Jump to content

ଖଗେନ ମହନ୍ତ

ଉଇକିପିଡ଼ିଆ‌ରୁ
ଖଗେନ ମହନ୍ତ
ଖଗେନ ମହନ୍ତ, ଅର୍ଚ୍ଚନା ମହନ୍ତ ଏବଂ ହିରେନ ଭଟ୍ଟାଚାର୍ଯ୍ୟ[ଆଧାର ଲୋଡ଼ା]
ଜନ୍ମ(1942-08-17)୧୭ ଅଗଷ୍ଟ ୧୯୪୨
ମୃତ୍ୟୁ୧୨ ଜୁନ ୨୦୧୪(2014-06-12) (ବୟସ ୭୧)
ଅନ୍ୟ ନାମ ବିହୁ ସମ୍ରାଟ
ବୃତ୍ତି(ସମୂହ)ଗାୟକ, ରଚନା
ସକ୍ରିୟ ବର୍ଷ1958–2014
ବୈବାହିକ-ସାଥୀଅର୍ଚ୍ଚନା ମହନ୍ତ
ସନ୍ତାନଅଙ୍ଗରାଗ ମହନ୍ତ, କିଙ୍ଗକିନି ମହନ୍ତ

ଖଗେନ ମହନ୍ତ ଆସାମର ଜଣେ ଲୋକ ସଙ୍ଗୀତ ଶିଳ୍ପୀ । ସେ ବହୁ ପାରମ୍ପାରିକ ଆସାମିଆ ଲୋକଗୀତର ସଙ୍ଗୀତ ସଂଯୋଜକ ଓ ଗାୟକ । ଖଗେନ ମହନ୍ତ ଆସାମର ଲୋକ ସଂଗୀତରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ବିହୁ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ସେ "ବିହୁ ରାଜା" ଭାବରେ ଜଣାଶୁଣା ଥିଲେ । ଆସାମରେ ତାଙ୍କର ବିହୁ ଗୀତ, ବୋର୍ଜିଟ୍ ଏବଂ ଅନ୍ୟାନ୍ୟ ଲୋକଗୀତ ଲୋକପ୍ରିୟ । ପତ୍ନୀ ଅର୍ଚ୍ଚନା ମହନ୍ତ ଏବଂ ପୁଅ ଅଙ୍ଗରାଗ ମହନ୍ତ ପାପନ (ଗାୟକ)ଙ୍କୁ ନେଇ ଖଗେନଙ୍କ ପରିବାର ଆସାମର ଅନ୍ୟତମ ଜଣାଶୁଣା ସଙ୍ଗୀତ ପରିବାର ଭାବରେ ଖ୍ୟାତ । ୧୨ ଜୁନ ୨୦୧୪ରେ ଖଗେନଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଖଗେନ ମହନ୍ତ ଆସାମର ନାଗାଓଁରେ କଳିତ ଜାତିର ହରେନ୍ଦ୍ର ନାଥ ମହନ୍ତ ଏବଂ ଲକ୍ଷ୍ମୀପ୍ରିୟା ଦେବୀଙ୍କ ଘରେ ଜନ୍ମ ହୋଇଥିଲେ । ସେ ପିଲାଦିନରୁ ତାଙ୍କର ସଂଗୀତ ପ୍ରତିଭା ପ୍ରଦର୍ଶନ କରିଥିଲେ । ପନ୍ଦର ବର୍ଷ ବୟସରେ ସେ ଶିଲଂରେ ଏକ ସଙ୍ଗୀତ ସମାରୋହର ସଙ୍ଗୀତ ପରିବେଷଣ କରି ଲୋକଲୋଚନକୁ ଆସିଥିଲେ ।

ବୃତ୍ତି

[ସମ୍ପାଦନା]

୧୯୫୮ ମସିହାରେ, ନୂତନ ଭାବରେ ପ୍ରତିଷ୍ଠିତ ଦିଲ୍ଲୀ ଦୂରଦର୍ଶନ (ଟେଲିଭିଜନ) କେନ୍ଦ୍ରରେ ସଙ୍ଗୀତ ପରିବେଷଣ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା । ଏହି କାର୍ଯ୍ୟକ୍ରମ ଖୁବ ସଫଳ ହେଇଥିଲା ।

ବିଷ୍ଣୁପ୍ରସାଦ ରାଭା, ହେମାଙ୍ଗ ବିଶ୍ୱସ ଓ ଯୁଗଳ ଦାସଙ୍କ ନେତୃତ୍ୱରେ ୧୯୬୦ ମସିହାରେ ସଙ୍ଗଠିତ "ଭାଷା ଆନ୍ଦୋଳନ"ରେ ଖଗେନ ମହନ୍ତ ସକ୍ରିୟ ଯୋଗଦାନ କରିଥିଲେ । ସେ "ହାରମୋନି" ଗୋଷ୍ଠୀର ଜଣେ ସଦସ୍ୟ ଥିଲେ ଏବଂ ନିଜ ସୁମଧୁର କଂଠସ୍ୱର ଏବଂ ସଙ୍ଗୀତ ସାହାଯ୍ୟରେ ମାନବିକ ମୂଲ୍ୟବୋଧର ପ୍ରଚାର କରିଥିଲେ । ୧୯୬୧ ମସିହାରେ, ତାଙ୍କର ପ୍ରଥମ ଗ୍ରାମୋଫୋନରେ ରେକର୍ଡ଼ ହୋଇଥିବା ଗୀତ ଗୁଆହାଟି ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା । ସେ କଲିକତାରେ ଚାଲିଥିବା "ବିଶ୍ୱ ଶାନ୍ତି" ଉତ୍ସବରେ ମଧ୍ୟ ଭାଗ ନେଇଥିଲେ । ସେ ଆକାଶବାଣୀରେ ଜଣେ ଗ୍ରେଡ କଳାକାର ଭାବରେ ସ୍ୱୀକୃତ ହୋଇଥିଲେ । ସେ ଲୋକଗୀତ, ଓକୋନି ଗୀତ, ଗୀତିନାଟ୍ୟ ଏବଂ ନାଟକ ଆଦି ଆସାମ ସଂଗୀତର ପ୍ରାୟ ସମସ୍ତ ଧାରାରେ ନିଜର ଅବଦାନ ରଖିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ଆସାମର ଲୋକ ଗାଯିକା ଅର୍ଚ୍ଚନା ମହନ୍ତଙ୍କୁ ବିବାହ କରିଥିଲେ । ସେମାନେ ଅନେକ ସମୟରେ ଏକାଠି ସଙ୍ଗୀତ ପରିବେଷଣ କରୁଥିଲେ ଏବଂ ସବୁଠାରୁ ଲୋକପ୍ରିୟ ଯୁଗଳ ଗାୟକ ଭାବରେ ପରିଚିତ ହୋଇଥିଲେ । ସେ ମୁମ୍ବାଇରେ ରହୁଥିଲେ । ପୁହୋର ଏବଂ ପାରିଜାତ ନାମରେ ତାଙ୍କର ଦୁଇଜଣ ନାତି ଅଛନ୍ତି । ତାଙ୍କର ଏକମାତ୍ର ଝିଅଙ୍କ ନାମ କିଙ୍ଗକିଣୀ ମହନ୍ତ ।

ମୃତ୍ୟୁ

[ସମ୍ପାଦନା]

୨୦୧୪ ମସିହା ଜୁନ ୧୨ ତାରିଖ ଅପରାହ୍ନ ୩ ୪୦ରେ ଗୁଆହାଟୀରେ ଥିବା ତାଙ୍କ ବାସଭବନରେ ଖଗେନ ମହନ୍ତଙ୍କର ମୃତ୍ୟୁ ହୋଇଥିଲା । ତା ପର ଦିନ ୧୩ ଜୁନ ୨୦୧୪ରେ ରାଜ୍ୟ ସରକାର ଅଧାଦିନ ଛୁଟି ଘୋଷଣା କରିଥିଲେ ।

ପୁରସ୍କାର

[ସମ୍ପାଦନା]

ତାଙ୍କ ଅବଦାନ ପାଇଁ ଖଗେନ ମହନ୍ତଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ଥର ପୁରସ୍କୃତ କରାଯାଇଛି । ୧୯୯୨ରେ ଲୋକସଙ୍ଗୀତ ତଥା ପାରମ୍ପାରିକ ସଂଗୀତ ପାଇଁ ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।[]

ତାଙ୍କର କିଛି ପୁରସ୍କାର / ସ୍ୱୀକୃତି ନିମ୍ନରେ ତାଲିକାଭୁକ୍ତ:

  • ୧୯୮୮ - ଚଳଚ୍ଚିତ୍ର ଶିଳ୍ପ ପୁରସ୍କାର
  • ୧୯୯୨ - ସଂଗୀତ ନାଟକ ଏକାଡେମୀ
  • ୧୯୯୪ - ଶ୍ରୀମୋ ପୁରସ୍କାର
  • ୧୯୯୯ - ସଂଗୀତଚାର୍ଯ୍ୟ
  1. Other Forms of Music, Dance and Theatre Archived 14 May 2007 at the Wayback Machine.