Jump to content

କନକଲତା ବରୁଆ

ଉଇକିପିଡ଼ିଆ‌ରୁ


କନକଲତା ବରୁଆ (୨୨ ଡିସେମ୍ବର ୧୯୨୪ – ୨୦ ସେପ୍ଟେମ୍ବର ୧୯୪୨) ଏକ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୧୯୪୨ ମସିହାର ‘ଭାରତ ଛାଡ଼ ଆନ୍ଦୋଳନ’ ସମୟରେ ଜାତୀୟ ପତାକା ଧରି ବିରୋଧ ପ୍ରଦର୍ଶନର ନେତୃତ୍ୱ ନେଇଥିବା ବେଳେ, ବ୍ରିଟିଶ ଶାସନାଧୀନ ‘ଇଣ୍ଡିଆନ୍ ଇମ୍ପେରିଆଲ୍ ପୋଲିସ’ ର ଗୁଳିରେ ଶହୀଦ ହୋଇଥିଲେ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଆସାମର ତେଜପୁର ଅଞ୍ଚଳର କନକଲତା ଉଦ୍ୟାନ କିମ୍ବା ରକ୍‌ ଗାର୍ଡେନରେ ଘଟଣାବଳୀକୁ ଚିତ୍ରିତ କରୁଥିବା ଏକ ମୂର୍ତ୍ତି ଅଛି।

ସେ ୨୨ ଡିସେମ୍ବର ୧୯୨୪ ରେ ଜନ୍ମ ଗ୍ରହଣ କରିଥିଲେ। କନକଲତା ବରୁଆ, ଆସାମର ଅବିଭକ୍ତ ଦର୍ରାଙ୍ଗ ଜିଲ୍ଲାର ବୋରଙ୍ଗାବାରୀ ଗାଁରେ କୃଷ୍ଣ କାନ୍ତ ଓ କର୍ଣେଶ୍ୱରୀ ବରୁଆଙ୍କ ଝିଅ ଭାବରେ ଜନ୍ମ ହୋଇଥିଲେ । ତାଙ୍କ ବଡଦାଦା ଘନ କାନ୍ତ ବରୁଆ ଦର୍ରାଙ୍ଗର ଏକ ପ୍ରସିଦ୍ଧ ଶିକାରୀ ଥିଲେ । ତାଙ୍କ ପୂର୍ବପୁରୁଷ ଡୋଳାକଶାରିଆ ବରୁଆ ରାଜ୍ୟ (ଏକ ଚୁତିଆ ଭୃତ୍ୟ ଚିଫଡ଼ମ) ସ‌ହିତ ସଂପୃକ୍ତ ଥିଲେ, ଯାହା ପରେ ସେମାନେ ଡୋଳାକଶାରିଆ ଉପାଧି ଛାଡ଼ି ବରୁଆ ଉପାଧି ଧାରଣ କରିଥିଲେ । ତାଙ୍କୁ ଯେତେବେଳେ ମାତ୍ର ପାଞ୍ଚ ବର୍ଷ ବୟସ, ତାଙ୍କ ମାଆ ମୃତ୍ୟୁ ବରଣ କରନ୍ତି । ଏହାପରେ ତାଙ୍କ ବାପା ପୁଣି ବିବାହ କରିଥିଲେ । ତେବେ ତାଙ୍କୁ ୧୩ ବର୍ଷ ବୟସରେ ପିତାଙ୍କର ମଧ୍ୟ ମୃତ୍ୟୁ ହୁଏ । ସେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ, କିନ୍ତୁ ଏହା ପରେ ଛୋଟ ଭାଇ ଭଉଣୀମାନଙ୍କ ଦେଖାଶୁଣା କରିବାକୁ ପାଇଁ ପଢ଼ା ଛାଡ଼ିଦେଇଥିଲେ ।

ସ୍ୱାଧୀନତା ଆନ୍ଦୋଳନରେ ଭାଗିଦାରି

[ସମ୍ପାଦନା]

