କେଶବଚନ୍ଦ୍ର ସେନ
କେଶବଚନ୍ଦ୍ର ସେନ (ବଙ୍ଗଳା: কেশব চন্দ্র সেন / କେଶୋବ ଚୋନ୍ଦୋ ସେନ) (୧୯ ନଭେମ୍ବର ୧୮୩୮ – ୮ ଜାନୁଆରୀ ୧୮୮୪) ବଙ୍ଗାଳର ଜଣେ ହିନ୍ଦୁ ଦାର୍ଶନିକ ଓ ସମାଜ ସୁଧାରକ ଥିଲେ । ୧୮୫୭ ମସିହାରେ ସେ ବ୍ରାହ୍ମସମାଜରେ ଯୋଗ ଦେଇଥିଲେ ।[୧] ବ୍ରାହ୍ମସମାଜରେ କେଶବଚନ୍ଦ୍ର ସେନଙ୍କ ଆଗମନ ସହିତ ଏହି ଆଧ୍ୟାତ୍ମିକ ଆନ୍ଦୋଳନର ସବୁଠାରୁ ଗତିଶୀଳ ଅଧ୍ୟାୟର ଆରମ୍ଭ ହେଲା । ସେହି କେଶବଚନ୍ଦ୍ର ସେନ ହିଁ ଆର୍ଯ୍ୟସମାଜର ସ୍ଥାପକ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କୁ ପରାମର୍ଶ ଦେଇଥିଲେ ଯେ ସେ “ସତ୍ୟାର୍ଥ ପ୍ରକାଶ” ଗ୍ରନ୍ଥଟି ହିନ୍ଦୀରେ ରଚନା କରୁନ୍ତୁ ।
ପରିଚୟ
[ସମ୍ପାଦନା]କେଶବଚନ୍ଦ୍ର ସେନଙ୍କ ଜନ୍ମ ୧୯ ନଭେମ୍ବର ୧୮୩୮ ରେ କଲିକତାରେ ହୋଇଥିଲା । ତାଙ୍କ ପିତା ପ୍ୟାାରେମୋହନ, ପ୍ରସିଦ୍ଧ ବୈଷ୍ଣବ ଓ ପଣ୍ଡିତ ଦୀୱାନ ରାମକମଲଙ୍କ ପୁଅ ଥିଲେ । ଶୈଶବକାଳରୁ କେଶବଚନ୍ଦ୍ର ଉଚ୍ଚ ଆଧ୍ୟାତ୍ମିକ ପ୍ରବୃତିର ଥିଲେ । ମହର୍ଷି ଦେବେନ୍ଦ୍ରନାଥ ଠାକୁର ତାଙ୍କୁ ‘ବ୍ରହ୍ମାନନ୍ଦ’ ଭାବେ ଉପାଧି ଦେଇଥିଲେ ଓ ସମାଜର ଆଚାର୍ଯ୍ୟ ନିଯୁକ୍ତ କରିଥିଲେ । କେଶବଚନ୍ଦ୍ରଙ୍କ ଆକର୍ଷକ ବ୍ୟକ୍ତିତ୍ୱ ବ୍ରହ୍ମସମାଜ ଆନ୍ଦୋଳନକୁ ନୂତନ ଉତ୍ସାହ ଓ ସ୍ଫୁର୍ତ୍ତି ଦେଇଥିଲା । ଭାରତର ଶିକ୍ଷା, ସମାଜ ଓ ଆଧ୍ୟାତ୍ମିକ ପୁନରୁତ୍ଥାନରେ ତାଙ୍କର ସକ୍ରୀୟ ଯୋଗ ଦାନ ଥିଲା । ସମାଜ ସୁଧାରକ ଚିନ୍ତନରେ କେଶବଚନ୍ଦ୍ର ଓ ଦେବେନ୍ଦ୍ରନାଥଙ୍କ ମନୋଭାବ ସଦା ଏକ ଥିଲା । ୧୮୬୬ ମସିହାରେ କେଶବଚନ୍ଦ୍ର ‘ଭାରତବର୍ଷୀୟ ବ୍ରହ୍ମସମାଜ’ର ସ୍ଥାପନା କଲେ । ଏହାପରେ ଦେବେନ୍ଦ୍ରନାଥ ତାଙ୍କ ସଂଘର ନାମ ‘ଆଦି ବ୍ରହ୍ମସମାଜ’ ରଖିଲେ ।
ବ୍ରାହ୍ମ ସମାଜ ସହ ସମ୍ପର୍କ
[ସମ୍ପାଦନା]୧୮୬୩ ମସିହାରେ ସେ The Brahma Samaj Vindicated (ଦ ବ୍ରଅହ୍ମ ସମାଜ ଭିଣ୍ଡିକେଟେଡ୍) ନାମକ ଗ୍ରନ୍ଥ ରଚନା କଲେ । ସେ ଖ୍ରୀଷ୍ଟଧର୍ମର ଦୃଢ଼ ଆଲୋଚକ ଥିଲେ ଓ ସମଗ୍ର ଦେଶ ବୁଲି ବୁଲି ଉପଦେଶ ଓ ଭାଷଣ ଦେଇଥିଲେ ଯେ ବ୍ରାହ୍ମସମାଜର ଉଦ୍ଦେଶ୍ୟ ହେଉଛି ପ୍ରାଚୀନ ହିନ୍ଦୁ ସ୍ରୋତ ଓ ବେଦମାନଙ୍କ ଅଧିକାର ଦ୍ୱାରା ହିନ୍ଦୁ ଧର୍ମକୁ ପୁନରୁଜ୍ଜୀବିତ କରିବା ।[୨] କିନ୍ତୁ ୧୮୬୫ ମସିହା ବେଳକୁ ସେ ନିଶ୍ଚିତ ହେଲେ ଯେ ମାତ୍ର ଖ୍ରୀଷ୍ଟୀୟ ଶିକ୍ଷାହିଁ ହିନ୍ଦୁ ସମାଜକୁ ନୂତନ ଜୀବନ ଦେଇପାରିବ ।[୩]
ନଭେମ୍ବର ୧୮୬୫ ମସିହାରେ ବ୍ରହ୍ମସମାଜର ସ୍ଥାପକ ଦେବେନ୍ଦ୍ରନାଥ ଠାକୁରଙ୍କ ସହ ଖ୍ରୀଷ୍ଟୀୟ ଆଚାର ନେଇ ଖୋଲା ମତଭେଦ ହେବାରୁ ସେ ବ୍ରହ୍ମସମାଜ ଛାଡିବାକୁ ବାଧ୍ୟ ହେଲେ । ତାପରେ ୧୮୬୬ ମସିହାରେ, ଯୁନିଟେରିଆନ୍ ଉପଦେଶକ ଚାର୍ଲସ୍ ଡଲ୍ଙ୍କ ଉତ୍ସାହବର୍ଦ୍ଧନରେ, ସେ ଏକ ନୂତନ ସଂଗଠନ ଭାରତବର୍ଷୀୟ ବ୍ରହ୍ମସମାଜରେ ଯୋଗଦେଲେ ଓ ସେଠାରେ ସଚିବ ହେଲେ (ଯାହାର ଅଧ୍ୟକ୍ଷ ଭାବରେ “ଈଶ୍ୱର” ଙ୍କୁ ଘୋଷିତ କରାଯାଇଥିଲା) ।
ଏହାପରେ ଦେବେନ୍ଦ୍ରନାଥ ଠାକୁରଙ୍କ ବ୍ରହ୍ମସମାଜ ଶୀଘ୍ର କେଶବଚନ୍ଦ୍ର ସେନଙ୍କ ଖ୍ରୀଷ୍ଟୀୟ ଶିକ୍ଷାର ପ୍ରଭାବରୁ ନିଜକୁ ଅଲଗା କରିଲା ଓ ନିଜ ସଂଗଠନକୁ “ଆଦି ବ୍ରହ୍ମସମାଜ” ଭାବେ ପରିଚିତ କରିବା ଆରମ୍ଭ କଲା, ଯାହା ଦ୍ୱାରା ତାହା କେଶବଚନ୍ଦ୍ର ସେନଙ୍କ ନିଜ ନାମରେ ଥିବା ବ୍ରହ୍ମସମାଜରୁ ପୃଥକ ଚିହ୍ନିତ କରାଯାଇପାରିବ ।
କେଶବଚନ୍ଦ୍ରଙ୍କ ପ୍ରେରକ ନେତୃତ୍ୱରେ ଭାରତବର୍ଷୀୟ ବ୍ରହ୍ମସମାଜ ଜାତୀୟ ଶକ୍ତିରେ ପରିଣତ ହେଲା । ତାହାର ବିସ୍ତୃତ ସ୍ୱରୂପ ‘ଶ୍ଲୋକସଂଗ୍ରହ’ରେ ପ୍ରକାଶ ପାଇଲା, ଯାହା ସମସ୍ତ ଦେଶ ଓ ଯୁଗର ଧର୍ମଗ୍ରନ୍ଥ ମଧ୍ୟରେ ଏକ ଅଦ୍ୱିତୀୟ ସଂଗ୍ରହ ଅଟେ । ‘ଧର୍ମତତ୍ତ୍ୱ’ ପତ୍ରିକା ତାଙ୍କ ସମୟର ଦାର୍ଶନିକ ଚିନ୍ତାଧାରାକୁ ନୂତନ ରୂପ ଦେଇଥିଲା । ୧୮୭୫ ମସିହାରେ କେଶବଚନ୍ଦ୍ର “ନବ ବିଧାନ” ନାମକ ଏକ ନୂତନ ଧର୍ମର ମୂଳ ସୂତ୍ର ଦେଇଥିଲେ (ଯାହା ୧୮୮୦ ମସିହାରେ ଆନୌପଚାରିକ ଭାବେ ଘୋଷିତ ହେଲା)।
