କୃତିବାସ ପାଟ୍ଟଶାଣୀ

ଉଇକିପିଡ଼ିଆ ରୁ
Jump to navigation Jump to search
କୃତିବାସ ପାଟ୍ଟଶାଣୀ
ଜନ୍ମ ଓ ଜନ୍ମସ୍ଥାନ୧୭୯୮
ଅଡ଼ଙ୍ଗ, ଖୋର୍ଦ୍ଧା
ଜାତୀୟତା ଭାରତୀୟ
ଜୀବିକାସେନାପତି
ପ୍ରସିଦ୍ଧିବାଣପୁର ବିଦ୍ରୋହ
କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୁର୍ତ୍ତି


କୃତିବାସ ପାଟ୍ଟଶାଣୀ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୧୮୩୬ ମସିହାରେ ବାଣପୁରରେ ସଶସ୍ତ୍ର ସଂଗ୍ରାମ କରି ତିନି ଦିନ ପାଇଁ ଏହାକୁ ସ୍ୱାଧୀନ କରି ଦେଇଥିଲେ ।[୧] ବାଣପୁର ପାଇକ ବିଦ୍ରୋହର ସେ ଥିଲେ ନେତା ।[୨] ପରେ ଆତ୍ମୀୟଙ୍କ ବିଶ୍ୱାସଘାତକତା ଯୋଗୁଁ ତାଙ୍କୁ ଇଂରେଜ ସରକାର ଗିରଫ କରି ଫାସୀ ଦେଇଥିଲେ ।[୩]

ଜନ୍ମ ଓ ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କୃତିବାସଙ୍କ ଜନ୍ମ ୧୭୯୮ ମସିହାରେ ହୋଇଥିବାର କୁହାଯାଏ । ସେ ଏକ ଦଳବେହେରା ପରିବାରରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଶ୍ରୀ ଶ୍ୟାମସୁନ୍ଦର ପାଟ୍ଟଶାଣୀ । ସେ ଅଡ଼ଙ୍ଗର ଦଳବେହେରା ଥିଲେ । ତାଙ୍କ ବାଲ୍ୟଜୀବନ ବିଷୟରେ ବିଶେଷ ତଥ୍ୟ ମିଳେନାହିଁ ।

ବାଣପୁର ବିଦ୍ରୋହ[ସମ୍ପାଦନା]

କୃତିବାସ ଛୋଟ ବେଳୁ ପାଇକ ବିଦ୍ରୋହର ଇତିହାସ ଶୁଣି ଇଂରେଜମାନଙ୍କୁ ଓଡ଼ିଶାରୁ ବିତାଡ଼ିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରାଥମିକ ପଦକ୍ଷେପ ସ୍ୱରୂପ ସେ ୧୮୩୬ ମସିହା ଜୁନ ୧ ତାରିଖ ଦିନ ବାଣପୁରରେ ଏକ ପାଇକ ସମ୍ମିଳନୀ ଆହ୍ୱାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ସହ ଯୋଗ ଦେଇଥିଲେ ରୋଡ଼ଙ୍ଗର ଦଳବେହେରା ପଞ୍ଚାନନ ନାୟକ ଓ ଖୋରଧାର ଲୋଚନ ବିଶୋଇ । କୃତିବାସ ଏଠାରେ ପଞ୍ଚାନନ ନାୟକଙ୍କୁ ଶରଣ ସିଂହ ନାମ ଦେଇ ରାଜା ବୋଲି ଘୋଷିତ କରିଥିଲେ । ସେ ରାଜାଙ୍କର ପାଟ ମନ୍ତ୍ରୀ ଓ ସେନାପତି ନିଯୁକ୍ତ ହୋଇଥିଲେ । ଏହା ପରେ ଶହସ୍ରାଧିକ ଦଳବେହେରା, ଦଳେଇ, ନାୟକ ଓ ପାଇକ କୃତିବାସଙ୍କ ନେତୃତ୍ୱରେ ଏକାଠି ହୋଇଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ବାଣପୁର ଥାନା ଦଖଲ ହୋଇଥିଲା । ସେଠାରେ ଥିବା ସିପାହୀମାନେ ପଳାୟନ କରିବା ପରେ ସେମାନେ ଥାନା ମଧ୍ୟରେ ଥିବା ଧନସମ୍ପତି ଲୁଟ କରିବା ସହ କାଗଜପତ୍ର ପୋଡ଼ିଦେଇଥିଲେ । ପରେ ପରେ ସେମାନଙ୍କୁ ଦମନ କରିବା ପାଇଁ ଖୋର୍ଦ୍ଧାରୁ ଅଧିକ ସିପାହୀ ମଗା ଯାଇଥିଲା । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବା ସତ୍ତ୍ୱେ ସିପାହୀମାନେ ଶେଷରେ ପରାସ୍ତ ହୋଇଥିଲେ ଓ ଚିଲିକା କୂଳସ୍ଥିତ ବରକୁଳକୁ ଚାଲିଯାଇଥିଲେ । ଏହା ଜାଣି କୃତ୍ତିବାସ ଶହ ଶହ ପାଇକଙ୍କ ସହ ସେଠାରେ ପହଞ୍ଚିଥିଲେ । ସେମାନେ ସେଠାରେ ପହଞ୍ଚିବା ପୂର୍ବରୁ ସିପାହୀମାନେ ଉକ୍ତ ସ୍ଥାନ ଛାଡ଼ି ପଳେଇଥିଲେ । ଏହାପରେ ଜୁନ ୪ ତାରିଖରୁ ବାଣପୁର ସ୍ୱାଧୀନ ହେଲା ବୋଲି ରାଜା ଶରଣ ସିଂହ ଘୋଷଣା କରିଥିଲେ । [୩]

