ଗରୁଡ଼ ପୁରାଣ

ଗରୁଡ଼ ପୁରାଣ ଏକ ବୈଷ୍ଣବ ସମ୍ପ୍ରଦାୟ ସମ୍ବନ୍ଧିତ ମହାପୁରାଣ ଏବଂ ଅଷ୍ଟାଦଶ ପୁରାଣ ମଧ୍ୟରେ ଅନ୍ୟତମ ।[୧] ଏହାକୁ ସନାତନ ଧର୍ମରେ ମୃତ୍ୟୁପରେ ସଦ୍ଗତି ଦେଉଥିବା ପୁରାଣ ଭାବେ ମନେ କରାଯାଏ । ଏହିକାରଣରେ ସନାତନ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଗରୁଡ଼ ପୁରାଣ ଶ୍ରବଣ କରିବାର ପ୍ରଚଳନା ଅଛି । ଏହି ପୁରାଣଙ୍କର ଅଧିଷ୍ଠାତା ଦେବତା ଭଗବାନ୍ ବିଷ୍ଣୁ । ଏଥିରେ ଭକ୍ତି, ଜ୍ଞାନ, ବୈରାଗ୍ୟ, ସଦାଚାର, ନିଷ୍କାମ କର୍ମର ମହିମା ସହିତ ଯଜ୍ଞ, ଦାନ, ତପଃ, ତୀର୍ଥ ସହ ଅନ୍ୟାନ୍ୟ ଶୁଭ କାର୍ଯ୍ୟରେ ସାଧାରଣ ଲୋକଙ୍କୁ ପ୍ରବୃତ୍ତ କରିବା ପାଇଁ ନାନା ପ୍ରାପଞ୍ଚିକ ଏବଂ ପାରଲୌକିକ ଫଳର ବିବରଣୀ ମିଳେ । ଏହା ସହ ଏଥିରେ ଆୟୁର୍ବେଦ[୨][୩], ନୀତିସାର ପରି ବିଷୟମାନଙ୍କର ଉଲ୍ଲେଖ ଥିବାସହ ମୃତ୍ୟୁ ସମୟରେ ଜୀବ ପାଇଁ କରିବାକୁ ଥିବା କ୍ରିୟାମାନଙ୍କର ବିସ୍ତୃତ ବିବରଣୀ ମଧ୍ୟ ରହିଛି । ଆତ୍ମଜ୍ଞାନର ବିଚାର ମଧ୍ୟ ଏଥିର ମୁଖ୍ୟ ବିଷୟ ଅଟେ ।
ଅଠରଟି ପୁରାଣଙ୍କ ମଧ୍ୟରେ ଗରୁଡ଼ମହାପୁରାଣର ନିଜସ୍ୱ ବିଶେଷ ମହତ୍ୱ ଅଛି। ଏହାର ଅଧିଷ୍ଠାତା ଦେବ ଭଗବାନ ବିଷ୍ଣୁ, ତେଣୁ ଏହା ବୈଷ୍ଣବ ପୁରାଣ । ଗରୁଡ଼ ପୁରାଣରେ ବିଷ୍ଣୁ-ଭକ୍ତିର ବିସ୍ତୃତ ବିବରଣ ମିଳେ । ଭଗବାନ ବିଷ୍ଣୁଙ୍କର ଚବିଶିଟି ଅବତାରର ବର୍ଣ୍ଣନା ‘ଶ୍ରୀମଦ୍ଭାଗବତ’ରେ ଯେପରି ମିଳେ, ସେପରି ଏଠାରେ ମଧ୍ୟ ମିଳିଥାଏ । ଆରମ୍ଭରେ ମନୁଙ୍କଠୁ ସୃଷ୍ଟିର ଉତ୍ପତ୍ତି, ଧ୍ରୁବ ଚରିତ୍ର ଏବଂ ବାରୋଟି ଆଦିତ୍ୟଙ୍କ କଥା ମିଳେ । ତାପରେ ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଙ୍କର ମନ୍ତ୍ର, ଶିବ-ପାର୍ବତୀ ମନ୍ତ୍ର, ଇନ୍ଦ୍ର ସମ୍ବନ୍ଧୀୟ ମନ୍ତ୍ର, ସରସ୍ବତୀଙ୍କ ମନ୍ତ୍ର ଏବଂ ନଉ ଶକ୍ତିଙ୍କ ବିଷୟରେ ବିସ୍ତୃତ ବବ୍ୟାଖ୍ୟା ରହିଛି। ଏହା ବ୍ୟତୀତ ଏହି ପୁରାଣରେ ଶ୍ରାଦ୍ଧ, ତର୍ପଣ, ମୋକ୍ଷ ପାଇବାର ବିଧି ଏବଂ ଜୀବର ଗତି ବିଷୟରେ ବିସ୍ତୃତ ବର୍ଣ୍ଣନା ମିଳେ।
