Jump to content

କେଶବଚନ୍ଦ୍ର ସେନ

ଉଇକିପିଡ଼ିଆ‌ରୁ

କେଶବଚନ୍ଦ୍ର ସେନ (ବଙ୍ଗଳା: কেশব চন্দ্র সেন / କେଶୋବ ଚୋନ୍ଦୋ ସେନ) (୧୯ ନଭେମ୍ବର ୧୮୩୮ – ୮ ଜାନୁଆରୀ ୧୮୮୪) ବଙ୍ଗାଳର ଜଣେ ହିନ୍ଦୁ ଦାର୍ଶନିକ ଓ ସମାଜ ସୁଧାରକ ଥିଲେ । ୧୮୫୭ ମସିହାରେ ସେ ବ୍ରାହ୍ମସମାଜରେ ଯୋଗ ଦେଇଥିଲେ ।[] ବ୍ରାହ୍ମସମାଜରେ କେଶବଚନ୍ଦ୍ର ସେନଙ୍କ ଆଗମନ ସହିତ ଏହି ଆଧ୍ୟାତ୍ମିକ ଆନ୍ଦୋଳନର ସବୁଠାରୁ ଗତିଶୀଳ ଅଧ୍ୟାୟର ଆରମ୍ଭ ହେଲା । ସେହି କେଶବଚନ୍ଦ୍ର ସେନ ହିଁ ଆର୍ଯ୍ୟସମାଜର ସ୍ଥାପକ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କୁ ପରାମର୍ଶ ଦେଇଥିଲେ ଯେ ସେ “ସତ୍ୟାର୍ଥ ପ୍ରକାଶ” ଗ୍ରନ୍ଥଟି ହିନ୍ଦୀରେ ରଚନା କରୁନ୍ତୁ ।

ପରିଚୟ

[ସମ୍ପାଦନା]

କେଶବଚନ୍ଦ୍ର ସେନଙ୍କ ଜନ୍ମ ୧୯ ନଭେମ୍ବର ୧୮୩୮ ରେ କଲିକତାରେ ହୋଇଥିଲା । ତାଙ୍କ ପିତା ପ୍ୟାାରେମୋହନ, ପ୍ରସିଦ୍ଧ ବୈଷ୍ଣବ ଓ ପଣ୍ଡିତ ଦୀୱାନ ରାମକମଲଙ୍କ ପୁଅ ଥିଲେ । ଶୈଶବକାଳରୁ କେଶବଚନ୍ଦ୍ର ଉଚ୍ଚ ଆଧ୍ୟାତ୍ମିକ ପ୍ରବୃତିର ଥିଲେ । ମହର୍ଷି ଦେବେନ୍ଦ୍ରନାଥ ଠାକୁର ତାଙ୍କୁ ‘ବ୍ରହ୍ମାନନ୍ଦ’ ଭାବେ ଉପାଧି ଦେଇଥିଲେ ଓ ସମାଜର ଆଚାର୍ଯ୍ୟ ନିଯୁକ୍ତ କରିଥିଲେ । କେଶବଚନ୍ଦ୍ରଙ୍କ ଆକର୍ଷକ ବ୍ୟକ୍ତିତ୍ୱ ବ୍ରହ୍ମସମାଜ ଆନ୍ଦୋଳନକୁ ନୂତନ ଉତ୍ସାହ ଓ ସ୍ଫୁର୍ତ୍ତି ଦେଇଥିଲା । ଭାରତର ଶିକ୍ଷା, ସମାଜ ଓ ଆଧ୍ୟାତ୍ମିକ ପୁନରୁତ୍ଥାନରେ ତାଙ୍କର ସକ୍ରୀୟ ଯୋଗ ଦାନ ଥିଲା । ସମାଜ ସୁଧାରକ ଚିନ୍ତନରେ କେଶବଚନ୍ଦ୍ର ଓ ଦେବେନ୍ଦ୍ରନାଥଙ୍କ ମନୋଭାବ ସଦା ଏକ ଥିଲା । ୧୮୬୬ ମସିହାରେ କେଶବଚନ୍ଦ୍ର ‘ଭାରତବର୍ଷୀୟ ବ୍ରହ୍ମସମାଜ’ର ସ୍ଥାପନା କଲେ । ଏହାପରେ ଦେବେନ୍ଦ୍ରନାଥ ତାଙ୍କ ସଂଘର ନାମ ‘ଆଦି ବ୍ରହ୍ମସମାଜ’ ରଖିଲେ ।

ବ୍ରାହ୍ମ ସମାଜ ସହ ସମ୍ପର୍କ

[ସମ୍ପାଦନା]

୧୮୬୩ ମସିହାରେ ସେ The Brahma Samaj Vindicated (ଦ ବ୍ରଅହ୍ମ ସମାଜ ଭିଣ୍ଡିକେଟେଡ୍) ନାମକ ଗ୍ରନ୍ଥ ରଚନା କଲେ । ସେ ଖ୍ରୀଷ୍ଟଧର୍ମର ଦୃଢ଼ ଆଲୋଚକ ଥିଲେ ଓ ସମଗ୍ର ଦେଶ ବୁଲି ବୁଲି ଉପଦେଶ ଓ ଭାଷଣ ଦେଇଥିଲେ ଯେ ବ୍ରାହ୍ମସମାଜର ଉଦ୍ଦେଶ୍ୟ ହେଉଛି ପ୍ରାଚୀନ ହିନ୍ଦୁ ସ୍ରୋତ ଓ ବେଦମାନଙ୍କ ଅଧିକାର ଦ୍ୱାରା ହିନ୍ଦୁ ଧର୍ମକୁ ପୁନରୁଜ୍ଜୀବିତ କରିବା ।[] କିନ୍ତୁ ୧୮୬୫ ମସିହା ବେଳକୁ ସେ ନିଶ୍ଚିତ ହେଲେ ଯେ ମାତ୍ର ଖ୍ରୀଷ୍ଟୀୟ ଶିକ୍ଷାହିଁ ହିନ୍ଦୁ ସମାଜକୁ ନୂତନ ଜୀବନ ଦେଇପାରିବ ।[]

ନଭେମ୍ବର ୧୮୬୫ ମସିହାରେ ବ୍ରହ୍ମସମାଜର ସ୍ଥାପକ ଦେବେନ୍ଦ୍ରନାଥ ଠାକୁରଙ୍କ ସହ ଖ୍ରୀଷ୍ଟୀୟ ଆଚାର ନେଇ ଖୋଲା ମତଭେଦ ହେବାରୁ ସେ ବ୍ରହ୍ମସମାଜ ଛାଡିବାକୁ ବାଧ୍ୟ ହେଲେ । ତାପରେ ୧୮୬୬ ମସିହାରେ, ଯୁନିଟେରିଆନ୍ ଉପଦେଶକ ଚାର୍ଲସ୍ ଡଲ୍‌ଙ୍କ ଉତ୍ସାହବର୍ଦ୍ଧନରେ, ସେ ଏକ ନୂତନ ସଂଗଠନ ଭାରତବର୍ଷୀୟ ବ୍ରହ୍ମସମାଜରେ ଯୋଗଦେଲେ ଓ ସେଠାରେ ସଚିବ ହେଲେ (ଯାହାର ଅଧ୍ୟକ୍ଷ ଭାବରେ “ଈଶ୍ୱର” ଙ୍କୁ ଘୋଷିତ କରାଯାଇଥିଲା) ।

ଏହାପରେ ଦେବେନ୍ଦ୍ରନାଥ ଠାକୁରଙ୍କ ବ୍ରହ୍ମସମାଜ ଶୀଘ୍ର କେଶବଚନ୍ଦ୍ର ସେନଙ୍କ ଖ୍ରୀଷ୍ଟୀୟ ଶିକ୍ଷାର ପ୍ରଭାବରୁ ନିଜକୁ ଅଲଗା କରିଲା ଓ ନିଜ ସଂଗଠନକୁ “ଆଦି ବ୍ରହ୍ମସମାଜ” ଭାବେ ପରିଚିତ କରିବା ଆରମ୍ଭ କଲା, ଯାହା ଦ୍ୱାରା ତାହା କେଶବଚନ୍ଦ୍ର ସେନଙ୍କ ନିଜ ନାମରେ ଥିବା ବ୍ରହ୍ମସମାଜରୁ ପୃଥକ ଚିହ୍ନିତ କରାଯାଇପାରିବ ।

କେଶବଚନ୍ଦ୍ରଙ୍କ ପ୍ରେରକ ନେତୃତ୍ୱରେ ଭାରତବର୍ଷୀୟ ବ୍ରହ୍ମସମାଜ ଜାତୀୟ ଶକ୍ତିରେ ପରିଣତ ହେଲା । ତାହାର ବିସ୍ତୃତ ସ୍ୱରୂପ ‘ଶ୍ଲୋକସଂଗ୍ରହ’ରେ ପ୍ରକାଶ ପାଇଲା, ଯାହା ସମସ୍ତ ଦେଶ ଓ ଯୁଗର ଧର୍ମଗ୍ରନ୍ଥ ମଧ୍ୟରେ ଏକ ଅଦ୍ୱିତୀୟ ସଂଗ୍ରହ ଅଟେ । ‘ଧର୍ମତତ୍ତ୍ୱ’ ପତ୍ରିକା ତାଙ୍କ ସମୟର ଦାର୍ଶନିକ ଚିନ୍ତାଧାରାକୁ ନୂତନ ରୂପ ଦେଇଥିଲା । ୧୮୭୫ ମସିହାରେ କେଶବଚନ୍ଦ୍ର “ନବ ବିଧାନ” ନାମକ ଏକ ନୂତନ ଧର୍ମର ମୂଳ ସୂତ୍ର ଦେଇଥିଲେ (ଯାହା ୧୮୮୦ ମସିହାରେ ଆନୌପଚାରିକ ଭାବେ ଘୋଷିତ ହେଲା)।

ତାଙ୍କ “ନବ ସଂହିତା”ରେ ସେ ବିଶ୍ୱଧର୍ମକୁ ଏପରି ପରିଭାଷିତ କରିଥିଲେ —

“ଆମର ବିଶ୍ୱାସ ବିଶ୍ୱଧର୍ମରେ ଅଟେ, ଯାହା ସମସ୍ତ ପ୍ରାଚୀନ ଜ୍ଞାନର ସଂରକ୍ଷକ ଓ ସମସ୍ତ ଆଧୁନିକ ବିଜ୍ଞାନକୁ ଗ୍ରହଣ କରେ; ଯେଠି ସମସ୍ତ ଧର୍ମଗୁରୁ ଓ ସନ୍ତମାନଙ୍କ ମଧ୍ୟରେ ଏକତା ଅଟେ, ସମସ୍ତ ଶାସ୍ତ୍ରରେ ସାମ୍ୟ ଅଟେ ଓ ସମସ୍ତ ରୂପରେ ସାତତ୍ୟ ଅଟେ; ଯେଠି ବିଭେଦ ଓ ପାର୍ଥକ୍ୟର ତ୍ୟାଗ ଅଟେ ଓ ଯେଠି ଏକତା ଓ ଶାନ୍ତିର ବିକାଶ ହୋଇଥାଏ; ଯାହା ତର୍କ ଓ ଭକ୍ତି, ତପସ୍ୟା ଓ ସମାଜଧର୍ମକୁ ସର୍ବୋଚ୍ଚ ରୂପରେ ସମାହିତ କରେ ଓ ଯାହା ଭବିଷ୍ୟତରେ ସମସ୍ତ ଜାତି ଓ ଧର୍ମକୁ ଏକ ରାଜ୍ୟ ଓ ଏକ ପରିବାରରେ ଏକତ୍ର କରିପାରିବ।”

କେଶବଚନ୍ଦ୍ରଙ୍କ ‘ବିଧାନ’ (ଦୈବୀ ସଂବ୍ୟବହାର ପଦ୍ଧତି), ‘ଆବେଶ’ (ସାକାର ବ୍ରହ୍ମର ପ୍ରତ୍ୟକ୍ଷ ପ୍ରେରଣା) ଓ ‘ସାଧୁସମାଗମ’ (ସନ୍ଥ ଓ ଧର୍ମଗୁରୁମାନଙ୍କ ସହ ଆଧ୍ୟାତ୍ମିକ ସଂଯୋଗ) ଉପରେ ଜୋର ଦେବା ବ୍ରହ୍ମସମାଜର ଏକ ତର୍କନିଷ୍ଠ ଓ ନିୟମପରାୟଣ ଦଳକୁ ଅପ୍ରିୟ ଲାଗିଲା । ଏହି ସହିତ, କେଶବଚନ୍ଦ୍ରଙ୍କ କନ୍ୟାଙ୍କ କୂଚବିହାରର ମହାରାଜାଙ୍କ ସହ ବିବାହକୁ ନେଇ ହୋଇଥିବା ବିବାଦ ମିଶି ଗୁରୁତର ବିଭେଦର କାରଣ ହେଲା । ଏହାର ପରିଣତି ହେଲା ୧୮୭୮ ମସିହାରେ ପଣ୍ଡିତ ଶିବନାଥ ଶାସ୍ତ୍ରୀଙ୍କ ନେତୃତ୍ୱରେ “ସାଧାରଣ ବ୍ରହ୍ମସମାଜ”-ର ସ୍ଥାପନା।

ରାମକୃଷ୍ଣ ପରମହଂସଙ୍କ ସହ ସାକ୍ଷାତ

[ସମ୍ପାଦନା]

୧୮୭୬ ମସିହାରେ, ରାମକୃଷ୍ଣ ପରମହଂସ କେଶବଚନ୍ଦ୍ର ସେନଙ୍କୁ ଦେଖିବାକୁ ଆସି ସାଧନ କାନନ ଠାରେ ପ୍ରଥମେ ତାଙ୍କ ସହିତ ସାକ୍ଷାତ କଲେ । କେଶବ ସେନ ପ୍ରଥମେ ରାମକୃଷ୍ଣଙ୍କ ଆଧ୍ୟାତ୍ମିକ ଭାବନା ପ୍ରତି କୌଣସି ଆକର୍ଷଣ ଦେଖାଇନଥିଲେ । ପରେ ସେ ରାମକୃଷ୍ଣଙ୍କ ଉପଦେଶ ଠାରୁ ଅଧିକ ତାଙ୍କ ଆଚରଣ ଦ୍ୱାରା ପ୍ରଭାବିତ ହେଲେ; ଯାହାକୁ କେଶବ ସେନ ଏକ ସତ୍ୟ ସନ୍ଥଙ୍କ ଚରିତ୍ରର ସହିତ ତୁଳନା କରିଥିଲେ । ପୂର୍ବରୁ କେଶବ ସେନ ନିଜ ପରିବାରର ମୂର୍ତ୍ତିପୂଜା ପ୍ରଚଳନକୁ ଅସ୍ୱୀକାର କରିଥିଲେ, କିନ୍ତୁ ରାମକୃଷ୍ଣଙ୍କ ପ୍ରଭାବରେ ଆସି ସେ ପୁନର୍ବାର ହିନ୍ଦୁ ଦେବଦେବୀ ପୂଜାକୁ ସ୍ୱୀକାର କଲେ ଓ “ନବ ବିଧାନ” ନାମକ ଏକ ନୂତନ ଧାର୍ମିକ ଆନ୍ଦୋଳନ ଗଠନ କଲେ ଯାହା ରାମକୃଷ୍ଣଙ୍କ ଏହି ଦୁଇ ସିଦ୍ଧାନ୍ତ ଉପରେ ଆଧାରିତ ଥିଲା ଯଥା; “ଈଶ୍ୱରଙ୍କୁ ମାଆ ଭାବେ ପୂଜା କରିବା” ଓ “ସମସ୍ତ ଧର୍ମ ସତ୍ୟ” ।

ତାଙ୍କ ଏହି ମୂର୍ତ୍ତିପୂଜା ସ୍ୱୀକାର କରିବା ନିଜ ସଂଗଠନ ମଧ୍ୟରେ ମତଭେଦ ସୃଷ୍ଟି କଲା । ସେ ନବ ବିଧାନ ପତ୍ରିକାରେ ରାମକୃଷ୍ଣଙ୍କ ଉପଦେଶକୁ ଦୀର୍ଘ ସମୟ ଧରି ପ୍ରଚାର କଲେ, ଯାହା ରାମକୃଷ୍ଣଙ୍କୁ ଅଧିକ ପ୍ରଶସ୍ତ ପାଠକବୃନ୍ଦ ବିଶେଷକରି ଶିକ୍ଷିତଲୋକ ଓ ଭାରତରେ ଥିବା ଇଉରୋପିୟମାନଙ୍କ ମଧ୍ୟରେ ପରିଚିତ କରିବାରେ ବହୁତ ସହାୟତା କଲା ।[][]

କେଶବଚନ୍ଦ୍ର ସେନ ୧୮୮୪ ମସିହାରେ ପରଲୋକଗମନ କଲେ।

  1. Carpenter, Mary Lant (1907), Life of Keshub Chunder Sen.
  2. Chisholm 1911, p. 759.
  3. EB staff (6 March 2015). "Keshab Chunder Sen". Britannica Encyclopaedia.
  4. Muller, Max (1898). "Râmakrishna's Life". Râmakrishna his Life and Sayings. pp. 56–57.
  5. Debarry, William Theodore; Ainslie Thomas Embree (1988). Sources of Indian Tradition: From the Beginning to 1800. Stephen N. Hay. Columbia University Press. p. 63. ISBN 978-0-231-06415-6.