ବିଦ୍ରୋହର ଦମନ[ସମ୍ପାଦନା]

ବାଣପୁର ବିଦ୍ରୋହ କିଛି ବ୍ୟବସାୟୀ ଗୋଷ୍ଟିଙ୍କ ବିଶ୍ୱାସଘାତକତା ଯୋଗୁଁ ବିଫଳ ହେଲା । ବାଣପୁର ଦଖଲ ପରେ ପାଇକମାନେ ଅନ୍ୟ ଏକ ସମାବେଶରେ ସ୍ଥିର କଲେ ଜୁନ ୮ ତାରିଖରେ ଟାଙ୍ଗୀ ଥାନା ଆକ୍ରମଣ କରିବେ । ମାତ୍ର ସେଠାରେ ଥିବା ବ୍ୟବସାୟୀ ଗୋଷ୍ଠି ଭୟଭୀତ ହୋଇ ଇଂରେଜମାନଙ୍କୁ ସହାୟତା ଦେବା ପାଇଁ ଚିନ୍ତା କରିଥିଲେ । ସେମାନେ ଛଳନାରେ କହିଥିଲେ ଯେ ଟାଙ୍ଗୀ ଥାନା ଆକ୍ରମଣ କରିବା ପାଇଁ ସେମାନେ ତାଙ୍କୁ ସହଯୋଗ କରିବେ । ଏହି ପରାମର୍ଶ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସାୟୀମାନେ ଭୀମପୁର ଗାଁରେ ପାଇକମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ । ଗୋଟିଏ ସ୍ଥାନରେ ଅସ୍ତ୍ରଶସ୍ତ୍ର ରଖି ପାଇକମାନେ ଖାଉଥିବା ବେଳେ ବ୍ୟବସାୟୀମାନେ ତାକୁ ନେଇଯାଇଥିଲେ ଓ ସେମାନଙ୍କୁ ବନ୍ଦୀ କରି ଇଂରେଜ ସରକାରଙ୍କୁ ଖବର ଦେଇଥିଲେ । ଖବର ପାଇ ବହୁ ସଂଖ୍ୟକ ଇଂରେଜ ସୈନ୍ୟ ସେଠାରେ ପହଞ୍ଚି କୃତ୍ତିବାସ, ଶରଣ ସିଂହ ସମେତ ଅନ୍ୟ କେତେଜଣ ଟାଣୁଆ ନେତାଙ୍କୁ ଗିରଫ କରି ନେଇଥିଲେ । ଏହିପରି ଭାବରେ ବାଣପୁର ବିଦ୍ରୋହ ଦମନ ହୋଇଯାଇଥିଲା ।[୩]

ଶେଷ ଜୀବନ[ସମ୍ପାଦନା]