ସଂରଚନା
[ସମ୍ପାଦନା]‘ଗରୁଡ଼ପୁରାଣ’ରେ ଉନେଇଶ ହଜାର ଶ୍ଳୋକ ଥିବାକୁ କୁହାଯାଏ, କିନ୍ତୁ ବର୍ତ୍ତମାନ ଉପଲବ୍ଧ ପାଣ୍ଡୁଲିପିମାନେ ପ୍ରାୟ ଆଠ ହଜାର ଶ୍ଳୋକ ମାତ୍ର ଅଛି। ଗରୁଡ଼ପୁରାଣର ଦୁଇଟି ଭାଗ — ପୂର୍ବଖଣ୍ଡ ଓ ଉତ୍ତରଖଣ୍ଡ । ପୂର୍ବଖଣ୍ଡରେ ୨୨୯ ଅଧ୍ୟାୟ (କେତେକ ପାଣ୍ଡୁଲିପିରେ ୨୪୦–୨୪୩ ଅଧ୍ୟାୟ) ମିଳେ । ଉତ୍ତରଖଣ୍ଡରେ ଭିନ୍ନ ଭିନ୍ନ ପାଣ୍ଡୁଲିପିରେ ୩୪ ଥରୁ ୪୯ ଅଧ୍ୟାୟ ପର୍ଯ୍ୟନ୍ତ ମିଳେ। ଉତ୍ତରଖଣ୍ଡକୁ ସାଧାରଣତଃ ‘ପ୍ରେତଖଣ୍ଡ’ କିମ୍ବା ‘ପ୍ରେତକଳ୍ପ’ କୁହାଯାଏ। ଏପରି ଗରୁଡ଼ପୁରାଣର ପ୍ରାୟ ୯୦% ବିଷୟବସ୍ତୁ ପୂର୍ବଖଣ୍ଡରେ ଅଛି ଏବଂ କେବଳ ୧୦% ବିଷୟବସ୍ତୁ ଉତ୍ତରଖଣ୍ଡରେ । ପୂର୍ବଖଣ୍ଡରେ ଜୀବ ଓ ଜୀବନ ସମ୍ବନ୍ଧୀୟ ନାନା ବିଷୟର ବିବରଣ ଅଛି ।[୪] ପ୍ରେତଖଣ୍ଡରେ ମୃତ୍ୟୁ ପରେ ଜୀବର ଗତି ଓ କର୍ମକାଣ୍ଡ ସମ୍ବନ୍ଧୀୟ ବିଷୟ ମୁଖ୍ୟ ଭାବେ ଉଲ୍ଲେଖିତ ଅଛି।
ପ୍ରଥମ ଭାଗରେ ବିଷ୍ଣୁ ଭକ୍ତି ଏବଂ ଉପାସନାର ବିଧିବିଧାନ ଉଲ୍ଲେଖ ଅଛି । ମୃତ୍ୟୁ ପରେ ‘ଗରୁଡ଼ ପୁରାଣ’ ଶ୍ରବଣର ପ୍ରଚଳନା ମଧ୍ୟ ଏହାରେ ଦିଆଯାଇଛି । ଦ୍ୱିତୀୟ ଭାଗରେ ପ୍ରେତକଳ୍ପର ବିସ୍ତୃତ ବର୍ଣ୍ଣନା ଅଛି — ଜୀବ କିପରି ନରକକୁ ଯାଏ, ମୃତ୍ୟୁ ପରେ ମନୁଷ୍ୟର ଗତି କିପରି ହୁଏ, ନାନା ଯୋନିରେ ଜନ୍ମ, ପ୍ରେତଯୋନିରୁ ମୁକ୍ତି, ଶ୍ରାଦ୍ଧ ଓ ପିତୃକର୍ମ କିପରି କରିବା ଆଦି ସମସ୍ତ ବିଷୟର ମିଶ୍ରିତ ବର୍ଣ୍ଣନା ଅଛି ।
କଥା ଏବଂ ବର୍ଣ୍ଣ ବିଷୟ
