Jump to content

କାମକନ୍ଦଳା କାହାଣୀ (ବତ୍ରିଶ ସିଂହାସନ)

ଉଇକିପିଡ଼ିଆ‌ରୁ
1. Vikramaditya Memorial, Ujjain

କାମକନ୍ଦଳା କାହାଣୀ ବତ୍ରିଶ ସିଂହାସନର ଚତୁର୍ଥ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[]

ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ଚତୁର୍ଥ ଦିନ ଯେତେବେଳେ ସେହି ସିଂହାସନର ଚତୁର୍ଥ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” କାମକନ୍ଦଳା ନାମକ ଚତୁର୍ଥ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[]

ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ଚତୁର୍ଥ ପ୍ରତିମା କାମକନ୍ଦଳା ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ଚତୁର୍ଥ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[][]

ଚତୁର୍ଥ କାହାଣୀ

[ସମ୍ପାଦନା]

ଚତୁର୍ଥ ପୁତଳୀ କାମକନ୍ଦଳା ଯେ କଥା କହିଲା, ତାହାରେ ରାଜା ବିକ୍ରମାଦିତ୍ୟଙ୍କ ଦାନଶୀଳତା ଓ ତ୍ୟାଗମୟ ଭାବନା ସ୍ପଷ୍ଟ ହୁଏ । କଥାଟି ଏପରି —

ଏକ ଦିନ ରାଜା ବିକ୍ରମାଦିତ୍ୟ ଦରବାରରେ ବସିଥିବାବେଳେ ଜଣେ ସେବକ ଆସି କହିଲେ ଯେ ଜଣେ ବ୍ରାହ୍ମଣ ତାଙ୍କୁ ଦେଖିବାକୁ ଆସିଛନ୍ତି । ରାଜା କହିଲେ — “ତାଙ୍କୁ ଭିତରେ ଆଣ ।” ବ୍ରାହ୍ମଣ ଭିତରେ ପଶିଲେ । ରାଜା ପଚାରିଲେ — “କିଛି ଦାନ ନିମନ୍ତେ ଆସିଛ କି?” ବ୍ରାହ୍ମଣ କହିଲେ , “ନାହିଁ, ମୁଁ ମାନ ସ଼ରୋବରରୁ କିଛି କହିବାକୁ ଆସିଛି ।” ସେ କହିଲେ — “ମାନସସରୋବରରେ ପ୍ରତିଦିନ ସୂର୍ଯ୍ୟୋଦୟ ସମୟରେ ଜଳରୁ ଏକ ଖମ୍ଭ ଦେଖାଯାଏ, ଯାହା ସୂର୍ଯ୍ୟର କିରଣ ବୃଦ୍ଧି ସହିତ ଉପରକୁ ବଢ଼ି ଯାଏ ଓ ମଧ୍ୟାହ୍ନ ସମୟରେ ସୂର୍ଯ୍ୟକୁ ସ୍ପର୍ଶ କରେ । ପରେ ଯେପରି ସୂର୍ଯ୍ୟ ଅସ୍ତ ହୁଏ, ସେହି ଖମ୍ଭ ଆସ୍ତେ ଆସ୍ତେ ଛୋଟ ହୋଇ ଜଳରେ ମିଶିଯାଏ ।” ଏମିତି କାହିଁକି ହେଉଛି । ରାଜା ଚିନ୍ତା କଲେ — “ଏହି କଥାର ଅର୍ଥ କ’ଣ ହୋଇପାରେ?” ବ୍ରାହ୍ମଣ ହସି କହିଲେ, କିଛିଦିନ ପୂର୍ବେ ଦେବଗଣ ଓ ସୂର୍ଯ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସୂର୍ଯ୍ୟ କହିଲେ ପୃଥିବିରେ ସମୁଦ୍ର ବ୍ୟତୀତ କେହି ମୋର ସାମନା କରିପାରିବେ ନାହିଁ । କିନ୍ତୁ ଏହି ତର୍କରେ ଏକମତ ନୁହେଁ । “ମୁଁ ଦେବରାଜ ଇନ୍ଦ୍ରଙ୍କ ଦୂତ ହିସାବରେ ଆସିଛି । ସୂର୍ଯ୍ୟଦେବଙ୍କ ଅହଂକାର ଅଧିକ ହୋଇଯାଇଛି । ସେ କହୁଛନ୍ତି ଯେ ସମଗ୍ର ବ୍ରହ୍ମାଣ୍ଡରେ ସମୁଦ୍ରଦେବ ବ୍ୟତୀତ କେହି ତାଙ୍କ ତାପ ସହିପାରିବେ ନାହିଁ । କିନ୍ତୁ ଇନ୍ଦ୍ରଙ୍କ ମତ ଅନୁସାରେ, ତାଙ୍କ ଅନୁଗ୍ରହ ପାଇଥିବା ମର୍ତ୍ୟଲୋକର ଜଣେ ରାଜା ଏହା ସହିପାରିବେ । ସେହି ରାଜା ହେଉଛନ୍ତି ଆପଣ ।” ବିକ୍ରମାଦିତ୍ୟ ସବୁ ବୁଝିଗଲେ । ସେ ନିଶ୍ଚୟ କଲେ ପ୍ରାଣ ଚାଲିଗଲେ ସୁଦ୍ଧା ସୂର୍ଯ୍ୟଙ୍କ ସମୀପକୁ ଯାଇ ପ୍ରଣାମ କରି ଇନ୍ଦ୍ରଙ୍କ ଗୌରବ ରକ୍ଷା କରିବେ । ସେ ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇ ବିଦା କଲେ ଓ ଯାତ୍ରା ପାଇଁ ପ୍ରସ୍ତୁତି ନେଲେ । ସେ ଖୁସି ହେଲେ ଯେ ଦେବତାମାନେ ମଧ୍ୟ ତାଙ୍କୁ ଯୋଗ୍ୟ ଭାବିଛନ୍ତି । ପରଦିନ ପ୍ରଭାତରେ ସେ ରାଜ୍ୟ ଛାଡ଼ି ଯାତ୍ରା ଆରମ୍ଭ କଲେ । ଏକାନ୍ତରେ ସେ ମା କାଳୀଙ୍କ ଦ୍ୱାରା ପ୍ରଦତ୍ତ ଦୁଇ ବେତାଳଙ୍କୁ ସ୍ମରଣ କଲେ । ମାତ୍ର ଚିନ୍ତା କରିବା ସହିତ ସେମାନେ ପ୍ରକଟ ହେଲେ । ସେମାନେ ବିକ୍ରମଙ୍କୁ ମାନସସରୋବର ନିକଟକୁ ନେଇଗଲେ ।