ଏ ଘଟଣାପରେ କୃତିବାସ ନିରାଶ ନହୋଇ ସୂଯୋଗର ଅପେକ୍ଷା କରିଥିଲେ । କୌଶଳକ୍ରମେ ସେ ଓ ରାଜା ଶରଣ ସିଂହ ଭୀମପୁରରେ ଅବସ୍ଥାପିତ ପୋଲିସଙ୍କ ହାତରୁ ଖସି ପଳାଇ ଆସିଥଲେ ଓ ଯାଇ ରହିଥଲେ ନୟାଗଡ଼ ଜଙ୍ଗଲରେ ।[୪] ପାହାଡ଼-ପର୍ବତ ଘେରା ଘଞ୍ଚ ଜଙ୍ଗଲ ଥିଲା ଲୁଚିକରି ରହିବା ଲୋକଙ୍କ ପାଇଁ ଏକ ସୁରକ୍ଷିତ ଅଞ୍ଚଳ । କୃତିବାସଙ୍କର ଏହି କାର୍ଯ୍ୟକଳାପ ପାଇଁ ଇଂରେଜମାନେ ଆତଙ୍କିତ ହୋଇପଡ଼ିଥଲେ । କାରଣ ତାଙ୍କର ଆଶଙ୍କା ହେଲା ଯେ କୃତିବାସ ପୁନରାୟ ପାଇକମାନଙ୍କୁ ଏକତ୍ରିତ କରାଇପାରନ୍ତି । ସେମାନଙ୍କ ଆଶଙ୍କାକୁ ସତ କରି କ୍ରମେ କ୍ରମେ ସେ ଜଙ୍ଗଲରେ ପାଇକମାନଙ୍କୁ ଏକତ୍ରିତ କରାଇବା ଦିଗରେ ଉଦ୍ୟମ କରି ଚାଲିଲେ । ଏହି ସମ୍ବାଦ ଇଂରେଜମାନଙ୍କ ନିକଟରେ ପହଞ୍ଚିବାପରେ ତାଙ୍କୁ ଧରି ଦେବାପାଇଁ ପ୍ରଶାସକମାନେ ନୟାଗଡ଼ ରାଜାଙ୍କୁ ପରୱାନା ପଠାଇଲେ । ରାଜ୍ୟ ହରଣ କରିବାର ଭୟ ଦେଖାଇ ସେମାନେ ନୟାଗଡ଼ ରାଜାଙ୍କୁ ସହୟତା ଦେବା ପାଇଁ ବାଧ୍ୟ କରିଥିଲେ । ଅତୀତରେ ଏହି ପନ୍ଥା ଅବଲମ୍ବନ କରି ସେମାନେ ବକ୍ସି ଜଗବନ୍ଧୁଙ୍କୁ କରାୟତ୍ତ କରିଥଲେ । ଏଥର ତାଙ୍କୁ ସହାୟତା ଦେଇଥଲେ କୃତିବାସଙ୍କର ନିଜ ଶ୍ୱଶୁର ବାସୁଦେବ ନରେନ୍ଦ୍ର ସିଂହ । ତାଙ୍କ ସହୟତାରେ କୃତିବାସ ଓ ଶରଣ ସିଂହଙ୍କୁ ଗିରଫ କରାଯାଇଥିଲା । ବିଚାର ପରେ ଉଭୟଙ୍କୁ ଫାସୀ ଦଣ୍ଡାଦେଶ ହୋଇଥିଲା । ଅନ୍ୟ ଏକ ମତାନୁସାରେ ତାଙ୍କୁ କଳାପାଣିକୁ ନିର୍ବାସିତ କରାଯାଇଥିଲା । [୩]

ଆଧାର[ସମ୍ପାଦନା]

  1. http://www.dailypioneer.com/state-editions/bhubaneswar/paika-mutiny-of-1817-indias-first-freedom-struggle.html
  2. Subash Chandra Padhi; Chittaranjan Satapathy (1 January 2006). Colonialism in Orissa, resisting colonialism: shifting paradigms. R.N. Bhattacharya.
  3. ୩.୦ ୩.୧ ୩.୨ ୩.୩ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ. ବିଦ୍ୟାପୁରୀ. pp. ୧୩-୧୬. ISBN 8174112731.
  4. Orissa Review. August 2004.