ଭାରତ ଛାଡ଼ ଆନ୍ଦୋଳନ ସମୟରେ, କନକଲତା ବରୁଆ ମୃତ୍ୟୁ ବାହିନୀ ନାମକ ଏକ ଯୁବ ଦଳରେ ଯୋଗ ଦେଇଥିଲେ, ଯାହା ଗୋହପୁର ଉପବିଭାଗର ଯୁବକମାନେ ଗଠିତ କରିଥିଲେ । ୨୦ ସେପ୍ଟେମ୍ବର ୧୯୪୨ ରେ, ବାହିନୀ ନିଷ୍ପତ୍ତି ନେଇଥିଲା ଯେ ସେ ଥାନା ଉପରେ ଜାତୀୟ ପତାକା ଉତ୍ତୋଳନ କରିବେ । କନକଲତା ନିରସ୍ତ୍ର ଗ୍ରାମବାସୀମାନଙ୍କ ସ‌ହିତ ଏକ ଶୋଭାଯାତ୍ରାର ନେତୃତ୍ୱ କରି ଯାଉଥିଲେ । ଥାନା ଅଧିକାରୀ ରେବତି ମହନ ସୋମ ତାଙ୍କୁ ଶୋଭାଯାତ୍ରା ବନ୍ଦ କରିବା ଲାଗି ଚେତାବନୀ ଦେଇଥିଲେ, କିନ୍ତୁ ସେମାନେ ଶୋଭାଯାତ୍ରା ଜାରି ରଖିଥିଲେ । ପୋଲିସ ଗୁଳି ଚଳାଇଲେ। କନକଲତା ଗୁଳିବିଦ୍ଧ ହୋଇ ପଡ଼ିଗଲେ । ସେ ଧରିଥିବା ଝଣ୍ଡାଟି ମୁକୁନ୍ଦ କାକୋଟି ଉଠାଇ ନେଲେ, କିନ୍ତୁ ସେ ମଧ୍ୟ ପୋଲିସ ଗୁଳିର ଶିକାର ହେଲେ । ଦୁହେଁ ସେହିଠାରେ ମୃତ୍ୟୁବରଣ କଲେ । ସେତେବେଳେ କନକଲତାର ବୟସ ମାତ୍ର ୧୭ ବର୍ଷ ଥିଲା ।[]

ସମ୍ମାନ

[ସମ୍ପାଦନା]

୧୯୯୭ ମସିହାରେ ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଜଳସୀମା ସୁରକ୍ଷା ପାଇଁ ଚାଲୁ କରାଯାଇଥିବା ଯୁଦ୍ଧ ଯାହାଜ ICGS Kanak Lata Barua ତାଙ୍କ ନାମରେ ନାମିତ । ୨୦୧୧ ମସିହାରେ ଗୌରୀପୁରରେ ତାଙ୍କର ଏକ ପୂର୍ଣ୍ଣାବୟବ ମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ମୃତ୍ୟୁ ପୂର୍ବରୁ ତାଙ୍କ ଆବେଗପୂର୍ଣ୍ଣ ଭାଷଣ ଆଜି ବି ଲୋକଙ୍କ ପାଇଁ ପ୍ରେରଣା ହିସାବରେ ବ୍ୟବହୃତ ହୁଏ ।

ଲୋକପ୍ରିୟ ସଂସ୍କୃତିରେ ପ୍ରତିଫଳନ

[ସମ୍ପାଦନା]

ତାଙ୍କ କଥାକୁ ନିର୍ଦ୍ଦେଶକ ଚନ୍ଦ୍ର ମୁଦୋଇଙ୍କ ଚଳଚ୍ଚିତ୍ର “ଏপাহ ফুলিল এপাহ শৰিল” (Epaah Phulil Epaah Xoril) ରେ ପୁନଃର୍ନିର୍ମାଣ କରାଯାଇଛି । ଏହାର ହିନ୍ଦୀ ସଂସ୍କରଣ “ପୂରବ କି ଆୱାଜ” ନାମରେ ରିଲିଜ୍ କରାଯାଇଛି, ଯାହା ଅଧିକରୁ ଅଧିକ ଦର୍ଶକମାନଙ୍କ ପାଖରେ ପହଞ୍ଚିବା ଉଦ୍ଦେଶ୍ୟରେ କରା ଯାଇଛି ।[]

  1. Pathak, Guptajit (2008). Assamese Women in Indian Independence Movement: With a Special Emphasis on Kanaklata Barua (in ଇଂରାଜୀ). Mittal Publications. ISBN 978-81-8324-233-2.
  2. "The Assam Tribune Online". web.archive.org. 2016-03-03. Archived from the original on 2016-03-03. Retrieved 2025-05-14.
  3. "Kanaklata story in Hindi". web.archive.org. 2016-07-26. Archived from the original on 2016-07-26. Retrieved 2025-05-14.{{cite web}}: CS1 maint: bot: original URL status unknown (link)