Jump to content

କୀର୍ତ୍ତିମତୀ କାହାଣୀ (ବତ୍ରିଶ ସିଂହାସନ)

ଉଇକିପିଡ଼ିଆ‌ରୁ
1. Vikramaditya Memorial, Ujjain

କୀର୍ତ୍ତିମତୀ କାହାଣୀ ବତ୍ରିଶ ସିଂହାସନର ତ୍ରୟୋଦଶ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[]

ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ତ୍ରୟୋଦଶ ଦିନ ଯେତେବେଳେ ସେହି ସିଂହାସନର ତ୍ରୟୋଦଶ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” କୀର୍ତ୍ତିମତୀ ନାମକ ତ୍ରୟୋଦଶ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[]

ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ତ୍ରୟୋଦଶ ପ୍ରତିମା କୀର୍ତ୍ତିମତୀ ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ତ୍ରୟୋଦଶ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[][]

ତ୍ରୟୋଦଶ କାହାଣୀ

[ସମ୍ପାଦନା]

ତେରତମ ପ୍ରତିମା କୀର୍ତ୍ତିମତୀ ଯେଉଁ କଥା କହିଥିଲେ ସେହି କଥା ଏପରି ଥିଲା —

ଥରେ ରାଜା ବିକ୍ରମାଦିତ୍ୟ ଗୋଟିଏ ବିଶାଳ ଭୋଜିର ଆୟୋଜନ କଲେ । ସେହି ଭୋଜିରେ ଅସଂଖ୍ୟ ପଣ୍ଡିତ, ବ୍ରାହ୍ମଣ, ବ୍ୟାପାରୀ ଏବଂ ଦରବାରୀମାନେ ଆମନ୍ତ୍ରିତ ହୋଇଥିଲେ । ଭୋଜି ମଧ୍ୟରେ ଏହି ଆଲୋଚନା ଆରମ୍ଭ ହେଲା ଯେ, ସମସ୍ତ ସଂସାରରେ ସବୁଠାରୁ ବଡ଼ ଦାନୀ କିଏ? ସମସ୍ତେ ଏକ ସ୍ୱରରେ କହିଲେ ଯେ, ବିକ୍ରମାଦିତ୍ୟ ସବୁଠାରୁ ଶ୍ରେଷ୍ଠ ଦାନବୀର । ରାଜା ବିକ୍ରମାଦିତ୍ୟ ସମସ୍ତଙ୍କ ଭାବନା ଦେଖୁଥିଲେ । ସେତେବେଳେ ତାଙ୍କ ଦୃଷ୍ଟି ଗଲା ଗୋଟିଏ ବ୍ରାହ୍ମଣ ଉପରେ ଯିଏ ଚୁପ୍‌ ରହିଥିଲେ। ତାଙ୍କ ମୁହଁରେ ସେହିଭଳି ଭାବ ଦେଖାଯାଉଥିଲା ଯେ ସେ ସମସ୍ତଙ୍କ ମତ ସହ ସମ୍ମତ ନୁହେଁ । ବିକ୍ରମ ତାଙ୍କୁ ପଚାରିଲେ ଯେ ସେ ଚୁପ୍‌ ରହିଥିବାର ଅର୍ଥ କ’ଣ। ବ୍ରାହ୍ମଣ ଭୟଭୀତ ହୋଇ କହିଲେ, “ମୋର ମତ ଯଦି ସମସ୍ତଙ୍କ ଠାରୁ ଅଲଗା ହୋଇଥାଏ, ତେବେ ମୋ କଥା କିଏ ଶୁଣିବ?” ରାଜା ତାଙ୍କ ମତ ସ୍ପଷ୍ଟ କରିବାକୁ କହିଲେ । ସେ କହିଲେ, “ମୁଁ ଦ୍ୱିଧାରେ ପଡ଼ିଛି । ଯଦି ମିଥ୍ୟା କହିବି, ପାପ ହେବ, ଆଉ ଯଦି ସତ୍ୟ କହିବି, ତେବେ ରାଜାଙ୍କ କ୍ରୋଧର ଶିକାର ପଡ଼ିବ ।” ଏହା ଶୁଣି ବିକ୍ରମଙ୍କ ଉତ୍ସୁକତା ଆଉରି ବଢ଼ିଗଲା । ସେ ତାଙ୍କ ସତ୍ୟବାଦିତାର ବହୁତ ପ୍ରଶଂସା କଲେ ଏବଂ ନିର୍ଭୟ ହୋଇ ମନକଥା କହିବାକୁ ପ୍ରୋତ୍ସାହିତ କଲେ । ତେବେ ସେ କହିଲେ, “ମହାରାଜ ବିକ୍ରମାଦିତ୍ୟ ବହୁତ ବଡ଼ ଦାନୀ ଅଟନ୍ତି , ଏହା ସତ୍ୟ, କିନ୍ତୁ ସେ ସମସ୍ତ ପୃଥିବୀରେ ସବୁଠାରୁ ବଡ଼ ଦାନୀ ନୁହନ୍ତି ।” ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟରେ ଚମକିଉଠିଲେ । ସେମାନେ ପଚାରିଲେ, “ଏପରି କିପରି ହୋଇପାରେ?” ବ୍ରାହ୍ମଣ କହିଲେ, “ସମୁଦ୍ର ଆରପାରେ ଗୋଟିଏ ରାଜ୍ୟ ଅଛି, ସେଠାର ରାଜା କୀର୍ତିଧ୍ୱଜ ପ୍ରତିଦିନ ଯେପର୍ଯ୍ୟନ୍ତ ଏକ ଲକ୍ଷ ସୁବର୍ଣ୍ଣ ମୁଦ୍ରା ଦାନ ନ କରନ୍ତି, ସେପର୍ଯ୍ୟନ୍ତ ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ । ଯଦି ଏହା ମିଥ୍ୟା ପ୍ରମାଣ ହୁଏ, ମୁଁ ଯେକୌଣସି ଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ ।” ସମଗ୍ର ଭୋଜି ଗୃହ ନିରବ ହୋଇଗଲା । ବ୍ରାହ୍ମଣ କହିଲେ, “ମୁଁ କୀର୍ତିଧ୍ୱଜଙ୍କ ରାଜ୍ୟରେ କିଛି ଦିନ ରହିଥିଲି ଏବଂ ପ୍ରତିଦିନ ସୁବର୍ଣ୍ଣ ମୁଦ୍ରା ନେବାକୁ ଯାଉଥିଲି । ସେ ପ୍ରତିଦିନ ଏକ ଲକ୍ଷ ମୁଦ୍ରା ଦାନ କରିବା ପରେ ମାତ୍ର ଭୋଜନ କରନ୍ତି । ଏହି କାରଣରୁ ମୁଁ ଏଠାରେ ସମସ୍ତଙ୍କ ସହ ସହମତ ହୋଇ ପାରିଲି ନାହିଁ ।” ରାଜା ବିକ୍ରମାଦିତ୍ୟ ସେ ବ୍ରାହ୍ମଣଙ୍କ ସତ୍ୟବାଦିତାରେ ପ୍ରସନ୍ନ ହୋଇ ତାଙ୍କୁ ପୁରସ୍କୃତ କରି ସମ୍ମାନପୂର୍ବକ ବିଦାୟ ଦେଲେ । ବ୍ରାହ୍ମଣ ଯିବା ପରେ ବିକ୍ରମାଦିତ୍ୟ ସାଧାରଣ ବେଶ ଧାରଣ କଲେ ଏବଂ ଦୁଇ ବେତାଳଙ୍କୁ ସ୍ମରଣ କଲେ। ବେତାଳମାନେ ଆସିଗଲେ, ସେ ସେମାନଙ୍କୁ କହିଲେ, “ମୋତେ ସମୁଦ୍ର ପାରିର ରାଜା କୀର୍ତିଧ୍ୱଜଙ୍କ ରାଜ୍ୟକୁ ପହଞ୍ଚାଇଦିଅ ।” ବେତାଳମାନେ ଆଖି ପଲକରେ ତାଙ୍କୁ ସେଠାକୁ ନେଇଗଲେ । କୀର୍ତିଧ୍ୱଜଙ୍କ ମହଲ ଦ୍ୱାରରେ ପହଞ୍ଚି ସେ ନିଜ ପରିଚୟ ଏପରି ଦେଲେ, “ମୁଁ ଉଜ୍ଜୟିନୀ ନଗରର ଗୋଟିଏ ସାଧାରଣ ନାଗରିକ ।” ସେ ରାଜାଙ୍କ ସହ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କଲେ। କିଛି ସମୟ ପରେ ସେ କୀର୍ତିଧ୍ୱଜଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ରାଜାଙ୍କ ସେବାରେ ନିୟୋଜିତ ହେବାକୁ ଚାହିଁଲେ । କୀର୍ତିଧ୍ୱଜ ପଚାରିଲେ, “ତୁମେ କେଉଁ କାମ କରିପାରିବ?” ସେ ଉତ୍ତର ଦେଲେ, “ଯେଉଁ କାମ କାହାଦ୍ଵାରା ହେଉନାହିଁ, ସେହି କାମ ମୁଁ କରିପାରିବି ।” ରାଜା କୀର୍ତିଧ୍ୱଜଙ୍କୁ ଏହି ଉତ୍ତର ଭଲ ଲାଗିଲା ଏବଂ ସେ ବିକ୍ରମାଦିତ୍ୟଙ୍କୁ ଦ୍ୱାରପାଳ ଭାବେ ନିଯୁକ୍ତ କଲେ । ବିକ୍ରମ ଦେଖିଲେ ଯେ ରାଜା କୀର୍ତିଧ୍ୱଜ ପ୍ରତିଦିନ ଯେପର୍ଯ୍ୟନ୍ତ ଏକ ଲକ୍ଷ ସୁବର୍ଣ୍ଣ ମୁଦ୍ରା ଦାନ ନ କରନ୍ତି, ସେପର୍ଯ୍ୟନ୍ତ ଅନ୍ନଜଳ ଗ୍ରହଣ କରନ୍ତି ନାହିଁ । ସେ ଏହା ମଧ୍ୟ ଦେଖିଲେ ଯେ ପ୍ରତିଦିନ ସନ୍ଧ୍ୟାରେ ରାଜା ଏକାକୀ କେଉଁଠିକି ଯାଆନ୍ତି ଏବଂ ଫେରିବାବେଳେ ତାଙ୍କ ହାତରେ ଏକ ଲକ୍ଷ ମୁଦ୍ରାରେ ଭରା ଥଳି ଥାଏ । ଏକ ଦିନ ସନ୍ଧ୍ୟା ସମୟରେ ସେ ଲୁଚିଲୁଚି ରାଜାଙ୍କ ପିଛାକଲେ। ସେ ଦେଖିଲେ ଯେ ରାଜା କୀର୍ତିଧ୍ୱଜ ସମୁଦ୍ରରେ ସ୍ନାନ କରି ଏକ ମନ୍ଦିରକୁ ଯାଆନ୍ତି, ସେଠାରେ ଏକ ପ୍ରତିମାର ପୂଜା କରି, ପରେ ଫୁଟୁଥିବା ତେଲର କଡାଇ ଭିତରେ ନିଜେ ଝାସ ଦେଇ ପଡ଼ିଯାଆନ୍ତି । ସେତେବେଳେ ତାଙ୍କ ଦେହ ଜଳି ଯାଉଥିଲା, କିଛି ଯୋଗିନୀମାନେ ଆସି ତାଙ୍କ ଜଳିଥିବା ଦେହକୁ କଡାଇରୁ ବାହାର କରି ଖାଇଥାନ୍ତି ଏବଂ ତୃପ୍ତ ହେଇ ଚାଲିଯାଉଥାନ୍ତି । ଯୋଗିନୀମାନଙ୍କ ଯିବା ପରେ ଏକ ଦେବୀ ପ୍ରକଟ ହେଇ ଅମୃତ ରସର କିଛି ବୁନ୍ଦା ତାଙ୍କ ଉପରେ ପକାଇ ତାଙ୍କୁ ପୁଣି ଜୀବନ ଦେଇଥାନ୍ତି । ଦେବୀ ନିଜ ହାତରେ ଗୋଟିଏ ଲକ୍ଷ ସୁବର୍ଣ୍ଣ ମୁଦ୍ରା ତାଙ୍କ ଝୋଲାରେ ପକେଇ ଦେଇଥାନ୍ତି ଏବଂ କୀର୍ତ୍ତିଧ୍ୱଜ ସେଥିରେ ଖୁସି ହୋଇ ମହଲକୁ ଫେରିଯାଉଥିଲେ । ପରବର୍ତ୍ତୀ ପ୍ରଭାତରେ ସେ ସେହି ସୁବର୍ଣ୍ଣ ମୁଦ୍ରାଗୁଡ଼ିକ ଭିକ୍ଷୁକମାନଙ୍କୁ ଦାନ କରୁଥିଲେ । ବିକ୍ରମଙ୍କୁ ବୁଝିପାରିଲେ ଯେ କୀର୍ତ୍ତିଧ୍ୱଜ ପ୍ରତିଦିନ ଏକ ଲକ୍ଷ ସୁବର୍ଣ୍ଣ ମୁଦ୍ରା ଦାନ କରିପାରୁଥିଲେ କିପରି । ପରବର୍ତ୍ତୀ ଦିନ କୀର୍ତ୍ତିଧ୍ୱଜ ସୁବର୍ଣ୍ଣ ମୁଦ୍ରା ପାଇ ଚାଲିଯିବା ପରେ ବିକ୍ରମ ମଧ୍ୟ ସ୍ନାନ କରି ଦେବୀଙ୍କ ପୂଜା କଲେ ଏବଂ ଗରମ ତେଲର କଡାହରେ ଝାମ୍ପ ଦେଲେ । ଯୋଗିନୀମାନେ ତାଙ୍କ ଜଳି ଯାଇଥିବା ଦେହକୁ ଖାଇ ଚାଲିଯିବା ପରେ ଦେବୀ ତାଙ୍କୁ ପୁଣି ଜୀବନ ଦେଲେ । ଦେବୀ ଯେତେବେଳେ ସେହି ସୁବର୍ଣ୍ଣ ମୁଦ୍ରା ଦେବାକୁ ଚାହିଁଲେ, ବିକ୍ରମ ତାହା ଗ୍ରହଣ ନ କରି କହିଲେ, “ଦେବୀଙ୍କ କୃପା ହିଁ ମୋ ପାଇଁ ସର୍ବୋପରି ।” ସେ ଏହି କ୍ରିୟା ସାତ ଥର କଲେ । ସପ୍ତମ ଥର ଦେବୀ କହିଲେ, “ବାସ୍, ଏବେ ରୁହ । ତୁ ଯାହା ଚାହିଁଛୁ, ମୁଁ ତୋତେ ସେହିଟା ଦେବି ।” ବିକ୍ରମ ଏହି ସୁଯୋଗର ଅପେକ୍ଷାରେ ଥିଲେ । ସେ ଦେବୀଙ୍କୁ ସେହି ଝୋଲା ମାଗିଲେ, ଯେଉଁଥିରୁ ଅସରନ୍ତି ସୁବର୍ଣ୍ଣ ମୁଦ୍ରା ବାହାରୁଥିଲା । ଦେବୀ ସେ ଝୋଲା ଦେବାମାତ୍ରେ ଚମତ୍କାର ଘଟିଲା । ମନ୍ଦିର, ମୂର୍ତ୍ତି, ସବୁ ଅଦୃଶ୍ୟ ହୋଇଗଲା । ଏବେ ଦୂରଦୂରନ୍ତ ପର୍ଯ୍ୟନ୍ତ ସମୁଦ୍ରତଟ ମାତ୍ର ଦେଖାଯାଉଥିଲା । ପରଦିନ କୀର୍ତ୍ତିଧ୍ୱଜ ସେଠାକୁ ଆସି ବହୁତ ନିରାଶ ହେଲେ । ତାଙ୍କ ବର୍ଷ ବର୍ଷ ଧରି ଚାଲିଥିବା ଏକ ଲକ୍ଷ ସୁବର୍ଣ୍ଣ ମୁଦ୍ରା ଦାନର ନିୟମ ଭଙ୍ଗ ହୋଇଗଲା । ସେ ଅନ୍ନ-ଜଳ ତ୍ୟାଗ କରି ନିଜ କକ୍ଷରେ ଅସହାୟ ହୋଇ ପଡିରହିଲେ । ତାଙ୍କ ଦେହ କ୍ଷୀଣ ହେବାକୁ ଲାଗିଲା । ଯେତେବେଳେ ତାଙ୍କ ସ୍ଥିତି ଅତ୍ୟନ୍ତ ଖରାପ ହୋଇଗଲା, ବିକ୍ରମ ତାଙ୍କ ପାଖକୁ ଗଲେ ଏବଂ ତାଙ୍କ ଦୁଃଖର କାରଣ ଜାଣିବାକୁ ଚାହିଲେ । କୀର୍ତ୍ତିଧ୍ୱଜ ସବୁ କଥା ଖୋଲି କରି କହିଦେଲେ। ବିକ୍ରମ ତାଙ୍କୁ ସେହି ଦେବୀଙ୍କ ଝୋଲା ଦେଇ କହିଲେ, “ପ୍ରତିଦିନ ତୁମେ ଫୁଟନ୍ତା କଡେଇରେ କୁଦି ପ୍ରାଣ ହରାଉଥିବା ଦେଖି ମୋ ହୃଦୟ ଦ୍ରବିତ ହୋଇଗଲା, ତେଣୁ ମୁଁ ଦେବୀଙ୍କୁ ସେ ଝୋଲା ସବୁଦିନ ପାଇଁ ମାଗି ନେଇ ଆସିଲି ।” ସେହି ଝୋଲା ରାଜା କୀର୍ତ୍ତିଧ୍ୱଜଙ୍କୁ ଦେଇ ବିକ୍ରମ ସେ ନିଜେ ଦେଇଥିବା କଥାର ମାନ ରକ୍ଷା କଲେ, ଯାହା ଦେଇ ସେ ତାଙ୍କ ଦରବାରରେ ଚାକିରି ପାଇଥିଲେ । ସେ ନିଶ୍ଚୟ ଏମିତି କାମ କଲେ ଯାହା କେହି କରିପାରିବ ନାହିଁ । ରାଜା କୀର୍ତ୍ତିଧ୍ୱଜ ତାଙ୍କୁ ଚିହ୍ନିପାରି ତାଙ୍କୁ ଆଲିଙ୍ଗନ କରି କହିଲେ, “ତୁମେ ନିଶ୍ଚୟ ଏହି ପୃଥିବୀର ସର୍ବଶ୍ରେଷ୍ଠ ଦାନବୀର, କାରଣ ଏତେ ଅସୁବିଧାରେ ପାଇଥିବା ସେହି ସୁବର୍ଣ୍ଣ ଝୋଲାକୁ ମଧ୍ୟ ତୁମେ ନିର୍ଦ୍ଵନ୍ଦରେ ଦାନ କରିଦେଲ, ଯେପରି ଏହା କୌଣସି ଏକ ତୁଚ୍ଛ ଜିନିଷ ଥିଲା”।[]

ଗପଟି କହି ତ୍ରୟୋଦଶ ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ପରି ପରୋପକାର ନିମିତ୍ତ ଅମୁଲ୍ୟ ଜିନିଷକୁ ଉତ୍ସର୍ଗ କରିଦେଇ ପାରିବେ ? ଏହିପରି କହିବା ପରେ ତ୍ରୟୋଦଶ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।[]

  1. ୧.୦ ୧.୧ ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).{{cite book}}: CS1 maint: unrecognized language (link)
  2. WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
  3. samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.{{cite web}}: CS1 maint: numeric names: authors list (link)[permanent dead link]
  4. "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
  5. "Singhasan Battisi - The Story of 13th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-08.