ତାଙ୍କ “ନବ ସଂହିତା”ରେ ସେ ବିଶ୍ୱଧର୍ମକୁ ଏପରି ପରିଭାଷିତ କରିଥିଲେ —
“ଆମର ବିଶ୍ୱାସ ବିଶ୍ୱଧର୍ମରେ ଅଟେ, ଯାହା ସମସ୍ତ ପ୍ରାଚୀନ ଜ୍ଞାନର ସଂରକ୍ଷକ ଓ ସମସ୍ତ ଆଧୁନିକ ବିଜ୍ଞାନକୁ ଗ୍ରହଣ କରେ; ଯେଠି ସମସ୍ତ ଧର୍ମଗୁରୁ ଓ ସନ୍ତମାନଙ୍କ ମଧ୍ୟରେ ଏକତା ଅଟେ, ସମସ୍ତ ଶାସ୍ତ୍ରରେ ସାମ୍ୟ ଅଟେ ଓ ସମସ୍ତ ରୂପରେ ସାତତ୍ୟ ଅଟେ; ଯେଠି ବିଭେଦ ଓ ପାର୍ଥକ୍ୟର ତ୍ୟାଗ ଅଟେ ଓ ଯେଠି ଏକତା ଓ ଶାନ୍ତିର ବିକାଶ ହୋଇଥାଏ; ଯାହା ତର୍କ ଓ ଭକ୍ତି, ତପସ୍ୟା ଓ ସମାଜଧର୍ମକୁ ସର୍ବୋଚ୍ଚ ରୂପରେ ସମାହିତ କରେ ଓ ଯାହା ଭବିଷ୍ୟତରେ ସମସ୍ତ ଜାତି ଓ ଧର୍ମକୁ ଏକ ରାଜ୍ୟ ଓ ଏକ ପରିବାରରେ ଏକତ୍ର କରିପାରିବ।”
କେଶବଚନ୍ଦ୍ରଙ୍କ ‘ବିଧାନ’ (ଦୈବୀ ସଂବ୍ୟବହାର ପଦ୍ଧତି), ‘ଆବେଶ’ (ସାକାର ବ୍ରହ୍ମର ପ୍ରତ୍ୟକ୍ଷ ପ୍ରେରଣା) ଓ ‘ସାଧୁସମାଗମ’ (ସନ୍ଥ ଓ ଧର୍ମଗୁରୁମାନଙ୍କ ସହ ଆଧ୍ୟାତ୍ମିକ ସଂଯୋଗ) ଉପରେ ଜୋର ଦେବା ବ୍ରହ୍ମସମାଜର ଏକ ତର୍କନିଷ୍ଠ ଓ ନିୟମପରାୟଣ ଦଳକୁ ଅପ୍ରିୟ ଲାଗିଲା । ଏହି ସହିତ, କେଶବଚନ୍ଦ୍ରଙ୍କ କନ୍ୟାଙ୍କ କୂଚବିହାରର ମହାରାଜାଙ୍କ ସହ ବିବାହକୁ ନେଇ ହୋଇଥିବା ବିବାଦ ମିଶି ଗୁରୁତର ବିଭେଦର କାରଣ ହେଲା । ଏହାର ପରିଣତି ହେଲା ୧୮୭୮ ମସିହାରେ ପଣ୍ଡିତ ଶିବନାଥ ଶାସ୍ତ୍ରୀଙ୍କ ନେତୃତ୍ୱରେ “ସାଧାରଣ ବ୍ରହ୍ମସମାଜ”-ର ସ୍ଥାପନା।
ରାମକୃଷ୍ଣ ପରମହଂସଙ୍କ ସହ ସାକ୍ଷାତ
[ସମ୍ପାଦନା]୧୮୭୬ ମସିହାରେ, ରାମକୃଷ୍ଣ ପରମହଂସ କେଶବଚନ୍ଦ୍ର ସେନଙ୍କୁ ଦେଖିବାକୁ ଆସି ସାଧନ କାନନ ଠାରେ ପ୍ରଥମେ ତାଙ୍କ ସହିତ ସାକ୍ଷାତ କଲେ । କେଶବ ସେନ ପ୍ରଥମେ ରାମକୃଷ୍ଣଙ୍କ ଆଧ୍ୟାତ୍ମିକ ଭାବନା ପ୍ରତି କୌଣସି ଆକର୍ଷଣ ଦେଖାଇନଥିଲେ । ପରେ ସେ ରାମକୃଷ୍ଣଙ୍କ ଉପଦେଶ ଠାରୁ ଅଧିକ ତାଙ୍କ ଆଚରଣ ଦ୍ୱାରା ପ୍ରଭାବିତ ହେଲେ; ଯାହାକୁ କେଶବ ସେନ ଏକ ସତ୍ୟ ସନ୍ଥଙ୍କ ଚରିତ୍ରର ସହିତ ତୁଳନା କରିଥିଲେ । ପୂର୍ବରୁ କେଶବ ସେନ ନିଜ ପରିବାରର ମୂର୍ତ୍ତିପୂଜା ପ୍ରଚଳନକୁ ଅସ୍ୱୀକାର କରିଥିଲେ, କିନ୍ତୁ ରାମକୃଷ୍ଣଙ୍କ ପ୍ରଭାବରେ ଆସି ସେ ପୁନର୍ବାର ହିନ୍ଦୁ ଦେବଦେବୀ ପୂଜାକୁ ସ୍ୱୀକାର କଲେ ଓ “ନବ ବିଧାନ” ନାମକ ଏକ ନୂତନ ଧାର୍ମିକ ଆନ୍ଦୋଳନ ଗଠନ କଲେ ଯାହା ରାମକୃଷ୍ଣଙ୍କ ଏହି ଦୁଇ ସିଦ୍ଧାନ୍ତ ଉପରେ ଆଧାରିତ ଥିଲା ଯଥା; “ଈଶ୍ୱରଙ୍କୁ ମାଆ ଭାବେ ପୂଜା କରିବା” ଓ “ସମସ୍ତ ଧର୍ମ ସତ୍ୟ” ।
ତାଙ୍କ ଏହି ମୂର୍ତ୍ତିପୂଜା ସ୍ୱୀକାର କରିବା ନିଜ ସଂଗଠନ ମଧ୍ୟରେ ମତଭେଦ ସୃଷ୍ଟି କଲା । ସେ ନବ ବିଧାନ ପତ୍ରିକାରେ ରାମକୃଷ୍ଣଙ୍କ ଉପଦେଶକୁ ଦୀର୍ଘ ସମୟ ଧରି ପ୍ରଚାର କଲେ, ଯାହା ରାମକୃଷ୍ଣଙ୍କୁ ଅଧିକ ପ୍ରଶସ୍ତ ପାଠକବୃନ୍ଦ ବିଶେଷକରି ଶିକ୍ଷିତଲୋକ ଓ ଭାରତରେ ଥିବା ଇଉରୋପିୟମାନଙ୍କ ମଧ୍ୟରେ ପରିଚିତ କରିବାରେ ବହୁତ ସହାୟତା କଲା ।[୪][୫]
କେଶବଚନ୍ଦ୍ର ସେନ ୧୮୮୪ ମସିହାରେ ପରଲୋକଗମନ କଲେ।
ଆଧାର
[ସମ୍ପାଦନା]- ↑ Carpenter, Mary Lant (1907), Life of Keshub Chunder Sen.
- ↑ Chisholm 1911, p. 759.
- ↑ EB staff (6 March 2015). "Keshab Chunder Sen". Britannica Encyclopaedia.
- ↑ Muller, Max (1898). "Râmakrishna's Life". Râmakrishna his Life and Sayings. pp. 56–57.
- ↑ Debarry, William Theodore; Ainslie Thomas Embree (1988). Sources of Indian Tradition: From the Beginning to 1800. Stephen N. Hay. Columbia University Press. p. 63. ISBN 978-0-231-06415-6.