ଖୁରି ନାୟକ

ଉଇକିପିଡ଼ିଆ‌ରୁ

ଖୁରି ନାୟକ, ଜଗନ୍ନାଥ ମନ୍ଦିରର ଏକ ପ୍ରକାରର ସେବକ ଅଟନ୍ତି । ସେ ଜଗନ୍ନାଥଙ୍କ ଉପରେ ରାଶି, ନକ୍ଷତ୍ର ଓ ଗ୍ରହର କି ପ୍ରଭାବ ରହିବ ଜଣେଇଥା'ନ୍ତି ।[୧]

କାର୍ଯ୍ୟ[ସମ୍ପାଦନା]

ଖୁରି ନାୟକ ସେବା କରୁଥିବା ସେବକ ହେଉଛନ୍ତି ଶାଢ଼ୀବନ୍ଧା ଗ୍ରହବିପ୍ର ସେବକ । ପ୍ରତିଦିନ ଜଗନ୍ନାଥଙ୍କ ମଙ୍ଗଳଆଳତୀ ନୀତି ବଢ଼ି ଅବକାଶ ଆରମ୍ଭ ହେବା ବେଳେ ସେ ମନ୍ଦିରକୁ ଆସନ୍ତି । ବେହରଣ ଦ୍ୱାର ନିକଟରେ ବସନ୍ତି ଏବଂ ସେହିଠାରେ ଠାକୁରଙ୍କ ରାଶି, ନକ୍ଷତ୍ର ଓ ଗ୍ରହ ଚଳନ ସମ୍ପର୍କରେ ବିଚାର ଶୁଣାନ୍ତି । ସେହିଦିନ ଜଗନ୍ନାଥଙ୍କର ରାଶିରେ କି ଯୋଗ ରହିଛି, ଘାତ ଅଛି କି ଭଲଫଳ ରହିଛି ତାହା ବର୍ଣ୍ଣନା କରନ୍ତି । ପ୍ରତିଦିନ ରାଶି ଫଳ ଶୁଣାଇବା ବ୍ୟତୀତ ଖୁରି ନାୟକ ଠାକୁରଙ୍କ ସ୍ୱନକ୍ଷତ୍ର ବା ଯାନିଯାତ୍ରା ହେବାର ଅଲେ ପୂର୍ବରୁ ତଡ଼ଉକରଣଙ୍କୁ ଜଣାନ୍ତି । ସବୁ ଉତ୍ସବରେ ଜଗନ୍ନାଥଙ୍କର ରାଶି ନକ୍ଷତ୍ର ଓ ଗ୍ରହଚଳନ ସମ୍ପର୍କରେ ବୁଝାଇ ଦିଅନ୍ତି । ଠାକୁରଙ୍କ ବିଜେ ପାଇଁ କେଉଁ ସମୟ ଶୁଭ ଓ କେଉଁ ସମୟ ଅଶୁଭ ତାହା ମଧ୍ୟ ଜଣାନ୍ତି ।[୧]

ଦୋଳପୂର୍ଣ୍ଣମୀ ଦିନ ବଡ଼ ଦେଉଳରେ ଜଗନ୍ନାଥଙ୍କର ଅବକାଶ ନୀତି ବଢ଼ିବା ପରେ ଶ୍ରୀଛାମୁରେ ନୂତନ ପଞ୍ଜିକା ପାଠ କରନ୍ତି । ୨୧ ଦିନ ବାହାର ଚନ୍ଦନ ଓ ୨୧ ଦିନ ଭିତରେ ଚନ୍ଦନ, ମୋଟ ୪୨ ଦିନ ଯାକ ଚନ୍ଦନନୀତି ସମୟରେ ଦିନ ଓ ରାତ୍ର ଆଲଟ ଲାଗି ବେଳେ ଦକ୍ଷିଣଦ୍ୱାରରେ 'ଖୁରି' (ଯେପରି ଘଡ଼ି ସମୟର ଏକ ପରିମାଣ, ସେହିପରି ଖୁରି ମଧ ସମୟର ଏକ ପରିମାଣ) ଧରି ବସି ସେବକମାନଙ୍କୁ ଖବର ଦିଅନ୍ତି ।[୧]

ବଳଭଦ୍ରଙ୍କ ରାଶି ହେଉଛି 'ଶ୍ରବଣ ମକର', ଦେବୀ ସୁଭଦ୍ରାଙ୍କର ରାଶି ହେଉଛି 'ଜ୍ୟେଷ୍ଠା ବିଛା' ଜଗନ୍ନାଥଙ୍କ ରାଶି ହେଉଛି 'ରୋହିଣୀ ବୃଷ' । ଏହି ରାଶିର ଖୁରି ନାୟକ ଗଣନା କରି ପ୍ରତିଦିନ ବିବରଣୀ ଶୁଣାନ୍ତି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଖୁରି ନାୟକ". ପ୍ରମେୟ. ୩୦ ମଇ ୨୦୧୫. Archived from the original on 5 March 2016. Retrieved 2 September 2015. {{cite news}}: Check date values in: |date= (help)

ବାହାର ଲିଙ୍କ[ସମ୍ପାଦନା]