Jump to content

କୂର୍ମ ପୁରାଣ

ଉଇକିପିଡ଼ିଆ‌ରୁ
A page from the Kurma Purana (Sanskrit, Devanagari)

କୂର୍ମ ପୁରାଣ ହିନ୍ଦୁ ଧର୍ମର ଅନ୍ୟତମ ମହାପୁରାଣ । ଅଷ୍ଟାଦଶ ପୁରାଣ ସୂଚୀରେ ପନ୍ଦରତମ ପୁରାଣ ଭାବେ ଗଣ୍ଯ କୂର୍ମ ପୁରାଣର ବିଶେଷ ମହତ୍ତ୍ୱ ରହିଛି । ସର୍ବପ୍ରଥମେ ଭଗବାନ ବିଷ୍ଣୁ କୂର୍ମ ଅବତାର ଧାରଣ କରି ଏହି ପୁରାଣକୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ । ପୁନର୍ବାର ଭଗବାନ କୂର୍ମ ସମୁଦ୍ରମନ୍ଥନ ସମୟରେ ଇନ୍ଦ୍ରାଦି ଦେବତାମାନଙ୍କୁ ଓ ନାରଦାଦି ଋଷିମାନଙ୍କୁ ସେଇ ଆଖ୍ୟାନକୁ କହିଥିଲେ । ତୃତୀୟଥର ନୈମିଷାରଣ୍ୟର ଦ୍ୱାଦଶବର୍ଷୀୟ ମହାସତ୍ର ସମୟରେ ରୋମହର୍ଷଣ ସୂତଙ୍କ ଦ୍ୱାରା ଏହି ପବିତ୍ର ପୁରାଣକୁ ଶୁଣିବାର ସୌଭାଗ୍ୟ ଅଠାଅଶୀ ହଜାର ଋଷିଙ୍କୁ ଲାଭ ହୋଇଥିଲା । ଭଗବାନ କୂର୍ମଙ୍କ ଦ୍ୱାରା କଥିତ ହୋଇଥିବାରୁ, ଏହି ପୁରାଣର ନାମ ‘କୂର୍ମ ପୁରାଣ’ ଭାବେ ପ୍ରସିଦ୍ଧ ହୋଇଛି ।[][] ସତର ହଜାର ଶ୍ଲୋକର ଏହି ପୁରାଣକୁ ବିଷ୍ଣୁ କୂର୍ମ ଅବତାରରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦେଇଥିଲେ । ଏଥିରେ ବିଷ୍ଣୁ ଓ ଶିବଙ୍କ ଅଭିନ୍ନତାକୁ କହାଯାଇଛି । ପାର୍ବତୀଙ୍କ ଆଠ ସହସ୍ର ନାମ ମଧ୍ୟ ବର୍ଣ୍ଣିତ ହୋଇଛି । କାଶୀ ଓ ପ୍ରୟାଗ କ୍ଷେତ୍ରର ମାହାତ୍ମ୍ୟ, ଈଶ୍ୱର ଗୀତା, ବ୍ୟାସ ଗୀତା ଆଦି ମଧ୍ୟ ଏଥିରେ ସମ୍ମିଳିତ ଅଛି । ଯଦ୍ୟପି କୂର୍ମ ପୁରାଣ ଏକ ବୈଷ୍ଣବ ପ୍ରଧାନ ପୁରାଣ, ତଥାପି ଏଥିରେ ଶୈବ ଓ ଶାକ୍ତ ମତର ମଧ୍ୟ ବ୍ୟାପକ ଚର୍ଚ୍ଚା ହୋଇଛି ।[][] ଏହି ପୁରାଣରେ ପୁରାଣମାନଙ୍କ ପାଞ୍ଚଟି ପ୍ରମୁଖ ଲକ୍ଷଣ—ସର୍ଗ, ପ୍ରତିସର୍ଗ, ବଂଶ, ମନ୍ବନ୍ତର ଓ ବଂଶାନୁଚରିତର କ୍ରମବଦ୍ଧ ଓ ବିସ୍ତୃତ ବିବେଚନା କରାଯାଇଛି ।

ବିସ୍ତାର

[ସମ୍ପାଦନା]

ଏହି ପୁରାଣରେ ୧୭,୦୦୦ ଶ୍ଲୋକ ଅଛି । ପୁରାଣମାନଙ୍କର ମୁଖ୍ୟ ପାଞ୍ଚଟି ଲକ୍ଷଣ—ସର୍ଗ, ପ୍ରତିସର୍ଗ, ବଂଶ, ମନ୍ବନ୍ତର ଓ ବଂଶାନୁଚରିତ—ଏମାନଙ୍କର କ୍ରମବଦ୍ଧ ଓ ବ୍ୟାପକ ଚର୍ଚ୍ଚା ହୋଇଛି ଓ ସମସ୍ତ ବିଷୟର ସମନୁପାତିକ ଉଲ୍ଲେଖ ରହିଛି । କଥାବସ୍ତୁ ମଧ୍ୟରେ ସ୍ଥଳେ ସ୍ଥଳେ ଆଧ୍ୟାତ୍ମିକ ବିଚାର, କଳିକର୍ମ ଓ ସଦାଚାର ଆଦି ବିଷୟରେ ମଧ୍ୟ ପ୍ରକାଶ ହୋଇଛି ।