ପ୍ରଭାତ ହେବା ସହିତ ସୂର୍ଯ୍ୟକିରଣ ଜଳକୁ ସ୍ପର୍ଶ କରିଲା, ଏବଂ ସେଠାରୁ ଏକ ଦୀପ୍ତିମାନ ଖମ୍ଭ ପ୍ରକଟ ହେଲା । ବିକ୍ରମ ସେଠାକୁ ପହଞ୍ଚି ଖମ୍ଭରେ ଚଢ଼ିଲେ । ସୂର୍ଯ୍ୟ ଯେପରି ଉଦୟ ହେଉଥିଲେ, ଖମ୍ଭ ଉଚ୍ଚ ହେଉଥିଲା, ଓ ରାଜାଙ୍କ ଶରୀର ତିବ୍ର ତାପରେ ଦଗ୍ଧ ହେଇ ଭସ୍ମ ହୋଇଗଲା । ସୂର୍ଯ୍ୟଦେବ ଯେବେ ସେହି ଭସ୍ମୀଭୂତ ମାନବକୁ ଦେଖିଲେ, ତେବେ ବୁଝିଲେ ଯେ ଏହା ବିକ୍ରମାଦିତ୍ୟ ବ୍ୟତୀତ ଅନ୍ୟ କେହି ନୁହେଁ । ସେ ଇନ୍ଦ୍ରଙ୍କ ଦାବିକୁ ସତ୍ୟ ବୋଲି ହୃଦ୍ଦବୋଧ କଲେ । ତାହାପରେ ସୂର୍ଯ୍ୟଦେବ ଅମୃତ ସିଞ୍ଚି ରାଜାଙ୍କୁ ପୁନର୍ଜୀବନ ଦେଲେ ଓ ନିଜ ସୁବର୍ଣ୍ଣ କୁଣ୍ଡଳ ତାଙ୍କୁ ଉପହାର ଦେଲେ । ସେହି କୁଣ୍ଡଳର ବିଶେଷ ଗୁଣ ଥିଲା ଯେ ଯଦି କିଛି ବି ଇଚ୍ଛା କରିବେ, ସେହି କାମ ସାଧିତ ହେବ । ସୂର୍ଯ୍ୟ ଅସ୍ତ ହେବା ସହିତ ଖମ୍ଭ ଜଳରେ ମିଶିଗଲା ଓ ବିକ୍ରମ ଜଳ ଉପରେ ଭାସିବାକୁ ଲାଗିଲେ । ସେ ବେତାଳମାନଙ୍କ ସ୍ମରଣ କରିବା ମାତ୍ରେ ସେମାନେ ତାଙ୍କୁ ନିଜ ରାଜ୍ୟକୁ ଫେରେଇ ନେଲେ । ପଥରେ ଜଣେ ବ୍ରାହ୍ମଣ ତାଙ୍କୁ ମିଳିଲେ ଓ ସେହି କୁଣ୍ଡଳ ଚାହିଲେ । ବିକ୍ରମାଦିତ୍ୟ ବିନା ଦ୍ୱିଧାରେ ମନରେ କୌଣସି ଅନୁତାପ ନ ରଖି ସେହି ଦୁଇ କୁଣ୍ଡଳ ଦେଇଦେଲେ ।

ଗପଟି କହି ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ଭଳି ଏଭଳି ମହାନ ଗୁଣର ଅଧିକାରୀ ?।[] ଏହିପରି କହିବା ପରେ ଚତୁର୍ଥ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।[]

  1. 1 2 ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).{{cite book}}: CS1 maint: unrecognized language (link)
  2. WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
  3. samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.{{cite web}}: CS1 maint: numeric names: authors list (link)[permanent dead link]
  4. "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
  5. "Singhasan Battisi - The Story of 4th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-06.