[ସମ୍ପାଦନା]ମହର୍ଷି କଶ୍ୟପଙ୍କ ପୁତ୍ର ପକ୍ଷୀରାଜ ଗରୁଡ଼ ଭଗବାନ ବିଷ୍ଣୁଙ୍କ ବାହନ ଭାବେ ପରିଚିତ । ଏକଦା ଗରୁଡ଼ ଭଗବାନ ବିଷ୍ଣୁଙ୍କୁ ମୃତ୍ୟୁ ପରବର୍ତ୍ତୀ ଜୀବର ସ୍ଥିତି, ଯମଲୋକ ଯାତ୍ରା, କର୍ମଫଳରୁ ପ୍ରାପ୍ତ ନରକ, ବିଭିନ୍ନ ଯୋନି ଏବଂ ପାପୀଙ୍କ ଦୁର୍ଗତି ସମ୍ବନ୍ଧୀୟ ଅନେକ ଗୁପ୍ତ ପ୍ରଶ୍ନ କରିଥିଲେ । ସେତେବେଳେ ଭଗବାନ ବିଷ୍ଣୁ ଗରୁଡ଼ଙ୍କ ଜିଜ୍ଞାସାକୁ ଶାନ୍ତ କରି ଯାହା ଜ୍ଞାନମୟ ଉପଦେଶ ଦେଇଥିଲେ, ସେଇ ଉପଦେଶର ବିସ୍ତୃତ ବିବରଣୀ ଏହି ପୁରାଣରେ ମିଳେ । ଗରୁଡ଼ଙ୍କ ମାଧ୍ୟମରେ ଭଗବାନ ବିଷ୍ଣୁଙ୍କ ଶ୍ରୀମୁଖରୁ ମୃତ୍ୟୁ ପରବର୍ତ୍ତୀ ଗୁହ୍ୟ ଏବଂ ଶ୍ରେୟସ୍କର ବାଣୀ ପ୍ରକାଶ ପାଇଥିବାରୁ ଏହାକୁ ‘ଗରୁଡ଼ ପୁରାଣ’ ବୋଲି କୁହାଯାଏ । ଭଗବାନ ବିଷ୍ଣୁଙ୍କ ଦ୍ୱାରା ଉପଦେଶିତ ହେତୁ ଏହା ମୁଖ୍ୟତଃ ବୈଷ୍ଣବ ପୁରାଣ । ଏହାକୁ ‘ମୁଖ୍ୟ ଗାରୁଡ଼ୀ ବିଦ୍ୟା’ ମଧ୍ୟ କୁହାଯାଏ। ଏହି ପୁରାଣର ଜ୍ଞାନ ପ୍ରଥମେ ବ୍ରହ୍ମା ମହର୍ଷି ବ୍ୟାସଙ୍କୁ ଦେଇଥିଲେ, ପରେ ବ୍ୟାସ ତାଙ୍କ ଶିଷ୍ୟ ସୂତଙ୍କୁ ଏବଂ ସୂତ ନୈମିଶାରଣ୍ୟରେ ଶୌନକାଦି ଋଷିମୁନିଙ୍କୁ ପ୍ରଦାନ କରିଥିଲେ ।
ପୂର୍ବଖଣ୍ଡ
[ସମ୍ପାଦନା]ଏହି ଖଣ୍ଡକୁ ଆଚାର ଖଣ୍ଡ ବି କୁହାଯାଏ । ଏହି ଖଣ୍ଡରେ ପ୍ରଥମେ ପୁରାଣ ଆରମ୍ଭ କରିବା ପ୍ରଶ୍ନ କରାଯାଇଛି, ପରେ ସଂକ୍ଷେପରେ ସୃଷ୍ଟିର ବର୍ଣ୍ଣନ କରାଯାଇଛି । ତାପରେ ସୂର୍ଯ୍ୟ ଆଦିଙ୍କ ପୂଜା, ପୂଜା ପଦ୍ଧତି, ଦୀକ୍ଷା ବିଧି, ଶ୍ରାଦ୍ଧ ପୂଜା, ନବବ୍ୟୂହ ପୂଜା ବିଧି, ବୈଷ୍ଣବ ପଞ୍ଜର, ଯୋଗାଧ୍ୟାୟ, ବିଷ୍ଣୁସହସ୍ରନାମ କୀର୍ତ୍ତନ, ବିଷ୍ଣୁ ଧ୍ୟାନ, ସୂର୍ଯ୍ୟପୂଜା, ମୃତ୍ୟୁଞ୍ଜୟ ପୂଜା, ମାଳାମନ୍ତ୍ର, ଗୋପାଳପୂଜା, ତ୍ରୈଲୋକ୍ୟମୋହନ, ଶ୍ରୀଧରପୂଜା, ବିଷ୍ଣୁଆର୍ଚ୍ଚା, ପଞ୍ଚତତ୍ତ୍ୱଆର୍ଚ୍ଚା, ଚକ୍ରାର୍ଚ୍ଚା, ଦେବପୂଜା, ନ୍ୟାସ, ସନ୍ଧ୍ୟା ଉପାସନା, ଦୁର୍ଗାର୍ଚ୍ଚନ, ସୁରାର୍ଚ୍ଚନ, ମହେଶ୍ୱର