ସଂକ୍ଷିପ୍ତ କଥା

[ସମ୍ପାଦନା]

ରୋମହର୍ଷଣ ସୂତ ଓ ଶୌନକାଦି ଋଷିମାନଙ୍କର ସଂବାଦ ରୂପେ ଆରମ୍ଭ ହୋଇଥିବା ଏହି ପୁରାଣରେ ସର୍ବପ୍ରଥମେ ସୂତ ପୁରାଣ-ଲକ୍ଷଣ ଓ ଅଷ୍ଟାଦଶ ମହାପୁରାଣ ଓ ଉପପୁରାଣମାନଙ୍କର ନାମ ଗଣନା କରି, ଭଗବାନଙ୍କ କୂର୍ମାବତାର କଥାକୁ ସରସ ଭାବେ ବିବେଚନା କରିଛନ୍ତି । କୂର୍ମାବତାର ପ୍ରସଙ୍ଗରେ ଲକ୍ଷ୍ମୀଙ୍କ ଉତ୍ପତ୍ତି ଓ ମାହାତ୍ମ୍ୟ, ଲକ୍ଷ୍ମୀ ଓ ଇନ୍ଦ୍ରଦ୍ୟୁମ୍ନଙ୍କ ବୃତ୍ତାନ୍ତ, ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ବିଷ୍ଣୁଙ୍କ ସ୍ତୁତି, ବର୍ଣ୍ଣ, ଆଶ୍ରମ ଓ ସେମାନଙ୍କ କର୍ତ୍ତବ୍ୟ, ଏବଂ ପରବ୍ରହ୍ମ ରୂପେ ଶିବତତ୍ତ୍ୱର ପ୍ରତିପାଦନ କରାଯାଇଛି ।

ତାପରେ ସୃଷ୍ଟିବର୍ଣ୍ଣନ, କଳ୍ପ, ମନ୍ବନ୍ତର ଓ ଯୁଗମାନଙ୍କ ସମୟ ଗଣନା, ବରାହାବତାର କଥା, ଶିବ–ପାର୍ବତୀ ଚରିତ୍ର, ଯୋଗଶାସ୍ତ୍ର, ବାମନାବତାର କଥା, ସୂର୍ୟ–ଚନ୍ଦ୍ର ବଂଶବର୍ଣ୍ଣନ, ଅନୁସୂୟାଙ୍କ ସନ୍ତତିବର୍ଣ୍ଣନ, ଓ ଯଦୁବଂଶରେ ଭଗବାନ୍ ଶ୍ରୀକୃଷ୍ଣଙ୍କ ମଙ୍ଗଳମୟ ଚରିତ୍ରର ସୁନ୍ଦର ବର୍ଣ୍ନନ ଅଛି ।

ଏହା ବ୍ୟତୀତ ଏଥିରେ — ଶ୍ରୀକୃଷ୍ଣଙ୍କ ଶିବତପସ୍ୟା ଓ ସେଥିରୁ ଶାମ୍ବ ନାମକ ପୁତ୍ରଲାଭ, ଲିଙ୍ଗମାହାତ୍ମ୍ୟ, ଚାରି ଯୁଗର ସ୍ୱଭାବ ଓ ଯୁଗଧର୍ମ, ମୋକ୍ଷସାଧନ, ଗ୍ରହ–ନକ୍ଷତ୍ର ବର୍ଣ୍ଣନା, ତୀର୍ଥମାହାତ୍ମ୍ୟ, ବିଷ୍ଣୁମାହାତ୍ମ୍ୟ, ବୈବସ୍ୱତ ମନ୍ବନ୍ତରର ୨୮, ଦ୍ୱାପର ଯୁଗର ୨୮ ବ୍ୟାସଙ୍କ ଉଲ୍ଲେଖ, ଶିବଙ୍କ ଅବତାରମାନଙ୍କ ବର୍ଣ୍ଣନା, ଭବିଷ୍ୟତ୍ ମନ୍ବନ୍ତରମାନଙ୍କ ନାମ, ଈଶ୍ୱରଗୀତା ଓ କୂର୍ମପୁରାଣର ଫଳଶୃତି ଉପସ୍ଥାପିତ ହୋଇଛି ।

ହିନ୍ଦୁଧର୍ମର ତିନିଟି ପ୍ରମୁଖ ସମ୍ପ୍ରଦାୟ—ବୈଷ୍ଣବ, ଶୈବ ଓ ଶାକ୍ତଙ୍କ ଅଦ୍ଭୁତ ସମନ୍ୱୟ ସହିତ, ଏହି ପୁରାଣରେ ତ୍ରିଦେବଙ୍କ ଏକତ୍ୱ, ଶକ୍ତି–ଶକ୍ତିମାନଙ୍କ ଅଭେଦ ଓ ବିଷ୍ଣୁ–ଶିବଙ୍କ ପରମ ଏକତାର ସୁନ୍ଦର ପ୍ରତିପାଦନ କରାଯାଇଛି ।[]

  1. Dimmitt & van Buitenen 2012, p. 63, 74.
  2. Bryant 2007, p. 18 note 25.
  3. Rocher 1986, p. 185.
  4. K P Gietz 1992, p. 903 with note 5221.
  5. "Kurma" (PDF). vedpuran.net. Retrieved 25 November 2025.