟ ଓ ବିଦେଶୀ ବସ୍ତ୍ରର ଦୋକାନ ସାମ୍ନାରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇପାରିବେ।
- ଆନ୍ଦୋଳନ ସମୟରେ ଯେଉଁମାନେ ପଦତ୍ୟାଗ କରିଥିଲେ, ସେମାନଙ୍କୁ ପୁଣି ତାଙ୍କ ପଦବୀରେ ଅବସ୍ଥାପିତ କରାଯିବ ।
- ଆନ୍ଦୋଳନ ସମୟରେ ଜବତ ସମ୍ପତ୍ତିକୁ ପୁନଃଫେରସ୍ତ କରାଯିବ ।
କଂଗ୍ରେସ ପକ୍ଷରୁ ଗାନ୍ଧୀଜୀଙ୍କ ଦ୍ୱାରା ଗୃହୀତ ସର୍ତ୍ତଗୁଡ଼ିକ —
- ସବିନୟ ଅବଜ୍ଞା ଆନ୍ଦୋଳନକୁ ସ୍ଥଗିତ କରାଯିବ ।
- କଂଗ୍ରେସ ଦ୍ୱିତୀୟ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଭାଗ ନେବ ।
- କଂଗ୍ରେସ ବ୍ରିଟିଶ ସାମଗ୍ରୀର ବହିଷ୍କାର କରିବ ନାହିଁ ।
- ଗାନ୍ଧୀଜୀ ପୋଲିସର ଅତ୍ୟାଚାର ବିରୁଦ୍ଧରେ ତଦନ୍ତ ଦାବିରୁ ଓହରିଯିବେ ।
ଏହି ଚୁକ୍ତିର ଗୁରୁତ୍ୱ ଏହିଥିଲା ଯେ, ପ୍ରଥମଥର ପାଇଁ ବ୍ରିଟିଶ ସରକାର ଭାରତୀୟମାନଙ୍କ ସହ ସମାନ ସ୍ତରରେ ବାର୍ତ୍ତାଳାପ କରିଥିଲା ।[୨]
କଂଗ୍ରେସର କରାଚି ଅଧିବେଶନ (୨୯ ମାର୍ଚ୍ଚ ୧୯୩୧)
[ସମ୍ପାଦନା]ଗାନ୍ଧୀ–ଇରଭିନ ଚୁକ୍ତିକୁ ଅନୁମୋଦନ କରିବା ପାଇଁ ୨୯ ମାର୍ଚ୍ଚ ୧୯୩୧ ରେ କରାଚିରେ କଂଗ୍ରେସର ଅଧିବେଶନ ବସିଥିଲା । ଏହାର ଅଧ୍ୟକ୍ଷ ବଲ୍ଲଭଭାଇ ପଟେଲ ଥିଲେ। ଏହାର ୬ ଦିନ ପୂର୍ବରୁ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶି ଦିଆଯାଇଥିଲା । ଏହାର ଫଳରେ ଭାରତୀୟ ଜନସାଧାରଣ ଗାନ୍ଧୀଜୀଙ୍କୁ ନେଇ ଅତ୍ୟନ୍ତ ଅସନ୍ତୁଷ୍ଟ ଥିଲେ । କରାଚି ଯାତ୍ରା ସମୟରେ ଗାନ୍ଧୀଜୀଙ୍କୁ ଲୋକଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିଲା ।
କରାଚିରେ କଂଗ୍ରେସର ପ୍ରସ୍ତାବ
[ସମ୍ପାଦନା]କଂଗ୍ରେସ ରାଜନୈତିକ ହିଂସାକୁ ସମର୍ଥନ ନ କରିବାର କଥା ପୁନରୁଚ୍ଚାରଣ କଲା, କିନ୍ତୁ ସେଥିସହ ସହଭାଗୀ ବୀର ବିପ୍ଳବୀମାନଙ୍କ ତ୍ୟାଗ ଓ ସାହସକୁ ପ୍ରଶଂସା କଲା । ଦିଲ୍ଲୀ ସମ୍ମତିକୁ ମଞ୍ଜୁର କରାଗଲା । ପୂର୍ଣ୍ଣ ସ୍ୱରାଜର ଲକ୍ଷ୍ୟକୁ ପୁଣିଥରେ ଉଚ୍ଚାରଣ କରାଗଲା ।
କଂଗ୍ରେସ ମୁଖ୍ୟତଃ ଦୁଇଟି ପ୍ରସ୍ତାବ ଗ୍ରହଣ କଲା —
- ମୌଳିକ ଅଧିକାର ସମ୍ବନ୍ଧୀୟ
- ଜାତୀୟ ଅର୍ଥନୈତିକ କାର୍ୟକ୍ରମ ସମ୍ବନ୍ଧୀୟ
ମୌଳିକ ଅଧିକାର ସମ୍ବନ୍ଧୀୟ
- ଅଭିବ୍ୟକ୍ତି ଓ ପ୍ରେସର ପୂର୍ଣ୍ଣ ସ୍ୱାଧୀନତା।