ପୂଜା, ପବିତ୍ରୋପଣ ପୂଜନ, ମୂର୍ତ୍ତିଧ୍ୟାନ, ଵାସ୍ତୁମାନ, ପ୍ରାସାଦ ଲକ୍ଷଣ, ସର୍ବଦେବ-ପ୍ରତିଷ୍ଠା, ପୃଥକ୍ ପୂଜା ବିଧି, ଅଷ୍ଟାଙ୍ଗଯୋଗ, ଦାନଧର୍ମ, ପ୍ରାୟଶ୍ଚିତ୍ତ ବିଧି, ଦ୍ୱୀପେଶ୍ୱର ଓ ନରକମାନଙ୍କ ବର୍ଣ୍ଣନ, ସୂର୍ଯ୍ୟବ୍ୟୂହ, ଜ୍ୟୋତିଷ, ସାମୁଦ୍ରିକଶାସ୍ତ୍ର, ସ୍ଵରଜ୍ଞାନ, ନୂତନ ରତ୍ନ ପରୀକ୍ଷା, ତୀର୍ଥମହାତ୍ମ୍ୟ, ଗୟାଧାମର ମହାତ୍ମ୍ୟ, ମନ୍ୱନ୍ତରବର୍ଣ୍ଣନ, ପିତୃମାନଙ୍କ ଉପାଖ୍ୟାନ, ବର୍ଣ୍ଣଧର୍ମ, ଦ୍ରବ୍ୟଶୁଦ୍ଧି, ସମର୍ପଣ, ଶ୍ରାଦ୍ଧକର୍ମ, ବିନାୟକପୂଜା, ଗ୍ରହଯଜ୍ଞ, ଆଶ୍ରମ, ଜନନାଶୌଚ, ପ୍ରେତଶୁଦ୍ଧି, ନୀତିଶାସ୍ତ୍ର, ବ୍ରତକଥା, ସୂର୍ଯ୍ୟବଂଶ, ସୋମବଂଶ, ଶ୍ରୀହରିଙ୍କ ଅବତାରକଥା, ରାମାୟଣ, ହରିବଂଶ, ଭାରତାଖ୍ୟାନ, ଆୟୁର୍ବେଦ ନିଦାନ, ଚିକିତ୍ସା, ଦ୍ରବ୍ୟଗୁଣ ନିରୂପଣ, ରୋଗନାଶକ ବିଷ୍ଣୁକବଚ, ଗରୁଡ଼କବଚ, ତ୍ରୈପୁରମନ୍ତ୍ର, ପ୍ରଶ୍ନଚୂଣାମଣି, ଅଶ୍ୱାୟୁର୍ବେଦ କୀର୍ତ୍ତନ, ଔଷଧ ନାମର କୀର୍ତ୍ତନ, ବ୍ୟାକରଣର ଉହାପୋହ, ଛନ୍ଦଶାସ୍ତ୍ର, ସଦାଚାର, ସ୍ନାନବିଧି, ତର୍ପଣ, ବଳିବୈଶ୍ୱଦେବ, ସନ୍ଧ୍ୟା, ପାର୍ଣ୍ଣବକର୍ମ, ନିତ୍ୟଶ୍ରାଦ୍ଧ, ସପିଣ୍ଡନ, ଧର୍ମସାର, ପାପର ପ୍ରାୟଶ୍ଚିତ୍ତ, ପ୍ରତିସଂକ୍ରମ, ଯୁଗଧର୍ମ, କର୍ମଫଳ, ଯୋଗଶାସ୍ତ୍ର, ବିଷ୍ଣୁଭକ୍ତି, ଶ୍ରୀହରିଙ୍କୁ ନମସ୍କାର କରିବାର ଫଳ, ବିଷ୍ଣୁମହିମା, ନୃସିଂହସ୍ତୋତ୍ର, ବିଷ୍ଣୁବର୍ଚ୍ଚନସ୍ତୋତ୍ର, ବେଦାନ୍ତ-ସାଂଖ୍ୟ ସିଦ୍ଧାନ୍ତ, ବ୍ରହ୍ମଜ୍ଞାନ, ଆତ୍ମାନନ୍ଦ, ଗୀତାସାର ଆଦିର ବର୍ଣ୍ଣନ ଅଛି ।
ଅଧ୍ୟାୟ ୧ – ପ୍ରଥମ ଭାଗରେ ଭଗବାନ ବିଷ୍ଣୁଙ୍କ ଭକ୍ତିର ବିସ୍ତୃତ ବିବେଚନା ଅଛି । ଏଠାରେ ଭକ୍ତି, ଜ୍ଞାନ, ବୈରାଗ୍ୟ, ସଦାଚାର ଓ ନିଷ୍କାମ କର୍ମର ମହିମା, ଯଜ୍ଞ, ଦାନ, ତପ, ତୀର୍ଥସେବନ, ଦେବପୂଜନ ଆଦିର ବର୍ଣ୍ଣନ ଅଛି । ଏଥିସହିତ ବ୍ୟାକରଣ, ଛନ୍ଦ, ଜ୍ୟୋତିଷ, ଆୟୁର୍ବେଦ, ରତ୍ନସାର ଓ ନୀତିସାରର ଉଳ୍ଳେଖ ମଧ୍ୟ ଅଛି ।
