Jump to content

କମଳା ଦାସଗୁପ୍ତା

ଉଇକିପିଡ଼ିଆ‌ରୁ
କମଳା ଦାସଗୁପ୍ତା
কমলা দাশগুপ্ত
ଜନ୍ମ(1907-03-11)୧୧ ମାର୍ଚ୍ଚ ୧୯୦୭
ମୃତ୍ୟୁ୧୯ ଜୁଲାଇ ୨୦୦୦(2000-07-19) (ବୟସ ୯୩)
ଶିକ୍ଷାନୁଷ୍ଠାନବେଥୁନ ମହାବିଦ୍ୟାଳୟ, କଲିକତା ବିଶ୍ଵବିଦ୍ୟାଳୟ
ବୃତ୍ତିସ୍ଵାଧୀନତା ସଂଗ୍ରାମୀ
ପ୍ରସିଦ୍ଧିଭାରତୀୟ ସ୍ୱାଧୀନତା ଆନ୍ଦୋଳନ

କମଳା ଦାସଗୁପ୍ତା (୧୧ ମାର୍ଚ୍ଚ ୧୯୦୭ – ୧୯ ଜୁଲାଇ ୨୦୦୦) ଜଣେ ଜଣାଶୁଣା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ।

ସଂକ୍ଷିପ୍ତ ଜୀବନ ବୃତ୍ତାନ୍ତ

[ସମ୍ପାଦନା]

ତାଙ୍କର ଜନ୍ମ ୧୯୦୭ ମସିହାରେ ଢାକାର ବିକ୍ରମପୁର ରେ ଏକ ସଂଭ୍ରାନ୍ତ ବୈଦ୍ୟ ପରିବାରରେ ହୋଇଥିଲା । ପରେ ତାଙ୍କର ପରିବାର କଲିକତାକୁ ଚାଲିଯାଇଥିଲେ, ସେଠାରେ ସେ କଲିକତା ବିଶ୍ୱବିଦ୍ୟାଳୟର ବେଥୁନ୍ ମହାବିଦ୍ୟାଳୟରୁ ଇତିହାସରେ ଏମ୍.ଏ. (ମାଷ୍ଟର ଅଫ ଆର୍ଟସ୍) ଡିଗ୍ରୀ ଅର୍ଜନ କରିଥିଲେ। କଲିକତା ବିଶ୍ୱବିଦ୍ୟାଳୟରେ ତାଙ୍କ ସହପାଠୀ ମାନଙ୍କ ମଧ୍ୟରେ ଜାତୀୟତାବାଦୀ ଭାବନା ଥିଲା ଓ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିବା ପ୍ରବଳ ଇଚ୍ଛା ଥିଲା । ସେ ତାଙ୍କ ଶିକ୍ଷା ଛାଡ଼ି ମୋହନଦାସ କରମଚନ୍ଦ ଗାନ୍ଧୀଙ୍କର ସାବରମତି ଆଶ୍ରମକୁ ଯିବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ପିତାମାତା ସେଥିପାଇଁ ଅନୁମତି ଦେଲେନାହିଁ । ଶିକ୍ଷା ଶେଷ କରିବା ପରେ ସେ ଚରମପନ୍ଥୀ ଯୁଗାନ୍ତର୍ ପାର୍ଟିର କିଛି ସଦସ୍ୟଙ୍କ ସହ ସମ୍ପର୍କ ବୃଦ୍ଧି କଲେ । ସେ ଶୀଘ୍ର ତାଙ୍କ ମୂଳ ଗାନ୍ଧୀବାଦୀ ନରମପନ୍ଥି ଧାରା ଛାଡ଼ି ସସସ୍ତ୍ର ପ୍ରତିରୋଧର ପଥରେ ଅଗ୍ରସର ହେଲେ।[]

୧୯୩୦ ମସିହାରେ ସେ ଘର ଛାଡ଼ି ଚାଲିଗଲେ ଓ ଗରିବ ମହିଳାମାନେ ପାଇଁ ଚାଲିଥିବା ଏକ ଛାତ୍ରାବାସର ପ୍ରବନ୍ଧକ ଭାବରେ କାମ କଲେ । ସେଠି ସେ ବିଦ୍ରୋହୀମାନେ ପାଇଁ ବୋମା ଓ ବୋମା ତିଆରି ଉପକରଣ ସଞ୍ଚୟ କରୁଥିଲେ ଓ ସେଗୁଡ଼ିକୁ କ୍ରାନ୍ତିକାରୀମାନଙ୍କ ନିକଟକୁ ପହଁଚାଉଥିଲେ ।[] ତାଙ୍କୁ ବୋମା ବିସ୍ଫୋରଣ ସହିତ ସଂପୃକ୍ତ ମାମଲାରେ ଅନେକଥର ଗିରଫ କରାଯାଇଥିଲା, କିନ୍ତୁ ପ୍ରମାଣ ଅଭାବରେ ପ୍ରତିଥର ଛାଡ଼ିଦିଆଯାଉଥିଲା । ସ୍ଵାଧୀନତା ସଂଗ୍ରାମୀ ବୀଣା ଦାସଙ୍କୁ ସେ ଏକ ରିଭଲ୍ଭର୍ ଯୋଗାଇଦେଇଥିଲେ ଯାହା ଦ୍ୱାରା ବୀଣା ଦାସ ୧୯୨୨ ମସିହାରେ ଗଭର୍ନର୍ ଷ୍ଟାନ୍‌ଲି ଜ୍ୟାକସନକୁ ଗୁଳିମାରିଥିଲେ । ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ପୁନର୍ବାର ଛାଡ଼ିଦିଆଯାଇଥିଲା ।

୧୯୩୩ ମସିହାରେ ଅନ୍ତତଃ ଇଂରାଜମାନେ ତାଙ୍କୁ ଜେଲରେ ଭର୍ତ୍ତି କରିବାରେ ସଫଳ ହେଲେ । ତେବେ ୧୯୩୬ ମସିହାରେ ତାଙ୍କୁ ମୁକ୍ତ କରାଯାଇ ଗୃହବନ୍ଦୀ କରାଯାଇଥିଲା । ୧୯୩୮ ମସିହାରେ ଯୁଗାନ୍ତର୍ ପାର୍ଟି ନିଜକୁ ଭାରତୀୟ ଜାତୀୟ କଂଗ୍ରେସ ସହିତ ଏକତ୍ର କଲା ଓ କମଳା ମଧ୍ୟ ଜାତୀୟ କଂଗ୍ରେସରେ ଏହି କ୍ରମରେ ଯୋଗ ଦେଲେ । ତାପରେ ସେ ସେବା କାର୍ଯ୍ୟରେ ଲାଗିଗଲେ, ବିଶେଷକରି ୧୯୪୨ ଓ ୧୯୪୩ ରେ ବର୍ମୀୟ ଶରଣାର୍ଥୀ ଓ ୧୯୪୬–୪୭ ମସିହାରେ ସାମ୍ପ୍ରଦାୟିକ ଦଙ୍ଗା ପୀଡ଼ିତମାନଙ୍କ ଥଇଥାନ ତଥା ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କଲେ । ସେ ନୂଆଖାଲିରେ ଶରଣାର୍ଥୀ ଶିବିରର ଦାୟିତ୍ୱରେ ଥିଲେ, ଯେଉଁଠି ଗାନ୍ଧୀ ୧୯୪୬ ମସିହାରେ ଯାତ୍ରା କରିଥିଲେ ।

ସେ କଂଗ୍ରେସ ମହିଳା ଶିଳ୍ପ କେନ୍ଦ୍ର ଓ ଦକ୍ଷିଣେଶ୍ୱର ନାରୀ ସ୍ୱାବଳମ୍ବୀ ସଦନରେ ମହିଳାମାନେ ପାଇଁ ବୃତ୍ତିମୂଳକ ପ୍ରଶିକ୍ଷଣରେ କାମ କରିଥିଲେ।

୧୯ ଜୁଲାଇ ୨୦୦୦ ମସିହାରେ କଲିକତାରେ ସେ ପରଲୋକ ଗମନ କରିଥିଲେ ।[]

ସାହିତ୍ୟ କୃତି

[ସମ୍ପାଦନା]

ବହୁ ବର୍ଷ ଧରି ସେ "ମନ୍ଦିର" ନାମକ ଏକ ଅଭୁତପୂର୍ବ ମହିଳା ପତ୍ରିକାର ସମ୍ପାଦନା କରିଥିଲେ। ସେ ବଙ୍ଗଳା ଭାଷାରେ ଦୁଇଟି ସ୍ମୃତିଲେଖ ମଧ୍ୟ ରଚନା କରିଥିଲେ—[]

  • ରକ୍ତେର ଅକ୍ଷରେ (ରକ୍ତର ଅକ୍ଷରରେ, ୧୯୫୪) ଓ
  • ସ୍ୱାଧୀନତା ସଂଗ୍ରାମେ ନାରୀ (ସ୍ୱାଧୀନତା ସଂଗ୍ରାମରେ ମହିଳାମାନେ, ୧୯୬୩) ।
  1. "Dasgupta, Kamala - Banglapedia". en.banglapedia.org. Retrieved 2025-05-05.
  2. Morgan, Robin (1996). Sisterhood is Global: The International Women's Movement Anthology (in ଇଂରାଜୀ). Feminist Press at CUNY. ISBN 978-1-55861-160-3.
  3. "Contemporary South Asia" (PDF). researchportal.northumbria.ac.uk. Retrieved 5 May 2025.
  4. "Kamala Dasgupta". amritmahotsav.nic.in. Retrieved 5 May 2025.