- ସଂଗଠନ ଗଠନର ସ୍ୱାଧୀନତା।
- ସାର୍ବଭୌମ ପ୍ରାପ୍ତବୟସ୍କ ମତାଧିକାରରେ ଆଧାରିତ ନିର୍ବାଚନର ସ୍ୱାଧୀନତା।
- ସଭା ଓ ସମ୍ମେଳନ କରିବାର ସ୍ୱାଧୀନତା।
- ଜାତି, ଧର୍ମ, ଲିଙ୍ଗଗତ ବିଷମତାକୁ ବାଦଦେଇ ଆଇନ ସମ୍ମୁଖରେ ସମାନତାର ଅଧିକାର।
- ସମସ୍ତ ଧର୍ମ ପ୍ରତି ରାଜ୍ୟର ନିଷ୍ପକ୍ଷ ଭାବ।
- ନିଶୁଳ୍କ ଓ ଅନିବାର୍ୟ ପ୍ରାଥମିକ ଶିକ୍ଷାର ଗାରଣ୍ଟି।
- ଅଳ୍ପସଂଖ୍ୟକ ଓ ଭିନ୍ନ ଭାଷାଭାଷୀ ଅଞ୍ଚଳମାନଙ୍କ ସଂସ୍କୃତି, ଭାଷା ଓ ଲିପିର ସୁରକ୍ଷା।
ଜାତୀୟ ଅର୍ଥନୈତିକ କାର୍ଯ୍ୟକ୍ରମ
- ଜମିକର ଓ ମାଲଗୁଜାରୀରେ ଯଥୋଚିତ ହ୍ରାସ।
- ଅଲାଭକାରୀ ଜମିକୁ ଜମିକରରୁ ମୁକ୍ତି।
- ଚାଷୀମାନଙ୍କୁ ଋଣରୁ ମୁକ୍ତି ଓ ସୁଧଖୋରଙ୍କୁ ନିୟନ୍ତ୍ରଣ।
- ଶ୍ରମିକମାନଙ୍କ ପାଇଁ ଭଲ କାର୍ଯ୍ୟସୁବିଧା, ମହିଳା ଶ୍ରମିକଙ୍କ ସୁରକ୍ଷା ।
- ଶ୍ରମିକ ଓ ଚାଷୀମାନଙ୍କୁ ନିଜସ୍ୱ ସଂଘ ଗଠନର ସ୍ୱାଧୀନତା।
- ପ୍ରମୁଖ ଶିଳ୍ପ, ପରିବହନ ଓ ଖଣିଗୁଡ଼ିକୁ ସରକାରୀ ମାଳିକାନା ଓ ନିୟନ୍ତ୍ରଣରେ ରଖିବାର ପ୍ରତିଶ୍ରୁତି।
ଏହି ଅଧିବେଶନରେ କଂଗ୍ରେସ ପ୍ରଥମଥର ପାଇଁ ପୂର୍ଣ୍ଣ ସ୍ୱରାଜ୍ୟକୁ ସ୍ପଷ୍ଟ କରିଥିଲା ଓ ଜନସାଧାରଣ ପାଇଁ ତାହାର ଅର୍ଥ ବୁଝାଇଥିଲା । କଂଗ୍ରେସ ଏହା ମଧ୍ୟ ଘୋଷଣା କଲା ଯେ, “ଜନସାଧାରଣଙ୍କ ଶୋଷଣକୁ ଶେଷ କରିବା ପାଇଁ ରାଜନୈତିକ ସ୍ୱାଧୀନତା ସହ ସହିତ ଅର୍ଥନୈତିକ ସ୍ୱାଧୀନତା ମଧ୍ୟ ଆବଶ୍ୟକ।” କରାଚି ପ୍ରସ୍ତାବ ବାସ୍ତବରେ କଂଗ୍ରେସର ମୂଳ ରାଜନୈତିକ ଓ ଅର୍ଥନୈତିକ ନୀତିଗୁଡ଼ିକର ଏକ ଦଳିଲ୍ ଥିଲା, ଯାହା ପରବର୍ତ୍ତୀ ବର୍ଷଗୁଡ଼ିକରେ ଅବିଚ୍ଛିନ୍ନ ରହିଲା ।[୩]
ଆଧାର
[ସମ୍ପାଦନା]- ↑ "Chronology: Event Detail Page | Gandhi Heritage Portal". www.gandhiheritageportal.org (in ଇଂରାଜୀ). Retrieved 2025-09-27.
- ↑ "The Half-Naked Seditious Fakir | This Was Bapu | Student's Projects". www.mkgandhi.org. Retrieved 2025-09-27.
- ↑ "Gandhi-Irwin Pact | Mahatma Gandhi Pictorial Biography". www.mkgandhi.org. Retrieved 2025-09-30.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |