କେଶବ କୋଇଲି

ଉଇକିପିଡ଼ିଆ‌ରୁ

କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ ।[୧] ଏହା ୧୩ଶ ଶତକରେ[୨] ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ ।[୩] ଏହି ଚ‍ଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚ‍ଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ ।[୪] ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।[୫]

ବିଷୟବସ୍ତୁ[ସମ୍ପାଦନା]

କୃଷ୍ଣଙ୍କ ମଥୁରା ଗମନ ପରେ ଯଶୋଦାଙ୍କ ମାତୃହୃଦୟର କରୁଣ ବିଳାପର ବର୍ଣ୍ଣନାରେ ଏହି କୋଇଲି ରଚିତ ଘଟିଛି ଏହି କୋଇଲି-ଚଉତିଶା ମାଧ୍ୟମରେ । କଂସର ନିମନ୍ତ୍ରଣ ପାଇ ଧନୁଯାତ୍ରାରେ ଯୋଗଦେବା ପାଇଁ ଅକୃର ସହିତ ଶ୍ରୀକୃଷ୍ଣ ଓ ବଳରାମ ମଥୁରା ଗମନ କରିଛନ୍ତି । ଯାତ୍ରା ଶେଷରେ ଗୋପପୁରକୁ ଫେରିଆସିବା ପାଇଁ ମାତା ଯଶୋଦାଙ୍କୁ ଦେଇଥିବା ପ୍ରତ୍ରିଶ୍ରୁତି ପୂରଣ କରିପାରି ନାହାନ୍ତି ଶ୍ରୀକୃଷ୍ଣ । ବୃଦ୍ଧ କାଳରେ ପୁତ୍ର ବିଚ୍ଛେଦ ଯଶୋଦାଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । କେଶାବଙ୍କୁ ମଥୁରା ପଠାଇଥିବା ଯୋଗୁଁ କେତେବେଳେ ସେ ନନ୍ଦଙ୍କ ପାଷାଣ ହୃଦୟକୁ ସମାଲୋଚନା କରିଛନ୍ତି ତ ଆଉ କେତେବେଳେ କୃଷ୍ଣଙ୍କୁ ଛାଟରେ ମାରିଥିବା ଯୋଗୁଁ ନିଜକୁ ଧିକ୍କାର କରିଛନ୍ତି । ଅସହାୟା ଯଶୋଦା କୃଷ୍ଣଙ୍କର ବିଭିନ୍ନ ଗୁଣ ବାହୁନି କୋଇଲି ଆଗରେ ନିଜର ଭାବ ପ୍ରକାଶ କରିଛନ୍ତି । ଏହି କବିତାରେ ଜଣେ ମାଆର ମମତା ଓ ପୁଅର ବିଚ୍ଛେଦ ହେତୁ ଶୋକ ସରଳ ଭାଷାରେ ବଖଣାଯାଇଛି ।[୬][୭]

ଗୀତ[ସମ୍ପାଦନା]

କୋଇଲି, କେଶବ ଯେ ମଥୁରାକୁ ଗଲା,
କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ, କୋଇଲି ।
କୋଇଲି, ଖଣ୍ଡକ୍ଷୀର ଦେବି ମୁଁ କାହାକୁ,
ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ, କୋଇଲି ।
କୋଇଲି, ଗଲା ପୁତ୍ର ବାହୁଡି ନଇଲା,
ଗହନ ତ ବୃନ୍ଦାବନ ଶୋଭା ନ ପାଇଲା ଲୋ, କୋଇଲି ।
କୋଇଲି, ଘର ମୋର ନ ମଣନ୍ତି ନନ୍ଦ,
ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ ଲୋ, କୋଇଲି ।
କୋଇଲି, ନନ୍ଦ ଦେହ ପାଷାଣେ ଗଢିଲା,
ନୟନେ କଜ୍ଜଳ ଦେଇ ରଥେ ବସାଇଲା ଲୋ, କୋଇଲି ।
କୋଇଲି, ଚଳୁଥାଇ କଟିସ୍ଥ ମେଖଳୀ,
ଚକିତ ହୋଇଲେ ଶୁଣି ଗୋପପୁର ବାଳୀ ଲୋ, କୋଇଲି ।
କୋଇଲି, ଛାଟକେ ମୁ ମାଇଲି ପୂରୁବେ,
ଛାଡି ଅବା ଗଲେ କୃଷ୍ଣ ସେହି ପରାଭବେ ଲୋ, କୋଇଲି ।
କୋଇଲି, ଦୂତପଣେ ଅ ଇଲା ଅକ୍ରୂର,
ଯାତ୍ରା ବୋଲି ଭଣ୍ଡିନେଲା ବସାଇ ରଥର ଲୋ, କୋଇଲି ।
କୋଇଲି, ଝୁରୁ ଝୁରୁ ଲୁହ ନ ରହିଲା,
ଝଗଡା ସାରିଣ କୃଷ୍ଣ ମଥୁରା ରହିଲା ଲୋ, କୋଇଲି ॥
କୋଇଲି, ନିଶା କାଳେ ହରି ମାଗେ ଚାନ୍ଦ,
ନୟନ ଟେକିଣ ତାକୁ ରାଉଥାନ୍ତି ନନ୍ଦ ଲୋ, କୋଇଲି ॥
କୋଇଲି, ଟହ ଟହ ହସୁଥାନ୍ତି କୋଳେ,
ଟଳଟଳ ହେଉଥାନ୍ତି ଝୁଲିବାର ବେଳେ ଲୋ, କୋଇଲି ॥
କୋଇଲି, ଠଣ ଯେ ସୁନ୍ଦର ବେନି ପୋଏ,
ଠକି ଭଣ୍ଡି ଗଲେ କୃଷ୍ଣ ନ ଇଲେ ବେଡାଏ ଲୋ, କୋଇଲି ॥
କୋଇଲି, ଡାକିଲେ ଭାଷ ଇ ଯେହ୍ନେ ଶାରୀ,
ଡାଳ ରତ୍ନ ଶୁଆ ପ୍ରାୟେ ଭାଷୁଥାନ୍ତି ହରି ଲୋ, କୋଇଲି ॥
କୋଇଲି, ଢାଳୁଥାନ୍ତି ମାଏ ଯଶୋବନ୍ତି,
ଢାଳେ ହରାଇଲି ମୋର ପୁତ୍ର ଶିରୀପତି ଲୋ, କୋଇଲି ॥
କୋଇଲି, ଅନେକ ହିଂସିଲା ରାୟ କଂସ,
ଅଣହେଳା କରିଣ ଆପଣେ ଗଲା ନାଶ ଲୋ, କୋଇଲି ॥
କୋଇଲି, ତନୁରେ ତା' ଲେପ ଇ କୁଙ୍କୁମ,
ତନୟ ଖେଳାଉଥାନ୍ତି ଭାଇ ବଳରାମ ଲୋ, କୋଇଲି ॥
କୋଇଲି, ଥନ ଭାଙ୍ଗି କ୍ଷୀରପାନ ଦେଲି,
ଥ ଅର କାଳକୁ ପୁତ୍ର ଦେଖି ନ ପାରିଲି ଲୋ, କୋଇଲି ॥
କୋଇଲି, ଦଉଡିରେ ବାନ୍ଧିଲି ପୁତ୍ରକୁ,
ଦାମୋଦର ରାଗେ ଗଲେ ମଥୁରା ପୁରକୁ ଲୋ, କୋଇଲି ॥
କୋଇଲି, ଧନ୍ୟ ସେହୁ ଦ ଇବକି ନାରୀ,
ଧର୍ମ ଥିଲା ପୁତ୍ରଗୋଟି ହୋଇଲା ତାହାରି ଲୋ, କୋଇଲୋ ॥
କୋଇଲି, ନ ଶୋଭ ଇ ଗୋପପୁର ମୋର,
ନାରାୟଣ ଗଲାଦିନୁ ମଥୁରା ନଗର ଲୋ, କୋଇଲି ॥
କୋଇଲି, ପବିତ୍ର ପୁରୁଷ ମୋ ମାଧୋଇ,
ପବିତ୍ର ମୁଁ ହେଉଥିଲି କୃଷ୍ଣ ମୁଖ ଚାହିଁ ଲୋ, କୋଇଲି ॥
କୋଇଲି, ଫଳିବାକୁ ନାହିଁ ମୋର ଆଶ,
ଫଳିବାର ଫଳ ଗଲା ବାସୁଦେବ ପାଶ ଲୋ, କୋଇଲି ॥
କୋଇଲି, ବହୁତ ସହିଲି ତାଙ୍କ ଅଳି,
ବଡ଼ ଇ ଶରଧା ଭାଙ୍ଗି ଗଲେ ବନମାଳୀ ଲୋ, କୋଇଲି ॥
କୋଇଲି, ଭଣ୍ଡି ମୋତେ ଗଲେ ବେନି ପୋଏ,
ଭାଇତାଙ୍କ ବଳରାମ ନ ଇଲେ ବେଡାଏ ଲୋ, କୋଇଲି॥
କୋଇଲି, ମଥୁରାକୁ ଯିବି ମୁଁ କି ଧାଇଁ,
ମାଧବ ମଧୁସୂଦନ ଆଣିବି କଢାଇ ଲୋ, କୋଇଲୋ ॥
କୋଇଲି, ଯିବେ ଯେ ଆସିବେ ବୋଲି ଗଲେ,
ଜଗତଜିଇବନ ପ୍ରଭୁ ବାହୁଡି ନ ଇଲେ ଲୋ, କୋଇଲି ॥
କୋଇଲି, ରତ୍ନ ବସ୍ତ୍ର ଅଳଙ୍କାର ମାନ,
ରାମ କୃଷ୍ଣ ଶ୍ରୀଅଙ୍ଗକୁ ଦିଶେ ଶୋଭାବନ ଲୋ, କୋଇଲି ॥
କୋଇଲି, ଲକ୍ଷ୍ମୀବନ୍ତ ଅଟେ ନାରାୟଣ,
ଲଳିତରେ ନାମ ଦେଲେ ଗାର୍ଗବ ବ୍ରାହ୍ମଣ ଲୋ, କୋଇଲି ॥
କୋଇଲି, ବୃନ୍ଦାବନ ନ ଶୋଭ ଇ ମୋର,
ବତ୍ସା କିଏ ଚରାଇବ ଯମୁନାର ତିଇର ଲୋ, କୋଇଲି ॥
କୋଇଲି, ଶ୍ରୀମନ୍ତ ପୁରୁଷ ମୋ ମାଧୋ ଇ,
ଶିରିରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ ଲୋ, କୋଇଲି ॥
କୋଇଲି, ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ,
ସେହିପରି କ୍ଷୀଣ ହେଲେ ମୋ ନନ୍ଦ ରାଜନ ଲୋ, କୋଇଲି ॥
କୋଇଲି, ସାତ ଦିନ ଇନ୍ଦ୍ର ବୃଷ୍ଟି କଲା,
ସପତ ବରଷ ପୁତ୍ର ମନ୍ଦର ଧ ଇଲା ଲୋ, କୋଇଲି ॥
କୋଇଲି, ହାଇ ଯେ ମାର ଇ ପୁତ୍ର ତୁଣ୍ଡ,
ହୃଦରେ ଦିଶିଲା ତା'ର ସପତ ବ୍ରହ୍ମାଣ୍ଡ ଲୋ, କୋଇଲି ॥
କୋଇଲି, କ୍ଷନ୍ଦଣି ବନ୍ଦଣି ଭୁଜଦଣ୍ଡ,
କ୍ଷମାକର ଦୋଷ ମୋର ଭଣେ ମାରକଣ୍ଡ ଲୋ, କୋଇଲି ॥

ପ୍ରକାଶନ[ସମ୍ପାଦନା]

ଏହି ଚ‍ଉତିଶାଟି ବିଜୟ ଚଂଦ୍ର ମଜୁମଦାରଂକ "Typical selections from Oriya literature[୮] " ପୁସ୍ତକରେ ପ୍ରଥମ ଓଡ଼ିଆ କବିତା ଭାବରେ ସ୍ଥାନିତ କରାଯାଇଥିଲା । କାନାଡାର ଟରଣ୍ଟୋ ବିଶ୍ୱବିଦ୍ୟାଳୟ ଏହି ପୁସ୍ତକଟିକୁ ଡିଜିଟା‍ଇଜ କରି ୨୦୦୯ ମସିହାରେ ଇଣ୍ଟରନେଟରେ ଅପପଲୋଡ କରି ପ୍ରସାର କରିଛଂତି [୯]

ସଂଗୀତ ରୂପ[ସମ୍ପାଦନା]

ଏହି ଚ‍ଉତିଶା ଛାଂଦଟିର ସଂଗୀତ ରୂପ ମଧ୍ୟ ଇଣ୍ଟରନେଟରେ ମିଳୁଛି । ଏହାକୁ ଗାଇଛନ୍ତି ବିଶିଷ୍ଟ ଗାୟକ ଶ୍ରୀ ପ୍ରଣବ ପଟ୍ଟନାୟକ । ଯଦିଓ ପୂରା ଚ‍ଉତିରିଶି ପଦାବଳୀ ନାହିଁ, ତଥାପି ଅଧିକାଂଶ ଅଛି [୧୦]

ଆଧାର[ସମ୍ପାଦନା]

  1. B. B. Jena (1980). Orissa, People, Culture, and Polity. Kalyani Publishers.
  2. Gaṅgā Rām GargEncyclopaedia Of The Hindu World: A-Aj: 001 । ISBN 978-81-7022-374-0, South Asia Books । pp । 78 (English),Gaṅgā Rām Garg 1992-10
  3. Kapileswar Das. The Beginnings of Oriya
  4. Sujit Mukherjee (1998). A Dictionary of Indian Literature: Beginnings-1850. Orient Blackswan. pp. 141–. ISBN 978-81-250-1453-9.
  5. Durga Prasad Patnaik (1989). Palm Leaf Etchings of Orissa. Abhinav Publications. pp. 11–. ISBN 978-81-7017-248-2.
  6. Prabhat MukherjeeHistory Of Medieval Vaishnavism In OrissaISBN 978-81-206-0229-8 , Asian Educational Service, pp । 82 (1981)
  7. Sujit Mukherjee. Dictionary Of Indian Literature. Orient Blackswan. ISBN 978-81-250-1453-9 pp. 179
  8. ମଜୁମଦାର, ବିଜୟ ଚଂଦ୍ର (୧୯୨୧). Typical selections from Oriya literature. Calcutta: କଲିକତା ବିଶ୍ୱବିଦ୍ୟାଳୟ. p. ୧.
  9. Mazumdar, B C. "Typical selections from Oriya literature". Robarts Library University of Toronto. Retrieved 27 July 2016.
  10. "KOILI LO KESABA". Retrieved 30 July 2016. {{cite web}}: |first= missing |last= (help)CS1 maint: multiple names: authors list (link)