ଉତ୍ତରଖଣ୍ଡ
[ସମ୍ପାଦନା]ଏହି ଖଣ୍ଡକୁ ପ୍ରେତକଳ୍ପ ବି କୁହାଯାଏ। ‘ପ୍ରେତକଳ୍ପ’ରେ ୩୫ ଅଧ୍ୟାୟ ଅଛି। ଏଥିରେ ମୃତ୍ୟୁର ସ୍ୱରୂପ, ମରଣାସନ୍ନ ବ୍ୟକ୍ତିର ଅବସ୍ଥା ଓ ତାଙ୍କ ମଙ୍ଗଳ ପାଇଁ ଶେଷ ସମୟରେ କରିବାକୁ ଥିବା ବିଧିବିଧାନର ବର୍ଣ୍ଣନ ଅଛି ।[୫] ଯମଲୋକ, ପ୍ରେତଲୋକ ଓ ପ୍ରେତଯୋନି କାହିଁକି ମିଳେ ତାହାର କାରଣ, ଦାନମହିମା, ପ୍ରେତଯୋନିରୁ ବଞ୍ଚିବା ଉପାୟ, ଅନୁଷ୍ଠାନ ଓ ଶ୍ରାଦ୍ଧକର୍ମ ଇତ୍ୟାଦିର ଏକ ବିସ୍ତୃତ ବିବରଣୀ ମିଳେ । କେମିତି ମରିବା ବେଳେ ଓ ମରଣ ପରେ ମନୁଷ୍ୟର ଗତି କ'ଣ ହୁଏ ଓ କେଉଁଠି ବିଭିନ୍ନ ଯୋନିରେ ଜନ୍ମ ମିଳେ, ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ ଏ ସବୁ କହିଥିବା ବର୍ଣ୍ଣନା ଅଛି । ଗରୁଡ଼ ପୁରାଣ ଅନୁଯାୟୀ ଯେତେବେଳେ ମନୁଷ୍ୟର ମୃତ୍ୟୁ ସମୟ ଆସେ, ସେ କହିବାକୁ ଯତ୍ନ କରେ କିନ୍ତୁ କହିପାରେନି । କିଛି ସମୟ ପରେ ତାଙ୍କର କଥାବାର୍ତ୍ତା, ଶୁଣିବା ଆଦିର ଶକ୍ତି ନିଷ୍ପ୍ରଭ ହୋଇଯାଏ । ସେତେବେଳେ ତାଙ୍କ ଶରୀରରୁ ଅଙ୍ଗୁଠି ପ୍ରମାଣ ଆତ୍ମା ବାହାରିଯାଏ, ଯାହାକୁ ଯମଦୂତମାନେ ଧରି ଯମଲୋକକୁ ନେଇଯାନ୍ତି ।
ଯମଦୂତମାନେ ଯମଲୋକକୁ ନେଇଯାଇ ଆତ୍ମାକୁ ଭୟ ଦେଇଥାନ୍ତି ଓ ନରକରେ ମିଳିବା ଦୁଃଖର ବର୍ଣ୍ଣନ କରିଥାନ୍ତି । ଏହା ଶୁଣି ଆତ୍ମା ଜୋରରେ କାନ୍ଦିବାକୁ ଲାଗେ । ଯମଲୋକକୁ ଯିବା ରାସ୍ତା ବହୁତ କଷ୍ଟକର ବୋଲି କୁହାଯାଏ । ତପ୍ତ ପବନ ଓ ଗରମ ବାଲି ଉପରେ ଚାଲିପାରି ନଥିବା ବେଳେ, ଭୋକ ଓ ତୃଷ୍ଣାରେ ବ୍ୟାକୁଳ ହୋଇପଡ଼ିଥିବା ସମୟରେ, ଯମଦୂତମାନେ ଚାବୁକ ମାରି ତାକୁ ଆଗକୁ ନେଇଯାଉଥାନ୍ତି । ଆତ୍ମା ଏକାଧିକ ସ୍ଥାନରେ ଅଚେତନ ହୋଇଯାଏ, ପୁନଃ ଉଠି ଆଗକୁ ଯାଏ । ଏମିତି ଯମଦୂତମାନେ ତାକୁ ଯମଲୋକକୁ ନେଇଯାନ୍ତି । ତାପରେ ତାଙ୍କୁ କର୍ମାନୁସାରେ ଫଳ ଦିଆଯାଏ ଏବଂ ଯମରାଜଙ୍କ ଆଜ୍ଞାରେ ସେ ଆତ୍ମା ପୁଣି ନିଜ ଘରକୁ ଆସେ । ସେ ନିଜ ଦେହରେ ପୁଣି ପ୍ରବେଶ କରିବାକୁ ଯତ୍ନ କରେ, କିନ୍ତୁ ଯମଦୂତ ତାକୁ ଛାଡ଼ନ୍ତି ନାହିଁ । ଭୋକ ଓ ତ୍ରୃଷ୍ଣାରେ ଆତ୍ମା କାନ୍ଦିବାକୁ ଲାଗେ । ଯଦି ପୁଅ ଓ ପରିଜନମାନେ ପିଣ୍ଡଦାନ ନ କରନ୍ତି, ସେ ପ୍ରେତ ହୋଇ ଶୂନ୍ୟ ଜଙ୍ଗଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭ୍ରମଣ କରିଥାଏ । ଗରୁଡ଼ ପୁରାଣ ଅନୁଯାୟୀ ମୃତ୍ୟୁ ପରେ ୧୦ ଦିନ ପର୍ଯ୍ୟନ୍ତ ପିଣ୍ଡଦାନ କରିବା ଅତ୍ୟାବଶ୍ୟକ ।
ତ୍ରୟୋଦଶ ଦିନରେ ଯମଦୂତମାନେ ପୁଣି ଆତ୍ମାକୁ ଧରନ୍ତି । ତାପରେ ସେ ୪୭ ଦିନ ପର୍ଯ୍ୟନ୍ତ ଭୋକ-ତ୍ରୁଷ୍ଣାରେ ପୀଡ଼ିତ ହୋଇ ଯମଲୋକକୁ ଯାଏ । ଗରୁଡ଼ ପୁରାଣର ମତାନୁସାରେ ପାପୀମାନଙ୍କୁ ନରକରେ ଘୋର ଯନ୍ତ୍ରଣା ଦିଆଯାଏ, ଯେପରିକି ଲୁହାର ତପ୍ତ ତୀରରେ ବିନ୍ଧାଯାଏ, ଲୁହାର ତୀକ୍ଷ୍ଣ ତୀରକୁ ଶରୀରରେ ଆଘାତ ଦେଇ ଯନ୍ତ୍ରଣା ଦିଆଯାଏ, ଆଉ କାହାକୁ ବଡ଼ ପଥର ତଳେ ଦବାଇ ଦିଆଯାଏ । କେଉଁ ଆତ୍ମାକୁ କେମିତି ଦଣ୍ଡ ମିଳିବ ତାହା ତାଙ୍କର କର୍ମ ନିର୍ଦ୍ଧାରଣ କରେ ।
ଆଧାର
[ସମ୍ପାଦନା]- ↑ Dutt 1908.
- ↑ Susmita Pande (2008). Vinod Chandra Srivastava (ed.). History of Agriculture in India. Concept. pp. 844–845. ISBN 978-81-8069-521-6.
- ↑ Dutt 1908, pp. 422–676.
- ↑ Rocher 1986, pp. 175–178.
- ↑ Rocher 1986, p. 178.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |